Maharashtra Election Results: ମହାରାଷ୍ଟ୍ରରେ ପରାଜୟ ପରେ ରାହୁଲଙ୍କୁ ଟ୍ରୋଲ୍‌ କଲେ ଗୁଜରାଟର ମନ୍ତ୍ରୀ, କହିଲେ...

ମହାରାଷ୍ଟ୍ରରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ ସୋସିଆଲ ମିଡିଆରେ କଂଗ୍ରେସକୁ ଓ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି ସୁରଟର ବିଧାୟକ ତଥା ଗୁଜରାଟର ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଙ୍ଗଭୀ ।

ରାହୁଲଙ୍କୁ ‘ମନ୍ତ୍ରୀ’ଙ୍କ କଟାକ୍ଷ

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଚାଲିଛି ଭୋଟ୍‌ ଗଣନା । ବର୍ତ୍ତମାନ ସୁଦ୍ଧା ଆସିଥିବା ଟ୍ରେଣ୍ଡ ଅନୁସାରେ ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ଓ ଝାଡ଼ଖଣ୍ଡରେ JMM ମେଣ୍ଟ ସରକାର କରିବ ବୋଲି ଜଣାପଡ଼ୁଛି । ଯଦି ଆମେ ମହାରାଷ୍ଟ୍ର କଥା କହିବା ତାହାଲେ ଏଠାରେ ‘ମହା’ ବିଜୟ ଅଭିମୁଖେ ମହାୟୁତି ମେଣ୍ଟ । ମୁଖ୍ୟମନ୍ତ୍ରୀ ଏକନାଥ  ସିନ୍ଦେଙ୍କ ନେତୃତ୍ୱାଧୀନ  ଶିବସେନା  ବିଜେପି ଏବଂ ଏନସିପି ଅଜିତ ପାୱାର ଗୋଷ୍ଠୀକୁ ନେଇ ଗଠନ ହୋଇଛି ମହାୟୁତି ମେଣ୍ଟ । ବର୍ତ୍ତମାନ ସୁଦ୍ଧା ଆସିଥିବା ଟ୍ରେଣ୍ଡ ଅନୁସାରେ ମହାୟୁତି ମେଣ୍ଟ ୨୨୮ ଆସନରେ ଆଗୁଆ ରହିଛି । ଯଦି ଏକାକୀ ବିଜେପି କଥା କହିବା ତାହାଲେ ଏବେ ସାମ୍ନାକୁ ଆସିଥିବା ଟ୍ରେଣ୍ଡରେ ଭାରତୀୟ ଜନତା ପାର୍ଟି ୧୩୨ ଆସନରେ ଆଗୁଆ ରହିଛି । ସେହିପରି ଶିବସେନା ୫୫ ଓ ଏନସିପି ୪୧ ଆସନରେ ଆଗୁଆ ରହିଛି ।

ଅଧିକ ପଢ଼ନ୍ତୁ: ବଢୁଛି ନେତାଙ୍କ ଉତ୍କଣ୍ଠା, ବିଜୟୀଙ୍କୁ ଏକାଠି ରଖିବାକୁ ଜବରଦସ୍ତ ଯୋଜନା

ସେପଟେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ଏ‍ବେ ବହୁତ ପଛରେ ପଡ଼ିଯାଇଛି । କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଏନସିପି - ଶରଦ ପାୱାର ଗୋଷ୍ଠୀକୁ ନେଇ ହୋଇଛି ମହା ବିକାଶ ଅଘାଡି । ଏବେକାର ଟ୍ରେଣ୍ଡ ଅନୁସାରେ ଏହି ମେଣ୍ଟ ପ୍ରାୟ ୬୯ ଆସନରେ ଆଗୁଆ ରହିଛି । ତେବେ ଯଦି କଂଗ୍ରେସ କଥା କହିବା ତାହାଲେ ମହାରାଷ୍ଟ୍ରରେ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛି । ଚଳିତ ମହାରାଷ୍ଟ୍ର ବିଧାନସଭାରେ ନିର୍ବାଚନରେ କଂଗ୍ରେସ ୧୦୧ ଆସନରେ ନିର୍ବାଚନ ଲଢ଼ିଥିଲା । କିନ୍ତୁ ଏବେ ସୁଦ୍ଧା ମାତ୍ର ୧୬ଟି ଆସନରେ ହିଁ ଆଗୁଆ ରହିଛି ଦଳ । ଯାହାକି କଂଗ୍ରେସର ଏକ ଶୋଚନୀୟ ପରାଜୟ ବୋଲି ରାଜନୈତିକ ବିଶେଷଜ୍ଞ କହୁଛନ୍ତି । କିନ୍ତୁ ସେପଟେ ବିଜେପି ଚଳିତ ନିର୍ବାଚନରେ ୧୪୯ଟି ଆସନରେ ନିର୍ବାଚନ ଲଢ଼ୁଥିବାବେଳେ ୧୩୨ଟି ଆସନରେ ଆଗୁଆ ରହିଛି ।

ତେବେ ମହାରାଷ୍ଟ୍ରରେ କଂଗ୍ରେସର ଏଭଳି ପ୍ରଦର୍ଶନ ପରେ ସୋସିଆଲ ମିଡିଆରେ କଂଗ୍ରେସ ତଥା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି ସୁରଟର ବିଧାୟକ ତଥା ଗୁଜରାଟର  ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଙ୍ଗଭୀ । ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏକ ଫଟୋ ସେୟାର କରି ରାହୁଲଙ୍କୁ କଟାକ୍ଷ କରିଛନ୍ତି । ହର୍ଷ ସାଙ୍ଗଭୀ  ପାର୍ଲେ-ଜି ବିସ୍କୁଟର ଏକ ପ୍ୟାକେଟର ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ରାହୁଲ ଗାନ୍ଧୀଙ୍କ ଫଟୋ ରହିଛି ​​ଏବଂ ୮୯ ବାର ହାରଲେ-ଜି ଲେଖିଛନ୍ତି । ଏହା ବ୍ୟତୀତ ବାଲକ ବୁଦ୍ଧି ବୋଲି ମଧ୍ୟ ଏହି ଫଟୋର ଏକ କୋଣରେ ଲେଖାଯାଇଛି । ତେବେ ହର୍ଷ ସାଙ୍ଗଭୀ ଏହି ଫଟୋ ପୋଷ୍ଟ କରିବା ପରେ ଲୋକମାନେ କମେଣ୍ଟରେ ନିଜ ପ୍ରତିକ୍ରିୟା ଦେଉଛନ୍ତି ।

ଅଧିକ ପଢ଼ନ୍ତୁ: ଫଡ଼ନାଭିସ୍, ସିନ୍ଦେ ନା ପାୱାର ? କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ?