Advertisment

Migrant Labourers: ମଥାରୁ ହଟୁନି ଦାଦନ କଳଙ୍କ, ଚାରି ଦିନରେ ଶବ ହୋଇ ଫେରିଲେଣି ଦୁଇ ଭେଣ୍ଡିଆ

ଗଲା ଚାରିଦିନରେ ଜିଲ୍ଲାର ଦାଦନ ପ୍ରବଣ ଟିଟିଲାଗଡ଼ ଉପଖଣ୍ଡକୁ ଶବ ହୋଇ ଫେରିଥିବା ଦୁଇ ପରିବାରର ଦାରୁଣ ଦୁର୍ଦ୍ଦଶା ନଦେଖିଲେ ଆପଣ ବିଶ୍ୱାସ କରିବେ ନାହିଁ । ଓଟିଭିର ସ୍ପେଶାଲ୍ ରିପୋର୍ଟ ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
undefined

Migrant Labourers

ଶାସନ ଅଛି, ପ୍ରଶାସନ ଢିଲା । ବ୍ୟବସ୍ଥା ଅଛି ଅବସ୍ଥା ଖରାପ । ଫଳ ଏୟା, ତମାମ ସରକାରୀ ପଦକ୍ଷେପ ସତ୍ତ୍ୱେ ବଲାଙ୍ଗିର ମଥାରୁ ହଟୁନି ଦାଦନ କଳଙ୍କ । ବରଂ ସାମ୍ନାକୁ ଆସୁଛି ସାମୁହିକ ବିବେକକୁ ଦୋହଲାଇ ଦେବା ଭଳି ଗୋଟିକ ପରେ ଗୋଟିଏ ଅଲୋଡ଼ା କାହାଣୀ । ଗଲା ଚାରିଦିନରେ ଜିଲ୍ଲାର ଦାଦନ ପ୍ରବଣ ଟିଟିଲାଗଡ଼ ଉପଖଣ୍ଡକୁ ଶବ ହୋଇ ଫେରିଥିବା ଦୁଇ ପରିବାରର ଦାରୁଣ ଦୁର୍ଦ୍ଦଶା ନଦେଖିଲେ ଆପଣ ବିଶ୍ୱାସ କରିବେ ନାହିଁ । ଓଟିଭିର ସ୍ପେଶାଲ୍ ରିପୋର୍ଟ ।

Advertisment

ବଲାଙ୍ଗିର ଜିଲ୍ଲା ପରିଷଦ କାର୍ଯ୍ୟାଳୟ । ଜିଲ୍ଲାର ୧୪ଟି ବ୍ଳକର ବିଡିଓମାନଙ୍କୁ ନେଇ ଜିଲ୍ଲା ବିକାଶର ମାନଚିତ୍ର ଆଙ୍କୁଛି ଜିଲ୍ଲା ପ୍ରଶାସନ । ଶ୍ରମ ବିଭାଗ ବି ସାମିଲ ଅଛି । ଗତକାଲି ଟିଟିଲାଗଡ଼ ଉପଖଣ୍ଡ ସଇଁନ୍ତଳା ବ୍ଳକ ଗଣ୍ଡପତ୍ରାପାଲି ଗାଁ । ବିକାଶର ନକ୍ସା ତଳେ ବ୍ୟବସ୍ଥାର ଆହା ପଦ ବିନା ଆଉ ଜଣେ ଶ୍ରମିକ ଶବ ହୋଇ ଗାଁକୁ ଫେରିବା ବେଳର ଚିତ୍ର । ଦୁଃଖ ଏଠି ମରଣଠୁ ବି ବଳି । କାହିଁକିନା ଦାନା ପାଇଁ ସପରିବାର ତେଲେଙ୍ଗାନାର ସିକନ୍ଦରାବାଦକୁ ଦାଦନ ଖଟି ଯାଇଥିବା ୩୦ ବର୍ଷୀୟ ଭେଣ୍ଡିଆ କିଶୋର ମାଝୀଙ୍କ ଶବକୁ ଗାଁ ମାଟିକୁ ଆଣିବାକୁ ବି ଧାର କରଜର ଚକ୍ରବ୍ୟୂହରେ ପଡ଼ିଛନ୍ତି ପରିବାର ।

