• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କାଲିଠୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ । ଏଥିପାଇଁ ପହଁଚି ସାରିଲେଣି ବିଭିନ୍ନ ରାଜ୍ୟର ପୋଲିସ ମୁଖିଆ । ସମ୍ମିଳନୀକୁ ଉଦଘାଟନ କରିବେ ଗୃହମନ୍ତ୍ରୀ ଅମିତ ଶାହ । ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଏହି କଫରେନ୍ସରେ ଯୋଗ ଦେବେ । ପ୍ରଥମ ଥର ଲାଗି ଓଡ଼ିଶାରେ ହେଉଥିବା ଏହି ସମ୍ମିଳନୀ ପାଇଁ ସୁରକ୍ଷା ବ୍ଲାଙ୍କେଟରେ ରାଜଧାନୀ । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସହ ସୀମା ସୁରକ୍ଷା, ସାଇବର ଅପରାଧ ଓ ନିଶା କାରବାର ଭଳି ପ୍ରମୁଖ ପ୍ରସଙ୍ଗରେ ତିନି ଦିନ ଧରି ହେବ ଆଲୋଚନା ।

ବିମାନ ବନ୍ଦରରୁ ଲୋକସେବା ଭବନ, ରାଜଭବନରୁ ରାଜ୍ୟ ଅତିଥି ଭବନ । ସୁରକ୍ଷା ବଳୟରେ ସାରା ରାଜଧାନୀ । ଭୁବନେଶ୍ୱରରେ ସର୍ବଭାରତୀୟ ଡିଜିପି ସମ୍ମିଳନୀ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଓଡ଼ିଶାରେ ପ୍ରଥମଥର ହେଉଥିବା ଏହି ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । କାଲି ଅପରାହ୍ଣ ୪ଟା ୨୦ରେ ଭୁବନେଶ୍ୱରରେ ପହଁଚିବେ ପ୍ରଧାନମନ୍ତ୍ରୀ ।

ତାପୂର୍ବରୁ ୩ଦିନିଆ ସମ୍ମିଳନୀକୁ ଉଦଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଶାହ । କନଫରେନ୍ସ ପାଇଁ ରାଜଧାନୀରେ ପହଁଚିଲେଣି ସବୁ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ଓ ପ୍ରତିନିଧି । ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା ମଧ୍ୟ ପହଁଚି ସାରିଲେଣି । ଅତିଥିଙ୍କୁ ସ୍ୱାଗତ ଓ ସହାୟତା ପାଇଁ ବିମାନ ବନ୍ଦରରେ କମିଶନରେଟ୍ ପୋଲିସ ପକ୍ଷରୁ କ୍ୟାମ୍ପ ସାଙ୍ଗକୁ ୨ଟି ହେଲ୍ପ ଡେସ୍କ ଖୋଲାଯାଇଛି । ରାଜ୍ୟ ଅତିଥି ଭବନରେ ରହିବେ ସବୁ ରାଜ୍ୟର ପୋଲିସ ଡିଜି ।

ଅଧିକ ପଢ଼ନ୍ତୁ: ଟିକସ ଫାଙ୍କିଥିବା ଅଭିଯୋଗରେ ଶିଳ୍ପପତି ଜୁଲିଆ ପଟ୍ଟନାୟକଙ୍କ ଅଫିସ୍‌ରେ ରେଡ୍

ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ମୁତୟନ ହୋଇଛନ୍ତି ୭୦ପ୍ଲାଟୁନରୁ ଅଧିକ ଫୋର୍ସ । ଏଥିସହ ସୁରକ୍ଷା ବ୍ୟବସ୍ଥାରେ ରହିବେ IB, SPG ଓ NSG । ରାସ୍ତାଘାଟ ସବୁଠି ପୋଲିସର ପହରା । ସବୁଠି ଚାଲିଛି ଯାଂଚ୍ । ହାଇସିକ୍ୟୁରିଟି ଜୋନରେ ଏବେ ପୁରା ରାଜଧାନୀ । ସହରର ସମସ୍ତ ଏଣ୍ଟ୍ରି ପଏଣ୍ଟରେ ନାକା କରି କଡ଼ା ଯାଂଚ କରୁଛନ୍ତି ପୋଲିସ ଓ ବିଏସଏଫ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନରେ ‘ନୋ ଫ୍ଲାଇଙ୍ଗ ଜୋନ୍’ ଘୋଷଣା କରାଯାଇଛି । ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ପାଇଁ ବି ବ୍ୟାପକ ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ ।

ଡିଜିପି ସମ୍ମିଳନୀରେ ଆଲୋଚନାର ଫୋକସରେ ରହିଛି ସବୁ ରାଜ୍ୟର ଆଭ୍ୟନ୍ତରୀଣ ସୁରକ୍ଷା । ଏହା ଉପରେ ରାଜ୍ୟ ପୋଲିସ ମୁଖିଆଙ୍କଠାରୁ ଅପଡେଟ୍ ନେବେ ପ୍ରଧାନମନ୍ତ୍ରୀ । ଏଥିସହ ସୀମା ସୁରକ୍ଷା, ସାଇବର ଅପରାଧ, ନକ୍ସଲ ସମସ୍ୟା, ଆତଙ୍କବାଦ ନିରୋଧୀ ଚ୍ୟାଲେଞ୍ଜ ଏବଂ ନିଶା କାରବାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ହେବ ଆଲୋଚନା । ପରସ୍ପର ସହ ସମନ୍ୱୟ ରଖି କିଭଳି ଅପରାଧକୁ ନିୟନ୍ତ୍ରଣ କରିହେବ ସେଦିଗରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେବେ ଜାତୀୟ ସୁରକ୍ଷା ପରାମର୍ଶଦାତା ।

ପ୍ରଧାନମନ୍ତ୍ରୀ ମୋଦି ୨୯ ତାରିଖ ସକାଳ ସାଢେ ୮ଟାରୁ ସଂଧ୍ୟା ୮ଟା ଏବଂ ୩୦ ତାରିଖ ସକାଳ ସାଢେ ୮ଟାରୁ ଅପରାହ୍ଣ ସାଢେ ୪ଟା ଯଏଁ ସମ୍ମିଳନୀରେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ତେଣୁ ବେଶ୍ ଗୁରୁତ୍ୱ ରଖୁଛି ପୋଲିସ ମହାନିର୍ଦ୍ଦେଶକଙ୍କ ଏହି ସମ୍ମିଳନୀ । ଚଳିତ ବର୍ଷ ଜାନୁଆରୀ ୫ରୁ ୭ତାରିଖ ଯାଏଁ ରାଜସ୍ଥାନର ଜୟପୁରରେ ୫୮ତମ ପୋଲିସ ଡିଜି ଓ ଆଇଜିଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏବେ ଭୁବନେଶ୍ୱରରେ ହେବାକୁ ଥିବା ଏହି ସମ୍ମିଳନୀ ଉପରେ ରହିଛି ସାରା ଦେଶର ନଜର ।

ଅଧିକ ପଢ଼ନ୍ତୁ: ଶପଥ ନେଲେ ସୋରେନ୍, ଝାଡ଼ଖଣ୍ଡରେ ଆରମ୍ଭ ହେଲା ହେମନ୍ତ ସରକାର

OTV is now on Whatsapp

Join and get latest news update delivered to you via whatsapp

Join Now