ଘରୁ ପଦାକୁ ବାହାରିଲେ ଭି କେ ପାଣ୍ଡିଆନ୍ (ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍) । ଠିକ୍ ୫ ମାସ ପରେ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଲେ । କଟକ ତ୍ରିଶୂଳିଆରେ ନଭେମ୍ୱର ୨୭ ତାରିଖରେ ଏକ ବିବାହ ଭୋଜି ଉତ୍ସବରେ ଯୋଗ ଦେଇଥିଲେ ପାଣ୍ଡିଆନ୍ । ଏହି ଉତ୍ସବଟି ଥିଲା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଝିଅ ତଥା ବର୍ତ୍ତମାନର ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ଭଉଣୀଙ୍କ ବାହାଘର । ରାଜନୀତିରୁ ସନ୍ନ୍ୟାସ ନେଇଥିବା ପାଣ୍ଡିଆନଙ୍କୁ ନିର୍ବାଚନ ପରେ ପ୍ରଥମ ଥର ଲୋକଙ୍କ ଗହଣରେ ଦେଖିବାକୁ ମିଳିଥିଲା। ସେ ସେଠାରେ କିଛି ସମୟ ରହିଥିଲେ। କିଛି ଲୋକ ବି ହଠାତ୍ ତାଙ୍କୁ ସେଠାରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଗତ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରଠୁ ସେ ଅଜ୍ଞାତବାସରେ ଥିଲେ ବୋଲି ଚର୍ଚ୍ଚା ହେଉଥିଲା । କାରଣ ସର୍ବସାଧାରଣ ସ୍ଥାନରେ କିମ୍ୱା କୌଣସି ସଭାସମିତିରେ ତାଙ୍କୁ କେହି କେବେ ଦେଖିନଥିଲେ । କିନ୍ତୁ ଜଣେ ବିଜେଡି ବିଧାୟକଙ୍କ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଛି । କିଛି ଦିନ ତଳେ ସେ ଅନ୍ୟ ଜଣେ ବିଜେଡି ନେତାଙ୍କ ଝିଅର ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତାହା ସୀମିତ ଲୋକଙ୍କୁ ନେଇ କରାଯାଇଥିଲା ।
Also Read
୨୦୦୦ ବ୍ୟାଚର ଏହି ଆଇଏଏସ୍ ଅଫିସର ଦୀର୍ଘ ୧୨ ବର୍ଷ ଧରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିଲେ । ଏହି ପଦରେ ଥାଇ ପରେ ସେ ୫ଟି(5T) ସଚିବ ଭାବେ କାମ କଲେ । ସରକାରଙ୍କ ଅନେକ ନୂଆ ନୂଆ ଯୋଜନା ଏହି ୫ଟି ଅଧୀନରେ ରୂପାୟିତ ହେଉଥିଲା । କିନ୍ତୁ ୫ଟି ବୋଲି କୌଣସି ନିର୍ଦ୍ଦିଷ୍ଟ ବିଭାଗ ନଥିଲା । ବିଧାନସଭାରେ ୫ଟି ସଂପର୍କିତ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ, ୫ଟି ଏକ ବିଭାଗ ନୁହେଁ ଏକ ବିଚାରଧାରା । ଏହି ୫ଟିକୁ ସମ୍ଭାଳୁଥିଲେ ଭି କେ ପାଣ୍ଡିଆନ୍ ।
ଅଧିକ ପଢନ୍ତୁ: ନବୀନ ନିବାସ ସମ୍ମୁଖରେ ମୋଦିଙ୍କ ସଭା, ନାଁ ନନେଇ ନବୀନଙ୍କୁ କଲେ ଟାର୍ଗେଟ
ଶାସନର କେନ୍ଦ୍ରବିନ୍ଦୁ ସାଜିଥିବା ପାଣ୍ଡିଆନ୍ ୨୦୨୩ରେ ହେଲିକପ୍ଟରରେ ସାରା ରାଜ୍ୟକୁ ଘନ ଘନ ଗସ୍ତ କରିଥିଲେ । ଏ ବାବଦରେ ରାଜ୍ୟ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ସେ ଲୋକଙ୍କଠାରୁ ଅଭିଯୋଗ ଆଣିବାକୁ ଯାଉଥିଲେ ବୋଲି ସରକାରୀ ଭାବେ କୁହାଯାଉଥିଲା । ଏହାକୁ ଆଇନର ଉଲ୍ଲଂଘନ ବୋଲି ଦର୍ଶାଇ ବିରୋଧୀ ଦଳର ନେତାମାନେ ସମାଲୋଚନା କରିବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଯାଇଥିବା ବିଜେଡି ସରକାର ସେତେବେଳେ ସଫେଇ ଦେଇଥିଲା । ତଥାପି ବିରୋଧୀ ଦଳର ଶାଣିତ ଆକ୍ରମଣରୁ ବର୍ତ୍ତିନଥିଲେ ପାଣ୍ଡିଆନ୍ । ନିଜ ମନରେ ଥିବା ରାଜନୈତିକ କାମନାକୁ ଚରିତାର୍ଥ କରିବା ହେଉ ବା ବିରୋଧୀଙ୍କ ସମାଲୋଚନାର ଚାପରେ ହେଉ, ଶେଷରେ ବିଜେଡିରେ ଯୋଗଦେଇଥିଲେ ପାଣ୍ଡିଆନ୍ ।
ବିଜେଡିରେ ଯୋଗଦେବା ପରେ ସେ ଅଧ୍ୟକ୍ଷ ହେବା ସହ କ୍ୟାବିନେଟ୍ ପାହ୍ୟା ପାଇଥିଲେ । ଦଳର କୌଣସି ପଦପଦବୀରେ ନଥିଲେ ମଧ୍ୟ ସେ ଥିଲେ ଗତ ନିର୍ବାଚନରେ ବିଜେଡିର ଷ୍ଟାର୍ ପ୍ରଚାରକ । ଦଳୀୟ ନେତାଙ୍କ ପାଇଁ ରାଜ୍ୟସାରା ବୁଲି ବୁଲି ହେଲିକପ୍ଟରରେ ନିର୍ବାଚନ ପ୍ରଚାର କରିଥିଲେ । ଏପରିକି ବିଜେଡି ନଜିତିଲେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଘୋଷଣା କରିଥିଲେ । ତେବେ ନିର୍ବାଚନରେ ବିଜେଡି ବିରୋଧୀ ଦଳକୁ ଚାଲିଯାଇଥିଲା ଓ ଗୋଟିଏ ବି ଲୋକସଭା ନିର୍ବାଚନ ଜିତିପାରିଲାନି ବିଜେଡି । ଆଇଏଏସ ଅଫିସରରୁ ବିଜେଡି ନେତା ହୋଇଥିବା ପାଣ୍ଡିଆନ୍ ଗତ ଜୁନ୍ ୯ ତାରିଖରେ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ । ଏ କଥା ସେ ଘୋଷଣା କରି କହିଥିଲେ । ତା ପରଠୁ ସେ କୁଆଡେ ଯାଉନଥିଲେ । ସମସ୍ତେ ଭାବିଥିଲେ, ସେ ରାଜନୀତିରୁ ଦୂରେଇଗଲେ । କିନ୍ତୁ ସେ ବିଜେଡି ନେତାମାନଙ୍କ ସହ ସଂପର୍କରେ ଥିବାର ସ୍ପଷ୍ଟ ହୋଇଛି ।