Advertisment

ଜଗନ୍ନାଥ ଭକ୍ତ ହୋଇ ଚୁଲି ଭାଙ୍ଗିଲା କେମିତି?

ଆଜିସିନା ଚୁଲି ଭାଙ୍ଗିଦେଲା, ଯଦି ଜଣେ ଆତଙ୍କବାଦୀ ପଶି ମନ୍ଦିରରେ କିଛି କ୍ଷତି ଘଟାଇ ଥାଆନ୍ତା? ତେବେ ଏଥି ପାଇଁ ପ୍ରଶାସନ ନା ଆଉ କିଏ ଦାୟୀ ହୋଇଥାଆନ୍ତା? ଓଡ଼ିଆର ପ୍ରାଣକର୍ତ୍ତାକୁ ଏତେ ହତାଦାର କାହିଁକି?

author-image
Otv Khabar Bureau
ଅଦ୍ୟତନ ହୋଇଛି
Mystery Surrounds The Srimandir Desecration Of Srimandir Kitchen Despite Arrest Of Accused

Mystery Surrounds The Srimandir Desecration Of Srimandir Kitchen Despite Arrest Of Accused

(ସଚ୍ଚିତ୍ରାନନ୍ଦ ପଣ୍ଡା) ଗତ ଶନିବାରଠୁ ଆମକୁ ଆନ୍ଦୋଳିତ କରି ଆସୁଛି, ବିବ୍ରତ କରି ଆସୁଛି ଜଗା ଚୁଲି ଭଙ୍ଗା କଥା । ଏହାରି ଭିତରେ ଚୁଲିଭଙ୍ଗା ଘଟଣାରେ ଯିଏ ଧରାହେଲା ସିଏ ପୋଲିସ ଆଗରେ ମାନି ସାରିଛି, ସେ ହିଁ ଏକାକି ଏ କାଣ୍ଡ କରିଛି ଶାବଳ କି କାଠ ଫାଳିଆ କିମ୍ବା ଅନ୍ୟ କୌଣସି ହତିଆରରେ ନୁହେଁ, ନିଜ ହାତରେ ଭାଙ୍ଗିଛି ରୋଷଘରର ୪୩ଟି ଚୁଲି କେମିତି ଭାଙ୍ଗିଲା, କାହିଁକି ଭାଙ୍ଗିଲା- ସେ ପ୍ରଶ୍ନର ହୁଏତ ଆଉ କିଛି ପଚରିବାର ଆବଶ୍ୟକତା ନାହିଁ । କାରଣ କେବଳ ପୋଲିସକୁ ନୁହେଁ କୋର୍ଟକୁ ଗଲାବେଳେ ଗଣମାଧ୍ୟମ ଆଗରେ ବି ଅଭିଯୁକ୍ତ ଗୋଟି ଗୋଟି କରି ସବୁ ବଖାଣି ସାରିଛି । ତେଣୁ ଅଭିଯୁକ୍ତର ଏ ସ୍ବୀକାରୋକ୍ତି କାହାଣୀରେ ମାଳ ମାଳ ପ୍ରଶ୍ନର ପାହାଡ଼ ଥିବା ସତ୍ତ୍ୱେ ଆମେ ବି ବର୍ତ୍ତମାନ ପାଇଁ ଅନ୍ତତଃ ଆସନ୍ତୁ ମାନି ନେବା ଯେ ସେ ହିଁ ଏଇ କାଣ୍ଡ କରିଛି ଆଗକୁ ଆଇନ୍ ତା କାମ କରିବ କାରଣ ଆମକୁ ଆମ ପୋଲିସ୍ ବ୍ୟବସ୍ଥା ଉପରେ ତ ଭରସା କରିବାକୁ ହେବ ନା ତେଣୁ ସେଇ ନ୍ୟାୟରେ ସେସବୁ ପ୍ରଶ୍ନକୁ ହୁଏତ ଆମେ ଏଇଠି ରଖିପାରୁ । ହେଲେ ଏଇ ପୂରା ପ୍ରକରଣଟି ବ୍ୟବସ୍ଥାର ପାରିଲା ପଣିଆ ପ୍ରତି, ଶ୍ରୀମନ୍ଦିରର ସୁରକ୍ଷା ପ୍ରତି ଯେଉଁ ଯେଉଁ ପ୍ରଶ୍ନ ସବୁ ଫିଙ୍ଗିଛି ତା କଥା କଣ?...

