Advertisment

ପିଏମ୍ ଆବାସ ସମ୍ଭାବ୍ୟ ତାଲିକା: ଯୋଗ୍ୟ ବାଦ୍, ଅଯୋଗ୍ୟଙ୍କୁ ସାମିଲ !

ପ୍ରବଳ ପାଟିତୁଣ୍ଡ ସହ ଉଭୟ ପକ୍ଷ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ ସ୍ଥିତି ଏମିତି ହେଲା ଯେ, ଶେଷରେ ପୋଲିସକୁ ଡାକିବାକୁ ପଡିଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
PMAY Irregularities In Odisha: BJP

BJP alleges mass irregularities in PMAY house allotment

ଲାଗିଲା ତାଲିକା, ବଢ଼ିଲା କଳି। ପିଏମ୍ ଆବାସ ସମ୍ଭାବ୍ୟ ତାଲିକାକୁ ନେଇ ବଢୁଛି ବିବାଦ। ତାଲିକାରେ ଗଡ଼ବଡ଼ ନେଇ ମୁହାଁମୁହିଁ ବିଜେପି-ବିଜେଡି। 
ସାଢେ ନଅ ଲକ୍ଷ ପିଏମ୍ ଆବାସ ଘର ବାଣ୍ଟିବା ପାଇଁ ପ୍ରତି ପଂଚାୟତେର ଝୁଲୁଛି ହିତାଧିକାରୀଙ୍କ ସମ୍ଭାବ୍ୟ ତାଲିକା। ହେଲେ ନାଁ ସାର୍ବଜନୀନ ହେଉ ହେଉ ବଢ଼ିଲାଣି ବିବାଦ। ଅଭିଯୋଗ ହେଉଛି ମାଳମାଳ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ଲିଷ୍ଟ୍ରେ ରହିଥିବା ବେଳେ ବାଦ୍ ପଡ଼ିଛନ୍ତି ଯୋଗ୍ୟ। କୋରାପୁଟ ବନ୍ଧୁଗାଁ ବ୍ଲକର ବିଭିନ୍ନ ପଂଚାୟତରୁ ଏଭଳି ଅନେକ ଅଭିଯୋଗ ଆସିଛି।

Advertisment

ଏହାକୁ ନେଇ ଅଭିଯୋଗ କରିବା ବେଳେ ମୁହାଁମୁହିଁ ହୋଇଥିଲେ ବିଡିଓ ଓ ସ୍ଥାନୀୟ ଅଂଚଳର ଜନ ପ୍ରତନିଧି। ପ୍ରବଳ ପାଟିତୁଣ୍ଡ ସହ ଉଭୟ ପକ୍ଷ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ ସ୍ଥିତି ଏମିତି ହେଲା ଯେ, ଶେଷରେ ପୋଲିସକୁ ଡାକିବାକୁ ପଡିଥିଲା। ତାପରେ ବି ସ୍ଥିତି ଶାନ୍ତ ପଡିନଥିଲା ବିଡିଓ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଜନ ପ୍ରତିନିଧିମାନେ ଥାନାରେ ଏତଲା ଦେଇଥିବା ବେଳେ ବିଡିଓ ବି ପାଲଟା ଏତଲା ଦେଇଛନ୍ତି।

କୋରାପୁଟ ଭଳି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରୁ ବି ଆସିଛି ପୁଳାପୁଳା ଅଭିଯୋଗ। ଏହି ଗାଁର ଦିବ୍ୟାଙ୍ଗ ମତୀ ନାୟକ ଓ ବେଲାରସେନ୍ ମହାକୁଡ଼ ଆବାସ ଘରଟିଏ ପାଇଁ  ଦୁଇ ବର୍ଷ ହେଲା ଆବେଦନ କରିଥିଲେ। ହେଲେ ଚିଠା ଲିଷ୍ଟରେ କାହାର ବି ନାଁ ନାହିଁ। କେବେଳ ଏ ଦୁଇ ଜଣ ନୁହନ୍ତି ପଂଚାୟତର ଅନ୍ୟ ଯୋଗ୍ୟ ହିତାଧୀକାରୀମାନେ ମଧ୍ୟ ତାଲିକାରେ ନାଁ ନଥିବାରୁ ନିରାଶ ହୋଇଛନ୍ତି। ସେପଟେ ବିଡିଓ କହିଛନ୍ତି ଅଭିଯୋଗ ବାକ୍ସରେ ଅଭିଯୋଗ କଲେ ସମସ୍ୟାର ସମାଧାନ କରାଯିବ। 

Advertisment

ଅଧିକ ପଢ଼ନ୍ତୁ: PM ଆବାସ ଲିଷ୍ଟ, ଆରମ୍ଭରୁ ଗଡ଼ବଡ଼ ! ସରକାରୀ ଚାକିରିଆଙ୍କ ପତ୍ନୀ ନାଁରେ ଆସିଛି ଘର

ସେପଟେ ୨୦୧୮-୧୯ ପ୍ରୋଭିଜିନାଲ୍ ୱେଟିଂ ଲିଷ୍ଟରେ ଥିବା ପ୍ରାୟ ଦେଢ ଲକ୍ଷ ଆଶାୟୀଙ୍କ ନାଁ ଏବେକାର ଚିଠା ତାଲିକାରୁ ବାଦ୍ ଦିଆଯାଇଛି। ଏହି ଇସ୍ୟୁକୁ ନେଇ ବିଜେପି ବିଧାୟକ ଦଳ ଓ ବିଜେପିର ଅନ୍ୟ ନେତାମାନେ ଆଜି ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଜାନୁଆରୀ ୨୬ ପରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଗ୍ରାମସଭା କରି ଅଭିଯୋଗର ଶୁଣାଣି କରିବାକୁ ଦଳ ଦାବି କରିଛି। ବିଜେଡି ଦଳୀୟ ଆଧାରରେ ତାଲିକା ପ୍ରସ୍ତୁତ କରିଥିବା ଅଭିଯୋଗ ଆଣି ସ୍ବଚ୍ଛତାର ସହ ପୁଣିଥରେ ଯୋଗ୍ୟ ହିତାଧିକାରୀଙ୍କ ନାଁ ପ୍ରକାଶ କରାଯାଉ ବୋଲି ଦଳ ଦାବି କରିଛି। ବିଜେଡି ଏହାର ଜବାବ୍ ରଖିଛି।

ଆବାସ ଯୋଜନାରେ ଘର ଆବଣ୍ଟନ ନେଇ ବିଜେପି-ବିଜେଡି ଭିତରେ ଏବେ କଳି ଜୋରଦାର। ଏହାରି ଭିତରେ ନୂଆ ପ୍ରକ୍ରିୟାରେ କେତେ ସ୍ବଛତା ରହୁଛି ଓ ଯୋଗ୍ୟ ଲୋକ ଘର ପାଉଛନ୍ତି ନା ନାହିଁ ତା ଉପରେ ନଜର।

(ନାରାୟଣପାଟଣାରୁ ପି.ଗୋବିନ୍ଦ ରାଜୁ ସୁବୁଦ୍ଧି, ତେଲକୋଇରୁ ଚିନ୍ମୟ ସାହୁ ଓ  ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ)

BJP Odisha Politics PMAY Irregularities In Odisha
Advertisment
Advertisment