Advertisment

BJD: ଆକ୍ରମଣାତ୍ମକ ହେଉଛି ବିଜେପି, ଦୃଶ୍ୟମାନ ହେଉନାହାନ୍ତି ବିଜେଡି ନେତା !

ଅନେକ ପୁରୁଖା ନେତା ଆଦୌ ମୁହଁ ଖୋଲୁନାହାନ୍ତି ? କୌଣସି ସାମାଜିକ, ରାଜନୈତିକ ଅବା ସ୍ଥାନୀୟ ପ୍ରସଙ୍ଗରେ ସେମାନଙ୍କ ସକ୍ରିୟତା ଦୃଶ୍ୟମାନ ହେଉନାହିଁ l ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ, ପଦ୍ମନାଭ ବେହେରା, ପ୍ରଫୁଲ୍ଲ ମଲିକ, ଚନ୍ଦ୍ରଶେଖର ସାହୁ, ଭୂପିନ୍ଦର ସିଂହ, ଡ଼ଃ.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ରମେଶ ଚନ୍ଦ୍ର ମାଝୀ, ପିନାକୀ ମିଶ୍ର ଆଦି ନେତାଙ୍କର ଆଗଭଳି ରାଜନୈତିକ ସକ୍ରିୟତା ଦେଖିବାକୁ ମିଳୁନି l

author-image
Dilip Sabat
ଅଦ୍ୟତନ ହୋଇଛି
BJD

BJD

ଅଜବ ସ୍ଥିତିରେ ବିଜେଡି ! ୫୧ ବିଧାୟକଙ୍କ ମଧ୍ୟରୁ କାଁ ଭାଁ ସ୍ୱର ଶୁଭୁଛି । ଅନ୍ୟପଟେ ନିର୍ବାଚନ ହାରିଥିବା କିଛି ନେତା ଦଳର ପରାଜୟ ପାଇଁ ‘ଦୋଷ’ ଝାଡୁଛନ୍ତି । କିଛି ନେତା ସାଂଗଠନିକ ଦାୟିତ୍ୱ ତୁଲାଉଛନ୍ତି । ହେଲେ ବାକି ବିଜେଡି ନେତା ଏକବାର ଅଦୃଶ୍ୟ ? ସାମାଜିକ କିମ୍ବା ରାଜନୈତିକ ପ୍ରସଙ୍ଗରେ ଆଦୌ ସ୍ୱର ଶବ୍ଦ ଶୁଭୁନି ? ଏମାନଙ୍କ ସ୍ଥିତି କଣ ? ସାଂସଦମାନଙ୍କ ମଧ୍ୟରୁ କେବଳ ସୁଲତା ଦେଓ ବିଜେପିକୁ ସୋସିଆଲ ମିଡିଆରେ ଆକ୍ରମଣ କରି ବିଜେଡିର ଦମ୍ଭ ବଢାଇବାର ଉଦ୍ୟମ କରୁଛନ୍ତି । ଅନ୍ୟ ସାଂସଦମାନେ ପ୍ରାୟ ଦୃଶ୍ୟମାନ ହେଉନାହାନ୍ତି ।

Advertisment

କଥାରେ ଅଛି “ଛଅ ପୁଅ ନଅ ନାତି, ବିପି ବେଳେ କେହି ନାହିଁନ୍ତି” । ୨୫ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଶାଳ ଦଳ ହେଉଛି ବିଜେଡି । ଲକ୍ଷ ଲକ୍ଷ କର୍ମୀ, ମାଳ ମାଳ ନେତା, ନେତ୍ରୀ, ଦଳୀୟ ପଦାଧିକାରୀ ଅଛନ୍ତି । ଦଳ କ୍ଷମତାରେ ଥିବାବେଳେ ନେତାଙ୍କ ଦବଦବା କାହିଁରେ କଣ । ବିଧାୟକ, ମନ୍ତ୍ରୀ, ସାଂସଦ, ନିଗମ ଅଧ୍ୟକ୍ଷ ଆଦି ଅନେକ ପଦ ପଦବୀର ବହୁ ନେତା ସୁଯୋଗ ପାଇଥିଲେ । ଏଭଳି କି ନିଜ ପରିବାର ସଦସ୍ୟଙ୍କୁ ରାଜନୈତିକ ଥଇଥାନ ମଧ୍ୟ କଲେ । ହେଲେ ଦଳର ଏ ‘ଅବେଳରେ’ ଅନେକ ନେତାଙ୍କ ଦେଖା ନାଇଁ ? ୯ମାସ ପୂର୍ବରୁ ନିର୍ବାଚନୀ ମୈଦାନରେ ରଣହୁଙ୍କାର ଦେଉଥିବା ନେତା ସବୁ ଗଲେ କୁଆଡେ? ସେମାନେ ନୀରବ କାହିଁକି ?

