/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737472186.jpg)
ନବ ହତ୍ୟା: ଚେତେଇଥିଲେ ଏସ୍ପି, କଲେକ୍ଟର
ପୂର୍ବତନ ମନ୍ତ୍ରୀ ନବ ହତ୍ୟାକାଣ୍ଡରେ ନିଇତି ଉଜାଗର ହେଉଛି ନୂଆ ନୂଆ ଦିଗ । ତାହାରି ଭିତରେ ନବଙ୍କ ଘନିଷ୍ଠ ବନ୍ଧୁ ତଥା ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜାକହିଛନ୍ତି ସାଂଘାତିକ କଥା । କୋଇଲା ପରିବହନ କାରବାର ଉପରେ ରୋକ୍ ଲଗାଇବାକୁ ନବଙ୍କୁ କୁଆଡ଼େ ପାୱାର କରିଡ଼ରରୁ ପକାଯାଉଥିଲା ଚାପ । ଯାହାର ମାଧ୍ୟମ ସାଜିଥିଲେ ଝାରସୁଗୁଡ଼ାର ତତ୍କାଳୀନ ଏସପି ଏବଂ ଜିଲ୍ଲାପାଳ । କିନ୍ତୁ ନ ଓହରିବାରୁ ନବ ଦାସଙ୍କୁ ପରିଣାମ ଭୋଗିବାକୁ ପଡ଼ିଥିବା ସାଲୁଜା ଆଶଙ୍କା କରିଛନ୍ତି । ତେବେ କିଏ ସେହି ପ୍ରଭାବଶାଳୀ ବ୍ୟକ୍ତି, ନାନା ପ୍ରଶ୍ନ ଉଠୁଥିବାବେଳେ ସାଲୁଜାଙ୍କ ମନ୍ତବ୍ୟକୁ ନେଇ ପାୱାର କରିଡ଼ରରେ ହଲଚଲ୍ ।
କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପାଇଁ ରଚାଯାଇଥିଲା ଷଡ଼ଯନ୍ତ୍ର । ପୂର୍ବରୁ ଚେତାଇ ଦେଇଥିଲେ ଝାରସୁଗୁଡ଼ା ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଓ ଏସପି । କୋଇଲା ପରିବହନ କାରବାର ପାଇଁ ପାୱାର କରିଡରରୁ କୁଆଡ଼େ ପଡ଼ିଥିଲା ଚାପ । ଏକଥା ଆମେ କହୁନୁ । କହିଛନ୍ତି, ନିହତ ମନ୍ତ୍ରୀ ନବ ଦାସଙ୍କ ଏକାନ୍ତ ଏବଂ ଘନିଷ୍ଠ ଥିବା କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା । ଦେଇଛନ୍ତି ଚାଞ୍ଚଲ୍ୟକର ମନ୍ତବ୍ୟ, ବଖାଣିଛନ୍ତି ଆଖି ତରାଟିଲା ଭଳି ଘଟଣା । ସାଲୁଜାଙ୍କ କହିବା କଥା, ଏକାଠି ଟେବୁଲରେ ବସି ଖାଇବାବେଳେ କିଭଳି ଚାପ ପଡ଼ିଥିଲା ନବ ଦାସ ନିଜେ ମୁହଁ ଖୋଲିଥିଲେ ସାଲୁଜାଙ୍କ ସାମ୍ନାରେ । ସାଲୁଜାଙ୍କୁ ନବ ଦାସ କହିଥିଲେ, ମୋତେ ଉପରୁ ପ୍ରେସର୍ ଅଛି । ମୁଁ କିନ୍ତୁ ସେମାନଙ୍କୁ କହିଦେଇଥିଲି, ଏ ଭିତରେ ଆପଣମାନେ ମୁଣ୍ଡ ପୁରାନ୍ତୁନି। ମୁଁ ବି କଥା ହୋଇସାରିଛି । ୨୯ଟି ଜିଲ୍ଲାର ପରିବହନ କଥା ସରକାର ବୁଝିବେ। କିନ୍ତୁ ମୁଁ ଝାରସୁଗୁଡା କଥା ବୁଝିବି ।
ବାସ୍ ଖାଇବା ଟେବୁଲରେ ହୋଇଥିବା ଏଭଳି କଥାବାର୍ତ୍ତାର ମାତ୍ର ଦିନ କେଇଟା ପରେ ନବଙ୍କୁ ଗୁଳି କରି ହତ୍ୟା କରିଦିଆଗଲା । ତେଣୁ ସାଲୁଜାଙ୍କ ଆଶଙ୍କା, ଏହି କୋଇଲା ପରିବହନ ବିବାଦରୁ ହିଁ ନବଙ୍କୁ ହତ୍ୟା କରାଯାଇଛି । ତେଣୁ ସେ ୨ ଅଫିସରଙ୍କୁ ପଚରାଗଲେ ସେମାନେ କହିପାରିବେ, ତାଙ୍କୁ କିଏ ପ୍ରେସରାଇଜ୍ କରିଥିଲା ଟ୍ରାନ୍ସପୋର୍ଟେସନରୁ ଘୁଞ୍ଚିଯିବାପାଇଁ । ଷଡ଼ଯନ୍ତ୍ରର କାରଣ ବି ଜଣାପଡିବ । ତେବେ ଘଟଣାର ସିବିଆଇ ତଦନ୍ତ କଥା ଉଠାଇଥିଲେ ବି ତତ୍କାଳୀନ ସରକାର କାହିଁକି ଚୁପ୍ ରହିଲେ ବୋଲି ସାଲୁଜା ପ୍ରଶ୍ନ କରିଛନ୍ତି ।
