Advertisment

Politics:କଡ଼ ଲେଉଟାଉଛି ରାଜନୀତି, ଭକ୍ତଙ୍କ ଚକାଭଉଁରୀରେ ଘୂରୁଛି ବିଜେଡି !

ବିଜେଡିର ଭୋଟ୍ ହାର ନିରନ୍ତର ଭାବରେ ଯେଉଁଭଳି ଭାବେ ବଢିଛି, ତାହାର ମୁଖ୍ୟ କାରଣ ଥିଲା କଂଗ୍ରେସର ଧାରାବାହିକ ଭାବେ ନିମ୍ନଗାମୀ ପ୍ରଦର୍ଶନ । ଅତଏବ ବିଧାନସଭା ଭିତରେ ବା ବାହାରେ ବିଜେଡି ସହିତ ସ୍ୱର ମିଳାଇ ହୋହଲ୍ଲା କରିବା ଓଧ ସହିତ ବଣଭୁଆଁ ବାୟା ହେବା ଭଳି ହେବ । ଭକ୍ତ ଭଲ ଭାବରେ ଜାଣିଛନ୍ତି ଯେ, କଂଗ୍ରେସକୁ ଉପରକୁ ନେବାକୁ ହେଲେ ବିଜେଡିର ଶକ୍ତି କ୍ଷୟ କରିବାକୁ ପଡ଼ିବ ।

author-image
Akshaya Kumar Sahoo
Bhakta Charan Das

Bhakta Charan Das

ଚଳିତ ବିଧାନସଭାର ବଜେଟ୍ ଅଧିବେଶନ ପ୍ରାୟତଃ ଠିକ୍ ଭାବରେ ଚାଲିପାରୁନାହିଁ । ବିରୋଧୀ ବିଜୁ ଜନତା ଦଳକଂଗ୍ରେସ ଏହି ଅଧିବେଶନର ପୂର୍ବ ଦୁଇ ଅଧିବେଶନ ଅପେକ୍ଷା ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଉଥିବା ଦେଖାଯାଉଛି ।

Advertisment

ପୂର୍ବ ଦୁଇ ଅଧିବେଶନରେ ଦୁଇ ଦଳ ବିରୋଧୀ ଦଳଙ୍କ ଭିତରେ ଯେଉଁଭଳି ଭାବରେ ଅପୂର୍ବ ସମନ୍ୱୟର ଏକ ଭାବ ଥିଲା, ତାହା ଏଥର ଦେଖିବାକୁ ମିଳୁ ନାହିଁ । ପୂର୍ବ ଅଧିବେଶନଗୁଡିକରେ ଯଦି ଏହି ଦୁଇ ଦଳ ମଧ୍ୟରୁ କେହି ଜଣେ ଏକ ନିର୍ଦ୍ଧିଷ୍ଟ ପ୍ରସଙ୍ଗ ଉଠାଉଥିଲା, ତେବେ ଅନ୍ୟ ଦଳଟି ତାକୁ ଅବିଳମ୍ବେ ଅକୁଣ୍ଠ ଭାବରେ ସମର୍ଥନ ଦେଉଥିଲା । ହେଲେ ଏଥରକ ବିଜେଡିର ମୁଁହ ଗୋଟିଏ ଆଡକୁ ଏବଂ କଂଗ୍ରେସର ମୁହଁ ଆଉ ଗୋଟିଏ ଆଡକୁ ଦେଖାଯାଉଛି ।