Advertisment

ଅଭିଯୁକ୍ତ ଜଗନ୍ର ସ୍ବୀକାରୋକ୍ତି ଅନୁଯାୟୀ ସେ ଜଣେ ଜଗନ୍ନାଥ ଭକ୍ତ ଶ୍ରୀମନ୍ଦିରର କିଛି କଥା ତାକୁ ଭଲ ଲାଗିଲାନି ବୋଲି ଅଭିମାନରେ ସେ ରୋଷଘର ଚୁଲି ଭାଙ୍ଗିଦେଲା । ହେଲେ ଥରେ ଭାବନ୍ତୁ ୟା ଆଗକୁ ଯାଇ ସେ ଯଦି ଆଉ କିଛି କରି ବସିଥାନ୍ତା...ସେତେବେଳେ ତ ତାକୁ ରୋକିବାକୁ କେହି ନଥିଲେ? କିଛି ବି କରି ପାରିଥାନ୍ତା ସେ? ତା କଥା ଛାଡ଼ନ୍ତୁ ବ୍ୟକ୍ତିଟି ଅଭିଯୁକ୍ତ ଜଗନ୍ ନ ହୋଇ ଯଦି ଆତଙ୍କବାଦୀଟିଏ ହୋଇଥାନ୍ତା- ତାହେଲେ, ସେଦିନ ରାତିରେ ଶ୍ରୀମନ୍ଦିରରେ କଣ ଘଟିଥାନ୍ତା ?...ଅଭିଯୁକ୍ତ ଜଗନ୍ର କହିବା କଥା ଶୋଧ ପରେ ସେ ଦି ଘଣ୍ଟା କାଳ ମନ୍ଦିର ଭିତରେ ଅନାୟାସରେ ବୁଲିଛି ସେ ଭିତରେ ରୋଷଘର ଚୁଲି ବି ଭାଙ୍ଗିଛି ହେଲେ ସୁରକ୍ଷା ବ୍ୟବସ୍ଥା ଏମିତି, ଯେ ଦି ଘଣ୍ଟା ଧରି ସେ କାହା ନଜରରେ ପଡ଼ିଲାନି...

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଥିବା ବ୍ୟବସ୍ଥା ଉପରେ ଟିକେ ଆଖି ପହଁରେଇ ନେବା ସେବାୟତଙ୍କ କହିବା କଥା ଶ୍ରୀମନ୍ଦିରକୁ ସଂପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସରେ ରଖିବାକୁ ହେଲେ ୧୨୦ଟି ସିସିଟିଭିର ଆବଶ୍ୟକତା ଅଛି । ଏହି ବ୍ୟବସ୍ଥା ପାଇଁ ଏହା ଭିତରେ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ବି ହୋଇଛି ହେଲେ ଏ ବ୍ୟବସ୍ଥା ଏମିତି, ଯେ ଅଭିଯୋଗ ହୁଏ, ଏବେ ସୁଦ୍ଧା ଯେତିକି ସିସି କ୍ୟାମେରା ଲାଗିଛି ସେଥିରୁ କୁଆଡ଼େ ମାତ୍ର ୧୧ଟି କାମ କରୁଛି ମୁଖ୍ୟତଃ ଜଗମୋହନ, ନାଟମଣ୍ଡପ, ଭିତର ବେଢ଼ା, ସିଂହଦ୍ୱାର ଭଳି କିଛି ସ୍ଥାନରେ ଲାଗିଥିବା ସିସିଟିଭି କାମ କରୁଥିଲା ବେଳେ ବାକି ସବୁ ଅଚଳ ଏମିତିକି ରୋଷଘର ଚାରି ପାଖରେ ଲାଗିଥିବା ପ୍ରାୟ ସିସି କ୍ୟାମେରା ବି ଅଚଳ ଖାଲି ସେତିକି ନୁହେଁ, ଯେତିକି ସିସି କ୍ୟାମେରା ଚାଲିଛି, ତାର ମନିଟରିଂର ବ୍ୟବସ୍ଥା ବି ନାହିଁ...ଆପଣ ଏକଥା ବି ଜାଣି ରଖିଥାନ୍ତୁ କି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ୨୦୦୪ ମସିହାରୁ ଜଣେ ଅତିରିକ୍ତ ଏସ୍ପି ପାହ୍ୟାର ଅଫିସର ବି ନିଯୁକ୍ତ ଅଛନ୍ତି ତା ସତ୍ତ୍ୱେ ବି ମନ୍ଦିର ଭିତରେ ସୁରକ୍ଷାର ଏ ସାଂଘାତିକ ଢିଲାପଣ...

