• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୨୦୨୪ ନୁହେଁ ୨୩ରେ ହୋଇପାରେ ସାଧାରଣ ନିର୍ବାଚନ । ଯେବେଠାରୁ ରାଜ୍ୟରେ ଆଗୁଆ ନିର୍ବାଚନ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି, ସେବେଠାରୁ ବଢ଼ିଲାଣି ରାଜନୈତିକ ଗତିବିଧି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ନବୀନ ନିବାସରେ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଥିବା ବେଳେ ୧୭ରେ ବିଜେପି ଓ ୧୮ରେ କଂଗ୍ରେସ୍ ଡାକିଛି ବୈଠକ । ବିଜେଡି ଫୋକସ୍‌ରେ ବିଦ୍ରୋହକୁ ଦମନ, ଯୋଗ୍ୟ ପ୍ରାର୍ଥୀଙ୍କୁ ଆଗୁଆ ଚୟନ ଥିବାବେଳେ ସେଥିପାଇଁ ଏବେ ଚାଲିଛି ସର୍ଭେ । ସେପଟେ ତୃଣମୂଳ ସଙ୍ଗଠନ ମଜଭୁତ ସହ ସରକାର ବିରୋଧରେ ମାହୋଲ ବନାଇବା ଉପରେ ଜୋର ଦେଉଛି ବିଜେପି ।

କାହାର କେତେ ଲୋକପ୍ରିୟତା ଅଛି ? କାହାକୁ ପ୍ରାର୍ଥୀ କଲେ ମିଳିବ ସଫଳତା ? ସରକାର ବିରୋଧୀ ହାୱାକୁ କିଭଳି କରିହେବ ପ୍ରତିହତ ? ବିଦ୍ରୋହୀଙ୍କୁ କିଭଳି ମ୍ୟାନେଜ୍ କରାଯିବ ? ରାଜ୍ୟରେ ଆଗୁଆ ନିର୍ବାଚନର ଚର୍ଚ୍ଚା ଭିତରେ ଏ ସବୁ ବିନ୍ଦୁ ଉପରେ ଏବେ ବିଜେଡିରେ ଚାଲିଛି ମାନସ ମନ୍ଥନ । ଦୀର୍ଘ ବର୍ଷ ପରେ କୌଣସି ଏକ ଉପନିର୍ବାଚନରେ ଧାମନଗରରେ ବିଜେଡି ହାରିଲା । ଆଉ ପଦ୍ମପୁର ସିଟ୍ ବଜାୟ ରଖିବାକୁ ବିଜେଡିକୁ ସବୁ ପ୍ରକାର ଶକ୍ତି ଲଗାଇବାକୁ ପଡିଲା ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ହେବ କି ଆଗୁଆ ନିର୍ବାଚନ ? ୨୪ ପୂର୍ବରୁ ଭାଙ୍ଗିବ କି ବିଧାନସଭା?

ଦୀର୍ଘ ୨୩ ବର୍ଷ କ୍ଷମତାରେ ରହିବା ପରେ ବିଜେଡିର ସ୍ଥିତି କଣ ଓ ଆଗକୁ କେଉଁ ଚ୍ୟାଲେଞ୍ଜ୍ ସାମ୍ନା କରିବାକୁ ପଡ଼ିବ । ତାହା ବି ଦଳକୁ ଭଲ ଭାବେ ଜଣା। ସେଥିପାଇଁ ଏବେଠୁ ଆରମ୍ଭ ହେଲାଣି ସର୍ଭେ । କେଉଁ ସ୍ଥାନରେ ଅଧିକ ଆଶାୟୀ ଅଛନ୍ତି? କେଉଁ  ନିର୍ବାଚନ ମଣ୍ଡଳୀରେ କେଉଁ ସମୀକରଣ କାମ କରୁଛି ? ସେନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା ।