ଅଧିକ ପଢ଼ନ୍ତୁ: ପୂର୍ବତନ ବିଧାୟକଙ୍କ ଉପରୁ ବାସନ୍ଦାଦେଶ ହଟାଇଲା ବିଜେଡି: ଟାର୍ଗେଟ କଲେ କଂଗ୍ରେସ,ବିଜେପି
ପାୱାର କରିଡରର କିଏ ସେହି ବ୍ୟକ୍ତି, ଯାହାଙ୍କ ନିର୍ଦ୍ଦେଶରେ ତତ୍କାଳୀନ ଜିଲ୍ଲାପାଳ ଏବଂ ଏସପି କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ଉପରକୁ ଚାପ ପକାଇବାକୁ ଚେଷ୍ଟା କରିଥିଲେ ? ନବଙ୍କୁ ସତର୍କ କରାଇବା ପଛର ଅସଲ ଉଦ୍ଦେଶ୍ୟ କ’ଣ ? ସତର୍କ ପରେ ବି କୋଇଲା ପରିବହନରୁ ନଓହରିବା ନବ ଦାସଙ୍କ ପାଇଁ କାଳ ସାଜିଲା କି ? ଏଭଳି ପ୍ରଶ୍ନ ଉଠୁଥିବାବେଳେ ସାଲୁଜାଙ୍କ ସହ ସ୍ବର ମିଳାଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । କହିଛନ୍ତି ଏ ଷଡ଼ଯନ୍ତ୍ର ବିଷୟରେ ତତ୍କାଳୀନ ଜିଲ୍ଲାପାଳ ଓ ଏସପି ନିଶ୍ଚିତ ଜାଣିଥିବେ । ତଦନ୍ତ ହେଲେ ସବୁ ଜଣାପଡ଼ିବ।
ଅପରପକ୍ଷେ ଆଇନ ମନ୍ତ୍ରୀ କହିଛନ୍ତି, ନବଙ୍କ ପରିବାର ତଦନ୍ତ ପାଇଁ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ବୋଲି ବିଚାର ବିମର୍ଷ କରୁଛନ୍ତି। ସେତେବେଳେ ସାଲୁଜା ତଦନ୍ତକାରୀ ଟିମ୍ ଆଗରେ ସଂପୃକ୍ତ ଅଫିସର ମାନଙ୍କ ନାଁ କହିପାରିବେ । ତଦନ୍ତ ହେଲେ ସବୁ ରହସ୍ୟ ପଦାକୁ ଆସିବ। ତେବେ ବିଜେଡି ବି କହିଛି, ବର୍ତ୍ତମାନ ଡବଲ ଇଂଜିନ୍ ସରକାର। ନିଜ ଆଡୁ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଉ।
ନବଙ୍କ ମର୍ଡର ପଛର ମୋଟିଭକୁ ନେଇ ପୂର୍ବରୁ ଯେତିକି ବି କାରଣ ଚର୍ଚ୍ଚାକୁ ଆସିଛି, ସେଥିରେ ସର୍ବାଗ୍ରେ ରହିଛି ବ୍ୟାବସାୟିକ ଶତ୍ରୁତା। କୋଇଲା ଟ୍ରାନ୍ସପୋର୍ଟ, ମାଇନିଂ ଟ୍ରାନ୍ସପୋର୍ଟ ସହ ଏକାଧିକ ବ୍ୟବସାୟରେ ବେଶ ଆଗରେ ଥିଲେ ନବ ଦାସ। ଅନେକ ପ୍ରଭାବଶାଳୀ ବ୍ୟକ୍ତି ଏହି ବ୍ୟବସାୟରେ ପଶିବାକୁ ଚେଷ୍ଟା କରୁଥିଲେ ବି ସେମାନଙ୍କ ପାଇଁ ବଡ଼ ପ୍ରତିବନ୍ଧକ ଥିଲେ ନବ ଦାସ । ଆଉ ଏବେ ସାଲୁଜାଙ୍କ ସାଂଘାତିକ ବୟାନ ପରେ ଚାରିଆଡ଼େ ହଲଚଲ୍। ଗୋଟିଏ ପଟେ ନବଙ୍କ ପରିବାର ପକ୍ଷରୁ, ଅନ୍ୟପଟେ ରାଜନୈତିକ ସ୍ତରରୁ ସିବିଆଇ ତଦନ୍ତ ସପକ୍ଷରେ ମନ୍ତବ୍ୟ ଆସୁଛି। ନୂଆ ନୂଆ କ୍ଲୁ ସାମ୍ନାକୁ ଆସୁଛି । ଏଭଳି ସ୍ଥିତିରେ ସିବିଆଇ ଯଦି ମାମଲାର ତଦନ୍ତ ଭାର ହାତକୁ ନିଏ, ତେବେ ଖୋଲିବ କି ନବ ହତ୍ୟା ପଛର ନୂଆ ରହସ୍ୟ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)