ପାଦେ ପାଦେ ଦୁର୍ଘଟଣାର ଭୟ । ଟିକିଏ ଅନ୍ୟମନସ୍କ ହେଲେ ଲିଭିଯିବ ଜୀବନ ଦୀପ । ରାସ୍ତା ଏମିତି ପାଦରେ ଚାଲିକି ଗଲେ ବି ଲାଗୁଛି ଭୟ । ତେଣୁ ସାବଧାନ ! ଜୀବନ ରେଖା ପାଲଟିଥିବା ରାସ୍ତା କେତେବେଳେ ବି ଜୀବନ ନେଇପାରେ । ଆଉ କେଉଁ ସମୟରେ ବି ଗୋଟିଏ ପରିବାର ନିଃସହାୟ ହୋଇଯାଇପାରେ । ଆଉ ସବୁଠାରୁ ବଡ଼ କଥା ହେଉଛି ଏହା କୌଣସି ଗାଉଁଲି ରାସ୍ତା ନୁହେଁ, ବରଂ ଜାତୀୟ ରାଜପଥ ।
ଅନୁଗୁଳ ଜିଲ୍ଲାର ପିତିରି ଠାରୁ ପାଳଲହଡା ପର୍ଯ୍ୟନ୍ତ ଯାଇଛି ୧୪୯ ନଂ ଜାତୀୟ ରାଜପଥ । ରାସ୍ତା ଉପରେ ଅନବରତ ବୋହୁଛି ନର୍ଦ୍ଦମା ପାଣି । କେଉଁଠି ଖାଲଖମାରେ ଭର୍ତ୍ତି ତ, ପୁଣି କେଉଁଠି ବଡ଼ ବଡ଼ ଗର୍ତ୍ତ । କେତେବେଳେ ବି ଏଠି ବଡ଼ ଦର୍ଘଟଣା ଘଟିବାର ସମ୍ଭାବନା ରହିଛି । ଏହି ରାସ୍ତା ଦେଇ ପଡ଼ୋଶୀ ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ଅନୁଗୁଳକୁ ହଜାର ହଜାର ଗାଡ଼ି ଚଳାଚଳ କରେ ।
ଅଧିକ ପଢନ୍ତୁ:ମଥାରୁ ହଟୁନି ଦାଦନ କଳଙ୍କ, ଚାରି ଦିନରେ ଶବ ହୋଇ ଫେରିଲେଣି ଦୁଇ ଭେଣ୍ଡିଆ
ଲୁହାପଥର ଓ କୋଇଲା ପରିବହନ ମଧ୍ୟ ହୁଏ । ଆଉ ଏହି ବାଟ ଦେଇ ଯାଉଥିବା ଗାଡ଼ି ଗୁଡ଼ିକ ଠାରୁ ଟୋଲ୍ ଟାକ୍ସ ମଧ୍ୟ ଆଦାୟ ହୁଏ । ହେଲେ ଏବେ ଏହି ରାସ୍ତାର ଅବସ୍ଥା ଶୋଚନୀୟ । ରାସ୍ତା ଖରାପ ଯୋଗୁ ଲୋକଙ୍କୁ ନାନା ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି । ଆମ୍ବୁଲାନ୍ସ ମଧ୍ୟ ଠିକ୍ ସମୟରେ ମେଡିକାଲରେ ପହଞ୍ଚି ପାରୁନାହିଁ ।
ଏମିତି ଶୋଚନୀୟ ହୋଇପଡ଼ିଥିବା ରାସ୍ତା ପାଇଁ ଟୋଲ ଟାକ୍ସ ଆଦାୟକୁ ଲୋକେ ନାପସନ୍ଦ କରିଛନ୍ତି । ଏଠାର ବିଧାୟକ ଅଶୋକ ମହାନ୍ତି ଏନେଇ ବିଧାନସଭାରେ ଉପସ୍ଥାପନା କରି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ରାସ୍ତା ମରାମତି ପାଇଁ ୮ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ଓ କାମ ଚାଲୁଥିଲେ ମଧ୍ୟ କେବେ ଏହା ଶେଷ ହେବ, ଜଣାପଡ଼ୁନାହିଁ।
ଏହି ଜାତୀୟ ରାଜପଥର କ’ଣ ହେବ ଆଗାମୀ ଅବସ୍ଥା ତାହା ପ୍ରଶ୍ନବାଚୀ ହୋଇ ଛିଡ଼ା ହୋଇଛି । ପ୍ରଶ୍ନ ଉଠୁଛି ୧୪୯ ଜାତୀୟ ରାଜପଥର ଅବସ୍ଥାରେ କେବେ ସୁଧାର ଆସିବ । କେବେ ରାସ୍ତାର ନବୀକରଣ ହେବ ଓ ଲୋକଙ୍କ ସମସ୍ୟାର ସମାଧାନ ହେବ ତାହା ଦେଖିବାକୁ ବାକି ରହିଲା ।