Advertisment

ତେବେ ଶ୍ରୀମନ୍ଦିରରେ ଜଗନ୍ କାଣ୍ଡ ପରେ ହୁଗୁଳା ସୁରକ୍ଷାର ଆଉ ଯେଉଁ ଗୁରୁତ୍ୱପୂର୍ଣ୍ଣ ଦିଗଟି ସାମ୍ନାକୁ ଆସିଛି, ସେଇଟି ହେଲା କର୍ମଚାରୀ ଅଭାବ...ଏମିତିକି ଶ୍ରୀମନ୍ଦିରରେ ୮୦ ପ୍ରତିଶତ କର୍ମଚାରୀ ପଦ ଖାଲି ପଡ଼ିଥିବା ଅଭିଯୋଗ ହେଉଛି । ଆଉ ଏସବୁ ହେଉଛି ଏ ଜାତିର ଥାତି,ବଡ଼ଠାକୁରଙ୍କ ପାଇଁ ଆମ ସୁରକ୍ଷା ବ୍ୟବସ୍ଥା କାଳେ କାଳେ ବିଧର୍ମୀ, ବିଦେଶୀଙ୍କ ଟାର୍ଗେଟ୍ରେ ରହି ଆସିଥିବା ଆମ ଶ୍ରୀମନ୍ଦିରରେ ଆଜିକାର ସୁରକ୍ଷା ବ୍ୟବସ୍ଥା ଏଠି ପ୍ରଶ୍ନ ଉଠୁଛି ଏସବୁ କାହାରିକୁ ଦେଖାଯାଉନି କେମିତି? ସବୁଠୁ ବଡ଼ କଥା ହେଉଛି, ୟା ଆଗରୁ କେତେବେଳେ ମନ୍ଦିର ହୁଣ୍ଡିରୁ ଟଙ୍କା ଚୋରି ତ କେତେବେଳେ ମୂର୍ତ୍ତି ଚୋରି ଭଳି ଘଟଣା ବି ଘଟି ସାରିଛି ଚାବି ହଜିବା ଘଟଣା ପରଠୁ ରତ୍ନଭଣ୍ଡାରକୁ ନେଇ ଆଶଙ୍କା ବି ଲାଗି ରହିଛି ତା ସତ୍ତ୍ୱେ ବି ସମସ୍ତେ ନିଦାବିଷ୍ଣୁ ।

ଯେତେବେଳେ ଏ କଥା ସବୁକୁ ଆମକୁ କହିବାକୁ ଅଛି, ପ୍ରଶ୍ନ କରିବାର ଅଛି-ସେତିକିବେଳେ ବନ୍ଦିର ଆତ୍ମକଥାରେ ଉତ୍କଳମଣି ଗୋପବନ୍ଧୁ ଲେଖିଥିବା ଗୋଟିଏ ଚର୍ଚ୍ଚିତ ଧାଡ଼ି ମନକୁ ଆସୁଛି ସେଇଟି ହେଲା -ବିଶେଷେ ଉତ୍କଳେ ନାହିଁ ପ୍ରୟୋଜନ, ଉତ୍କଳ ନେତା ହିଁ ନିଜେ ନାରାୟଣ ଆଉ ଯେତେବେଳେ ଉତ୍କଳର ନେତା ନାରାୟଣ, ପ୍ରଭୁ ଜଗନ୍ନାଥଙ୍କ କଥା ଆସୁଛି, ସେତେବେଳେ ଆଜିକା ଦିନରେ ତାଙ୍କ ସୁରକ୍ଷା ପ୍ରତି ଏତେ ଅବହେଳା- ବିସ୍ମିତ କରୁଛି ଆପଣ କେବେ ଭାବି ପାରିବେ- ଯାହା ଏବେ ଶ୍ରୀମନ୍ଦିର ସହ ଘଟିଗଲା, ସେଇ ସାଂଘାତିକ ସୁରକ୍ଷା ତ୍ରୁଟି ଯଦି ଆମ ରାଜ୍ୟର କୌଣସି ଭିଭିଆଇପିଙ୍କ କ୍ଷେତ୍ରରେ ଘଟିଥାନ୍ତା... ଶାସନ ଦାୟିତ୍ୱରେ ଥିବା ସର୍ବୋଚ୍ଚ ନେତାଙ୍କ କ୍ଷେତ୍ରରେ ଯଦି ହୋଇଥାନ୍ତା...ତାହେଲେ ଏତେବେଳକୁ କଣ ହୋଇଥାନ୍ତା...ଆପଣ ଅଟକଳ ଲଗାନ୍ତୁ...ଆଉ ଏକଥାକୁ ବି ମନେ ମନେ ଗୁଣି ହୁଅନ୍ତୁ ଏବଂ ପ୍ରଶ୍ନ ବି କରନ୍ତୁ, ଯେ ରୋଷଘରେ ଚୁଲିଭଙ୍ଗା ଘଟଣାରେ ଏତଲାଟିଏ ହେବାକୁ ବି କାହିଁକି ୨୪ ଘଣ୍ଟାରୁ ଅଧିକ ସମୟ ଲାଗିଗଲା ।

Srimandir Puri Chula Broken
Advertisment
Advertisment