Advertisment

Trauma Dumping: ଟ୍ରମା ଡମ୍ପିଂ କାହିଁକି ଘଟେ ଏବଂ ଅନ୍ୟମାନଙ୍କୁ ଆଘାତ ନ ଦେଇ ଏଥିରୁ ସୁସ୍ଥ ହେବେ କିପରି?

ଟ୍ରମା ଡମ୍ପିଂ କ'ଣ? ଏହା କାହିଁକି ବଢ଼ୁଛି? ସୋସିଆଲ୍ ମିଡିଆ ସହ ଏହାର ସମ୍ପର୍କ କ'ଣ? ଏହା କାହାକୁ ଓ କେମିତି ପ୍ରଭାବିତ କରେ? ଆପଣ ଟ୍ରମା ଡମ୍ପିଂ କରୁଥିଲେ ତାହା ନକରି ମଧ୍ୟ ଟ୍ରମାରୁ ବାହାରିବେ କିପରି ଓ ଯଦି ଆପଣ ଟ୍ରମା ଡମ୍ପିଂର ଶିକାର ତେବେ ସେଥିରୁ ନିଜକୁ ମୁକୁଳେଇବେ କିପରି ଜାଣିବା ପାଇଁ ପଢ଼ନ୍ତୁ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଆଜିର ଅଧ୍ୟାୟ ।

author-image
Sumitra Padhi
ଅଦ୍ୟତନ ହୋଇଛି
New Concern

New Concern

"ମୁଁ ଆପଣଙ୍କୁ ଭାରାକ୍ରାନ୍ତ କରିବାକୁ ଚାହୁଁ ନଥିଲି... ମୁଁ ନିଜ ଅନୁଭବ କହିବାକୁ ଆଉ କେଉଁଠିକୁ ଯିବି ଜାଣି ନଥିଲି।" ଏମିତି ଅନେକ ବାର ଅନେକ ଲୋକ କହିଛନ୍ତି ମୋତେ। ଏହା ଅନେକ ଭାବପ୍ରବଣ କଥାବାର୍ତ୍ତା ପଛରେ ଥିବା ନୀରବ ସତ୍ୟ ଯାହା କହିବା ଲୋକ ଓ ଶୁଣିବା ଲୋକ ଉଭୟଙ୍କୁ ଭାରି ଅନୁଭବ କରାଏ।

Advertisment

ଆଜିର ଦୁନିଆରେ ଯେତେବେଳେ ମାନସିକ ସ୍ୱାସ୍ଥ୍ୟ ବିଷୟରେ ବେଶୀ ବେଶୀ ଆଲୋଚନା ହେଉଛି, ଠିକ୍ ସେତିକିବେଳେ ଟ୍ରମା ଡମ୍ପିଂ ପରି ଏକ ନୂଆ ଚିନ୍ତା ଗୋପନରେ ବ୍ୟାପୁଛି। ଏହା ଆପଣଙ୍କ ଯନ୍ତ୍ରଣା ସେୟାର କରିବା ବିଷୟରେ ନୁହେଁ - ଆପଣ ଏହାକୁ କିପରି, କେବେ ଏବଂ କାହା ସହିତ ସେୟାର କରିବେ ସେଇ ବିଷୟରେ।

ଟ୍ରମା ଡମ୍ପିଂ କ’ଣ?

ଟ୍ରମା ଡମ୍ପିଂ ହେଉଛି ସାମ୍ନା ଲୋକର ମାନସିକ ସମ୍ମତି କିମ୍ବା ପ୍ରସ୍ତୁତି ବିନା ନିଜର ବେଦନାଦାୟକ ଅଭିଜ୍ଞତାକୁ ଅବାଧ ଏବଂ ଅଯାଚିତ ଭାବରେ ତାଙ୍କ ଆଗରେ ପ୍ରକାଶ କରିବା। ଏହା ବ୍ୟକ୍ତିଗତ ଭାବରେ, ଅନଲାଇନ୍ କିମ୍ବା ଲେଖା ମାଧ୍ୟମରେ ହୋଇପାରେ। ଏହା ଇଚ୍ଛାକୃତ କ୍ଷତି ନୁହେଁ ବା ଏହାକୁ କେହି ଜାଣିଶୁଣି କରେନାହିଁ। ଏହା ସାଧାରଣତଃ ଠିକ୍ ହୋଇନଥିବା ଯନ୍ତ୍ରଣା, ଦୀର୍ଘ ଦିନ ଧରି ଥାକମାରି ରଖାଯାଇଥିବା ଆବେଗ ଏବଂ ମାନସିକ ଚାପର ଲକ୍ଷଣ। ଉଦାହରଣ ସ୍ବରୂପ:

