୨୦୨୩ ଜାନୁଆରୀ ୨୯ ତାରିଖରେ ଦିନ ଦ୍ୱିପ୍ରହରରେ ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଗଲା । ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗରରେ ତତ୍କାଳୀନ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ ପୋଲିସ ଅଧିକାରୀ ନିଜ ସର୍ଭିସ ରିଭଲଭରରୁ ଗୁଳି କରି ହତ୍ୟା କଲେ । ପଲ୍ଲୀଠାରୁ ଦିଲ୍ଲୀ ଯାଏ ଏହି ଘଟଣାକୁ ନେଇ ଅନେକ ତୁମ୍ୱିତୋଫାନ ହେଲା । ରାଜ୍ୟ ସରକାର ତଦନ୍ତ ଦାୟିତ୍ୱ ସ୍ଥାନୀୟ ପୋଲିସ ହାତରୁ ନେଇ କ୍ରାଇମବ୍ରାଞ୍ଚକୁ ଦେଲେ । କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେବା ପରେ ସେତେବେଳର କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରା ଘଟଣାସ୍ଥଳକୁ ଯାଇ ନିଜେ ତଦନ୍ତର ତଦାରଖ କଲେ । ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ଝାରସୁଗୁଡା ଏୟାରପୋର୍ଟ ଥାନାରେ ପହଞ୍ଚିଥିଲେ ନିଜେ ଅରୁଣ ବୋଥ୍ରା ।
ମୋଟର ପମ୍ପ ଲଗାଯାଇ ପାଇଖାନା ଟାଙ୍କି ସଫା କରାଯାଇଥିଲା । ଥାନାର ଏହି ପାଇଖାନା ଟାଙ୍କିରୁ ବାହାର କରାଯାଇଥିଲା କିଛି ଟୁକୁଡା କାଗଜ । କୁହାଯାଇଥିଲା ଯେ, ନବ ଦାସଙ୍କୁ ହତ୍ୟା କରିବା ପାଇଁ ଅଭିଯୁକ୍ତ ଗୋପାଳ ଦାସ ଏହି କାଗଜରେ ଲେଖିଥିଲା । ପରେ ତାକୁ ଚିରି ପାଇଖାନାରେ ଫ୍ଲସ୍ କରିଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା । ଏହି ଘଟଣାର ତଦନ୍ତକୁ ନେଇ ରାଜନୈତିକ ବୟାନବାଜି ଚାଲିବା ପରେ ରାଜ୍ୟ ସରକାର ତଦନ୍ତର ମନିଟରିଂ ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ ପି ଦାସଙ୍କୁ ନିଯୁକ୍ତି ଦେଇଥିଲେ । ତଦନ୍ତ ନେଇ ADG ଅରୁଣ ବୋଥ୍ରା ଜଷ୍ଟିସ୍ ଜେ ପି ଦାସଙ୍କୁ ଅନେକ ଥର ଭେଟିଛନ୍ତି । କେଉଁ ଦିଗରୁ ଓ କେମିତି ତଦନ୍ତ କରାଯିବ ବୋଲି ତାଙ୍କର ପରାମର୍ଶ ନେଇଛନ୍ତି । ଏପରିକି ଜଷ୍ଟିସ ଦାସ ମଧ୍ୟ ଝାରସୁଗୁଡା ଯାଇ ଘଟଣାସ୍ଥଳ ଓ ଅନ୍ୟାନ୍ୟ ସ୍ଥାନ ଦେଖିଥିଲେ । ଲୋକଙ୍କ ମନରେ ଧାରଣା ଦିଆଯାଇଥିଲା ଯେ, ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ମନିଟରିଂ କରୁଛନ୍ତି ଓ ଅରୁଣ ବୋଥ୍ରାଙ୍କ ଭଳି ଜଣେ ଦକ୍ଷ ଅଫିସର ତଦାରଖ କରୁଛନ୍ତି । ଅରୁଣ ବି ତତ୍କାଳୀନ ପୋଲିସ୍ DG ସୁନୀଲ୍ ବଂଶଲଙ୍କୁ ଭେଟି ତଦନ୍ତ ସଂପର୍କରେ ଅବଗତ କରାଇଛନ୍ତି । ରାଜ୍ୟବାସୀଙ୍କୁ ବାର୍ତ୍ତା ଦିଆଯାଇଛି ଯେ, ତଦନ୍ତ ଠିକଠାକ୍ ଚାଲିଛି ।
ବିରୋଧୀ ଦଳ ସେତେବେଳେ ଏହି ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲା । କିନ୍ତୁ ସିବିଆଇ ତଦନ୍ତକୁ ଏଡାଇ ଯାଇଥିଲେ ରାଜ୍ୟ ସରକାର । ଏପରିକି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଘୋଷଣା କରିଥିଲେ ଯେ, ଏହି ମାମଲାର ତଦନ୍ତ ଆମେରିକାର ତଦନ୍ତକାରୀ ସଂସ୍ଥା FBI ( ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ) ଦ୍ୱାରା କରାଯିବ । ଏ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ସରକାର ଚିଠି ଲେଖିବେ । ନବୀନଙ୍କର ଏହି ଘୋଷଣା କେବଳ ଘୋଷଣାରେ ହିଁ ରହିଯାଇଥିଲା ବୋଲି ଅନେକ ଅନୁଭବ କରୁଛନ୍ତି । କାରଣ ଏହି ଘୋଷଣା ପରେ FBIର ନାଁ ଗନ୍ଧ ବି ଉଠିଲାନି । ତଦନ୍ତ କଲା କ୍ରାଇମବ୍ରାଞ୍ଚ ।
ଅଧିକ ପଢ଼ନ୍ତୁ :ନବ ଦାସ ହତ୍ୟାକାଣ୍ଡରେ ନୂଆ ମୋଡ, ଗୋଟିଏ ନୁହେଁ ଏକାଧିକ ବନ୍ଧୁକରୁ ହୋଇଥିଲା ଗୁଳିମାଡ଼
ତଦନ୍ତ କରି କ୍ରାଇମବ୍ରାଞ୍ଚ କୋର୍ଟରେ 543 ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କଲା । କ୍ରାଇମବ୍ରାଞ୍ଚ ଏହି ଚାର୍ଜସିଟରେ ଦର୍ଶାଇଛି ଯେ, ଗୋପାଳ ହିଁ ଏକମାତ୍ର ହତ୍ୟାକାରୀ । ତା ଛଡା ଅନ୍ୟ କେହି ଏହି ଘଟଣାରେ ସଂପୃକ୍ତ ନାହାନ୍ତି । ପୁରୁଣା ରାଗ ଶୁଝାଇବାକୁ ଯାଇ ପୋଲିସ୍ ASI ଗୋପାଳ ଦାସ ନିଜ ସର୍ଭିସ ରିଭଲଭରରୁ ଗୁଳି କରି ନବ ଦାସଙ୍କୁ ହତ୍ୟା କରିଛି । ତେବେ କ୍ରାଇମବ୍ରାଞ୍ଚର ଏହି ଚାର୍ଜସିଟରେ ମୃତ ନବ ଦାସ ପ୍ରଥମ ସାକ୍ଷୀ ବୋଲି ଉଲ୍ଲେଖ କରାଯାଇଥିଲା । ଏହାକୁ ନେଇ ଗଣମାଧ୍ୟମର ଶରବ୍ୟ ହୋଇଥିଲା କ୍ରାଇମବ୍ରାଞ୍ଚ । ଏଭଳି ଭୁଲକୁ ଅନେକ ଖାମଖିଆଲି ବୋଲି କହି ସମାଲୋଚନା କରିଥିଲେ ।