ବିଜେଡି ଓଡ଼ିଆ ଅସ୍ମିତା, କୃଷି ଓ କୃଷକ ଉପରେ ସରକାରଙ୍କୁ ଘେରି ବିଧାନସଭା ଅଧିବେଶନରେ ହଟ୍ଟଗୋଳ କରୁଥିବା ବେଳେ କଂଗ୍ରେସ ନାରୀ ସୁରକ୍ଷା ଓ ବାଳିକା ହଷ୍ଟେଲରେ ଛାତ୍ରୀମାନେ ଗର୍ଭବତୀ ତଥା ମାଆ ହେବା ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଯାଇ ବାରମ୍ବାର ଗୃହ ମୁଲତବି କରିବା ପରିସ୍ଥିତି ସୃଷ୍ଟି କରୁଛି । ଯାହା ଜଣାପଡୁଛି, ଏଥର ବିଧାନସଭା ଅଧିବେଶନ ସେମିତି ଭଲ ଭାବରେ ବା ସୁରୁଖୁରୁରେ ଚାଲିପାରିବ ନାହିଁ । କଂଗ୍ରେସ ଘୋଷଣା କରିଛି ଯେ, ବଢୁଥିବା ନାରୀ ନିର୍ଯାତନାର କାରଣ ଖୋଜିବା ପାଇଁ ଯେ ପର୍ଯ୍ୟନ୍ତ ବିଧାନସଭାର ଏକ ଗୃହ କମିଟି ବା ହାଉସ୍ କମିଟି ଗଠନ କରାନଯାଇଛି, ସେ ପର୍ଯ୍ୟନ୍ତ ଏହା ଆନ୍ଦୋଳନାତ୍ମକ ପନ୍ଥା ପରିହାର କରିବ ନାହିଁ ।

Advertisment

ବିରୋଧୀମାନଙ୍କ ରଣନୀତିକୁ ଏ ପର୍ଯ୍ୟନ୍ତ ଶାସକ ଭାରତୀୟ ଜନତା ପାର୍ଟି ଭେଦ କରିବାରେ ସେତେଟା ସଫଳ ହୋଇପାରିନାହିଁ । ସରକାରୀ ଦଳ ବିରୋଧୀମାନଙ୍କର ଚକ୍ରବ୍ୟୁହ ଭେଦି ନପାରିବାର କାରଣ ନେଇ ସମୀକ୍ଷକମାନେ ଭିନ୍ନଭିନ୍ନ ମତ ପୋଷଣ କରନ୍ତି । କିଛି ସମୀକ୍ଷକ କହୁଛନ୍ତି ଯେ, ସରକାର ଓ ଦଳ ମଧ୍ୟରେ ଯେଉଁ ସମନ୍ୱୟ ରହିବା କଥା, ସେଥିରେ ଟିକିଏ କେଉଁଠି କମି ରହିଯାଉଛି । ଆଉ ଏହି କମି ରହିବାର କାରଣ ହେଲା ଏ ପର୍ଯ୍ୟନ୍ତ ଦଳର ରାଜ୍ୟ ସଭାପତି ନିର୍ବାଚନ ନେଇ ସ୍ପଷ୍ଟତା ନଆସିବା । ଯଦିଓ ବର୍ତ୍ତମାନର ସଭାପତି ମନମୋହନ ସାମଲ ଜଣେ ଧୂରୀଣ ରାଜନୈତିକ ବ୍ୟକ୍ତିତ୍ୱ ଏବଂ ସରକାର ଓ ଦଳ ମଧ୍ୟରେ କିପରି ସମନ୍ୱୟ ରକ୍ଷା କରିହେବ, ସେ ନେଇ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି, ତାଙ୍କର ଭବିଷ୍ୟତ ନେଇ ସେ ନିଶ୍ଚିତ ନଥିବାରୁ ତାଙ୍କର ସକ୍ରିୟତା ସେତେଟା ପରିଲକ୍ଷିତ ହେଉନାହିଁ । ତାଙ୍କର ସକ୍ରିୟତା ନଦେଖାଯିବା କିଛି ଅସ୍ୱାଭାବିକ ମଧ୍ୟ ନୁହେଁ । କାରଣ ଯଦି ସେ ବର୍ତ୍ତମାନ ଯେଉଁ ଦୃଷ୍ଟିଭଙ୍ଗୀରେ ବା ମାର୍ଗରେ ସରକାର ଚଳାଇବାକୁ ଚାହିଁବେ, ତାହା ଅନ୍ୟ କେହି ସଭାପତି ହେଲେ ଆପଣାଇ ନପାରନ୍ତି ।

