ବିଜେପିରେ ସାମିଲ ହେଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ନିଜ ସମର୍ଥକଙ୍କ ସହ ସେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ସେ ୨୦୧୯ରୁ ୨୪ ପର୍ଯ୍ୟନ୍ତ ବିଜେଡି ଟିକେଟ୍ରୁ ବିଧାୟକ ଥିଲେ । ତେବେ ୨୦୨୪ ନିର୍ବାଚନରେ କିନ୍ତୁ ବିଜେଡି ସୁନନ୍ଦାଙ୍କୁ ଟିକେଟ୍ ଦେଇନଥିଲା । ଯାହାକୁ ସେ ନେଇ ଅସନ୍ତୁଷ୍ଟ ଥିଲେ । ସୁନନ୍ଦାଙ୍କ ବଦଳରେ ବିଜେପି ଛାଡ଼ି ଆସିଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଟିକେଟ୍ ଦେଇଥିଲା ବିଜେଡି । ସେ ବରୀ ଆସନରୁ ବିଜୟୀ ମଧ୍ୟ ହୋଇଥିଲେ ।
Also Read
ଅଧିକ ପଢ଼ନ୍ତୁ: କିଏ ହେବେ ନୂଆ PCC ସଭାପତି, ମୋକିମ୍- ଶ୍ରୀକାନ୍ତ ନା ଭକ୍ତ ?
ତେବେ ଟିକେଟ୍ କାଟିବା ପରେ ସେତେବେଳେ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଥିଲେ ସୁନନ୍ଦା । ସେ କହିଥିଲେ ମୋ ରିପୋର୍ଟ କାର୍ଡ ଆଉ ସର୍ଭେ ଭଲ ଥିଲା ବୋଲି ଦଳ କହିଥିଲା । ହେଲେ କେଉଁ ଗ୍ରାଉଣ୍ଡରେ ଟିକେଟ କାଟିଲା ଦଳ ? ଦଳରେ ଥିବା କୁଚକ୍ରୀ ଗୋଷ୍ଠୀ ଟିକଟ୍ କାଟି ଦେଲେ, ତାଙ୍କ କଥା ଜଗନ୍ନାଥ ବିଚାର କରିବେ ବୋଲି କାନ୍ଦ କାନ୍ଦ ହୋଇ କହିଥିଲେ ସୁନନ୍ଦା ଦାସ ।
ସୂଚନା ଅନୁସାରେ ଅକ୍ଟୋବର ୨୯ରେ ବିଜେଡି ଛାଡ଼ିଥିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିଲେ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ । ୫ ମାସ ହେଲା ଦଳରେ ଅଣଦେଖା ହେଉଥିବା ଅଭିଯୋଗ କରିଥିଲେ ସୁନନ୍ଦା ଦାସ ।
ସେପଟେ ବିଜେଡିରୁ ଇସ୍ତଫା ପରେ ବର୍ଷିଥିଲେ ପୂର୍ବତନ ବରୀ ବିଧାୟିକା ସୁନନ୍ଦା ଦାସ । ସିଧା ବିଜେଡିର ତତ୍କାଳୀନ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ ସୁନନ୍ଦା । ବିଜେଡିରେ ଅଫିସର ଟିକେଟ ବାଣ୍ଟୁଥିଲେ ବୋଲି ସେ ଅଭିଯୋଗ ଆଣିଥିଲେ । ସିଧା ଡିଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କ ନାଁ ନେଇଥିଲେ ସୁନନ୍ଦା । ଟିକେଟ ପାଇଁ ଏହି ୨ ଅଧିକାରୀଙ୍କୁ ଦେଖା କରିବାକୁ କୁହାଯାଇଥିଲା । ସେ ମଧ୍ୟ ସେମାନଙ୍କୁ ଟିକେଟ ପ୍ରସଙ୍ଗରେ ଦେଖା କରିଥିଲେ ବୋଲି କହିଥିଲେ ।
ତତକାଳୀନ ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସଙ୍କ ଉପରେ ମଧ୍ୟ ସେ ବର୍ଷିଥିଲେ । ମୁଁ ଅଶୋକ ଦାସଙ୍କ ପୁଅ, ପଛରୁ ଛୁରି ଭୁସିବା ଲୋକ ନୁହେଁ ବୋଲି ସେ କହୁଥିଲେ । ତେଣୁ ମୋର ତାଙ୍କ ଉପରେ ଟିକେଟ ମିଳିବା ନେଇ ପୂର୍ଣ୍ଣ ଭରସା ଥିଲା । ତେବେ ପ୍ରତିଶ୍ରୁତି ଦେଇ ଟିକେଟ କାଟିଦେଇଥିବା ସେ ଅଭିଯୋଗ ଆଣିଥିଲେ ।
ମୁଁ ହିଁ ଟିକେଟ ଦେବା ଲୋକେ ଓ ମୁଁ ହିଁ ଟିକେଟ କାଟିବା ଲୋକ ବୋଲି ବବି କୁଆଡ଼େ ସୁନନ୍ଦାଙ୍କୁ କହିଥିଲେ । ଟିକେଟ କଟିବା ପରେ ମୋତେ ପାଣ୍ଡିଆନ ଡାକିଥିଲେ, ମୁଁ ନବୀନ ନିବାସ ଯାଇଥିଲି । ମୁଁ ଯାଜପୁର ବ୍ୟାପାରରେ ମୁଣ୍ଡ ପୂରାଇଲିନି ବୋଲି ଟିକେଟ କଟିଲା ବୋଲି ପାଣ୍ଡିଅନ୍ ମୋତେ କହିଥିଲେ ବୋଲି ସୁନନ୍ଦା ଦାସ କହିଥିଲେ । ତେବେ ମନମୁଖୀ ଶାସନ ଓ ମନଇଛା ଟିକେଟ କାଟିବାରୁ ଦଳ ହାରିଲା ବୋଲି କହିଥିଲେ ସୁନନ୍ଦା ।
ନେତାଙ୍କୁ ଅଣଦେଖାରୁ ବିଜେଡି ହାରିଲା ବୋଲି ସେତେବେଳେ ଆରୋପ ଆଣିଥିଲେ ସୁନନ୍ଦା । ନବୀନ ବାବୁ ନିଜେ ଟିକେଟ ବାଣ୍ଟିଥିଲେ ବିଜେଡି ପୁଣି ସରକାର କରିଥାନ୍ତା । ମାତ୍ର ଟିକେଟ ବାଣ୍ଟିବା ବେଳେ ସେମାନେ ସେପରି କଲେ ନାହିଁ । ପ୍ରଭୁ ଜଗନ୍ନାଥ ବିଚାର କରିବେ ବୋଲି ସେତେବେଳେ କହିଥିଲି । ପ୍ରଭୁ ଜଗନ୍ନାଥ ଠିକ୍ ବିଚାର କରିଛନ୍ତି, ମୁଁ ମଧ୍ୟ ଦେଖାକରି ଆସିଛି ବୋଲି ସେ କହିଥିଲେ।