Modi Speech in Bhubaneswar: ଦିଲ୍ଲୀରେ ପିଇଥିବା ବଲାଙ୍ଗିର ଚା’କୁ ମନେ ପକାଇଲେ ମୋଦି

ଆଜି ଲିଙ୍ଗରାଜଙ୍କ ଭୂମିକୁ ଆସିବାର ସୁଯୋଗ ମିଳିଛି । ବିମାନ ବନ୍ଦରରେ ଏତେ ସଂଖ୍ୟାରେ ଲୋକଙ୍କ ଭିଡ଼ ଅଭିଭୂତ କରିଥିବା କଥା ଦୋହରାଇଥିଲେ ପ୍ରଧାନମନ୍ତ୍ରୀ ।

Modi in Odisha

ଡିଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜଧାନୀରେ ପହଞ୍ଚିବା ପରେ ଏକ ସଭାକୁ ସମ୍ବୋଧନ କରିବାକୁ ଯାଇ ଓଡ଼ିଆରେ ଅଭିଭାଷଣ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ପ୍ରଥମେ ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ସମସ୍ତଙ୍କୁ ଓଡ଼ିଆରେ ଶୁଭେଚ୍ଛା ଜଣାଇ ଅଭିଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଦିଲ୍ଲୀରେ ଓଡ଼ିଶା ପର୍ବରେ ୫ ଦିନ ପୂର୍ବେ ବଲାଙ୍ଗୀରର ଭଲ ମସଲା ଚା ପିଇଥିଲେ ବୋଲି ମଧ୍ୟ କହିଥିଲେ ।

ଆଜି ଲିଙ୍ଗରାଜଙ୍କ ଭୂମିକୁ ଆସିବାର ସୁଯୋଗ ମିଳିଛି । ବିମାନ ବନ୍ଦରରେ ଏତେ ସଂଖ୍ୟାରେ ଲୋକଙ୍କ ଭିଡ଼ ଅଭିଭୂତ କରିଥିବା କଥା ଦୋହରାଇଥିଲେ ପ୍ରଧାନମନ୍ତ୍ରୀ । ମହାରାଷ୍ଟ୍ର, ହରିୟାଣା ନିର୍ବାଚନ ଫଳ ବିଶ୍ୱାସ ଭରିଛି । ଏଠି ବି ଦେଖୁଛି, ଏହା ହେଉଛି ଆମ କାର୍ଯ୍ୟକର୍ତ୍ତାଙ୍କ ସାମର୍ଥ୍ୟ ବୋଲି ଏହି ଅବସରରେ କହିଥିଲେ ପ୍ରଧାନମନ୍ତ୍ରୀ । ବିଜେପିର କାମକୁ ଦେଖି ଲୋକେ ଭୋଟ୍ ଦେଉଛନ୍ତି । ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିଜେପିର ଶକ୍ତିକୁ ନେଇ ପ୍ରଶ୍ନ କରୁଥିଲେ ।

