ଓଡିଶାରେ ଯେଉଁ ପରିବର୍ତ୍ତନର ବାଆ ବହିଲା ଏବଂ ୨୪ ବର୍ଷର ବିଜେଡି ସରକାରକୁ କ୍ଷମତାଚ୍ୟୁତ କଲା, ସମାନ ସ୍ଥିତି ଦିଲ୍ଲୀରେ ୧୦ ବର୍ଷର ଆପ୍ ସରକାରରେ ଦେଖିବାକୁ ମିଳିଲା! ୨୦୨୪ ଓଡିଶା ସାଧାରଣ ନିର୍ବାଚନ ଏବଂ ୨୦୨୫ ଦିଲ୍ଲୀ ସାଧାରଣ ନିର୍ବାଚନ ମଧ୍ୟରେ ଅନେକ ସମାନତା ବା ଲିଙ୍କ ସବୁ ଦେଖିବାକୁ ମିଳିଛି । ନିଯୁକ୍ତି ଓ ଶିକ୍ଷା ପାଇଁ ଦିଲ୍ଲୀରେ ରହୁଥିବା ପ୍ରାୟ ୫ଲକ୍ଷରୁ ଅଧିକ ଓଡିଆଙ୍କୁ ଓଡିଶା ପରିବର୍ତ୍ତନ ଦ୍ୱାରା ପ୍ରଭାବିତ କରିଥାଇ ପାରେ । କିନ୍ତୁ ୧୦ ବର୍ଷ କ୍ଷମତାରେ ଥିବା ଆପ୍ ଲୋକଙ୍କ ବିଶ୍ୱାସ ଭାଜନ ହେବାରେ ସଫଳ ହୋଇପାରିନାହିଁ l
ଦିଲ୍ଲୀରେ ବିଜେପିର ବିଜୟ ପାଇଁ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଆଯିବା ସହିତ ନିର୍ବାଚନୀ ଦାୟିତ୍ୱକୁ ଅତି ସୁରୁଖୁରୁରେ ବ୍ୟବସ୍ଥିତ ଢଙ୍ଗରେ ତୁଲାଇଥିବା ଦଳର ରାଷ୍ଟ୍ରୀୟ ଉପସଭାପତି ଓଡିଆ ପୁଅ ବୈଜୟନ୍ତ ପଣ୍ଡାଙ୍କ ନାମ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଛି । ତେବେ ଓଡିଶାରେ ବିଜେଡି ଏବଂ ଦିଲ୍ଲୀରେ ଆପ୍ ପରାଜୟବରଣ କରିବାର କମନ୍ କଜ୍ ହେଉଛି ଦୁର୍ନୀତି, ଭାବମୂର୍ତ୍ତି ଓ ମଦ ! ଉଭୟ ଆଂଚଳିକ ଦଳ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ ମଧ୍ୟ ସ୍ୱଚ୍ଛ ଓ ଦୁର୍ନୀତି କ୍ଷେତ୍ରରେ ଲୋକେ କମ୍ପ୍ରମାଇଜ କରିନାହାନ୍ତି !
Also Read
ଅକ୍ଟୋବର ୨୦୧୨ରେ ଯେତେବେଳେ ଆମ୍ ଆଦମୀ ପାର୍ଟି (ଆପ୍) ଏକ ରାଜନୈତିକ ଦଳ ଭାବରେ ଜନ୍ମ ନେଇଥିଲା ଚିରାଚରିତ ସାମ୍ପ୍ରତିକ ରାଜନୀତିଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ପରିଚୟ ସୃଷ୍ଟି କରିଥିଲା । କାରଣ ଦଳରେ କେହି ପ୍ରଫେସନାଲ ପଲିଟିସିଆନ୍ ନଥିଲେ । ଚାକିରିରୁ ଅବସର ଓ ଇସ୍ତଫା ଦେଇ ଆପ୍ ମାଧ୍ୟମରେ ରାଜନୀତିକୁ ଆସିଥିଲେ । ଦେଶ ରାଜନୀତିକୁ ଭଲ ଲୋକଙ୍କ ପ୍ରବେଶ ବା ବୁଦ୍ଧିଜୀବୀମାନେ ଆସିବା ଆବଶ୍ୟକ ବୋଲି ଯେତେବେଳେ ଚିନ୍ତା କରାଯାଉଥିଲା, ଆପ୍ ଏହାର ବିକଳ୍ପ ଭାବରେ ଠିଆ ହୋଇଥିଲା । କିନ୍ତୁ ଦିଲ୍ଲୀରେ ଆପ୍ ସରକାରଙ୍କ ଅଭିଯାନ ଆରମ୍ଭ ହେବା ପୂର୍ବରୁ ଅବା ପରବର୍ତ୍ତୀ ସମୟରେ ଅନେକ ନେତା ଦଳ ଛାଡିଥିଲେ । ଯେଉଁ ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଦର୍ଶ ନେଇ ଦଳ ଭିନ୍ନତାର ପରିଚୟ ସୃଷ୍ଟି କରିଥିଲା ପରବର୍ତ୍ତୀ ସମୟରେ ସେସବୁ ଦେଖାଗଲା ନାହିଁ ।
