BJD Chairperson Loses Confidence Vote: ବିଜେପି ଅନାସ୍ଥା ଅସ୍ତ୍ରରେ ପୁଣି ଚିତପଟାଙ୍ଗ ବିଜେଡି, ହାତରୁ ଗଲା ଢେଙ୍କାନାଳ ସଦର ବ୍ଲକ

ବିଜେଡି ହାତରୁ ଖସୁଛି ଗୋଟିଏ ପରେ ଗୋଟିଏ ବ୍ଲକ୍ ଅଧ୍ୟକ୍ଷ ଆଉ ପୌରାଧ୍ୟକ୍ଷ । ଆଜି ଢେଙ୍କାନାଳ ସଦର ବ୍ଲକରେ ଅନାସ୍ଥାରେ ମାତ୍ ଖାଇଛି ବିଜେଡି ।

ଅନାସ୍ଥା ଅସ୍ତ୍ରରେ ବିଜେଡି ଚିତ୍‌ପଟାଙ୍ଗ

ବିଜେପିର ଅନାସ୍ଥା ଅସ୍ତ୍ରରେ ପୁଣି ମାତ୍ ଖାଇଲା ବିଜେଡି । ଆଗରୁ ଖସିଥିଲା ଖଲ୍ଲିକୋଟ ବ୍ଲକ୍, ଆଉ ନୀଳଗିରି ଏନ୍ଏସି । ଆଜି ବିଜେଡି ହାତରୁ ଖସିଯାଇଛି ଢେଙ୍କାନାଳ ସଦର ବ୍ଲକ । ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବରେ ଭୋଟିଂରେ କଟିଛନ୍ତି ବିଜେଡି ଅଧ୍ୟକ୍ଷା ରାଜଶ୍ରୀ ନାୟକ ।

ଶକ୍ତିହୀନ ହେଉଛି ବିଜେଡି ! ଭାରି ପଡିଲାଣି ଅନାସ୍ଥା । ହାତରୁ ଖସୁଛି ଗୋଟିଏ ପରେ ଗୋଟିଏ ବ୍ଲକ୍ ଅଧ୍ୟକ୍ଷ ଆଉ ପୌରାଧ୍ୟକ୍ଷ । ଆଜି ଢେଙ୍କାନାଳ ସଦର ବ୍ଲକରେ ଅନାସ୍ଥାରେ ମାତ୍ ଖାଇଛି ବିଜେଡି । ବାଜି ମାରିଛି ବିଜେପି । ଗତ ପଞ୍ଚାୟତ ନିର୍ବାଚନରେ ଢେଙ୍କାନାଳ ସଦର ବ୍ଲକରେ ୩୦ଟି ପଞ୍ଚାୟତରୁ ୩୦ଟି ଦଖଲ କରି ବ୍ଲକ ଅଧ୍ୟକ୍ଷା ପଦବି ହାତେଇଥିଲା ବିଜେଡି । କିନ୍ତୁ ସାଧାରଣ ନିର୍ବାଚନରେ ସରକାର ବଦଳୁ ବଦଳୁ ବଦଳିଯାଇଛି ଢେଙ୍କାନାଳ ବ୍ଲକ୍ ଗଣିତ ।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ, ଚାଷୀଙ୍କ ସହ ଖେଳିଲେ ସିଧା ଝାରପଡ଼ା ଜେଲ୍ !

ଢେଙ୍କାନାଳ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବରେ ଉପରେ ଆଜି ଭୋଟିଂ ହୋଇଥିଲା । ୩୦ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଢେଙ୍କାନାଳ ଓ କାମାକ୍ଷାନଗର ବିଧାୟକ ଏବଂ ସାଂସଦଙ୍କୁ ମିଶାଇ ମୋଟ ୬୨ ଭୋଟ ଥିବା ବେଳେ ଅନାସ୍ଥା ସପକ୍ଷରେ ପଡ଼ିଥିଲା ୪୪ ଭୋଟ୍ । ଆଉ ବିପକ୍ଷରେ ପଡ଼ିଥିଲା ୧୭ଟି ଭୋଟ୍‌ । ଯାହାଦ୍ୱାରା ବିଜେଡିକୁ ହରାଇବାକୁ ପଡ଼ିଛି ଅଧ୍ୟକ୍ଷା ଆସନ ।