Advertisment

• ଅପରିଚିତ ଲୋକଙ୍କ ସହିତ କିମ୍ବା ଯେକୌଣସି ସାଧାରଣ ପରିବେଶରେ ନିଜେ ଭୋଗୁଥିବା ନିର୍ଯାତନା, ଦୁଃଖ-ଶୋକ କିମ୍ବା ତୀବ୍ର ଭାବନା ସବୁ ବିଷୟରେ କଥାବାର୍ତ୍ତା ହେବା।

• ପ୍ରସଙ୍ଗ କିମ୍ବା ସତର୍କତା ବିନା ଯନ୍ତ୍ରଣା ପ୍ରକାଶ କରିବା ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର କରିବା।

• ଅନ୍ୟମାନେ ଏହାକୁ ଧରି ରଖିପାରିବେ କି ନାହିଁ ତାହା ପରୀକ୍ଷା ନକରି ସେମାନଙ୍କ ଉପରେ ମାନସିକ ବୋଝ ଲଦିଦେବା।

ଅଧିକ ପଢ଼ନ୍ତୁ: ପିଲା ଅଧିକ ସମୟ ମୋବାଇଲ୍ ଦେଖିଲେ, ହୁଏ ଏହି ସବୁ ସମସ୍ୟା

ଟ୍ରମା ଡମ୍ପିଂ ଜଣେ କରେ କାହିଁକି ?

୧- ଅନପ୍ରସେସଡ ଟ୍ରମା ବା ଅସଜଡ଼ା ମାନସିକ ଧକ୍କା

ଯେତେବେଳେ ଆଘାତ ଓ ଯନ୍ତ୍ରଣା ସବୁକୁ ଦବେଇ ରଖାଯାଏ, ତାହା ଅଦୃଶ୍ୟ ହୋଇଯାଏ ନାହିଁ - ତାହା ବେଳେବେଳେ ହଠାତ ବାହାରକୁ ବାହାରିପଡ଼େ। ଯଦି କାହାକୁ ସୁସ୍ଥ ହେବା ପାଇଁ ଜାଗା କିମ୍ବା ସମର୍ଥନ ମିଳେନି, ତେବେ ସେମାନଙ୍କର ଯନ୍ତ୍ରଣା ହଠାତ୍ ଏବଂ ଅନିୟନ୍ତ୍ରିତ ଭାବରେ କେଉଁଠି ନା କେଉଁଠି ବାହାରିପଡ଼େ।

୨- ଇମୋସନାଲ ସଚେତନତାର ଅଭାବ

ସୁସ୍ଥ ଭାବରେ ଇମୋସନ୍ ସେୟାର କରିବାଟା ପ୍ରକୃତରେ କେମିତି ତାହା ଲୋକଙ୍କୁ କେବେବି ଶିକ୍ଷା ଦିଆଯାଇନାହିଁ। ସେମାନଙ୍କ ପାଇଁ, ନିଜର ସବୁ ଆବେଗକୁ ଏକାଥରେ ଅଜାଡ଼ିଦେବା ସ୍ୱାଭାବିକ ମନେହୁଏ । ଏହା ଯେ ଅନ୍ୟମାନଙ୍କୁ ଭାରାକ୍ରାନ୍ତ କରିପାରେ ତାହା ସେମାନେ ଜାଣିନଥାନ୍ତି।

୩- ଯୋଗାଯୋଗର ଦୃଢ଼ ପ୍ରୟୋଜନ

କେବେ କେବେ ଲୋକମାନେ ଦେଖାଯିବାକୁ, ଭଲପାଇବା ପାଇବାକୁ ଓ ନିଜ ଇମୋସନକୁ ମାନ୍ୟତା ଦେବା ପାଇଁ ଅପେକ୍ଷା ନକରି ଜଲଦିରେ ଆବେଗ ପ୍ରକାଶ କରିଦିଅନ୍ତି। କିନ୍ତୁ ବ୍ୟଗ୍ରତା ​​ଯୋଗାଯୋଗ ବଦଳରେ ଅଶ୍ୱସ୍ତି ବି ତିଆରି କରିପାରେ।

