ପୁଣି ଶ୍ରୀମନ୍ଦିରର ଗର୍ଭଗୃହର ଫଟୋ ଭାଇରାଲ। ଗରୁଡ ସ୍ତମ୍ଭ ପାଖରୁ ଗର୍ଭ ଗୃହର ଫଟୋ ଏବଂ କୀର୍ତ୍ତନ ଚକଡାର ଫଟୋ ଉଠାଯାଇ ଭାଇରାଲ କରାଯାଇଛି। ବାଙ୍କେ ବିହାରୀ ଅନନ୍ତ ନାମକ ଜଣେ ଭକ୍ତ ଉଠାଇଥିବା ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ମୋବାଇଲ ଭିତରକୁ ନେଇ ନାଟମଣ୍ଡପରେ ଥାଇ ଫଟୋ ଉଠାଇଥିବା ଜଣାପଡିଛି। କୀର୍ତ୍ତନ ଚକଡାର ଫଟୋ ସହ ପତିତପାବନ ନିକଟରେ ଠିଆହୋଇ ଏକ ଫଟୋ ଚିତ୍ର ଉଠାଇ ତାକୁ ତାକୁ ପୋଷ୍ଟ କରିଛନ୍ତି। ମୋବାଇଲ ଉପରେ କଟକଣା ରହିଥିଲେ ମଧ୍ୟ ବାରାମ୍ବାର ଏହି ଭଳି ଶ୍ରୀମନ୍ଦିରର ଫଟୋ ଭାଇରାଲ ହେଉଛି।
ତେବେ ଏଠି ପ୍ରଶ୍ନ ଉଠୁଛି କଡ଼ା ସୁରକ୍ଷା ବଳୟ ଭିତରେ କେମିତି ଭିତରକୁ ଗଲା ମୋବାଇଲ ? ଭିଡ଼ିଓ କଲା ବେଳେ କେମିତି ଜାଣିପାରିଲେନି ପୋଲିସ ? ନା ସବୁ ଜାଣିଶୁଣି ଚୁପ୍ କି ପ୍ରଶାସନ ?
Also Read
ଅଧିକ ପଢ଼ନ୍ତୁ: ଓଡ଼ିଶା ମାଟିତଳେ ମୂଲ୍ୟବାନ ଲିଥିୟମ; ନୟାଗଡ଼ ଜିଲ୍ଲାରେ ମିଳିଲା ସଙ୍କେତ !
ନିକଟରେ ସବୁ ନିୟମକୁ ଫୁ’ କରି, ବ୍ୟବସ୍ଥା ଆଖିରେ ଆଙ୍ଗୁଠି ଗେଞ୍ଜି ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଥିଲା ଡ୍ରୋନ୍। ଶହ ଶହ ଭକ୍ତଙ୍କ ସାମ୍ନାରେ ଶ୍ରୀମନ୍ଦିରର ଖୁବ୍ ନିକଟରେ ଡ୍ରୋନ୍ ସହାୟତାରେ ଭିଡିଓ ଶୁଟ୍ କରାଯାଇଥିଲା। ନୋ ଫ୍ଲାଇଂ ଜୋନ୍ ସତ୍ତ୍ୱେ ଅଧ ଘଣ୍ଟା ଧରି ଶ୍ରୀମନ୍ଦିର ପରିସର ଓ ଆଖପାଖରେ ଏକ ଡ୍ରୋନ ଘୂରି ବୁଲିବା ପରେ ବି ପୋଲିସ୍ କି ପ୍ରଶାସନ କେହି ନା ଜାଣିପାରିଲେ ନା ଏବେ ଯାଏଁ ଅଭିଯୁକ୍ତଙ୍କୁ ଧରିପାରିଲେ। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଉଠିଥିଲା।
ସେଦିନର ଘଟଣା କଣ ଥିଲା ?
ସମୟ ଭୋର୍ ପ୍ରାୟ ୪ଟା ୧୦ ମିନିଟ୍, ଶ୍ରୀମନ୍ଦିର ମୁଖ୍ୟ ଦ୍ୱାର ଖୋଲିବା ପୂର୍ବରୁ ବାହାରେ ଅପେକ୍ଷା କରିଥିଲେ ଶ୍ରଦ୍ଧାଳୁ। ଆଉ ଠିକ୍ ଏହି ସମୟରେ ସିଂହଦ୍ୱାର ସମ୍ମୁଖ ଦୋଳମଣ୍ଡପ ସାହିରୁ ଉଡ଼ିଆସିଥିଲା ଏକ ଡ୍ରୋନ। ଶ୍ରୀମନ୍ଦିର ମେଘନାଦ ପାଚେରୀ, ଦଧିନଉତି, ନୀଳଚକ୍ର ସବୁଠି ଅଟକି ଅଟକି ଭିଡିଓ ଶୁଟ୍ କରିଲା। ଏମିତିକି ତଳକୁ ଓହ୍ଲାଇ ବି ଭିଡିଓ ରେକର୍ଡ କରିଥିବା ଜଣାପଡ଼ିଥିଲା। ଏସବୁକୁ ବାହାରେ ଥିବା ଶ୍ରଦ୍ଧାଳୁ ଦେଖିଥିଲେ ଓ ନିଜ ଫୋନରେ ରେକର୍ଡିଂ ବି କରିଥିଲେ। ପ୍ରାୟ ଅଧଘଣ୍ଟା ଧରି ଡ୍ରୋନ୍ ଉଡ଼ିଲା, ଆଉ ଲୋକେ ଏସବୁକୁ ଦେଖିପାରିଲେ। ହେଲେ ନା ପୋଲିସ୍ ନା ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାରୀ ଏସମ୍ପର୍କରେ ଟିକିଏ ବି ଟେର ପାଇଲେନି।