/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731076639.jpg)
ସୁଶାନ୍ତ ବେହେରାଙ୍କ ଡାଇରେକ୍ଟ ଆଟାକକୁ ନେଇ ବିଜେଡିରେ କମ୍ପନ
BJD ବିପର୍ଯ୍ୟୟ ପାଇଁ ନବୀନ ଦାୟୀ। ନିଜେ ସଭା ସମିତିକୁ ନଯିବାର ଫଳ ଭୋଗିଲା ଦଳ। ଆଜି ଏଭଳି ସାଂଘାତିକ ବୟାନ ଦେଇଛନ୍ତି ଛେଣ୍ଡିପଦାର ପୂର୍ବତନ ବିଧାୟକ ସୁଶାନ୍ତ ବେହେରା। ଖାଲି ସେତିକି ନୁହେଁ, ଦଳ ନିର୍ବାଚନ ପୂର୍ବରୁ ଭୁଲ୍ ବାଟରେ ପରିଚାଳିତ ହେଉଥିଲା ବୋଲି କହି ବିଜେଡି କ୍ୟାମ୍ପରେ କମ୍ପନ ସୃଷ୍ଟି କରିଛନ୍ତି ସୁଶାନ୍ତ।
ପ୍ରଥମେ ଅମର ଶତପଥୀ ଆଉ ଆଜି ଛେଣ୍ଡିପଦାର ପୂର୍ବତନ ବିଧାୟକ ସୁଶାନ୍ତ ବେହେରାଙ୍କ ଏ ବିସ୍ଫୋରକ ମନ୍ତବ୍ୟକୁ ନେଇ BJDରେ ହଇଚଇ। ଗଣମାଧ୍ୟମ ଆଗରେ ବିଷ ଓଗାଳି ସୁଶାନ୍ତ କହିଛନ୍ତି ଦଳର ସଭାପତି ନିର୍ବାଚନ ସମୟରେ ଦଳକୁ ଅଣଦେଖା କଲେ। ନିଜେ ନବୁଲି ନିଜ ପ୍ରତିନିଧିଙ୍କୁ ସଭାସମିତିକୁ ଛାଡିଲେ। ଯାହା ବିଜେଡି କର୍ମୀଙ୍କୁ ଅସନ୍ତୁଷ୍ଟ କଲା। ଏଥସହ ଦଳ ଭୁଲ୍ ବାଟରେ ପରିଚାଳିତ ହେବାରୁ ପରାଜିତ ହେଲା ବୋଲି କହିଛନ୍ତି ସୁଶାନ୍ତ।
ଏହା ସହ ପଢ଼ନ୍ତୁ: Sushant Behera On BJD: ପରାଜୟ ନେଇ ବିଜେଡି ନେତାଙ୍କ ବିସ୍ଫୋରକ ବୟାନ; କହିଲେ, ନବୀନଙ୍କ ପାଇଁ...
ଗତକାଲି ମଧ୍ୟ ଶଙ୍ଖଭବନରେ ଖୋଦ୍ ନବୀନଙ୍କ ଉପସ୍ଥିତିରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ତେରଚ୍ଛା ବାଣ ମାରି କହିଥିଲେ ଯେ ଦଳରେ ମତାନ୍ତର-ମନାନ୍ତର ରହିଛି, ପରିଚାଳନା ଗତ ତ୍ରୁଟି ବି ରହିଛି । ଏହାକୁ ସୁଧାରିଲେ ଦଳ ଶକ୍ତିଶାଳୀ ହେବ। ଆଉ ଆଜି ସୁଶାନ୍ତଙ୍କ ଏଭଳି ମନ୍ତବ୍ୟ ପରେ ଦଳ ଉପରେ ଯେ ସୁପ୍ରିମୋଙ୍କ ଲଗାମ୍ ହୁଗୁଳା ହେଇଗଲାଣି, ତାକୁ ସ୍ପଷ୍ଟ ସୂଚୋଉଛି।
ନିର୍ବାଚନ ବିପର୍ଯ୍ୟୟ ପରଠୁ ପଦ୍ମନାଭ ବେହେରା, ନୃସିଂହ ସାହୁ, ବଦ୍ରି ପାତ୍ର, ପ୍ରଦୀପ ମାଝୀ, ଭୂପିନ୍ଦର ସିଂଙ୍କ ଭଳି ବରିଷ୍ଠ ନେତା ନିର୍ବାଚନ ପରିଚାଳନାକୁ ନେଇ ମଝିରେ ମଝିରେ ବିଷୋଦଗାର କରି ଚାଲିଛନ୍ତି। କିନ୍ତୁ କାହିଁକି ? ସୁପ୍ରିମୋଙ୍କ ପାଖରେ ବାରମ୍ବାର ଅଭିଯୋଗ ପରେ ବି ଫଳ ମିଳୁନଥିବାର ଅନୁଭବରୁ ଏ ବିସ୍ଫୋରଣ ନୁହେଁ ତ। ଚର୍ଚ୍ଚା ହେଉଛି ଏତେ ପରେ ବି ଆଢୁଆଳରେ ରହି ବବି ଓ ପାଣ୍ଡିଆନ୍ ହିଁ ଦଳକୁ ନିୟନ୍ତ୍ରଣ କରୁଛନ୍ତି। ଯେଉଁଥିପାଇଁ ମୁଖିଆଙ୍କ ଉପରୁ ଆସ୍ଥା ହରାଉଛନ୍ତି ନେତା ।
ପରାଜୟର ୫ ମାସରେ ବିଜେଡି ଦୁର୍ଗ ଦୋହଲି ଗଲାଣି। ଘନ ଘନ ନେତାଙ୍କ ବୟାନ ନବୀନଙ୍କ ମୁଣ୍ଡ ବିନ୍ଧା ବଢାଇଦେଇଛି। ଏଭଳିସ୍ଥଳେ ଦଳ କେମିତି ସଂଗଠିତ ରହୁଛି ତାଉପରେ ନଜର ।
ଏହା ସହ ପଢ଼ନ୍ତୁ: Former MLA Sunanda Das Exposes BJD: ପୋଲିସ୍ ଓ ଅଫିସର୍ ବୁଝୁଥିଲେ ରାଜନୀତି କଥା, ଗୁମର ଖୋଲିଲେ ସୁନନ୍ଦା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)