• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ବିଜେଡି ବିଧାୟକ ସନା ମହାକୁଡ ଗଣମାଧ୍ୟମକୁ କହିଲେ, ମୁଁ ବିଜେଡିରେ ଅଛି, ରହିବି । ଏହି କଥା ସେ କହିଥିଲେ ମଧ୍ୟ ତା ପରେ କହୁ କହୁ କହିଦେଲେ ଅନେକ କଥା । ସେ କହିଛନ୍ତି, 'ମୁଁ ଦଳ ଠାରୁ ଦୂରେଇନି; ଦଳ ସହ ଅଛି, ରହିଛି, ରହିବି' । ସେ ପୁଣି କହିଛନ୍ତି, ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଛୁ, ଆଲୋଚନା କରୁଛୁ । ସେ ପୂରା ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଜେପିର ମୁଖ୍ୟମନ୍ତ୍ରୀ ନୁହଁନ୍ତି ।

ବିଧାନସଭାକୁ ପ୍ରବେଶ କଲା ବେଳେ କାହିଁକି ଦଳୀୟ ବୈଠକକୁ ଆସିଲେନି ବୋଲି ନବୀନ ପଟ୍ଟନାୟକ ପଚାରିଲେ । ଅସୁସ୍ଥତା କାରଣରୁ ଆସିନଥିବା କହିଥିଲେ ସନା ମହାକୁଡ । ବିଜେପି ଯାଉଛନ୍ତି କି ବୋଲି ସେ ପଚାରିନାହାନ୍ତି । ସେ ଦଳର ମୁରବୀ, ପଚାରିବାର ଅଧିକାର ତାଙ୍କର ଅଛି ।

ତେବେ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ସନା ନକହି ନକହି ବହୁତ କଥା କହିଦେଲେ । ସେ ବିଜେଡିର ଜଣେ ବିଧାୟକ ଭାବେ ନବୀନ ପଟ୍ଟନାୟକଙ୍କୁ ଦଳର ମୁରବୀ ବୋଲି ମାନୁଛନ୍ତି । ସେ ଦଳରେ ଅଛନ୍ତି ବୋଲି କହୁଛନ୍ତି । ଦଳରୁ ଯଦି ସେ ଇସ୍ତଫା ଦେବେ, ତେବେ ତାଙ୍କର ବିଧାୟକ ପଦ ଚାଲିଯିବ । ତେଣୁ ସେ ଦଳ ଛାଡିବାର ପ୍ରଶ୍ନ ଉଠୁନାହିଁ । କିନ୍ତୁ ଦଳ ଯଦି ତାଙ୍କୁ ବାହାର କରିଦିଏ, ସେ ସ୍ୱାଧୀନ ବିଧାୟକ ହୋଇଯିବେ । ତେଣୁ ଦଳରେ ରହିବେ ହିଁ ରହିବେ ।

ଅଧିକ ପଢ଼ନ୍ତୁ : ବିଜେପି ମୁହାଁ BJD ନେତା, ସନାଙ୍କ ଉପରେ ରାଗିଲେ ନବୀନ

ଅନେକ ମତ ଦେଉଛନ୍ତି, ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ କେନ୍ଦୁଝର ଜିଲ୍ଲାର ଜଣେ ବିଧାୟକ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାର ଜଣେ ପ୍ରଭାବଶାଳୀ ନେତା ହେଉଛନ୍ତି ସନା ମହାକୁଡ । ଏବେ ନୁହେଁ ଗତ ୩୦ ବର୍ଷ ଧରି କେନ୍ଦୁଝର ଜିଲ୍ଲାରେ ରହିଛି ସନାଙ୍କ ଦବଦବା । ସେ ପ୍ରଥମେ କଂଗ୍ରେସ ସହ ସଂଶ୍ଲିଷ୍ଟ ଥିଲେ । ପରେ ସ୍ବାଧୀନ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହେଲେ । କୁହାଯାଏ, ଜିଲ୍ଲାରେ କିଏ କେଉଁଠି ପ୍ରାର୍ଥୀ ହେବେ, ଅନେକ ସମୟରେ ସନା ନିଷ୍ପତ୍ତି ନିଅନ୍ତି । ପୂର୍ବ ସରକାର ସମୟରେ ସନାଙ୍କ ଅଫିସ୍ ଓ ବିଭିନ୍ନ ସଂସ୍ଥା ଉପରେ ଘନ ଘନ ରେଡ୍ କରାଯାଇଥିଲା । ନିଜସ୍ୱ ସଂଗଠନ ତିଆରି କରିଥିବା ସନା ମହାକୁଡ ଶେଷରେ ବିଜେଡିରେ ଯୋଗ ଦେଇଥିଲେ । ଗତ ନିର୍ବାଚନରେ ସେ ଚମ୍ପୁଆରୁ ବିଜେଡି ଟିକେଟରେ ନିର୍ବାଚିତ ହୋଇଛନ୍ତି । ତେବେ ସରକାର ବଦଳିବା ପରେ ସନାଙ୍କ ହାବଭାବ ନେଇ ଅନେକ ତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । ନବୀନ କଣ ପଚାରିଲେ ସନା ତାହା ଠିକରେ ବୁଝିପାରୁନଥିବା ଭିଡିଓରୁ ଜଣାପଡୁଛି । 

ସନା ନବୀନଙ୍କୁ ମୁରବୀ ବୋଲି ମାନୁଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟାରେ ସେ ମାନିଛନ୍ତି ଯେ, ସେ ବାରମ୍ୱାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି । ଏହାର କାରଣ ଦର୍ଶାଇବାକୁ ଯାଇ ସେ କହିଛନ୍ତି, ଜିଲ୍ଲାର ବିକାଶ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ସେ ରାଜ୍ୟର ମୁଖ୍ୟମନ୍ତ୍ରୀ, ତାଙ୍କୁ ଭେଟିବାରେ କିଛି ଅସୁବିଧା ନାହିଁ । ଏହା କହି ସେ ନବୀନଙ୍କୁ ତେରଛା ବାଣ ମାରିଛନ୍ତି ।

ଅଧିକ ପଢ଼ନ୍ତୁ : ଦିଲ୍ଲୀ-ଓଡ଼ିଶା କମନ୍ କଜ୍: ମଦ, ଦୁର୍ନୀତି ଓ ଭାବମୂର୍ତ୍ତି 

OTV is now on Whatsapp

Join and get latest news update delivered to you via whatsapp

Join Now