• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଛତିଶଗଡ଼ରୁ ଫ୍ଲୋ ନାହିଁ, ହୀରାକୁଦରେ ପାଣି ନାହିଁ । ଶୁଖିଯାଉଛି ମହାନଦୀ, ପ୍ରଭାବିତ ହେଉଛନ୍ତି ୧୪ ଜିଲ୍ଲାର ଲୋକେ । ମାର୍ଚ୍ଚରୁ ସ୍ଥିତି ଜଟିଳ, ଆଗକୁ ସ୍ଥିତି ଗମ୍ଭୀର ହେବା ଆଶଙ୍କା ।ଏହାକୁ ବଡ଼ ପ୍ରସଙ୍ଗ କରି ଆଗକୁ ଆନ୍ଦୋଳନ କରିବାକୁ ବିଜେଡି ର ଯୋଜନା । ଆଜି ବିଧାନସଭାରେ ବି ଦଳ ଉଠାଇଛି ମହାନଦୀ ଜଳ ବିବାଦ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଗତ କରିବା, ଆଇନଶୃଙ୍ଖଳା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଓ ଲେଖା ପଢିବା ନେଇ ବିରୋଧୀ-ଶାସକ ମୁହାଁମୁହିଁ ସ୍ଥିତିକୁ ଆସିଥିବା ବେଳେ ହଠାତ୍ ବିଜେଡି ଉଠାଇଥିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ ।

ଆଜି ବିଶ୍ୱ ଜଳ ଦିବସ ଆଳରେ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କୁ କଡ଼ା ସାମାଲୋଚନା କରିବା ସହ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲା ଶାସକ ଦଳ । ମହାନଦୀ ଉପରେ ଛତିଶଗଡ଼ ମନମୁଖୀ ଭାବେ ଚ୍ୟାକ୍ ଡ୍ୟାମ୍ ତିଆରି କରିଛି । ଯାହା ଦ୍ୱାରା ଅଣମୌସୁମୀ ସମୟରେ ଜଳ ପ୍ରବାହ କମୁଥିବା କହିଛି ବିଜେଡି । ଏହାପରେ ବାଚସ୍ପତି ଜଳସଂପଦ ମନ୍ତ୍ରୀଙ୍କୁ ଗୃହରେ ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ସେପଟେ ବିଜେପିକଂଗ୍ରେସ କହିଛନ୍ତି ଶୂନ୍ୟକାଳରେ ସରକାର ଅଡୁଆରେ ପଡୁଥିବାରୁ ମହାନଦୀ କଥା ଉଠାଇଥିଲା ବିଜେଡି ।

ସେପଟେ ରାଜ୍ୟ କୋର୍ଟକୁ ବଲ୍ ଫିଙ୍ଗି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି ଓଡ଼ିଶା ସରକାରଙ୍କ ଇଛାଶକ୍ତିର ଅଭାବ ଯୋଗୁଁ ଏହି ସମସ୍ୟାର ସମାଧାନ ହୋଇପାରୁନି ।

ସେପଟେ ଉପରମୁଣ୍ଡର ପାଣିର ପ୍ରବାହ କମିଥିବାରୁ ହୀରାକୁଦ ଡ୍ୟାମର ଜଳସ୍ତର ଗତବର୍ଷ ତୁଳନାରେ ପ୍ରାୟ ୪ଫୁଟ୍ କମ୍ ରହିଛି । ଆଉ ତାର ପ୍ରଭାବ ମଧ୍ୟ ଦେଖାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ରେ ମହାନଦୀ ଶଯ୍ୟାରେ କେବଳ ପଥର ଓ ବାଲି ଦେଖାଯାଉଛି । ଆଗଭଳି ଜଳପ୍ରବାହ ନାହିଁ । ସେପଟେ ବୌଦ୍ଧ ଜିଲ୍ଲା ରେ ବି ସମାନ ସ୍ଥିତି । ଯେଉଁଠି ଏ ସମୟରେ ପୂର୍ବରୁ ଡଙ୍ଗା ଚାଲୁଥିଲା, ଏବେ ସେଠି ଲୋକେ ପାଦରେ ଚାଲି ଯିବା ଆସିବା କରୁଛନ୍ତି । ମତ୍ସ୍ୟଜୀବୀଙ୍କ ବେଉଷା ବୁଡ଼ିବାକୁ ବସିଲାଣି ।

ଅନ୍ୟପଟେ ନବ ଦାସ ହତ୍ୟା ଘଟଣା, 5T ବିବାଦ, କ୍ରୀତଦାସ ବୟାନ ଭଳି ପ୍ରସଙ୍ଗରେ ବିଜେଡି ବ୍ୟାକଫୁଟ୍‌ରେ ରହିଛି । ତେଣୁ ୧୯ ନିର୍ବାଚନ ପୂର୍ବରୁ ଯେମିତି ମହାନଦୀକୁ ବିଜେଡି ଏକ ବଡ ପ୍ରସଙ୍ଗ କରିଥିଲା, ପୁଣି ଥରେ ସେହି ରାସ୍ତାରେ ଦଳ ଯାଉଥିବା ଚର୍ଚ୍ଚା ହେଉଛି ।