/odishatv-khabar/media/post_attachments/uploadimage/library/16_9/16_9_0/Tata_Power_1737212205.jpg)
Tata Power
ସ୍ମାର୍ଟ ମିଟର ଆଳରେ ଚାଲିଛି କି ବିଦ୍ୟୁତ ଉପଭୋକ୍ତାଙ୍କ ଶୋଷଣ? ପ୍ରଥମେ ସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟ କରୁଛନ୍ତି ଟାଟା ପାୱାର କର୍ମଚାରୀ। ଆଉ ସ୍ମାର୍ଟ ମିଟର ଲାଗିଗଲେ, ଦେଢ଼ଗୁଣା ଯାଏଁ ବଢ଼ିଯାଉଛି ବିଜୁଳି ବିଲ! ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସୁଛି ଏମିତି ପୁଳା ପୁଳା ଅଭିଯୋଗ।
ସେମିତିକା ଅଭିଯୋଗ କଟକ ଜିଲ୍ଲା ତୁଳସୀପୁର ଅଞ୍ଚଳରୁ ଆସିଛି। ସେହି ଅଞ୍ଚଳର ବରିଷ୍ଠ ନାଗରିକ ଜୟକୃଷ୍ଣ ଆଚାର୍ଯ୍ୟଙ୍କ ଘରକୁ ଦୁଇ ମାସ ତଳେ ହଠାତ ୪ରୁ ୫ ଜଣ TPCODL କର୍ମଚାରୀ ଆସିଥିଲେ। ଆଉ କହିଲେ, ପୁରୁଣା ମିଟର ବଦଳାଇ ସ୍ମାର୍ଟ ମିଟର ଲଗାଯିବ। ଯଦି ନ ବଦଳାଉଛ, କରେଣ୍ଟ କାଟି ଦିଆଯିବ। ବାଧ୍ୟହୋଇ ସ୍ମାର୍ଟ ମିଟର ଲଗାଇଲେ ଜୟକୃଷ୍ଣ। ହେଲେ ତା’ ପରଠୁ ବିଜୁଳି ବିଲ ବଢ଼ି ଚାଲିଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ବାରମ୍ବାର ଟାଟା ପାୱାର ଅଫିସକୁ ଦୌଡ଼ି ନିରାଶ ହୋଇଛନ୍ତି ଜୟକୃଷ୍ଣ।
ଜୟକୃଷ୍ଣଙ୍କ ପରି କଟକର ଶୁଭାଶିଷ ହୁଅନ୍ତୁ ବା ବରଗଡ଼ର ଭଜନ ଗହିର ଅଥବା ବ୍ରହ୍ମପୁରର ଟୁଟୁ ଗୌଡ଼। ସ୍ମାର୍ଟ ମିଟରକୁ ନେଇ ସମସ୍ତଙ୍କର ସେଇ ଗୋଟିଏ ଅଭିଯୋଗ। ସ୍ମାର୍ଟ ମିଟର ଲାଗିବା ପରେ ଢେର ବଢ଼ିଯାଇଛି ବିଜୁଳି ବିଲ୍। ଏମିତିକି ପ୍ରତିମାସରେ ମିଟର ଚାର୍ଜ ବାବଦରେ ମଧ୍ୟ ଟାଟା ପାୱାର ୬୦ ଟଙ୍କା ଲେଖାଏଁ ଅଧିକ ନେଉଥିବା ଅଭିଯୋଗ କରିଛନ୍ତି। ଏପଟେ ଶକ୍ତି ବିଶେଷଜ୍ଞଙ୍କ ଅଭିଯୋଗ, ମିଟର ଚାର୍ଜ ବେଆଇନ। ଏହା ଡବଲ ଟାକ୍ସ ଭଳି। କାରଣ ୮ଟି ରାଜ୍ୟରୁ ମିଟର ଚାର୍ଜ ବ୍ୟବସ୍ଥା ହଟିଗଲାଣି।
ଅଧିକ ପଢ଼ନ୍ତୁ: ଯୁକ୍ତିତର୍କରୁ ମାରପିଟ୍, ପରେ ଯୁବତୀଙ୍କୁ ଅପହରଣ…
ସ୍ମାର୍ଟ ମିଟର ବାବଦରେ ଉପଭୋକ୍ତାଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିବାକୁ TPCODL କିମ୍ବା ଅନ୍ୟ ବିତରଣ କମ୍ପାନୀର କର୍ତ୍ତୃପକ୍ଷ ମନା କରିଦେଇଥିବା ବେଳେ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି, ଟେକ୍ନୋଲଜି ସହ ଯୋଡ଼ି ହେବାକୁ ହେଲେ ଆମକୁ ସ୍ମାର୍ଟ ମିଟର ଲଗାଇବାକୁ ପଡ଼ିବ। ଏହା ଭାରତ ସରକାରଙ୍କ ଗାଇଡଲାଇନରେ ଅଛି। ଯଦି କାହାର ସ୍ମାର୍ଟ ମିଟରକୁ ନେଇ ଅଭିଯୋଗ ଅଛି, ସେମାନେ ଲିଖିତ ଭାବେ ଜଣାନ୍ତୁ। ସେମାନଙ୍କ ଘରେ ଅନ୍ୟ ଏକ ସାଧାରଣ ମିଟର ଲଗାଇ ଟେଷ୍ଟ କରି ଦେଖାଇ ଦିଆଯିବ। ଅନ୍ୟପକ୍ଷରେ ଶକ୍ତିମନ୍ତ୍ରୀ ବିଦ୍ୟୁତ୍ ବିଲ୍ ବୃଦ୍ଧି ପାଇଁ ଉପଭୋକ୍ତାଙ୍କୁ ଦାୟୀ କରିବା ସହ ଦରକାର ନଥିଲେ ସୁଇଚ୍ ବନ୍ଦ ରଖିବା ଅଭ୍ୟାସ ପାଇଁ ପରାମର୍ଶ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)