• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସମ୍ବଲପୁର କୋର୍ଟକୁ ଆସୁ ନାହାନ୍ତି ଓକିଲ, ନ୍ୟାୟିକ ସେବା ପାଇବାରୁ ବଞ୍ଚିତ ସାଧାରଣ ଜନତା । ଜାମିନ ନପାଇ ଜେଲ ଭିତରେ ଏକାଧିକ ଆଇନଜୀବୀ, ଏପଟେ ମାମଲା ପରିଚାଳନା ପାଇଁ ଓକିଲ ପାଉ ନାହାନ୍ତି ମହକିଲ । ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଗତ ୧୨ ତାରିଖରେ ସମ୍ବଲପୁର ଓକିଲଙ୍କ ଆନ୍ଦୋଳନ ଓ ବିଚାରପତିଙ୍କ ଚାମ୍ବର ଭଙ୍ଗାରୁଜା ଘଟଣା ପରେ ଏଯାଏଁ ସ୍ୱାଭାବିକ ହୋଇପାରୁନି କୋର୍ଟ କାର୍ଯ୍ୟ ।

ଗୋଟିଏ ପଟେ ଗଣ୍ଡଗୋଳ ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ୨୭ ଓକିଲ ଏବେ ଜେଲରେ । ସେହିଭଳି ସମ୍ବଲପୁର ବାର ଆସୋସିସନର ୫୪ ଜଣ ସଦସ୍ୟଙ୍କ ଲାଇସେନ୍ସ ରଦ୍ଦ ନିଷ୍ପତ୍ତି ପ୍ରତ୍ୟାହାର କରିନାହାନ୍ତି ବାର କାଉସିଲ ଅଫ ଇଣ୍ଡିଆ । ଏପଟେ ବାରର ଯେଉଁ ଓକିଲଙ୍କ ଉପରୁ କଟକଣା ହଟିଛି, ସେମାନେ ବି କୋର୍ଟ କାର୍ଯ୍ୟରେ ସାମିଲ ହେଉନାହାନ୍ତି । ଫଳରେ ବିଭିନ୍ନ ମାମଲାରେ କୋର୍ଟ ଆସୁଥିବା ମହକିଲଙ୍କୁ ମିଳିପାରୁନି ନ୍ୟାୟିକ ସେବା । ଓକିଲଙ୍କ ଅଭାବ ଓ ଅସହଯୋଗରୁ ବିନା ଆଇନ୍ ପରାମର୍ଶରେ ଦୈନିକ ଫେରିଯିବାକୁ ବାଧ୍ୟ ହେଉଛନ୍ତି ଶହ ଶହ ସାଧାରଣ ଜନତା ।

ଅଧିକ ପଢ଼ନ୍ତୁ: ସମ୍ବଲପୁର କୋର୍ଟରେ ଜାରି ରହିଛି ଅଚଳାବସ୍ଥା: ଓକିଲ ନଥିବାରୁ ହୋଇପାରୁନି କୋର୍ଟ କାମ

ଏପଟେ ସମ୍ବଲପୁର ର କୋର୍ଟରେ ଲାଗି ରହିଥିବା ଅଚଳବାସ୍ଥା କେମିତି ଦୂର ହେବ, ତାର ସମାଧାନର ରାସ୍ତା ବାହାର କରିବାକୁ ରାଜ୍ୟର ବିଭିନ୍ନ ଓକିଲ ସଂଘର କର୍ମକର୍ତ୍ତା ଆଜି ସମ୍ବଲପୁର ଯାଇଛନ୍ତି । ଭୁବନେଶ୍ୱର, ବାଲେଶ୍ୱର, ଝାରସୁଗୁଡ଼ା, ସୁନ୍ଦରଗ଼ଡ଼ ଓ ବରପାଲିର ବାର ଆସୋସିଏସନର କର୍ମକର୍ତ୍ତା ଜିଲ୍ଲା ଜଜଙ୍କୁ ସାକ୍ଷାତ କରି ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ଜେଲରେ ଥିବା ଆଇନଜୀବୀଙ୍କୁ କିଭଳି ଜାମିନ୍ ମିଳିବା ସହ ବିଚାର ପ୍ରକ୍ରିୟା ଚାଲୁ ରହିବ ସେ ସମ୍ପର୍କରେ ଆଲୋଚନା କରିଛନ୍ତି । ପରେ ପୋଲିସ ଆଇଜିଙ୍କୁ ଭେଟି, କୋର୍ଟ ପରିସରରେ କିଭଳି ତୁରନ୍ତ ସ୍ୱାଭାବିକ ଅବସ୍ଥା ଫେରି ଆସିବ ସେନେଇ ବିଚାର ବିମର୍ଷ କରିଛନ୍ତି । ପରେ ସମ୍ବଲପୁର ଜିଲ୍ଲାପାଳ ଓ ସମ୍ବଲପୁର ଜେଲରେ ଥିବା ଆଇନଜୀବୀମାନଙ୍କୁ ମଧ୍ୟ ଭେଟିଛନ୍ତି ୫ଟି ଓକିଲ ସଂଘର କର୍ମକର୍ତ୍ତା ।

ସେପଟେ ସମ୍ବଲପୁର ଜିଲ୍ଲା ଜଜ୍‌ଙ୍କ ପ୍ରକୋଷ୍ଠରେ ଭଙ୍ଗାରୁଜା ଘଟଣାର କାରଣ ଏବଂ ଏଥିରେ କେଉଁମାନଙ୍କ ସଂପୃକ୍ତି ରହିଛି, ତାହା ଜାଣିବାକୁ ବାର କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଗଠିତ ୩ ଜଣିଆ ତଥ୍ୟ ଅନୁସନ୍ଧନକାରୀ ଟିମ୍ ଖୁବଶୀଘ୍ର ସମ୍ବଲପୁର ଆସି ତଦନ୍ତ ଆରମ୍ଭ କରିବେ ବୋଲି ସୂଚନା ମିଳିଛି ।

(ରିପୋର୍ଟ- ସଞ୍ଜୟ ଜେନା, ସମ୍ବଲପୁର)