କଣାସ ଡାଇରିଆକୁ ନେଇ ବଢିଲା ଚିନ୍ତା। ଦୟାନଦୀର ବିଷାକ୍ତ ପାଣି ବ୍ୟବହାର କରି ୮ ଦିନ ଭିତରେ ୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଅଭିଯୋଗ ଉଠୁଥିବାବେଳେ ଆଜି ଜନସ୍ବାସ୍ଥ୍ୟ ବିଭାଗ ଜଣଙ୍କ ମୃତ୍ୟକୁ ସ୍ବୀକାର କରିଛି । ତାସହ ସେଠି ନମୁନା ପରୀକ୍ଷାରୁ ଇ-କୋଲି ବ୍ୟାକ୍ଟେରିଆ ଚିହ୍ନଟ ହୋଇଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ଗାଁରେ ଏବେ ସ୍ବାସ୍ଥ୍ୟ ବିଭାଗର ୮ଟି ଟିମ୍ ଡେରା ପକାଇଥିବାବେଳେ ତେଜିଛି ରାଜନୀତି ।
Also Read
କଣାସରେ ଝାଡ଼ାବାନ୍ତି କାୟା । ୮ ଦିନରେ ଗଡ଼ିଲାଣି ୪ ମୁଣ୍ଡ । ସାମ୍ପଲ ଟେଷ୍ଟିଂ ପରେ ଡାଇରିଆରେ ଜଣଙ୍କ ମୃତ୍ୟୁକୁ ବି ମାନିଲେଣି ସରକାର । କଣାସ ବ୍ଲକର ନୂଆଗାଁ, ଜାଗୁଳେଇପଦର ଓ ନୂଆଦୋକନ୍ଦା ଆଦି ଗାଁରୁ ୮୦ ପାଖାପାଖି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ବିଭିନ୍ନ ସଂଗଠନ ଓ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି । ବିଭିନ୍ନ ସ୍ଥାନରୁ ପାଣି ନମୁନା ସଂଗ୍ରହ କରିବା ସହ ଲୋକଙ୍କୁ ଦୂଷିତ ନଦୀ ଜଳ ବ୍ୟବହାର ନକରିବାକୁ ଡାକବାଜି ଯନ୍ତ୍ରରେ ସତର୍କ କରୁଛି । ଗାଁରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ଡେରା ପକାଇ ଲୋକଙ୍କୁ ଔଷଧ ବିତରକଣ କରିବା ସହ ପରିମଳ ଉପରେ ଗୁରୁତ୍ବ ଦେଇଛି । ନିଜେ ପୁରୀ ଜିଲ୍ଲାପାଳ କଣାସ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲ୍ଲାପାଳ କହିଛନ୍ତି- ଖୁବଶୀଘ୍ର ଝାଡ଼ାବାନ୍ତି କୋପ ନିୟନ୍ତ୍ରଣକୁ ଆସିଯିବ । ସବୁ ଘରକୁ କିପରି ପାଇପ୍ ଜଳ ଯୋଗାଣ ହେବା ସେ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିବ ।
ଅଧିକ ପଢ଼ନ୍ତୁ: ନବ ଦାସଙ୍କ ମୃତ୍ୟୁ ସମୟକୁ ନେଇ ଆସିଲା ବଡ ପ୍ରଶ୍ନ, ଆପୋଲୋରେ ପହଞ୍ଚିବା ବେଳକୁ ଜୀବିତ ଥିଲେ କି ?
