• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କିଟ୍‌ ବିଶ୍ୱ ବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା । କେବଳ ଓଡ଼ିଶା ନୁହେଁ ଏହି ଘଟଣା ନେପାଳ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ପହଞ୍ଚିଛି । ସବୁଠୁ ବଡ଼ କଥା ହେଉଛି କିଟ୍‌ କର୍ତ୍ତୁପକ୍ଷ ନେପାଳୀ ଛାତ୍ରଛାତ୍ରୀଙ୍କ ସହ ଯେଉଁଭଳି ବ୍ୟବହାର ପ୍ରଦର୍ଶନ କରିଥିଲେ ତାହାକୁ ସବୁ ମହଲରେ ନିନ୍ଦା କରାଯାଉଛି । ଏମିତି କି ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, କିଟ୍‌ ବିଶ୍ୱ ବିଦ୍ୟାଳୟ ପାଇଁ ଓଡ଼ିଶା ବଦନାମ୍ ହେଉଛି ।

ତେବେ ଏହା ପ୍ରଥମ ଥର ପାଇଁ ନୁହେଁ ଯେ କିଟ୍‌ ବିଶ୍ୱ ବିଦ୍ୟାଳୟରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । ଏହା ପୂର୍ବରୁ ଅନେକ ଥର କିଟ୍‌ ବିଶ୍ୱ ବିଦ୍ୟାଳୟ ପରିସରରେ ଆତ୍ମହତ୍ୟା ହୋଇଛି । ଯଦିଓ ସେ ଘଟଣା ସବୁକୁ ଚପାଇ ଦିଆଯାଇଛି କିନ୍ତୁ ରବିବାର ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ଚପାଇ ପାରିନଥିଲେ କିଟ୍‌ କର୍ତ୍ତୁପକ୍ଷ ।

ଅଧିକ ପଢ଼ନ୍ତୁ: ଥମୁନି କିଟ୍ ଅଶାନ୍ତି; ପ୍ରଚଣ୍ଡ ଖରାରେ ବସିଛନ୍ତି ଛାତ୍ରଛାତ୍ରୀ, ନେପାଳୀ ଛାତ୍ରଙ୍କଠୁ ନେଉଛନ୍ତି ଅଣ୍ଡରଟେକିଂ 

ତେବେ ଏହା ପୂର୍ବରୁ ଗତବର୍ଷ ଅର୍ଥାତ ୨୦୨୪ରେ କିଟ୍‌ ବିଶ୍ୱ ବିଦ୍ୟାଳୟରେ ଦୁଇ ଜଣ ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ସେହିପରି ୨୦୨୩ରେ ବି ଜଣେ ଛାତ୍ର ଏହି ବିଶ୍ୱ ବିଦ୍ୟାଳୟ ପରିସରରେ ଆତ୍ମହତ୍ୟା କରିଥିଲେ । ଏହା ପୂର୍ବରୁ ବି ଘଟିଛି କିଛି ଆତ୍ମହତ୍ୟା ଘଟଣା । ତେବେ ଏହି ସବୁ ଆତ୍ମହତ୍ୟା ଘଟଣା ନେଇ ଆମେ କହୁନୁ ବରଂ ପୋଲିସ୍‌ ସୂତ୍ରରୁ ଏହି ସୂଚନା ମିଳିଛି ।

ସେପଟେ କିଟ୍‌ରେ ପଢ଼ୁଥିବା ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ଆଜି ବିଧାନସଭାରେ ଶୂନ୍ୟକାଳରେ ଉଠିଛି କିଟ୍ ପ୍ରସଙ୍ଗ । ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ ଏହି ପ୍ରସଙ୍ଗ ଉଠାଇ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଥିବା ଅଭିଯୋଗ କରିଥିବାବେଳେ ଛାତ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ନେତା । ଏହି ଘଟଣାରେ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯିବା ପାଇଁ ମଧ୍ୟ ଦାବି ଉଠିଛି । ବିଜେପି ବିଧାୟକ ବାବୁ ସିଂହ ଅଚ୍ୟୁତଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ଦାବି କରିଛନ୍ତି ।

ବାବୁ ସିଂହ କହିଛନ୍ତି, ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି କିଟ୍‌ର ଏଭଳି ଆଚରଣ ପାଇଁ ଓଡ଼ିଶା ଭାରତ ବର୍ଷରେ ଲଜ୍ଜିତ । ବାହାର ଦେଶର ପିଲାଙ୍କୁ ଦୁର୍ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ । କିଟ୍‌ କର୍ତ୍ତୃପକ୍ଷଙ୍କ ପ୍ରରୋଚନାରେ ଏସବୁ କାର୍ଯ୍ୟ ହୋଇଥିବ । ଏଥିପାଇଁ ତୁରନ୍ତ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କରାଯାଉ । ସେହିପରି କିଟ୍ ବହୁ ଜମି ଜବରଦଖଲ କରିଛି । ଜଙ୍ଗଲ ଜମିରେ ବେଆଇନ୍ ନିର୍ମାଣ ହୋଇଛି । ଏପରିକି ମନ୍ଦିର ମଧ୍ୟ ନିର୍ମାଣ କରାଯାଇଛି । ଯେଉଁମାନେ କିଟର କନଷ୍ଟ୍ରକସନ୍ କାମ କରୁଛନ୍ତି ସେମାନେ କେଉଁ ଦଳର ତା’ର ତଦନ୍ତ ହେବା ଦରକାର । ଶାଗ ମାଛ ଦରରେ କିଟ୍ ଜମି କିଣିଛି । ଗୁଣ୍ଡା ଲଗାଇ ଜମି ମାଲିକଙ୍କ ଠାରୁ ଜମି ହାତେଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ।

ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, କିଟ୍ ପ୍ରସଙ୍ଗରେ ସାରା ବିଶ୍ୱରେ ଓଡ଼ିଶା ନିନ୍ଦିତ ହେଲା । ନେପାଳ ସହ ଆମ ସମ୍ପର୍କ ଅତି ଘନିଷ୍ଠ । ଯେଉଁଭଳି ନେପାଳୀ ଛାତ୍ରଛାତ୍ରୀଙ୍କୁ କିଟ୍ କର୍ତ୍ତୃପକ୍ଷ ବାଡ଼େଇଲେ ତାହା ନିନ୍ଦନୀୟ । ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ହେବା ଦରକାର । ନହେଲେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ତାରା ।

ଏପଟେ ବିରୋଧୀଙ୍କୁ କଟାକ୍ଷ କରିଛି ବିଜେପି । କିଟ୍ ମାଲିକ କେଉଁ ଦଳର ସାଂସଦ ଥିଲେ, ତାଙ୍କୁ କିଏ କୋଳରେ ବସାଇଥିଲା । ପରୀ, ମମିତା, ମାହାଙ୍ଗା ଭଳି ଘଟଣା ଘଟିଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ । ଆଜି ସେମାନେ ଆଇନ୍ ଶୃଙ୍ଖଳା ପାଠ ପଢାଇବା ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ।

ଅଧିକ ପଢ଼ନ୍ତୁ: କିଟ୍‌ ଭିତରେ ଚାଲିଛି କ’ଣ, ସରକାର ନେବେ କି କାର୍ଯ୍ୟାନୁଷ୍ଠାନ ?

OTV is now on Whatsapp

Join and get latest news update delivered to you via whatsapp

Join Now