କିନ୍ତୁ ଏବେ ଯେଉଁ ଘଟଣା ସାମନା ଆସିଛି, ତାହା ଚକିତ କଲା ଭଳି । ଘଟଣାସ୍ଥଳକୁ ଯାଇଥିବା ରାଜ୍ୟ ଫରେନସିକ ସାଇନ୍ସ ଲାବୋରେଟୋରୀ ଅଧିକାରୀମାନେ ଦାଖଲ କରିଥିବା ରିପୋର୍ଟରେ କହିଛନ୍ତି, ଏକାଧିକ ବନ୍ଧୁକରୁ ଗୁଳିମାଡ଼ ହୋଇଛି ।
ଫରେନସିକ୍ ରିପୋର୍ଟ ଅନୁୟାୟୀ, ନବ ଦାସଙ୍କ ଗାଡ଼ି ଉପରେ ୩ଟି ଓ ପଛରେ ଆସୁଥିବା ସରକାରୀ ଗାଡ଼ି ଉପରକୁ ମଧ୍ୟ ୫ଟି ଗୁଳି ମାଡ଼ ହୋଇଥିଲା । ପ୍ରଥମ ଗାଡ଼ି(ଓଡି ୧୫ ୟୁ ୬୧୯୭)ରେ ଖୋଦ୍ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବସିଥିବା ବେଳେ ଦ୍ବିତୀୟ ଗାଡ଼ି(ଓଡି ୧୫ ଟି ୦୧୮୩)ରେ ତାଙ୍କର ସହଯୋଗୀମାନେ ବସିଥିଲେ ।
କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଫାଇନାଲ୍ ଫର୍ମରେ ଗୋପାଳ ଦାସ ନିକଟରୁ ୧୮ଟି ଗୁଳିଥିବା ଏକ ମାଗାଜିନ୍, ୩ଟି ଜୀବନ୍ତ ଗୁଳି ଜବତ କରାଯାଇଥିବା ନେଇ ଦର୍ଶାଯାଇଥିବା ବେଳେ ଘଟଣାସ୍ଥଳରୁ ଏକ ଖୋକା ଓ ଏକ ଅବ୍ୟବହୃତ ଅକାମୀ ଗୁଳି ଜବତ କରାଯାଇଥିଲା ବୋଲି ଲେଖାଯାଇଛି । ଏହା ସହିତ ଗୋଟିଏ ଗୁଳି ସେ ଆକାଶରେ ଫୁଟାଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି । ଅର୍ଥାତ୍ ଗୋପାଳ ବନ୍ଧୁକରେ ଥିବା ୬ଟି ଗୁଳିରୁ ୩ଟି ଜୀବନ୍ତ ଅବସ୍ଥାରେ ଜବତ ହୋଇଥିବା ବେଳେ ବଳକା ୩ଟିରୁ ଗୋଟିଏ ନବ ଦାସଙ୍କ ଛାତିରେ, ଗୋଟିଏ ଅକାମୀ ଓ ଗୋଟିଏ ଆକାଶକୁ ମରାଯାଇଥିଲା ।
ତେବେ ତଦନ୍ତକାରୀ ସଂସ୍ଥା ନବ ଦାସ ପିନ୍ଧିଥିବା ସାର୍ଟ, ସିଟରେ ପଡିଥିବା ଟର୍କିସ୍ ସିଜ୍ କରିନାହିଁ । ଯେଉଁ ଗୁଳିରେ ନବ ଦାସଙ୍କ ମୃତ୍ୟୁ ଘଟିଛି, ସେହି ଗୁଳି ମଧ୍ୟ ସିଜ୍ ହୋଇନାହିଁ ।
ନବ ଦାସ ହତ୍ୟା ମାମଲାରେ ଶୁଣାଣି ଝାରସୁଗୁଡା କୋର୍ଟରେ ଚାଲିଥିଲା ବେଳେ ଏହା ଏବେ ଗଣମାଧ୍ୟମରେ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ଏହି ମାମଲାରେ ତଦନ୍ତ ପ୍ରକ୍ରିୟାକୁ ନେଇ ଉଠିଛି ପ୍ରଶ୍ନ ।
ସ୍ୱର୍ଗତ ନବ ଦାସଙ୍କ ପତ୍ନୀ ଏହି ଘଟଣା ପଛରେ ଷଡଯନ୍ତ୍ର ଥିବାର ଅଭିଯୋଗ କରିଥିଲେ । ଏହି ହାଇପ୍ରୋଫାଇଲ୍ ମାମଲାରେ କ୍ରାଇମବ୍ରାଞ୍ଚ ଷଡଯନ୍ତ୍ର ଦିଗ ପ୍ରତି ଗୁରୁତ୍ୱ ଦେଇନଥିବା ଅନେକ ଅଭିଯୋଗ କରୁଛନ୍ତି ।