ଦିଲ୍ଲୀ-ଓଡ଼ିଶା କମନ୍ କଜ୍: ଦୁର୍ନୀତି ଓ ଭାବମୂର୍ତ୍ତି
ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ; ଉଭୟେ କଂଗ୍ରେସକୁ ଗାଦିଚ୍ୟୁତ କରି କ୍ଷମତାକୁ ଆସିଥିଲେ । ଦୁଇ ଦଳର ଆଭିମୁଖ୍ୟ ସମାନ- ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ଓ ନିଜର ଭାବମୂର୍ତ୍ତି । ଏଥିପାଇଁ ଉଭୟ ଦଳର ନେତାଙ୍କୁ ପ୍ରବଳ ଜନସମର୍ଥନ ମିଳିଲା । ଶେଷରେ ଦୁର୍ନୀତିଗ୍ରସ୍ତର ଅଭିଯୋଗ ମୁଣ୍ଡାଇ ଦୁଇ ଦଳକୁ କ୍ଷମତାଚ୍ୟୁତ ହେବାକୁ ପଡିଲା । ଆନ୍ନା ଆନ୍ଦୋଳନ ପରେ ଦେଶରେ ଏକ ଦୁର୍ନୀତିମୁକ୍ତ, ସ୍ୱଚ୍ଛ, ଉତ୍ତରଦାୟୀ ବିକଳ୍ପ ରାଜନୈତିକ ଦଳ ଭାବରେ ଗଠନ ହୋଇଥିବା ଆପ୍ ସରକାରଙ୍କ ଶିକ୍ଷାନୀତି, ମାଗଣା ବିଜୁଳି ସେବା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଆଦି ଉଲ୍ଲେଖନୀୟ ଯୋଜନା କେବଳ ଲୋକଙ୍କୁ ଆକୃଷ୍ଟ କରିନଥିଲା ବରଂ ଦେଶରେ କେଜରିୱାଲଙ୍କ ମଡେଲ ପ୍ରଶଂସନୀୟ ହୋଇଥିଲା ।
ତେବେ ପରବର୍ତ୍ତୀ ସମୟରେ ମଦ ଘୋଟାଲାର ଯେଉଁ ଅଭିଯୋଗ ଓ ଗିରଫଦାରୀ ହେଲା ତାହା କେଜରିୱାଲଙ୍କ ଭାବମୂର୍ତ୍ତିକୁ ପ୍ରଭାବିତ କରିଥିଲା । ନିଜ ବାସଭବନ ପାଇଁ ୪୫ କୋଟିର ବ୍ୟୟରେ ନିର୍ମିତ ‘ଶୀଶ୍ ମହଲ’ରେ ଦିଲ୍ଲୀବାସୀ ନିଜର ସେହି ଦୁର୍ନୀତିମୁକ୍ତ, ସ୍ୱଚ୍ଛ କେଜରିୱାଲଙ୍କୁ ଖୋଜିବାର ପ୍ରୟାସ କରି ନିରାଶ ହୋଇଥିଲେ । ତାସହିତ ସାଙ୍ଘାତିକ ବାୟୁପ୍ରଦୂଷଣ, ନର୍ମଦାପ୍ରଦୂଷଣ ଆଦି କ୍ଷେତ୍ରରେ ଲୋକଙ୍କୁ ସୁଫଳ ମିଳିପାରିନଥିଲା । ସେହିଭଳି ଦୁର୍ନୀତିମୁକ୍ତ, ନିର୍ମଳ ଭାବମୂର୍ତ୍ତିର କଥା କହି କ୍ଷମତା ହାସଲ କରିଥିବା ବିଜେଡି ଶାସନରେ ଖଣି, ଚିଟଫଣ୍ଡ ଆଦି ବିଭିନ୍ନ ଘୋଟାଲା ସବୁ ସାମ୍ନାକୁ ଆସିଲା । ଯାହା ନବୀନଙ୍କ ଭାବମୂର୍ତ୍ତି ଉପରେ କ୍ଷତି ପହାଇଲା ।
ବିଗାଡିଦେଲା ‘ମଦ’!