ଓଡ଼ିଶା ଲୋକେ ଦିଲ୍ଲୀରେ ବିଜେପି କାମକୁ ଦେଖି ଭୋଟ୍ ଦେଲେ । ଓଡ଼ିଶାର ବିକାଶ ପାଇଁ ଆମେ ଲଗାତାର କାମ କରୁଛୁ ବୋଲି କହିଥିଲେ ମୋଦି । ପୂର୍ବରୁ ମନ୍ତ୍ରି ପରିଷଦରେ ଓଡ଼ିଶାରୁ କେବେ ଏତେ ସଦସ୍ୟ ନଥିଲେ । ଓଡ଼ିଶା ଲୋକେ ହୃଦୟ ଖୋଲି ଆମକୁ ସମର୍ଥନ କରିଛନ୍ତି । ବିଦେଶକୁ ଗଲେ ଲଗାତାର ତୃତୀୟ ଥର ସରକାର ପାଇଁ ପ୍ରଶଂସା ପାଉଛୁ । ଅନ୍ୟପଟେ ବିରୋଧୀଙ୍କୁ ନିଶାନା କରିବାକୁ ମଧ୍ୟ ପଛାଇ ନାହାନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସେ କହିଛନ୍ତି, ରାଜନୀତିରେ ବିଚାରଧାରା ଅଲଗା ହେବା କିଛି ନୂଆ ନୁହେଁ । ବିରୋଧୀ ଯେପରି ଲୋକଙ୍କ ଉପରେ ରାଗୁଛନ୍ତି ତାହା ଚିନ୍ତାଜନକ । କ୍ଷମତାଲୋଭୀ ଏମାନେ ଜନତାକୁ ମିଛ କହି ଆସୁଛନ୍ତି । କ୍ଷମତାରୁ ଦୂରେଇ ରହିବା ପରେ ଏଭଳି ମିଛ କହୁଛନ୍ତି । ଚୌକିଦାର ଚୋର୍ ମନ୍ତବ୍ୟ ପ୍ରସଙ୍ଗ ଉଠାଇ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ନିକଟରେ ଓଡ଼ିଶାବାସୀ ସଫଳତାର ସହ ବାଲିଯାତ୍ରା କରିଛନ୍ତି । ଶହେରୁ ଊର୍ଦ୍ଧ୍ୱ ବର୍ଷ ହେଲା ଦେଶରେ ଡିଜିପି ସମ୍ମିଳନୀ ହେଉଛି । ମାତ୍ର ଓଡ଼ିଶାରେ ପ୍ରଥମ ଥର ପାଇଁ ଡିଜିପି ସମ୍ମିଳନୀ ହେଉଛି ବୋଲି ମଧ୍ୟ କହିଥିଲେ ।

ଅଧିକ ପଢ଼ନ୍ତୁ: ‘ଦିନେ ମୋଦିଙ୍କୁ ଭେଟିବା ପାଇଁ ବାପାଙ୍କଠୁ ମାଡ଼ ଖାଇଥିଲି, ଏବେ ଚା’ ପିଆଇଲି...’

ମୋଦି ତାଙ୍କ ଭାଷଣରେ କହିଥିଲେ, ଡିସେମ୍ବର ୪ରେ ନୌସେନା ଦିବସ ଓଡ଼ିଶାରେ ପାଳନ ହେବ । ଜାନୁଆରୀରେ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ପାଳନ ହେବ । ସାରା ବିଶ୍ୱରୁ ଲୋକ ଭୁବନେଶ୍ୱରକୁ ଆସିବେ । ଓଡ଼ିଶାରେ ଷ୍ଟାର୍ଟ ଅପ୍ ଇକୋ ସିଷ୍ଟମ ପାଇଁ ବିଜେପି ଲକ୍ଷ୍ୟ ରଖିଛି । ଉତ୍କର୍ଷ ଉତ୍କଳ ଅଭିଯାନ ପାଇଁ ଆମେ କାମ କରୁଛୁ । ବିଜେପି ସରକାର ଆସିଲା ପରେ ନୂଆ ଶିକ୍ଷାନୀତି ଲାଗୁ ହୋଇଛି । ସବୁ ଘରକୁ ପାଣି ପହଞ୍ଚାଇବା ପାଇଁ ମିଶନ ମୋଡରେ କାମ କରୁଛୁ ବୋଲି ମଧ୍ୟ କହିଥିଲେ ।

ସେହିପରି ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଜନତାଙ୍କ ସହ ଯୋଡ଼ି ହୋଇଛନ୍ତି । ଜନତାଙ୍କ ସହ ଯୋଡ଼ି ହେବା ବିଜେପିର ନୀତି ଆଦର୍ଶ । ମା’ ସୁଭଦ୍ରାଙ୍କ ଆଶୀର୍ବାଦ ନେଇ ସୁଭଦ୍ରା ଯୋଜନା ଲାଗୁ କରିଛୁ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇ ଜନଜାତିଙ୍କ ଗୌରବ ବଢ଼ାଇଛନ୍ତି । ଓଡିଶାର ୧୩ ଆଦିବାସୀ ସଂପ୍ରଦାୟଙ୍କୁ ପିଏମ୍ ଜନମନ ସୁବିଧା ମିଳୁଛି । ଏଠାରେ ଧାନର ଏମ୍ଏସ୍‌ପି ୩୧୦୦ ଟଙ୍କା ଦିଆଯାଉଛି ।