କାହିଁକି ବ୍ୟାପିଲା କଣାସରେ ଝାଡ଼ାବାନ୍ତି ? ନିୟନ୍ତ୍ରଣକୁ ଆସିବାରେ ଅସୁବିଧା କେଉଁଠି ? ଗ୍ରାଉଣ୍ଡ ଜିରୋରୁ ଆସୁଛି ଗୋଟିଏ ଆରୋପ- ଦୟାନଦୀ ପାଣି ଜହର । ଯେହେତୁ ଦୟା ନଦୀରେ ସିଧାସଳଖ ଗଙ୍ଗୁଆ ନାଳ ମିଶିଛି ଓ ସେଥିରେ ଭୁବନେଶ୍ବର ସହରର ସମସ୍ତ ବିଷାକ୍ତ ପାଣି ମିଶୁଛି, ତେଣୁ ତାକୁ ବ୍ୟବହାର କରି ଲୋକେ ଡାଇରିଆରେ ଆକ୍ରାନ୍ତ ହେଉଛନ୍ତି। ଏଣେ କଣାସ ଦେଇ ଯାଇଥିବା ଦୟାନଦୀ ପାଣି ଆଦୌ ବ୍ୟବହାର ଉପଯୋଗୀ ମନେ ହେଉନି । ତେଣେ ଜନସ୍ବାସ୍ଥ୍ୟ ବିଭାଗ ବି ଦୂଷିତ ଦୟାନଦୀ ପାଣି ଯୋଗୁଁ ଏଠି ଝାଡ଼ାବାନ୍ତି ବ୍ୟାପିଥିବା ସ୍ବୀକାର କରିଛି ।
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି- ନମୁନା ପରୀକ୍ଷାରୁ ଇ-କୋଲି ବ୍ୟାକ୍ଟେରିଆ ଚିହ୍ନଟ ହୋଇଛି । ଭୁବନେଶ୍ବରରୁ ୨ଟି ଟିମ୍ ସହ ସ୍ବାସ୍ଥ୍ୟ ବିଭାଗର ମୋଟ୍ ୮ଟି ଟିମ୍ ସେଠି ନିୟୋଜିତ ଅଛନ୍ତି। ନଦୀର ସବୁ ଘାଟକୁ ସୁପର କ୍ଲୋରିନେସନ୍ ବା ବିଶୋଧନ କରାଯାଉଛି । ସଂକ୍ରମିତ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ବିଶୁଦ୍ଧ ଜଳ ଯୋଗାଇ ଦିଆଯାଉଛି । ଯେହେତୁ କିଛି ଦିନ ତଳେ ଏକ ବାହାଘର ଭୋଜି ଯୋଗୁଁ ଏଠି ଝାଡ଼ାବାନ୍ତି ବ୍ୟାପିଥିବା ଖବର ଆସିଥିଲା- ତେଣୁ ସେ ଡରରେ ନୂଆ ଦୋକନ୍ଦା ଗାଁରେ ଏକ ବାହାଘର ଭୋଜିକୁ ବି ବନ୍ଦ କରିଛି ପ୍ରଶାସନ ।
ସେପଟେ କଣାସ ଝାଡ଼ାବାନ୍ତିକୁ ନେଇ ରାଜନୀତି ବି ତେଜିଛି। ବିଜେଡି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛି ସ୍ବାସ୍ଥ୍ୟ ମନ୍ତ୍ରୀ କିମ୍ବା ବିଭାଗର ବରିଷ୍ଠ ଅଧିକାରୀ ଏଯାଏଁ ଘଟଣାସ୍ଥଳ ଯାଇନାହାନ୍ତି। ତେଣେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜବାବ- ଘଟଣା ପରଠୁ ସମ୍ପୂର୍ଣ୍ଣ ସ୍ଥିତି ଉପରେ ନଜର ରଖାଯାଇଛି। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗ୍ରାଉଣ୍ଡରେ ଯାଇ ଚିକିତ୍ସା କରିବା ସହ ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରୁଛି । ଏବେ ଅପେକ୍ଷା କେତେଶୀଘ୍ର କଣାସ ଅଞ୍ଚଳରେ କାବୁକୁ ଆସୁଛି ଝାଡ଼ାବାନ୍ତି ।
ଅଧିକ ପଢ଼ନ୍ତୁ: ନବ ହତ୍ୟା ମାମଲା: ସାଲୁଜାଙ୍କ ବିସ୍ଫୋରକ ଖୁଲାସା, ହତ୍ୟା ପୂର୍ବରୁ ଚେତାଇ ଦେଇଥିଲେ ତତ୍କାଳୀନ ଜିଲ୍ଲାପାଳ ଓ SP
- Reported by:
- KAPILENDRA PRADHAN , ARACHANA SATPATHY