୪- ସୋସିଆଲ ମିଡିଆର ପ୍ରଭାବ

ଅନଲାଇନ୍ ପ୍ଲାଟଫର୍ମଗୁଡ଼ିକ ଓଭରସେୟାରିଙ୍ଗକୁ ଉତ୍ସାହିତ କରନ୍ତି, କିନ୍ତୁ ସେମାନେ ପ୍ରକୃତ ଇମୋସନାଲ୍ ସମର୍ଥନ କ୍ୱଚିତ୍ ଦେଇପାରନ୍ତି। ଯାହା ଏକ ଓପନ ସ୍ପେସ୍ ପରି ମନେହୁଏ ତାହା ସେୟାର କରୁଥିବା ଲୋକ ଓ ତାକୁ ଦେଖୁଥିବା ବା ଶୁଣୁଥିବା ଲୋକ ଉଭୟଙ୍କୁ ଶୂନ୍ଯ କିମ୍ବା ଅସୁରକ୍ଷିତ ଅନୁଭବ କରାଇପାରେ।

ଟ୍ରମା ଡମ୍ପିଂର ଲକ୍ଷଣ କ'ଣ?

• ଆପଣ ପ୍ରାୟତଃ ଏପରି ଲୋକଙ୍କ ସହିତ ନିଜର ଗଭୀର ଭାବନା ଓ ବେଦନା ସେୟାର କରନ୍ତି, ଯାହାକୁ ଆପଣ ଭଲ ଭାବରେ ଜାଣିନଥାନ୍ତି।

• ଅନ୍ୟମାନେ ଅର୍ଥାତ୍ ଯାହା ସହ ଆପଣ ସେୟାର କରୁଥାନ୍ତି ସେ ଅସହଜ ମନେହୁଅନ୍ତି ନହେଲେ ବିଷୟ ପରିବର୍ତ୍ତନ କରନ୍ତି କିମ୍ବା ପରେ ଆପଣଙ୍କୁ ଏଡାଇ ଯାଆନ୍ତି।

• ଆପଣ ସେୟାର କରିବା ପରେ ଅଶ୍ୱସ୍ତି ଅନୁଭବ କରନ୍ତି, କିନ୍ତୁ ପରେ ଅନୁତାପ ବୋଧ କରନ୍ତି ନହେଲେ ନିଜକୁ କାହିଁକି ଏକ୍ସପୋଜ କଲେ ବୋଲି ଭାବନ୍ତି।

• ଶ୍ରୋତା ଆପଣଙ୍କୁ ଶୁଣିବାକୁ ପ୍ରସ୍ତୁତ କିମ୍ବା ସକ୍ଷମ କି ନାହିଁ ସେ ବିଷୟରେ ଆପଣ କ୍ୱଚିତ୍ ପଚାରନ୍ତି ।

ଏହାର ଅର୍ଥ ନୁହେଁ ଯେ ଆପଣ ତୀବ୍ର ଭାବରେ ଆବେଗ ସବୁ ଅନୁଭବ କରିବା ଭୁଲ୍, ମୁଁ କହିବାର ଅର୍ଥ ହେଉଛି ଆପଣଙ୍କ ଭାବନା ଏକ ସୁରକ୍ଷିତ ଜାଗା ପାଇବାକୁ ଯୋଗ୍ୟ।

ଅନ୍ୟମାନଙ୍କ ଉପରେ ଟ୍ରମା ଡମ୍ପିଂର ପ୍ରଭାବ:

ଟ୍ରମା ଡମ୍ପିଂର ଭୁକ୍ତଭୋଗୀ ହେବା ଦ୍ଵାରା ନିମ୍ନ ଅନୁଭବ ହୋଇପାରେ:

• ମାନସିକ ଭାବେ କ୍ଳାନ୍ତ ଲାଗିବା କିମ୍ବା ଆପଣଙ୍କ ଆବେଗକୁ କେହି ଜଣେ ଚୋରେଇ ନେବା ପରି ଅନୁଭବ କରିବା।