ଆପ୍ ଓ ବିଜେଡି କ୍ଷମତା ହରାଇବାର ପଛରେ ‘କମନ୍ କଜ୍’ ହେଲା ‘ମଦ’! ମହିଳା ବିରୋଧୀ ହିଂସା ଓ ଅପରାଧ ଓଡିଶାରେ ବୃଦ୍ଧି ପାଉଥିବାବେଳେ ଗାଁରୁ ସହର ରାଜ୍ୟରେ ମଦର ବନ୍ୟା ସୃଷ୍ଟି ହୋଇଛି । ‘ଜନପ୍ରିୟ ନେତା’ ଜନତାଙ୍କ ହିତ ପାଇଁ ଏତେ ଚିନ୍ତିତ ଥିଲେ ଯେ ମଦ ବ୍ୟବସାୟକୁ ବ୍ୟାପକ କରିବାରେ ସବୁ ବ୍ୟବସ୍ଥା କରିଥିଲେ? ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ବିଜେଡି ସରକାର ମହିଳାମାନଙ୍କ ପାଇଁ ଅନେକ ଯୋଜନା କରିଥିଲେ ମଧ୍ୟ ହାତରେ ଠେଙ୍ଗା ବାଡି ଧରି ମଦ ଦୋକାନ-ଭାଟି ଭାଙ୍ଗିବା, ମଦବିରୋଧରେ ଗ୍ରାମାଂଚଳମାନଙ୍କରେ ଏକତ୍ରିତ ହୋଇ ଆନ୍ଦୋଳନକୁ ଓହ୍ଲାଇବାର ବ୍ୟାପକ ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ଏଥିପ୍ରତି ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନଥିଲା । ସେପଟେ ଦିଲ୍ଲୀ ମଦ ଘୋଟାଲା ଘଟଣା ଦେଶବ୍ୟାପୀ ହଇଚଇ ସୃଷ୍ଟି କଲା । ୨୦୨୧-୨୨ ନୂଆ ମଦ ନୀତି ଆଣିବା ପରେ କୋଟି କୋଟି ଟଙ୍କାର ମଦ ଦୁର୍ନୀତି ଅଭିଯୋଗ ହେଲା । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ପ୍ରାୟ ୧୭ ଜଣ ଏହି ମାମଲାରେ ଗିରଫ ହେବା ଜାତୀୟ ରାଜନୀତିରେ ବିରଳ ଘଟଣା ।
ସେପଟେ ଦେଶର ସର୍ବଶେଷ୍ଠ ମୁଖ୍ୟ ବିରୋଧୀଦଳ ଥିବା ଜାତୀୟ କଂଗ୍ରେସର ସ୍ଥିତି ଓଡିଶାରେ ଯେମିତି ଦୁର୍ବଳ, ଦିଲ୍ଲୀରେ ମଧ୍ୟ କୋମାଗସ୍ତ । ତେଣୁ କ୍ଷମତାର ପରିବର୍ତ୍ତନ ପୂର୍ବରୁ ଉଭୟ ସ୍ଥାନରେ ଆଞ୍ଚଳିକ ଦଳ (ଆପ୍ ଓ ବିଜେଡି)ର ସରକାର ଥିଲା ଏବଂ ବିଜେପି ମୁଖ୍ୟ ବିରୋଧୀଦଳର ଦାୟିତ୍ୱରେ ରହିଥିଲା । ଯଦିଓ ବିରୋଧୀ ମିଳିତ ମେଣ୍ଟ ଇଣ୍ଡିରେ ବିଜେଡି ନାହିଁ, କିନ୍ତୁ ଏନ୍ଡିଏ ବିରୋଧରେ ଏକାଠି ହୋଇଥିବା ଆପ୍କୁ ଦିଲ୍ଲୀ ନିର୍ବାଚନରେ କଂଗ୍ରେସର ସମର୍ଥନ ମିଳିବା ତ ଦୂର, ଯେଉଁ ପ୍ରସଙ୍ଗରେ ବିଜେପି ଆକମଣ କଲା ସମାନ ମୁଦ୍ଦା ଉଠାଇ କଂଗ୍ରେସ ଘେରିଲା । ଆପ୍ ଯଦି ଇଣ୍ଡି ମେଣ୍ଟର ସମର୍ଥନ ବା ଭୋଟ ପାଇଥାନ୍ତା ତେବେ ହୁଏତ କେଜରିୱାଲ ସରକାର କରିବା ସମ୍ଭାବନାକୁ ଏଡାଇ ଦିଆଯାଇପାରିନଥାନ୍ତା । ଚଳିତ ନିର୍ବାଚନରେ କଂଗ୍ରେସର ଭୋଟ ହାର ୨ ପ୍ରତିଶତ ବଢିଥିଲେ ମଧ୍ୟ ଦଳ ଗୋଟିଏ ବି ବିଧାନସଭା ଆସନ ଜିତିପାରି ନାହିଁ ।