ଅନେକ ବର୍ତ୍ତମାନ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି ଯେ, ବିରୋଧୀ ଦଳମାନଙ୍କ ମଧ୍ୟରେ ପୂର୍ବ ସମନ୍ୱୟ ଆଉ କାହିଁକି ଦେଖାଯାଉନାହିଁ? କ’ଣ ପାଇଁ ସେମାନେ ଆଉ ନିର୍ଦ୍ଧିଷ୍ଟ ଗୋଟିଏ ପ୍ରସଙ୍ଗରେ ଏକାଠି ହେଉନାହାଁନ୍ତି ଏବଂ ଭିନ୍ନଭିନ୍ନ ବାଟ ଆପଣାଉଛନ୍ତି? କାହିଁକି ଆଉ କଂଗ୍ରେସ ବିଜେଡି ସହିତ ସମାନ ସ୍ୱରରେ ସ୍ୱର ମିଶାଉ ନାହିଁ?

ଏହାର ଉତ୍ତର ସେମିତି କିଛି କଷ୍ଟସାଧ୍ୟ ନୁହେଁ । ପ୍ରଦେଶ କଂଗ୍ରେସ କମିଟିର ବର୍ତ୍ତମାନର ନୂଆ ମୁଖିଆ ଭାବେ ଦାୟିତ୍ୱ ନେଇଛନ୍ତି ଭକ୍ତ ଚରଣ ଦାସ । ବେଶ୍ ଲଢୁଆ ନେତା । ରାଜନୈତିକ ପଟୁତା ତାଙ୍କର ଢେର ରହିଛି । ସେ ଜଣେ ବାଗ୍ମୀ, କୁଶଳୀ ବିନ୍ଧାଣୀ ଓ ତୃଣମୂଳସ୍ତରର ପରିଶ୍ରମୀ ନେତା ।

ଅଧିକ ପଢ଼ନ୍ତୁ: ଆକ୍ରମଣାତ୍ମକ ହେଉଛି ବିଜେପି, ଦୃଶ୍ୟମାନ ହେଉନାହାନ୍ତି ବିଜେଡି ନେତା !

ଭକ୍ତ ଭଲ ଭାବରେ ଜାଣିଛନ୍ତି ଯେ, ଓଡ଼ିଶାରେ ବିଜୁ ଜନତା ଦଳ କଂଗ୍ରେସକୁ ବିରୋଧ କରି ହିଁ ସୃ୍‌ଷ୍ଟି ହୋଇଛି । ଯେତେସବୁ ନେତା  ବିଜେଡିରେ ଏବେ ଅଛନ୍ତି, ଅଧିକାଂଶ ସେମାନେ ବା ତାଙ୍କ ବଂଶର ପୂର୍ବଜମାନେ କଂଗ୍ରେସ ଛାଡି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି । ଭୋଟରମାନଙ୍କ କଥା ବି ଠିକ୍ ସେୟା । ଯଦି କଂଗ୍ରେସକୁ ତା’ର ହୃତ ଗୌରବ ଫେରାଇ ଆଣିବାକୁ ହେବେ, ତେବେ ପ୍ରଥମେ ବିଜେଡି ଠାରୁ ନିଜକୁ ଭିନ୍ନ ଭାବରେ ଜନସାଧାରଣଙ୍କ ନିକଟରେ ଉପସ୍ଥାପିତ କରିବାକୁ ହେବ । ଭକ୍ତ ଭଲ ଭାବରେ ଜାଣିଛନ୍ତି ଯେ, ବିଜେପିର ଭୋଟ୍ ହାର ପ୍ରାୟତଃ ଗତ ଦୁଇ ଦଶନ୍ଧିରେ ପାଖାପାଖି ୩୦ ପ୍ରତିଶତ ବା ତା’ ଉପରେ ରହିଛି । କିନ୍ତୁ ବିଜେଡିର ଭୋଟ୍ ହାର ନିରନ୍ତର ଭାବରେ ଯେଉଁଭଳି ଭାବେ ବଢିଛି, ତାହାର ମୁଖ୍ୟ କାରଣ ଥିଲା କଂଗ୍ରେସର ଧାରାବାହିକ ଭାବେ ନିମ୍ନଗାମୀ ପ୍ରଦର୍ଶନ । ଅତଏବ ବିଧାନସଭା ଭିତରେ ବା ବାହାରେ ବିଜେଡି ସହିତ ସ୍ୱର ମିଳାଇ ହୋହଲ୍ଲା କରିବା ଓଧ ସହିତ ବଣଭୁଆଁ ବାୟା ହେବା ଭଳି ହେବ । ଭକ୍ତ ଭଲ ଭାବରେ ଜାଣିଛନ୍ତି ଯେ, କଂଗ୍ରେସକୁ ଉପରକୁ ନେବାକୁ ହେଲେ ବିଜେଡିର ଶକ୍ତି କ୍ଷୟ କରିବାକୁ ହେବ ।

