• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଶାକୁ ଲୁଟିବାକୁ ଚାହୁଁଛନ୍ତି କିଛି ବିଦେଶୀ ଶକ୍ତି । ଖଣିଜ ସଂପଦ ଓ ରତ୍ନଭଣ୍ଡାର ଲୁଟିବାକୁ ଚାହୁଁଛନ୍ତି । ଭାବୁଛନ୍ତି ଓଡ଼ିଶା କୁ ଲୁଟି ପଳାଇବେ । ସେମାନଙ୍କୁ ପରାସ୍ତ କରିବାକୁ ପଡ଼ିବ । ସେମାନଙ୍କ ଷଡ଼ଯନ୍ତ୍ର ପଣ୍ଡ କରିବାକୁ ପଡ଼ିବ ।’

ବରିଷ୍ଠ ବିଜେଡି ନେତା ସଂଜୟ ଦାସବର୍ମାଙ୍କ ଏଭଳି ବିସ୍ଫୋରକ ବୟାନକୁ ନେଇ ଏବେ ହଇଚଇ । ପୁରୀ ସଦର ବ୍ଲକ ମାଳସାହିରେ ବିଜେଡି ପଦଯାତ୍ରାରେ ଭାଷଣ ଦେଇ ସଂଜୟ ଆହୁରି ମଧ୍ୟ କହିଛନ୍ତି- ମୁଖ୍ୟମନ୍ତ୍ରୀ ମୋତେ ମନ୍ତ୍ରୀ କରିଥିଲେ, ବଡ଼ ବଡ଼ ପଦବୀ ବି ଦେଇଥିଲେ । ଏମିତିକି ହାରିଲା ପରେ ମଧ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ କରିଥିଲେ । ହେଲେ ଆଜି ପରିସ୍ଥିତି ବଦଳି ଯାଇଛି । କିଛି ଲୋକ ଭାବୁଛନ୍ତି ଆମେ ଯାହା କହିବୁ ଓ ଯାହା ନିଷ୍ପତ୍ତି ନେବୁ ସମସ୍ତେ ମାନିନେବେ । ହେଲେ ମରିଯିବୁ ସିନା ସାଲିସ୍ ରାଜନୀତିରେ ବ୍ରହ୍ମଗିରିକୁ ଭସେଇ ଦେବୁନି ।

ଅଧିକ ପଢ଼ନ୍ତୁ: ସଞ୍ଜୟ ଦାସବର୍ମାଙ୍କ ଖୋଲା ଚାଲେଞ୍ଜ ! ଯିଏ ଯାହା ନିଷ୍ପତ୍ତି ନେବ, ଆମେ ମାନି ପାରିବୁନି

ଏଠି ପ୍ରଶ୍ନ ଭାଷଣ ଛଳରେ କାହାକୁ ବିଦେଶୀ ଶକ୍ତି ବୋଲି ଇଶାରା କରୁଛନ୍ତି ଦାସବର୍ମା ? କାହାକୁ ଲୁଟେରା ଓ ଷଡ଼ଯନ୍ତ୍ରକାରୀ ବୋଲି ତାଙ୍କ ଇଗିଂତ ? ପଦପଦବୀ ନମିଳିବାରୁ କ୍ରୋଧରେ ଏଭଳି କହିନାହାନ୍ତି ତ ସଂଜୟ ? ତାଙ୍କ କ୍ଷୋଭ ପଛରେ ରାଜ୍ୟ ସ୍ୱାର୍ଥ ନା ନିଜ ସ୍ୱାର୍ଥ ଲୁଚିଛି ? ବ୍ରିଟିଶ ଶାସନର ଉଦାହରଣ ଦେଇ କେଉଁ ଗୃହ ଶତ୍ରୁଙ୍କୁ କରିଛନ୍ତି ଟାର୍ଗେଟ୍ ? ଏସବୁ ପ୍ରଶ୍ନ ଭିତରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବିଜେପି କହିଛି ହନୁ ମଲାବେଳେ ସତ କହେ ? ସଂଜୟ ଯେଉଁ ସବୁ ଅଭିଯୋଗ ଆଣିଛନ୍ତି ବିଜେପି ସେକଥା ବହୁ ଆଗରୁ ଉଠାଇ ଆସୁଛି, ହେଲେ ପଦପଦବୀରେ ଥିଲାବେଳେ ସେ କାହିଁକି ମୁହଁ ଖୋଲୁ ନଥିଲେ ? କଂଗ୍ରେସ ବି ବିଜେଡିକୁ ମାରିଛି ତେରଛା ବାଣ । ବିଜେଡି କିନ୍ତୁ ଏ ନେଇ ମୁହଁ ଖୋଲିନି ।

ଏଣେ ରାଜନୀତି ସମୀକ୍ଷକ ବି ଠିକ୍ ଠଉରେଇଛନ୍ତି । ସଂଜୟଙ୍କ ଶବ୍ଦବାଣର ରହସ୍ୟ କହିଛନ୍ତି । ସଂଜୟ ବିଜେଡିର ଜଣେ ପ୍ରଭାବଶାଳୀ ନେତା । ଦଳ ଓ ସରକାରରେ ବହୁ ବଡ଼ ପଦପଦବୀରେ ଥିଲେ । ହେଲେ କିଛି ଦିନ ଧରି ତାଙ୍କୁ ଦଳରେ ଯେଉଁଭଳି କୋଣଠେସା ସହ ଗତ କର୍ପୋରେସନ ନିଯୁକ୍ତିରେ ଅଣଦେଖା କରାଯାଇଛି । ତାର ଅସନ୍ତୋଷ ତାଙ୍କ ଭାଷଣରେ ପ୍ରତିଫଳିତ ହୋଇଛି । ବିଜେଡିରେ ଏହା ଏକ ବିଦ୍ରାହର ସ୍ୱର ବୋଲି ବି ଅସ୍ୱୀକାର କରି ହେବନି । ଉଭୟ ଶାସକ ଦଳ ଓ ରାଜ୍ୟ ସରକାରଙ୍କୁ ଚଳାଉଥିବା ନିର୍ଦ୍ଦିଷ୍ଟ କୋଟେରୀକୁ ହିଁ ସଂଜୟ ନିଶାନା କରିଛନ୍ତି । ଏବେ ଦେଖିବାର କଥା ସଂଜୟଙ୍କର ଏ ଭାଷଣ ବିସ୍ଫୋରଣ, ବିଜେଡିରେ କି କଂପନ ସୃଷ୍ଟି କରୁଛି ?