Advertisment

ସମ୍ବଲପୁର କୋର୍ଟରେ ଜାରି ରହିଛି ଅଚଳାବସ୍ଥା: ଓକିଲ ନଥିବାରୁ ହୋଇପାରୁନି କୋର୍ଟ କାମ

ପ୍ରଥମଥର ପାଇଁ ସମ୍ବଲପୁର କୋର୍ଟରେ ଏଭଳି ଅଭାବନୀୟ ସ୍ଥିତି ଲାଗି ରାଜ୍ୟ ସରକାରଙ୍କୁ ଦାୟୀ କରି ବର୍ଷିଛି ବିଜେପି।

author-image
Chandan Shishu
ଅଦ୍ୟତନ ହୋଇଛି
undefined

State government responsible for what happened in Sambalpur : BJP

ସମ୍ବଲପୁର କୋର୍ଟ ଚାରିପଟେ ପୋଲିସ୍ ଛାଉଁଣୀ। ତାରି ଭିତରେ କୋର୍ଟକୁ ବିଚାରପତି ଯାଉଛନ୍ତି। ଦୂରଦୂରାନ୍ତରୁ ମହକିଲ ଆସୁଛନ୍ତି। ହେଲେ ନିଜ ନିଜ ଓକିଲଙ୍କୁ ଭେଟି ନପାରି କେବଳ କୋର୍ଟ ପରିସରରେ ଥିବା ହେଲ୍ପ ଡେସ୍କରୁ ତାରିଖ ନେଇ ଫେରୁଛନ୍ତି। ଏଇ ଯେମିତି ସମ୍ବଲପୁର କତରବଗା ତରୁଣ୍ଡି ମହୁଲର କେଶବ ଚିକୁ ବାରିକ। ୨୦୧୮ରେ ତାଙ୍କ ବାପାଙ୍କୁ ହତ୍ୟା ମାମଲାରେ ଆଜି ତାରିଖରେ ତାଙ୍କୁ ହାଜର ହୋଇ ତଥ୍ୟ ପ୍ରମାଣ ରଖିବାକୁ କୋର୍ଟରୁ ସମନ ଥିଲା ହେଲେ ଓକିଲ ନଥିବାରୁ ଆର ମାସ ଏଇ ତାରିଖରେ ପୁଣି ହାଜର ପାଇଁ ତାଙ୍କୁ ସମୟ ଦିଆଯାଇଛି।

Advertisment

କେବଳ କେଶବ ନୁହଁନ୍ତି ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ସଂଗଠିତ ଗଣ୍ଡଗୋଳ ପାଇଁ ଏବେ ସୁଦ୍ଧା ୨୩ ଜଣ ଓକିଲ ଗିରଫ ହୋଇଥିଲା ବେଳେ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସମସ୍ତ ଓକିଲଙ୍କ ଲାଇସେନ୍ସକୁ ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ବାତିଲ କରି ଦେଇଥିବାରୁ କୋର୍ଟରେ ଲଢ଼ିବାକୁ ଓକିଲ ନାହାନ୍ତି। ଫଳରେ ନ୍ୟାୟିକ ଅଚଳାବସ୍ଥା ସୃଷ୍ଟି ହେବା ସହ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା। ଅପରପକ୍ଷେ ଗିରଫ ସମସ୍ତ ଓକିଲଙ୍କ ଜାମିନ ଆବେଦନ ପାଇଁ ଆଜି ସମ୍ବଲପୁର କୋର୍ଟ ଆସିଥିଲେ କୁଚିଣ୍ଡା ଓକିଲ ସଂଘର ୩ ଜଣ ଓକିଲ।

ଏପଟେ ପ୍ରଥମଥର ପାଇଁ ସମ୍ବଲପୁର କୋର୍ଟରେ ଏଭଳି ଅଭାବନୀୟ ସ୍ଥିତି ଲାଗି ରାଜ୍ୟ ସରକାରଙ୍କୁ ଦାୟୀ କରି ବର୍ଷିଛି ବିଜେପି। ନୂଆଦିଲ୍ଲୀରେ ଦଳର ପଶ୍ଚିମ ଓଡ଼ିଶାର ସାଂସଦମାନେ ପ୍ରେସମିଟ୍ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି ଯେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନିର୍ଦ୍ଦିଷ୍ଟ ଅଞ୍ଚଳର ଏକ ସ୍ପର୍ଶକାତର ଦାବି କିନ୍ତୁ ରାଜ୍ୟ ସରକାରଙ୍କ ନିରବତା ଯୋଗୁଁ ଏଭଳି ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ସାଂସଦମାନେ ଦର୍ଶାଇଛନ୍ତି ଯେ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ଆଇନମନ୍ତ୍ରୀ ଚିଠି ଲେଖି ରାଜ୍ୟ ସରକାରଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ମାଗିଥିଲେ କିନ୍ତୁ ରାଜ୍ୟ ସରକାରଙ୍କ ବିଳମ୍ବ ନୀତି ଯୋଗୁଁ ହିଂସା ଉପୁଜିଲା।

Advertisment

ଯେଉଁଥିପାଇଁ ଅନେକ ଓକିଲ ଗିରଫ ହୋଇଛନ୍ତି, ୪୩ ଜଣଙ୍କ ଲାଇସେନ୍ସ ବାତିଲ୍ ହୋଇଛି। ଫଳରେ କୋର୍ଟ କାର୍ଯ୍ୟ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ତେଣୁ ଗିରଫ ଓକିଲଙ୍କୁ ତୁରନ୍ତ ମୁକ୍ତି ସାଙ୍ଗକୁ ବିସିଆଇ ସହ କଥା ହୋଇ ଓକିଲଙ୍କ ଲାଇସେନ୍ସ ବାତିଲ ନିଷ୍ପତ୍ତି ପ୍ରତ୍ୟାହାର ଦିଗରେ ପଦକ୍ଷେପ ନେବାକୁ ସାଂସଦମାନେ ଦାବି କରିଛନ୍ତି। ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବର୍ତ୍ତମାନ ସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ସଂପୂର୍ଣ୍ଣ ଦାୟୀ କରିବା ସହ କେନ୍ଦ୍ର ସରକାରଙ୍କୁ ବି ଟାର୍ଗେଟ୍ କରିଛନ୍ତି। ଅପରପକ୍ଷେ ବିଜେଡି କିନ୍ତୁ କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗି ହାତ ଝାଡ଼ି ଦେଇଛି। ଏସବୁ ଭିତରେ ସମ୍ବଲପୁର କୋର୍ଟ କାର୍ଯ୍ୟ କେବେ ସ୍ୱାଭାବିକ ହେଉଛି ଏବଂ ହାଇକୋର୍ଟ ବେଞ୍ଚକୁ ନେଇ ରାଜନୈତିକ ଲଢ଼େଇ ଆଗକୁ କେଉଁ ରୂପ ନେଉଛି ଏବେ ତା ଉପରେ ନଜର।

(ସମ୍ବଲପୁରରୁ ସଂଜୟ ଜେନା, ଦିଲ୍ଲୀରୁ ଶିବାନନ୍ଦ ରାଉତ ଓ ଭୁବନେଶ୍ୱରରୁ ଜଗଦୀଶ ଦାସଙ୍କ ରିପୋର୍ଟ)

Supreme Court HIgh Court Bench Lawyers
Advertisment
Advertisment