କୌଣସି ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ କିଛି ଦିନ ପର୍ଯ୍ୟନ୍ତ ଉଜାଗର ରଖି ସେଥିରୁ କିଛି ରାଜନୈତିକ ପୁଞ୍ଜି ଆହରଣ କରିହେବ । ହେଲେ ସେହି ପ୍ରସଙ୍ଗକୁ ଅତ୍ୟଧିକ ମାତ୍ରାରେ ଖେଳାଇଲେ ତାହା ବୁମେରାଂ ହେବାର ସମ୍ଭାବନା ଥାଏ ବୋଲି କିଛି ସମୀକ୍ଷକ ମତ ଦିଅନ୍ତି । ଅତଏବ କଂଗ୍ରେସର ଗୃହ କମିଟି ଦାବି ଉପରେ ଅଧିକ ସମୟ ଅଡି ବସିବା ଦଳକୁ କେତେ ଲାଭ ଦେବ ସେ ନେଇ ତର୍ଜମା କରିବାର ଆବଶ୍ୟକତା ଅଛି । ନହେଲେ ଅତି ଲେମ୍ବୁ ଚିପୁଡିଲେ ପିତା ହେବା ଭଳି କଥା ହେବ ବୋଲି ସମୀକ୍ଷକମାନେ ମତ ଦିଅନ୍ତି ।

ଜାଣିବା ଶୁଣିବା ମହଲରେ ଆଲୋଚନା ହେଉଛି ଯେ, ବିଚକ୍ଷଣ ଭକ୍ତ ଏକ ନଈବଢିରେ ଯେଉଁଭଳି ଭୟଙ୍କର ଭଉଁରୀ ସୃଷ୍ଟି ହୋଇଥାଏ, ଠିକ୍ ସେହି ଭଳି ଏକ ରାଜନୈତିକ ଭଉଁରୀ ସୃଷ୍ଟି କରିଛନ୍ତି । ଏବେ ଦେଖିବାର କଥା ଭକ୍ତଙ୍କ ରାଜନୀତିର ଭଁଉରୀରେ କିଏ ଆଗ ପଡୁଛି - ବିଜେଡି ନା ବିଜେପି ? ଭକ୍ତ ଦାସ ପିସିସି ସଭାପତି ହେବା ପରେ ବିଧାନସଭାରେ କଂଗ୍ରେସ ବିଧାୟକମାନେ ଅଧିକ ସକ୍ରିୟ ହୋଇପଡିଥବା ଲକ୍ଷ୍ୟ କରାଯାଉଛି ।

ବି.ଦ୍ର. - ଏହା ଲେଖକଙ୍କ ନିଜସ୍ୱ ମତ ।

ଅଧିକ ପଢ଼ନ୍ତୁ: ପାରାଦୀପ ବିଜେଡିରେ ବିସ୍ଫୋରଣ, ବାପି ତମେ ଏ କ’ଣ କଲ ?

BJD BJP Politics
Advertisment
Advertisment