ଅଧିକ ପଢନ୍ତୁ:ମାଣବସାରେ ଲକ୍ଷ୍ମୀ ସ୍ୱରୂପା ବୋହୂକୁ ମାରିଲେ ! ଶାଶୁ ଘର ଆଗରେ ଜଳିଲା ଜୁଇ

Advertisment

ସିକନ୍ଦରାବାଦରୁ ସ୍ୱାମୀର ଶବ ଆଣିବାକୁ ଶବ ବାହକ ଗାଡ଼ି ୪୨ ହଜାର ଟଙ୍କା ନେବ ବୋଲି କହିବାରୁ ପାଖରେ ଅର୍ଥ ନଥିବାରୁ ଗାଁ ଲୋକଙ୍କୁ ଖବର ଦେଇ ସ୍ତ୍ରୀ ଦେବକୀ ସେଇଠି ଶବ ଧରି ବସି ରହିଲେ । ଗାଁ ଲୋକେ ଧାର କରଜ କରି ଅର୍ଥ ଯୋଗାଡ଼ କରିବାରୁ ଶେଷରେ କଣ୍ଡିସନରେ ଶବ ଆସିଲା । ଗାଡ଼ିରେ ଶବ ଥିଲା । ଆଉ ଗଣି ଗଣି ଟଙ୍କା ଦିଆଯିବା ପରେ, ଗାଡିରୁ ଶବ ଓହ୍ଲାଗଲା । ହେଲେ ବିଡ଼ମ୍ବନା- ଏତେ ପରେ ବି ସାହାଯ୍ୟ ସହଯୋଗ ତ ଦୂର କଥା ଆହା ପଦ ଟିକେ ଦେବା ପାଇଁ ନା ସ୍ଥାନୀୟ ଅଧିକାରୀ ନା ଜନ ପ୍ରତିନିଧି କେହି ପାଖ ମାଡ଼ି ନଥିଲେ ଏ ଅସହାୟ ପରିବାରର ।

ଟିଟିଲାଗଡ ବ୍ଲକ ସିଆଲଝୁଡୁଙ୍ଗି ଗାଁର ୨୫ ବର୍ଷିୟ ଭୀମ ବାଗ । କାମଧନ୍ଦା ଅଭାବରୁ ଅନ୍ୟ ଦୁଇ ଭାଇଙ୍କ ସହ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିଲେ ଭୀମ । ସେଇଠି ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ହେବା ପରେ ଦୁଇଦିନ ତଳେ ଗାଁକୁ ଶବ ଆସିଲା । ସତ୍କାର ହେଲା । କିନ୍ତୁ ଶୋକ ପାଳିବାକୁ ବି ଯେମିତି ତର ନାହିଁ । ଲୁହକୁ ପିଇ କୋହକୁ ଛାତିରେ ଚାପି ପୁଅ ମୃତ୍ୟୁର ତିନିଦିନ ପର ବିଲରେ ମୂଲ ଲାଗିଲାଣି ବୁଢ଼ା ବାପ । ଆଉ ଚାରା ବା କଣ ? ଯିଏ ତ ମଲା, ଗଲା ।

ଦିନଟିଏ ଏଠି ହାତ ବନ୍ଦ ହେଇଗଲେ ପେଟକୁ ଦାନା ଯିବ କେମିତି...ତେଣୁ ପୁଅ ଜୁଇର ନିଆଁ ନ ଲିଭୁଣୁ ଭୋକର ନିଆଁକୁ ପ୍ରଶମିତ କରିବାକୁ କାମକୁ ଓହ୍ଲାଇଛି ବାପ । ହେଲେ ବିଡ଼ମ୍ବନା,ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବି ଶ୍ରମ ଅଧିକାରୀଙ୍କ ପାଖରେ ଏନେଇ ପ୍ରତିକ୍ରିୟା ଦେବାକୁ ସମୟ ନାହିଁ । ଆଉ ଜିଲ୍ଲା ମନରେଗା ଦାୟିତ୍ୱରେ ଥିବା ସାହେବ କହୁଛନ୍ତି, ବର୍ଷକ ତିନିଶହ ଦିନର କାମ କଲା ପରେ ବି, କୁଆଡ଼େ ଖୁସିରେ ଶ୍ରମିକ ଦାଦନ ଯାଉଛନ୍ତି ।

ଅଧିକ ପଢନ୍ତୁ:ଓଡ଼ିଶା ମଥାରୁ କେବେ ଲିଭିବ ଦାଦନ କଳଙ୍କ ? ତେଜିଲା ରାଜନୀତି, ପୂର୍ବ ସରକାରକୁ ବିଜେପିର ଟାର୍ଗେଟ୍

Odisha Migrant Labourers
Advertisment
Advertisment