• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପୁରୀ ସମୁଦ୍ରରେ ନୌବୀରଙ୍କ ଜଲୱା । ଆକାଶରୁ ଖସିଲା ନିଆଁ, ସମୁଦ୍ରର ଅଥଳ ଜଳ ରାଶିକୁ ଚିରି ସମର କଳା ଦେଖାଇଲେ ଯୁଦ୍ଧ ଜାହାଜ । ଟ୍ୟାଙ୍କ୍‌ର ଘୁଁ ଘୁଁ ଗର୍ଜନରେ କମ୍ପିଲା ପୁରୀର ଗଗନ ପବନ । ଦିନକ ପରେ ନୌସେନା ଦିବସ ଅବସରରେ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ହେବାକୁ ଥିବା ଅପରେସନ୍ ଡେମୋର ଆଜି ହୋଇଛି ଫୁଲ ଡ୍ରେସ୍ ରିହର୍ସାଲ । ଆସନ୍ତା ବୁଧବାର ନୌସେନା ଦିବସ ଦେଖିବାକୁ ସମସ୍ତ ବିଧାୟକ ବସରେ ପୁରୀ ଯିବେ ବୋଲି ସୂଚନା ମିଳିଛି ।

ଦୁର୍ଦ୍ଦଶ ନୌବୀରଙ୍କ ରଣ ହୁଙ୍କାର .. ଥରିଲା ମେଦିନି, ଉଛୁଳିଲା ସମୁଦ୍ର । ଚିରିଲା ଆକାଶର ଛାତି । ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ରଣ କୌଶଳ ଦେଖାଇ ସମସ୍ତଙ୍କୁ ତଟସ୍ତ କରିଦେଲା ଭାରତୀୟ ନୌସେନା । କେତେ ବେଳେ ସମୁଦ୍ର ଭିତରୁ ମାଡ଼ି ଆସୁଥିଲା ଯୁଦ୍ଧ ଜାହାଜ ତ କେତେବେଳେ ଗର୍ଜନ କରି ଆକାଶ ମାର୍ଗରେ ଯୁଦ୍ଧ କଳା ଦେଖାଉଥିଲା ଲଢୁଆ ବିମାନ । ଆଖି ପିଛୁଳାକେ ଆକାଶ ମାର୍ଗରୁ ଖସୁଥିଲେ ପାରାଟ୍ରୁପସ ବାହିନୀ । ବିଚ୍‌ରେ ଦୌଡୁଥିଲା ଟ୍ୟାଙ୍କ, ଆଉ ସମୁଦ୍ରର ଅଥଳ ଜଳ ରାଶିରେ ଅପରେସନର କୌଶଳ ଦେଖାଇଥିଲେ ମାର୍କସ କମାଣ୍ଡୋ ।

ଅଧିକ ପଢ଼ନ୍ତୁ: ମାଟି ତଳେ ରଖିଥିଲେ ସାରା ଜୀବନ ପୁଞ୍ଜି, ଖୋଳିଲା ପରେ ବାହାରିଲା କିନ୍ତୁ...

୧୫ଟି ଯୁଦ୍ଧ ଜାହାଜ, ୪୦ ଏୟାରକ୍ରାଫ୍ଟ୍ ଏହି ଯୁଦ୍ଧ କୌଶଳ ପ୍ରଦର୍ଶନ କରିଛନ୍ତି । ଆସନ୍ତା ୪ ତାରିଖରେ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ନୌସେନା ଦିବସ ପାଳନ ବେଳେ ଯେମିତି କୌଣସି ତ୍ରୁଟି ନରୁହେ ସେନେଇ ହୋଇଛି ଏହି ଯୁଦ୍ଧାଭ୍ୟାସ । ପୁରୀ ସମୁଦ୍ରରେ ନୌସେନା ଦିବସ ପାଳନ ପୂର୍ବରୁ ଶେଷ ଅଭ୍ୟାସରେ ଜଲୱା ଦେଖାଇଛନ୍ତି INS ଜଲସା, ମିଶାଇଲ୍ ଡେଷ୍ଟ୍ରୋୟର INS ଦିଲ୍ଲୀ, INS ଶକ୍ତି, INS ସର୍ୟୁ, INS ଅରିହନ୍ତ, INS ସାତପୁରା ପ୍ରମୁଖ । ୱାରସିପଗୁଡିକର ଗର୍ଜନରେ କମ୍ପିଥିଲା ସାରା ପରିବେଶ ।

ଆକାଶରେ ଯୁଦ୍ଧକଳା ଦେଖାଇବା ସହ ଅଗ୍ନିବର୍ଷା କରିଥିଲେ ଫାଇଟର ଜେଟ୍ ଓ ହେଲିକପ୍ଟର । ଆକାଶର ଛାତି ଚିରି ଭୟଙ୍କର ଯୁଦ୍ଧକଳା ଦେଖାଇଥିଲେ ହକ୍, ସି-କିଙ୍ଗ, ମିଗ୍-୨୯ ଏବଂ ଡୋନିୟର ଭଳି ଏୟାରକ୍ରାଫ୍ଟ ସହ ଚେତକ, MS-୬୦ ହେଲିକପ୍ଟର । ନୌସେନା ପକ୍ଷରୁ ମାର୍କସ ଡେମୋ, କମ୍ବାଟ ଫ୍ରି ଫଲ୍, ଆଞ୍ଜେଲ ଡେମୋ, ଆଣ୍ଟି ସବମେରିନ୍ ରକେଟ୍ ଫାୟାରିଂ ଭଳି ୨୦ ପ୍ରକାରର ଯୁଦ୍ଧ କୌଶଳ ଓ ପରାକ୍ରମ ପ୍ରଦର୍ଶନର ଶେଷ ଅଭ୍ୟାସ କରାଯାଇଛି ।

କେବଳ ଯୁଦ୍ଧକୌଶଳ ପ୍ରଦର୍ଶନ ନୁହେଁ ଚିତାକର୍ଷକ ପରେଡ୍, ନେଭି ବ୍ୟାଣ୍ଡର ବନ୍ଦେ ମାତରଂ ଧୁନ୍ ଉପସ୍ଥିତ ହଜାର ହଜାର ଦର୍ଶକଙ୍କ ମନ ମୋହିଥିଲା । ଡିସେମ୍ବର ୪, ନୌସେନା ଦିବସରରେ ଅପରାହ୍ଣ ୪ଟା ୦୭ରୁ ୫ଟା ୨୪ ପର୍ଯ୍ୟନ୍ତ ଚାଲିବ ନୌସେନାର ଆଖିଝଲସା ସମର କୌଶଳ ପ୍ରଦର୍ଶନ । ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଏହି ଭବ୍ୟ କାର୍ଯ୍ୟକ୍ରମ । ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେପକାଇ ଓଡ଼ିଶାରେ ଏଥର ନୌସେନା ଦିବସ ପାଳନ କରାଯାଉଥିବା ସୂଚନା ମିଳିଛି । ଉଦ୍ଭାବନ ଓ ସ୍ୱଦେଶୀକରଣ ଦ୍ୱାରା ଶକ୍ତି ଓ ସାମର୍ଥ୍ୟ ହେଉଛି ଏଥର ନୌସେନା ଦିବସର ଥିମ୍ ।

ଅଧିକ ପଢ଼ନ୍ତୁ: ନୌସେନା ଦିବସ ପାଇଁ କାଉଣ୍ଟଡାଉନ୍, ଆସୁଛନ୍ତି ମହାମହିମ

OTV is now on Whatsapp

Join and get latest news update delivered to you via whatsapp

Join Now