/odishatv-khabar/media/post_attachments/uploadimage/library/16_9/16_9_0/Biryani_1738661430.jpg)
Biryani
ନିକଟରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଜଣେ ଶିଶୁ ଅଙ୍ଗନବାଡି କେନ୍ଦ୍ରରେ ଉପମା ନୁହେଁ ବରଂ ବିରିୟାନୀ ମିଳିବା ଦରକାର ବୋଲି କହୁଥିଲା। ପଉଲୋ ଚେଲୋଙ୍କ ‘ଦ ଅଲକେମିଷ୍ଟ’ ଅନୁସାରେ ଯଦି ଆପଣ କୌଣସି ଜିନିଷକୁ ହୃଦୟର ସହ ଚାହୁଁଥିବେ ତେବେ ସମଗ୍ର ବିଶ୍ବ ତାହା ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରିଥାଏ। ଶିଶୁଟିର ଭାଇରାଲ ଭିଡିଓ କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜଙ୍କ ନିକଟରେ ପହଞ୍ଚିବା ପରେ ବର୍ତ୍ତମାନ ଅଙ୍ଗନବାଡି କେନ୍ଦ୍ରରେ ଉପମା ନୁହେଁ ବରଂ ବିରିୟାନୀ ମିଳିବ ବୋଲି ସେ କହିଛନ୍ତି।
ଅଧିକ ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗ, ସୋନିଆ ଗାନ୍ଧିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍
କେରଳର ଅଙ୍ଗନବାଡି କେନ୍ଦ୍ରରେ ଉପମା ପ୍ରଦାନ କରାଯାଏ। ତେବେ ଶଙ୍କୁ ନାମକ ଏହି ବାଳକକୁ ଉପମା ପସନ୍ଦ ନୁହେଁ। ତାକୁ ଆବଶ୍ୟକ ଥିଲା ବିରନାନି (ବିରିୟାନୀ) ଓ ପୋରିଚା କୋଝି (ଚିକେନ ଫ୍ରାଏ)। ଶଙ୍କୁର ମା’ ଏହି ଭିଡିଓଟିକୁ ଶୁଟ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡିଓକୁ ସମସ୍ତେ ବେଶ ପସନ୍ଦ କରିଥିଲେ।
ଏଭଳି କ୍ୟୁଟ ଦାବିକୁ ସମସ୍ତେ ବେଶ ଭଲପାଇବା ଦେଇଥିଲେ। ଏପରିକି ଅନେକ ୟୁଜର କେରଳ ସରକାରଙ୍କୁ ମଧ୍ୟ ଟ୍ୟାଗ କରିଥିଲେ। ଏହି ଭିଡିଓଟି କେରଳର ସ୍ବାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦାୟିତ୍ବରେ ଥିବା ବୀଣା ଜର୍ଜଙ୍କ ନଜରରେ ଆସିଥିଲା। ଶଙ୍କୁର ଅନୁରୋଧ କରିବାର ଅନ୍ଦାଜ ବୀଣାଙ୍କୁ ମଧ୍ୟ ପସନ୍ଦ ଆସିଥିଲା। ଶଙ୍କୁ, ତାର ମା’ ଓ ଅଙ୍ଗନବାଡି କର୍ମୀଙ୍କୁ ବୀଣା ଭଲପାଇବା ଦେବା ସହ ଆଗାମୀ ଦିନରେ ଶଙ୍କୁର ଦାବିକୁ ବିଚାରକୁ ନିଆଯିବ ବୋଲି କହିଥିଲେ। ଶଙ୍କୁର ପ୍ରସ୍ତାବକୁ ବିଚାରକୁ ନିଆଯାଇ ଅଙ୍ଗନବାଡି ମେନ୍ୟୁରେ ପରିବର୍ତ୍ତନ କରାଯିବ ବୋଲି ସେ କହିଛନ୍ତି।
ଅଙ୍ଗନବାଡିରେ ପ୍ରଦାନ କରାଯାଉଥିବା ଖାଦ୍ୟରେ ସମସ୍ତଙ୍କ ପୁଷ୍ଟିସାଧନକୁ ଗୁରୁତ୍ବ ଦିଆଯାଇଥାଏ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ। ବର୍ତ୍ତମାନ ସଂଶୋଧନ ପୂର୍ବକ କ୍ଷୀର ଓ ଅଣ୍ଡା ପରି ପୌଷ୍ଟିକ ଖାଦ୍ୟକୁ ସାମିଲ କରାଯାଇଛି। ବର୍ତ୍ତମାନ ଶଙ୍କୁର ପରାମର୍ଶ କ୍ରମେ ବିରିୟାନୀକୁ ସାମିଲ କରାଯିବା ପ୍ରସ୍ତାବ ଉପରେ ବିଚାର କରାଯିବ ବୋଲି କହିଛନ୍ତି ବୀଣା। ଏହି ଭିଡିଓ ଭାଇରାଲ ହେବା ପରଠାରୁ ଅନେକ ପରିଚିତ ଲୋକ କଲ୍ କରି ଶଙ୍କୁକୁ ବିରିୟାନୀ ଓ ଚିକେନ ଫ୍ରାଏ ଖୁଆଇବାକୁ ପ୍ରସ୍ତାବ ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି ତାଙ୍କ ମା’।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)