କ୍ଷମତାକୁ ଆସିବା ପର ଠାରୁ ବିଜେପି ଗତ ୨୫ ବର୍ଷରେ ବିଜେଡି ଶାସନ କାଳର ବିଭିନ୍ନ ଦୋଷ, ଦୁର୍ବଳତା, ଦୁର୍ନୀତି ଅଭିଯୋଗ ଆଣି ଘେରି ଚାଲିଛି । ଖଣି, ପାଣି, ଶିକ୍ଷା, ଗମନାଗମନ, ସ୍ୱାସ୍ଥ୍ୟ ବିଭିନ୍ନ ପ୍ରସଙ୍ଗରେ ପୂର୍ବ ସରକାରକୁ ବିଜେପି ନେତା ଟାର୍ଗେଟ କରିବାରେ ଲାଗିଛନ୍ତି । ଏପରିକି ଦଳର ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଅନେକ ପ୍ରସଙ୍ଗରେ ଘେରିବାକୁ ବିଜେପି ନେତା ପଛାଉ ନାହାନ୍ତି । ନବୀନ ପଟ୍ଟନାୟକଙ୍କୁ 'ବିଶ୍ୱାସଘାତକ' ବୋଲି କହି ସାଙ୍ଘାତିକ ଆକ୍ରମଣ କଲେଣି ବିଜେପି ବିଧାୟକ ସରୋଜ ପାଢ଼ୀ l

Advertisment

ଅଧିକ ପଢ଼ନ୍ତୁ: ପାରାଦୀପ ବିଜେଡିରେ ବିସ୍ଫୋରଣ, ବାପି ତମେ ଏ କ’ଣ କଲ ?

ଏଭଳି ସ୍ଥଳେ ବିଜେଡିର ଖୁବ୍ କମ୍ ହାତଗଣତି ନେତାଙ୍କର ପ୍ରତି ଆକ୍ରମଣ, ପ୍ରତିକ୍ରିୟା ବା ଦଳୀୟ ଉପସ୍ଥିତି ଦେଖିବାକୁ ମିଳୁଛି। ଆଉ ଯେଉଁ ନେତାମାନେ ପ୍ରତିଆକ୍ରମଣ କରୁଛନ୍ତି ଅଧିକାଂଶ ବିଧାୟକ, ସାଂସଦ ବା ସାଙ୍ଗଠନିକ ଦାୟିତ୍ୱରେ ଥିବା ନେତା l ହେଲେ ଅନେକ ପୁରୁଖା ନେତା ଆଦୌ ମୁହଁ ଖୋଲୁନାହାନ୍ତି? କୌଣସି ସାମାଜିକ, ରାଜନୈତିକ ଅବା ସ୍ଥାନୀୟ ପ୍ରସଙ୍ଗରେ ସେମାନଙ୍କ ସକ୍ରିୟତା ଦୃଶ୍ୟମାନ ହେଉନାହିଁ l ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ, ପଦ୍ମନାଭ ବେହେରା, ପ୍ରଫୁଲ୍ଲ ମଲିକ, ଚନ୍ଦ୍ରଶେଖର ସାହୁ, ଭୂପିନ୍ଦର ସିଂହ, ଡ଼ଃ.ରମେଶ ଚନ୍ଦ୍ର ଚ୍ୟାଉପଟନାୟକ, ରମେଶ ଚନ୍ଦ୍ର ମାଝୀ, ପିନାକୀ ମିଶ୍ର ଆଦି ନେତାଙ୍କର ଆଗଭଳି ରାଜନୈତିକ ସକ୍ରିୟତା ଦେଖିବାକୁ ମିଳୁନି l

ଅନ୍ୟପଟେ ସଂସଦରେ ହେଉ ଅବା ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ହେଉ, ଡବଲ ଇଂଜିନ ସରକାରକୁ ଶାଣିତ ଆକ୍ରମଣ କାରି ଦଳର ଦମ୍ଭୋକ୍ତି ବଢ଼ାଇବାର ପ୍ରୟାସ ଚଳାଇଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ l ବିଧାନସଭାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ଗୌତମ ବୁଦ୍ଧ ଦାସ, ଗଣେଶ୍ୱର ବେହେରା, ପ୍ରମିଳା ମଲ୍ଲିକଙ୍କ ଭଳି ବିଧାୟକଙ୍କ ମପାଚୁପା ବୟାନ ଜାରି ରହିଛି l ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଲେନିନ ମହାନ୍ତି, ପ୍ରଦୀପ ଅମାତ ଆଦି ବରିଷ୍ଠ ନେତା ସାଙ୍ଗଠନିକ ଦାୟିତ୍ୱ ତୁଲାଉଛନ୍ତି l

ବିଜେଡି ପରାଜୟର କାରଣ ପାଇଁ ନିର୍ଦ୍ଧିଷ୍ଟ ନେତାଙ୍କୁ ଦାୟୀ କରି ପରୋକ୍ଷରେ ଅନେକ ନେତା ଅସନ୍ତୋଷ ଓ କ୍ଷୋଭ ଝାଡୁଛନ୍ତି l ଏଭଳି ସ୍ଥିତିରେ ସଂଗଠନକୁ ସୁଦୃଢ ରଖିବା ଏକ ବଡ଼ ଆହ୍ୱାନ ହେବ ବୋଲି କୁହାଯାଇ ପାରିବ ।

ବି.ଦ୍ର. – ଏହା ଲେଖକଙ୍କ ନିଜସ୍ୱ ମତ ।

ଅଧିକ ପଢ଼ନ୍ତୁ: ପୁଣି ପଦାରେ ବିଜେଡି କନ୍ଦଳ, ଧର୍ମପଦ ଉପାଖ୍ୟାନ ଶୁଣାଇ ଟାର୍ଗେଟ୍ କଲେ ଅଶୋକ ପଣ୍ଡା

Naveen Patnaik BJD BJP Biju Janata Dal
Advertisment
Advertisment