• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଧସ୍ତଧସ୍ତି.. ଠେଲାପେଲା.. ହାତାହାତି.. ପୁଣି ପୋଲିସର ଲାଠିମାଡ଼କୁ, ଭିଡ଼ ଭିତରୁ କେତେବେଳେ ପାଣି ବୋତଲ ତ କେତେବେଳେ ଅଣ୍ଡା, ଢେଲା ପଥର ମାଡ଼ । ରଣକ୍ଷେତ୍ର ଭୁବନେଶ୍ୱର ଲୋୟର ପିଏମଜି । ଗୋଡ଼ାଗୋଡ଼ି, ଧାଁ ଦୌଡ଼ । କ୍ୟାବିନେଟ ମନ୍ତ୍ରୀ ନବ ଦାସ ହତ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିର ପ୍ରତିବାଦରେ ରାଜ୍ୟ ସରକାରଙ୍କ ଉପରେ ବିଜେପି ଯୁବ ମୋର୍ଚ୍ଚାର ହଲ୍ଲାବୋଲ ବେଳେ ଏଭଳି ସ୍ଥିତି ଉପୁଜିଛି ।

ନବ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ଆଜି ଦିନ ପ୍ରାୟ ୧୨ଟା ବେଳେ ପାର୍ଟି କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ବାହାରିଥିଲା ବିଶାଳ ଶୋଭାଯାତ୍ରା। ପ୍ରଥମେ ରାମ ମନ୍ଦିର ପାଖରେ ହୋଇଥିଲା ପ୍ରତିବାଦ ସଭା । ଯେଉଁଠି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରମୁଖ ଯୋଗଦେଇ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ।

ଅଧିକ ପଢ଼ନ୍ତୁ: ମନ୍ତ୍ରୀ ମର୍ଡର ମିଷ୍ଟ୍ରିକୁ ପୂରିଲା ମାସେ ! ତଦନ୍ତର ୩୦ ଦିନ ପରେ ବି ‘ମୋଟିଭ୍’ ଅସ୍ପଷ୍ଟ

ଏହାପରେ ଆରମ୍ଭ ହୋଇଥିଲା ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ଅଭିଯାନ। ବିଜେପି ଯୁବ ମୋର୍ଚ୍ଚାର ଜାତୀୟ ସାଧାରଣ ସଂପାଦକ ରୋହିତ ଚହଲ ଓ ରାଜ୍ୟ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ବିଧାନସଭା ଆଡ଼କୁ ମାଡ଼ି ଯାଇଥିଲେ । ତେବେ ଲୋୟର ପିଏମ୍‌ଜିରେ ବିଜେପି କର୍ମୀଙ୍କୁ ଆଗକୁ ବଢ଼ିବାକୁ ଦିଆ ନଯିବାରୁ ପୋଲିସ ସହ ଆରମ୍ଭ ହୋଇଥିଲା ମୁହାଁମୁହିଁ ସ୍ଥିତି । ପୋଲିସ ପ୍ରଥମେ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିବାରୁ ସ୍ଥିତି ଏକପ୍ରକାର ଅଣାୟତ୍ତ ହୋଇପଡ଼ିଥିଲା । ଧସ୍ତାଧସ୍ତିରେ ଜଣେ ପୋଲିସ କର୍ମଚାରୀ ଆହତ ହେବା ପରେ ଲାଠି ଚାର୍ଜ ଆରମ୍ଭ କରିଦେଇଥିଲା ପୋଲିସ ।

ପ୍ରାୟ ଦେଢ଼ଘଣ୍ଟା ଧରି ମୁହାଁମୁହିଁ ସ୍ଥିତି ପରେ ଯୁବ ମୋର୍ଚ୍ଚାର ଶତାଧିକ କର୍ମୀଙ୍କୁ ଗାଡ଼ିରେ ଉଠାଇ ନେଇ ଅଟକ ରଖିଥିଲା ପୋଲିସ୍ । ତେବେ ଯୁବ ମୋର୍ଚ୍ଚାର ଆନ୍ଦୋଳନ ବେଳେ ପୋଲିସ ବିଜେପି କର୍ମୀଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିଥିବା ନେଇ ଅଭିଯୋଗ କରିଛି ବିଜେପି । ଏଥିରେ ୪୦ରୁ ଅଧିକ କର୍ମୀ ଆହତ ହେବା ସହ ମହିଳା ପୋଲିସଙ୍କ ବଦଳରେ ପୁରୁଷ ପୋଲିସ ମହିଳା କର୍ମୀମାନଙ୍କୁ ଗାଡ଼ିକୁ ଉଠାଇନେବା ସହ ଆକ୍ରମଣ କରିଥିବାର ଦଳ ଅଭିଯୋଗ କରିଛି । ଅପରପକ୍ଷେ ଆନ୍ଦୋଳନକାରୀଙ୍କ ଢେଲାପଥର ମାଡ଼ରେ ୨୧ ପୋଲିସ ଅଧିକାରୀ ଆହତ ହୋଇଥିବା ଏବଂ ହିଂସାତ୍ମକ କାର୍ଯ୍ୟକଳାପରେ ଜଡ଼ିତ ବ୍ୟକ୍ତିଙ୍କ ଉପରେ ମାମଲା କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ତେବେ ଏହା ପୂର୍ବରୁ ନବ ହତ୍ୟା ପ୍ରସଙ୍ଗକୁ ନେଇ ଆଜି ବି କଂପିଥିଲା ବିଧାନସଭା । ଶୂନ୍ୟକାଳରେ ବିଜେପି ସଦସ୍ୟମାନେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ଓ ନବ ହତ୍ୟା ଘଟଣାକୁ ନେଇ ହୋହଲ୍ଲା କରିବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ଏହାପରେ ଗୃହରୁ ବାହାରି ଚାଲି ଚାଲି ଯୁବ ମୋର୍ଚ୍ଚା ଆନ୍ଦୋଳନସ୍ଥଳୀକୁ ଯାଇଥିଲେ ବିଜେପି ବିଧାୟକ । କେବଳ ସେତିକି ନୁହେଁ, ଅପରାହ୍ନ ୪ଟାରେ ଗୃହ ପୁଣି ଆରମ୍ଭ ହେବା କ୍ଷଣି ଲୋୟର ପିଏମଜିରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ବିଜେପି ସଦସ୍ୟମାନେ ପ୍ରବଳ ହୋହଲ୍ଲା କରିଥିଲେ ।