ଏହାରି ଭିତରେ ଆସନ୍ତା ମାସରେ ଧନ୍ୟବାଦ ଦେବାକୁ ନବୀନ ଯିବେ ପଦ୍ମପୁର । ସେଇଠୁ ହିଁ ବିଜେଡି ୨୪ ନିର୍ବାଚନ ପ୍ରସ୍ତୁତିର ବିଗୁଲ୍ ବଜାଇବା ବୋଲି କୁହାଯାଉଛି । ତା ପୂର୍ବରୁ ଆସନ୍ତାକାଲି ନବୀନ ନିବାସରେ ବସିବାକୁ ଯାଉଛି ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ସେପଟେ ବିଜେପି ମଧ୍ୟ ସାଧାରଣ ନିର୍ବାଚନ ପାଇଁ ଏବେଠାରୁ କମର କସିଲାଣି । ଦଳର ଫୋକସ୍‌ରେ ରହିଛି ତୃଣମୂଳ ସଙ୍ଗଠନ ସହିତ ବୁଥ୍ ମଜଭୁତ୍ କରିବା । ଏହାସହ ପଂଚାୟତ ସ୍ତରରେ ଶକ୍ତି କେନ୍ଦ୍ର ଉପରେ ଜୋର ଦେଉଛି ଦଳ ।

ରାଜ୍ୟ ସରକାର ବିରୋଧରେ ମାହୋଲ ବନାଇବା ସହ ମୋଦି ସରକାରଙ୍କ ସଫଳତାର ବାର୍ତ୍ତା ଘରେ ଘରେ ପହଞ୍ଚାବାକୁ ପ୍ରସ୍ତୁତ ହେଉଛି ଯୋଜନା । ଆସନ୍ତା ୧୭ ତାରିଖରେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ଓଡ଼ିଶା ଆସି ଜିଲ୍ଲା ସଭାପତି, ପ୍ରଭାରୀ, ରାଜ୍ୟ ପଦାଧିକାରୀ ଓ କୋର୍ କମିଟି ସଦସ୍ୟଙ୍କ ସହ ଆଲୋଚନା କରିବେ । ସେପଟେ ୧୮ ତାରିଖରେ କଂଗ୍ରେସ୍ ଜିଲ୍ଲା ସଭାପତି, ବିଧାୟକ, ସାଂସଦ, ବରିଷ୍ଠ ନେତାମାନଙ୍କୁ ନେଇ ବୈଠକ କରିବାକୁ ଯାଉଛି । ଯେଉଁଥିରେ ଏଆଇସିସି ପକ୍ଷରୁ ଦିଆଯାଇଥିବା ଦୁଇମାସିଆ ଖସଡା ଓ ନିର୍ବାଚନକୁ କିଭଳି ଲଢ଼ାଯିବ ତା ଉପରେ ହେବ ଆଲୋଚନା ।

ସେପଟେ ରାଜ୍ୟରେ ଆଗୁଆ ନିର୍ବାଚନର ସମ୍ଭାବନା ଥିବାରୁ ରାଜନୈତିକ ଗତିବିଧି ବଢ଼ିଲାଣି । ତେବେ ରାଜ୍ୟରେ କଂଗ୍ରେସ୍ ଭୋଟ୍ ବିଭାଜନ ସହିତ ଦଳ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ତେଣୁ ୨୪ ନିର୍ବାଚନରେ ଓଡ଼ିଶାରେ ଦ୍ୱିମୁଖୀ ଲଢ଼େଇ ଅର୍ଥାତ ବିଜେଡି-ବିଜେପି ମଧ୍ୟରେ ସିଧାସଳଖ ଫାଇଟ୍ ହେବାର ସମ୍ଭାବନା ଅଧିକ । ଅନ୍ୟପକ୍ଷରେ ବିଜେଡିକୁ ଦଳୀୟ ବିଦ୍ରୋହ କ୍ଷତି ଘଟାଇବ ବୋଲି ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ ।

(ରିପୋର୍ଟ- ଭୁବନେଶ୍ୱରରୁ ହରିହର ଚାନ୍ଦ)