• କିପରି ପ୍ରତିକ୍ରିୟା ଜଣାଇବେ ତାହା ଜାଣିନପାରି ଦୋଷୀ ଦୋଷୀ ମନେକରିବା।

• ସମ୍ପର୍କରୁ ଦୂରେଇଯିବା କିମ୍ବା ଓହରିଯିବା।

• ଭବିଷ୍ୟତରେ କଥାବାର୍ତ୍ତା ବେଳେ ଅସୁରକ୍ଷିତ କିମ୍ବା ବିରକ୍ତି ଅନୁଭବ କରିବା।

ଯେଉଁ ଲୋକମାନେ ଆପଣଙ୍କ ପାଇଁ ବହୁତ ଚିନ୍ତା କରନ୍ତି ସେମାନେ ମଧ୍ୟ ଅସମୟରେ, ଅପ୍ରସ୍ତୁତ ଭାବରେ, ଆଗରୁ ନଜଣାଇ ଯନ୍ତ୍ରଣା ସେୟାର କରିବା ଦ୍ବାରା ଦୂରେଇ ଯାଇପାରନ୍ତି । ସେମାନେ ଆପଣଙ୍କୁ ଭଲ ପାଆନ୍ତି ନାହିଁ ବୋଲି ନୁହେଁ ବରଂ ସେମାନେ ଆପଣଙ୍କ ଯନ୍ତ୍ରଣାକୁ କିପରି ଲାଘବ କରିବେ ଜାଣନ୍ତି ନାହିଁ ବୋଲି ଦୂରେଇ ଯାଆନ୍ତି।

କୌଣସି ଚାପ ବିନା କିପରି ସେୟାର କରିବେ ଟ୍ରମା?

୧. ବିରାମ ନିଅନ୍ତୁ ଏବଂ ଚିନ୍ତା କରନ୍ତୁ

କିଛି ଇମୋସନାଲ କଥା ସେୟାର କରିବା ପୂର୍ବରୁ, ନିଜକୁ ପଚାରନ୍ତୁ ଯେ:

• "ଏହା କ’ଣ ସଠିକ୍ ସମୟ ଏବଂ ସ୍ଥାନ?"

• "ସେ ଏହା ଶୁଣିବାକୁ ପ୍ରସ୍ତୁତ ଅଛନ୍ତି କି' ବୋଲି ମୁଁ ତାଙ୍କୁ ପଚାରିଛି କି ?"

"ମୁଁ କିଛି ବ୍ୟକ୍ତିଗତ କଥା ସେୟାର କରିପାରିବି କି?" ପରି ସରଳ ପ୍ରଶ୍ନଟେ କଥାବାର୍ତ୍ତାର ମୋଡ଼କୁ ସମ୍ପୂର୍ଣ୍ଣ ବଦଳାଇ ପାରେ।

୨. ନିରାପଦ ଜାଗା ବ୍ୟବହାର କରନ୍ତୁ

ଥେରାପିଷ୍ଟ, ସହାୟକ ଗୋଷ୍ଠୀ, କିମ୍ବା ପ୍ରଶିକ୍ଷିତ ଶ୍ରୋତାମାନେ ଆପଣଙ୍କ ଆଘାତକୁ ଭଲରେ ସମ୍ବେଦନାର ସହ ଶୁଣିପାରିବେ। ସେମାନେ ଆପଣଙ୍କୁ କିମ୍ବା ନିଜକୁ ଆବେଗରେ ଭାଙ୍ଗିଯିବାକୁ ନଦେଇ, ଯତ୍ନର ସହିତ ଆପଣଙ୍କୁ ଯନ୍ତ୍ରଣାରୁ ବାହାରିବାର ବାଟ ଦେଖାଇ ପାରିବେ।

୩- ଭାଙ୍ଗି ପଡ଼ିବା ପରିବର୍ତ୍ତେ ନିୟନ୍ତ୍ରଣ କରନ୍ତୁ

ଯଦି ଆପଣଙ୍କର ଭାବନା କୂଳ ଲଙ୍ଘିଯାଉଥିବା ପରି ଅନୁଭବ କରୁଥାନ୍ତି, ତେବେ ନିୟନ୍ତ୍ରଣ ପାଇଁ ଜର୍ଣ୍ଣାଲିଂ, ଶ୍ୱାସକ୍ରିୟା ନିୟନ୍ତ୍ରଣ ବ୍ୟାୟାମ, ଭଏସ୍ ନୋଟରେ ନିଜ ସହିତ କଥାବାର୍ତ୍ତା କରିବା ଆଦି ଚେଷ୍ଟା କରନ୍ତୁ। ଏଗୁଡ଼ିକ ଅନ୍ୟ କାହା ଉପରେ କେବଳ ନିର୍ଭର ନକରି ଆପଣଙ୍କୁ ମୁକ୍ତି ଦେବା ପାଇଁ ଜାଗା ଦେଇଥାଏ।

