• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପିଏମ୍ ଆବାସ ବଣ୍ଟନ ଆରମ୍ଭରୁ କେଁ । ହିତାଧିକାରୀଙ୍କ ସମ୍ଭାବ୍ୟ ତାଲିକାରେ ଗଡ଼ବଡ଼ । ଅଯୋଗ୍ୟଙ୍କୁ ନେଇ ବଢୁଛି ଅସନ୍ତୋଷ । ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ପଂଚାୟତ ଅଫିସ୍‌ରେ ତାଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟକୁ ମିଳିଛି ପ୍ରାୟ ସାଢେ ନଅ ଲକ୍ଷ ଘର । ସେସବୁକୁ ବାଣ୍ଟିବା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ପଂଚାୟତ ଅଫିସ୍‌ରେ ଲାଗିଛି ସମ୍ଭାବ୍ୟ ହିତାଧିକାରୀଙ୍କ ଲିଷ୍ଟ । ନିଜ ନାଁକୁ ତାଲିକାରେ ଖୋଜୁଛନ୍ତି ଆଶାୟୀ ।

ତେବେ ଚିଠା ତାଲିକାକୁ ନେଇ ଆରମ୍ଭରୁ ଉପୁଜିଛି ଗୋଳମାଳିଆ ସ୍ଥିତି । ଯେମିତି ବାଲେଶ୍ୱର ସଦର ବ୍ଲକ୍ ଓଡଙ୍ଗି ପଂଚାୟତରେ ଲାଗିଥିବା ହିତାଧିକାରୀ ଲିଷ୍ଟରେ ଦେଖାଦେଇଛି କେଁ । ଗୋଟିଏ ପରିବାରର ଦୁଇ ଜଣଙ୍କ ନାଁ ରହିଛି ତାଲିକାରେ । ଲିଷ୍ଟରେ ନାବାଳକଙ୍କ ନାଁ ଥିବା ବି ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ସରକାରୀ ଚାକିରିଆଙ୍କ ପତ୍ନୀଙ୍କ ନାଁ ବି ସାମ୍ଭାବ୍ୟ ତାଲିକାରେ ଥିବା କୁହାଯାଉଛି ।

ସେପଟେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ଆଇତିପୁର ପଂଚାୟତରେ ଚିଠା ତାଲିକା ଲାଗିବା ପରେ ସୃଷ୍ଟି ହୋଇଛି ଟେନ୍‌ସନ୍‌ । ତାଲିକା ପ୍ରସ୍ତୁତିରେ ଅନିୟମିତତା ଥିବା ଅଭିଯୋଗ କରି ପଂଚାୟତ ଅଫିସ୍‌ରେ ତାଲା ପକାଇଛନ୍ତି ସ୍ଥାନୀୟ ଲୋକ । କେବଳ ଏ ଦୁଇଟି ସ୍ଥାନ ନୁହଁ, ରାଜ୍ୟର ଅନ୍ୟାନ୍ୟ ଅଂଚଳରୁ ବି ସମାନ ଅଭିଯୋଗ ଆସିବାରେ ଲାଗିଛି । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଅଭିଯୋଗ ବାକ୍ସରେ ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ଅଭିଯୋଗ କରାଯାଇପାରିବ । ପରେ ଗ୍ରାମସଭାରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ।

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିବ ଘର, ୩ ବର୍ଷର କେନ୍ଦ୍ର-ରାଜ୍ୟ ତୁତୁ ମେମେ ପରେ ଫିଟିଲା ବାଟ

ଏଣେ ମାଗଣା ଚାଉଳ ପରେ ପିଏମ୍ ଆବାସ ଯୋଜାନରେ ଘର ବାଣ୍ଟିବା ନେଇ ତେଜିଛି ରାଜନୀତି । ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଦଳ ପକ୍ଷରୁ କୁହାଯାଇଛି, ୨୦୧୮-୧୯ ପ୍ରୋଭିଜନାଲ୍‌ ୱେଟିଂ ଲିଷ୍ଟରେ ଥିବା ପ୍ରାୟ ଦେଢ ଲକ୍ଷ ଲୋକଙ୍କ ନାଁ ଏବେକାର ଚିଠା ତାଲିକାରୁ ବାଦ୍ ଦିଆଯାଇଛି । ସେହି ତାଲିକାକୁ ରେଫରାଲ୍ ଭାବେ ଗ୍ରହଣ କରିବାକୁ ଦାବି କରିଛି ବିଜେପି ।

ସେହିପରି ଅଯୋଗ୍ୟ ହିତାଧିକାରୀଙ୍କ ନାଁରେ ଯେଉଁମାନେ ଅଭିଯୋଗ କରିବେ ସେମାନଙ୍କ ନାଁ ଗୁପ୍ତ ରଖାଯାଉ, ନହେଲେ ଗାଁ ଗାଁରେ ଗଣ୍ଡଗୋଳ ହେବ ବୋଲି ବିଜେପି କହିଛି । ତାସହ ପଂଚାୟତ ବଦଳରେ ବ୍ଲକରେ ଅଭିଯୋଗ ବାକ୍ସ ଖୋଲିବାକୁ ଦାବି କରିଛି । ପିଏମ୍ ଆବାସ ଯୋଜନାରେ କେବଳ ଆବାସ ଯୋଜନାର ଲୋଗୋ ଲଗାଇବାକୁ ଦଳ ପୁଣି ଥରେ ଦାବି କରିଛି । ସ୍ୱଚ୍ଛତାର ସହ ଯୋଗ୍ୟ ହିତାଧିକାରୀଙ୍କୁ ଘର ନମିଳିଲେ ବ୍ୟାପକ ଆନ୍ଦୋଳନ ହେବ, ଆଉ ନବୀନ ନିବାସ ଘେରାଉ ହେବ ବୋଲି ଚେତାବାନୀ ଦେଇଛି ବିଜେପି ।

ଆବାସ ଯୋଜନାରେ ଘର ପାଇବା ନେଇ ବିଜେପି-ବିଜେଡି ଭିତରେ କଳି ଜୋରଦାର ଚାଲିଥିବାବେଳେ ଲୋଗୋକୁ ନେଇ ବି ମୁହାଁମୁହିଁ ଉଭୟ ଦଳ । ଏହି ବିବାଦ ଆଗକୁ କେଉଁ ମୋଡ଼ ନେଉଛି, ଏବେ ତା ଉପରେ ନଜର ।