ସୂଚନାଯୋଗ୍ୟ, ବଲାଙ୍ଗୀରର ଚା’ ଦିଲ୍ଲୀରେ ପିଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୦ ବର୍ଷ ତଳେ ମୋଦିଙ୍କୁ ଦେଖିବା ପାଇଁ ବାପାଙ୍କ ଠାରୁ ମାଡ଼ ଖାଇଥିଲେ । ପରେ ପ୍ରଧାନମନ୍ତ୍ରୀଙ୍କୁ ଚା’ ପିଆଇ ଚର୍ଚ୍ଚାରେ ରହିଥିଲେ ଓଡ଼ିଆ ପୁଅ ତଥା ବଲାଙ୍ଗୀର ସହରର ଜଣାଶୁଣା ଚା’ ଦୋକାନୀ ସୋମନାଥ । ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚା’ ପିଆଇ ଚର୍ଚ୍ଚାରେ ରହିଥିଲେ ସୋମନାଥ ।

ତେବେ ସୋମନାଥ ଓଟିଭିକୁ ସ୍ୱତନ୍ତ୍ର ସାକ୍ଷତକାର ଦେଇ ସେଦିନର କାହାଣୀ କହିଥିଲେ । ସେ କହିଥିଲେ, ମୋଦିଙ୍କୁ ଭେଟିବା ପାଇଁ ମୋତେ ଭୋକ, ‌ଶୋଷ ନଥିଲା । କାରଣ ମୋଦିଙ୍କୁ ଭେଟିବା ପାଇଁ ୧୦ ବର୍ଷ ଅପେକ୍ଷା କରିଥିଲି । ଏମିତିକି ବାପାଙ୍କ ଠାରୁ ମାଡ଼ ଖାଇଥିଲି ବୋଲି କହିଥିଲେ । ୧୦ ବର୍ଷ ତଳେ ବରଗଡ଼ ଆସିଥିଲେ ମୋଦି, ଚା’ ଦୋକାନରେ ବସାଇଥିଲେ ବାପା । ମୁଁ କିନ୍ତୁ ଚା’ ଦୋକାନ ଛାଡ଼ି ଟ୍ରେନ୍‌ ଯୋଗେ ଯାଇଥିଲି ଦେଖିବା ପାଇଁ ଯାହା ଫଳରେ ପ୍ରବଳ ମାଡ଼ ମାରିଥିଲେ ବାପା । କିନ୍ତୁ ମୁଁ ଆଜି ୧୦ ବର୍ଷ ପରେ ମୋଦିଙ୍କୁ ଚା’ ପିଆଇ ପାରିଛି । ଯାହା ମୋ ପାଇଁ ସବୁଠୁ ବଡ଼ ସଫଳତା ବୋଲି କହିଥିଲେ । ଚା’ ପିଇବା ସହ ସୋମନାଥଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ।

ତେବେ ଖାଲି ପ୍ରଧାନମନ୍ତ୍ରୀ ମୋଦି ନୁହଁନ୍ତି ବରଂ ଦେଶର ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ବି ସୋମନାଥଙ୍କ ଟି-ଷ୍ଟଲ୍‌ ବୁଲିବା ସହ ତାଙ୍କୁ ପ୍ରଶଂସା କରିଥିଲେ । ମୋଦିଙ୍କୁ ଭେଟିବା ପରେ ବେଶ୍‌ ଅନୁପ୍ରାଣିତ ହୋଇଛନ୍ତି ବୋଲି ଏହି ଅବସରରେ କହିଥିଲେ ସୋମନାଥ । ତେବେ ପ୍ରଧାନମନ୍ତ୍ରୀଙ୍କୁ ମାଟି କପ୍‌ରେ ଚା’ ବଢ଼ାଇବା ବେଳେ ସୋମନାଥଙ୍କ ହାତ ଥରିଥିଲା ବୋଲି ସେ ଭାବବିହ୍ୱଳ ହୋଇ କହିଛନ୍ତି ।

ଅଧିକ ପଢ଼ନ୍ତୁ: ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଦୁଲୁକୁଛି ରାଜଧାନୀ