୪- ଇମୋସନାଲ ଲାଙ୍ଗୁଏଜ୍ ତିଆରି କରନ୍ତୁ

ପୁରା ଘଟଣାଟିକୁ କହିବା ପରିବର୍ତ୍ତେ, ମୂଳ ଆବେଗକୁ ଚିହ୍ନିବାକୁ ଚେଷ୍ଟା କରନ୍ତୁ। "ମୁଁ ଅଭିଭୂତ ଅନୁଭବ କରୁଛି।" "ମୋତେ ଭୟ ଲାଗୁଛି, କିନ୍ତୁ କାହିଁକି ତାହା ଜାଣିନାହିଁ।" ଆଦି ବାକ୍ଯ ଅନ୍ୟମାନଙ୍କୁ ଘଟଣାରେ ବୁଡ଼ି ନ ଯାଇ ଆପଣଙ୍କୁ ବୁଝିବାରେ ସାହାଯ୍ୟ କରେ।

୫- ଆଦାନପ୍ରଦାନରେ ସନ୍ତୁଳନ ରଖନ୍ତୁ

ଶୁଣିବା ପାଇଁ ମଧ୍ୟ ସମୟ ଦିଅନ୍ତୁ। ଏକ ସୁସ୍ଥ ଭାବଗତ ଆଦାନପ୍ରଦାନ ମଧ୍ୟରେ ପାରସ୍ପରିକ ସମ୍ମାନ, ସେୟାର କରିବା, ଗ୍ରହଣ କରିବା ଏବଂ ଯୋଗାଯୋଗ କରିବା ରହିଥାଏ।

ଯଦି ଆପଣ ଗ୍ରହଣ କରିବା ପକ୍ଷରେ ଅଛନ୍ତି, ତାହେଲେ ମଧ୍ଯ ନିଜକୁ ସୁରକ୍ଷିତ ରଖିପାରିବେ। କହିପାରିବେ; "ମୁଁ ତୁମ ବିଷୟରେ ଚିନ୍ତା କରେ, କିନ୍ତୁ ମୁଁ ଏବେ ଠିକ୍ ସ୍ଥିତିରେ ନାହିଁ।" ବା "ଏହା ମୋତେ ଭାରୀ ଲାଗୁଛି - ତୁମେ କେହି ଜଣେ ପ୍ରଫେସନାଲଙ୍କ ସହ କଥା ହେବା ବିଷୟରେ ଚିନ୍ତା କରିଛ କି?" ଏହା ପ୍ରତ୍ୟାଖ୍ୟାନ ନୁହେଁ, ଏହା ଉଭୟଙ୍କ ପ୍ରତି କରୁଣା।

ଆପଣ ନିଜ ବେଦନା ସେୟାର୍ କରିପାରିବେ କିନ୍ତୁ ଧୀରେ ସୁସ୍ଥେ। ଆପଣଙ୍କ କାହାଣୀ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କ ଯନ୍ତ୍ରଣା ପ୍ରକୃତ। କିନ୍ତୁ ଆବେଗର ଆଦାନ ପ୍ରଦାନ ଓ ସୁସ୍ଥତା ସୁରକ୍ଷିତ ଏବଂ ସମ୍ମାନଜନକ ସ୍ଥାନରେ ହୋଇପାରେ, ଇମୋସନାଲ ସଂଘର୍ଷ ଭିତରେ ନୁହେଁ। ଯେତେବେଳେ ଆପଣ ନିଜ ଆବେଗ ସେୟାର କରିବା ପୂର୍ବରୁ ଟକେ ଅପେକ୍ଷା କରି କିଛି କରନ୍ତି, ସେତେବେଳେ ଆପଣ ନିଜ ବେଦନାକୁ ମଧ୍ୟ ଯୋଗ୍ୟ ମର୍ଯ୍ୟାଦା ଦିଅନ୍ତି ଯାହାର ସେ ହକଦାର। ଏବଂ ଅନ୍ୟମାନଙ୍କୁ ଆପଣଙ୍କ ଦୁଃଖର ବୋଝ ତଳେ ଦବିବାକୁ ନ ଦେଇ ଆପଣଙ୍କ ସହ ଚାଲିବାକୁ ବିକଳ୍ପ ବାଟଟିଏ ଦିଅନ୍ତି।

ଅଧିକ ପଢ଼ନ୍ତୁ: ଯୁଦ୍ଧ ପରିସ୍ଥିତି କେବଳ ସୀମା ନୁହେଁ, ମନକୁ ବି ପ୍ରଭାବିତ କରେ କିପରି ?

Trauma Traumatic Experiences Traumatic Stress
Advertisment
Advertisment