ମାଟି ତଳୁ ମିଳିଲା ଟଙ୍କା ଗୁପ୍ତଧନ । ଏମିତି ସେମିତି ଟଙ୍କା ଖଣି ନୁହେଁ ନିଜର କଷ୍ଟ ଅର୍ଜିତ ଟଙ୍କାକୁ ବର୍ଷ ବର୍ଷ ଧରି ସାଇତି ରଖିଥିବା ଜଣେ ବାପାର ପୂରା ଜୀବନର ପୁଞ୍ଜି । ଦିନ ରାତି ଖଟି ଖଟି ସଞ୍ଚୟ କରିଥିଲେ, ନିଜ ପାଇଁ ନିଜ ପରିବାର ପାଇଁ । ହେଲେ ନା ନିଜେ ଉପଭୋଗ କରିପାରିଲେ ନା ଏସବୁ କାମରେ ଲଗାଇ ପାରିଲେ । ଖର୍ଚ୍ଚ କରିବା ଆଗରୁ ମୃତ୍ୟୁ କବଳିତ କରିନେଲା, ଆଉ ସେ ଛାଡ଼ି ପରପାରିକୁ ଚାଲିଗଲେ ।
ତେବେ ସେ ପୁଅକୁ ତାଙ୍କର ଏ କଷ୍ଟ ଉପାର୍ଜିତ ଗଚ୍ଛିତ ସମ୍ପତ୍ତି କଥା ଜଣାଇ ଦେଇଥିଲେ । ମୃତ୍ୟୁ ପରେ ମାଟି ତଳୁ ମିଳିଥିବା ସେ ଚିରା ଫଟା ଟଙ୍କା ଏବେ ଅନେକ କଥା ବଖାଣୁଛି । ଏପରି ଏକ ସୂଚନା ଆସି ପହଞ୍ଚିଛି କୋରାପୁଟ ନାରାୟଣପାଟଣା ବ୍ଲକ କେଲୁବାଡ଼ି ଗାଁର ୭୦ ବର୍ଷୀୟ ସୀତାରାମ ମେଲେକାଙ୍କ ଘରୁ । ତାଙ୍କର ମୃତ୍ୟୁ ପରେ ମାଟି ତଳୁ ମିଳିଛି ବିଡ଼ା ବିଡ଼ା ଟଙ୍କା ନୋଟ୍ । ଦିନ ମଜୁରୀ ଲାଗି ଟଙ୍କାଏ ଟଙ୍କାଏ ସଞ୍ଚୟ କରିଥିଲେ ସୀତାରାମ ।
Also Read
ଅଧିକ ପଢ଼ନ୍ତୁ: MKCG ମେଡିକାଲ କଲେଜରେରୁ ହଟିନି ରାଗିଂ ବ୍ୟାଧି; ଜୁନିୟରଙ୍କୁ ବ୍ୟକ୍ତିଗତ କାମରେ ଲଗାଉଛନ୍ତି ସିନିୟର !
ମାଟି ତଳେ ଏସବୁକୁ ପୋତି ରଖିଥିଲେ । ଘର ପଛ ପଟ ଆମ୍ବ ଗଛ ତଳେ ଟଙ୍କା ଓ ସୁନା ଅଳଙ୍କାର କିଛି ରଖିଥିବା ପୁଅଙ୍କୁ ଜଣାଇଥିଲେ । ଆଜି ତାଙ୍କ ମୃତ୍ୟୁ ପରେ ସେଠି ଖୋଜାଖୋଜି କରିବା ପରେ ୩୨ ହଜାର ଟଙ୍କା ମିଳିଛି । ତେବେ ଦୁଃଖର କଥା ଅନେକ କଷ୍ଟ କରି ସଞ୍ଚୟ କରିଥିବା ନୋଟ୍ ସବୁ ମାଟି ତଳେ ରହିବା ଫଳରେ ନଷ୍ଟ ହେବାକୁ ବସିଛି ।
ଆଜିର ଦୁନିଆରେ ଟଙ୍କା କାହାକୁ ବା ଦରକାର୍ ନାହିଁ.. ପିଲା ଠାରୁ ବୁଢ଼ା... କି ଧନୀରୁ ଗରିବ । ଟଙ୍କାର ଆବଶ୍ୟକତା ସମସ୍ତଙ୍କର ରହିଛି । ଜୀବନ ଥିବା ବେଳେ ଟଙ୍କା ଅୟସରେ ବଞ୍ଚିବା ପାଇଁ ଦରକାର ହୁଏ । ନିଜ ପରିବାର ପାଇଁ କଷ୍ଟ କରି ସଞ୍ଚୟ କରିଥିବା ଟଙ୍କା ଆଜି କିନ୍ତୁ ନଷ୍ଟ ହୋଇଯାଇଛି । ସୀତାରାମ ମେଲେକାଙ୍କ ଦେହାନ୍ତ ହୋଇଯାଇଛି ସତ ହେଲେ କଷ୍ଟ ଉପାର୍ଜିତ ଟଙ୍କା ଓ ସୁନା ମାଟି ତଳେ ଛାଡ଼ି ଯାଇଛନ୍ତି ।
ସୂଚନା ଅନୁସାରେ, ଲକ୍ଷେ ୧୦ ହଜାର ଟଙ୍କା ଏବଂ ୧୧ ଗ୍ରାମ ୫୫୦ ମିଲି ଗ୍ରାମ ସୁନା ମାଟି ତଳେ ପୋତି ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୨ ହଜାର ନଗଦ ଟଙ୍କା ଉଦ୍ଧାର ହୋଇଛି । ତେବେ ସମସ୍ତ ନୋଟ୍ ମାଟି ତଳେ ଅନେକ ଦିନ ରହିବା ଫଳରେ ଉଈ ଖାଇ ନଷ୍ଟ ହୋଇ ଯାଇଛି । ସୁନା ଅଳଙ୍କାର ଓ ଆହୁରି କିଛି ଟଙ୍କା ଥିବା ସନ୍ଦେହ କରି ସୀତାରାମଙ୍କ ପରିବାର ଏବେ ମାଟି ତଳେ ଅଧିକ ଖୋଳାଖୋଳି କରୁଛନ୍ତି । ନିଜର ମୂଲ୍ୟବାନ ପଦାର୍ଥକୁ ସୁରକ୍ଷିତ ରଖିବା ନିଜର ହିଁ ଦାୟିତ୍ୱ ଅଟେ । ଏ ଘଟଣା ଆମ ସମସ୍ତଙ୍କୁ ଏହା ସୂଚାଇ ଦେଉଛି ।