୨୪ ନିର୍ବାଚନରେ ଅପ୍ରତ୍ୟାଶିତ ପରାଜୟ ପରେ ବିଜେଡିରେ ନେତୃତ୍ୱ ସଙ୍କଟ ଆଉ ଭବିଷ୍ୟତ ଆଶଙ୍କାରେ ଦଳ ଛାଡୁଛନ୍ତି ତଳସ୍ତରର କର୍ମୀ । ବିଶେଷ କରି ପଞ୍ଚାୟତ ଏବଂ ପୌର ନିର୍ବାଚିତ ପ୍ରତିନିଧିମାନେ ଏବେ ବିଜେପି ମୁହାଁ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରୁ ଆରମ୍ଭ ହୋଇଥିଲା ଏହି ମିଶନ । କେନ୍ଦୁଝର ସଦରର ୧୮ ଜଣ ସମିତି ସଭ୍ୟ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ଏବେ ବିଜେଡି ଅଧ୍ୟକ୍ଷଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ । ନିକଟରେ ନୀଳଗିରି ଏନଏସି ଓ ଖଲ୍ଲିକୋଟ୍ ବ୍ଲକରେ ମଧ୍ୟ ଅନାସ୍ଥା ଆଣି ବିଜେଡିକୁ ମାତ୍ ଦେଇଥିଲା ବିଜେପି ।

ଅନ୍ୟପଟେ ଏବେ ବି ଜାରି ରହିଛି ଦଳଡିଆଁ । ଗତ ୬ ତାରିଖରେ ବିଜେପି ରାଜ୍ୟ କାର୍ଯ୍ୟଳୟର ଅନୁଷ୍ଠିତ ମେଗା ମିଶ୍ରଣ ପର୍ବରେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ସହ ତାଙ୍କ ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ, ଜଗତସିଂହପୁର, ଭଦ୍ରକ, ନୟାଗଡ଼, ସାନଖେମୁଣ୍ଡିର ବ୍ଲକ ଓ ପଞ୍ଚାୟତ ସ୍ତରର ଅନେତା ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଥିଲେ । ସେପଟେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଢେଙ୍କାନାଳ ପରେ ରାଜ୍ୟର ଅନେକ ବ୍ଲକରେ ବିଜେଡି ଗଡ ଭୁଶୁଡିବ । ବିଜେଡି କହିଛି ପଞ୍ଚାୟତ ପ୍ରତିନିଧିମାନଙ୍କୁ ବିଜେପି ଚାପ ପ୍ରୟୋଗ ଓ ପ୍ରଭାବିତ କରି ଅନାସ୍ଥାକୁ ସଫଳ କରିଛି । କିନ୍ତୁ ବିଜେଡି ଗଡ଼ର କୌଣସି କ୍ଷତି ହେବ ନାହିଁ ।

ଅଧିକ ପଢ଼ନ୍ତୁ: ମହିଳା IICଙ୍କୁ ମାଡ଼ ଘଟଣା: ଜୟନାରାୟଣଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଯଦିଓ ପଞ୍ଚାୟତ ନିର୍ବାଚନକୁ ଆହୁରି ୨ ବର୍ଷ ଅଛି ହେଲେ ସେଥିପାଇଁ ଏବେ ଠୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛି ବିଜେପି । ପଞ୍ଚାୟତ ସ୍ତରରେ ସଙ୍ଗଠନକୁ ମଜଭୁତ କରିବା ସହ ବିଜେଡିକୁ ଦୁର୍ବଳ କରିବାକୁ ରଣନୀତି ବି ତିଆରି କରିଛି ।