• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହଙ୍ଗା ପଡ଼ିଲା କି ପରିବର୍ତ୍ତନ ? ଟ୍ୱିଟରରେ ନିରଙ୍କୁଶ ଅଧିକାର ସାବ୍ୟସ୍ତ କରିବା ପରେ ଏଲନ୍ ମସ୍କ (Elon Musk) ୟୁ-ଟର୍ଣ୍ଣ ମାରିଛନ୍ତି । ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ସିଇଓ ଏଲୋନ୍ ମସ୍କ ପୁଣି ଥରେ ତାଙ୍କର ନିଷ୍ପତ୍ତି ନେଇ ଚର୍ଚ୍ଚାରେ ଅଛନ୍ତି । ପ୍ରଥମେ କମ୍ପାନୀର ଅଧିକାଂଶ କର୍ମଚାରୀଙ୍କୁ ବାହାର କରିଦେଲେ, ଏବେ ପୁଣି କାମକୁ ଫେରିବାକୁ ଡାକିଥିବା ସୂଚନା ମିଳିଛି । ଟ୍ୱିଟରର କମାଣ ହାତକୁ ନେବା ପରେ କମ୍ପାନୀରେ ଆମୂଳଚୂଳ ପରିବର୍ତ୍ତନ କରିଥିବା ବ୍ୟକ୍ତି ଏବେ ତାଙ୍କର ଭୁଲ ବୁଝି ପାରିଥିବା ପରି ଲାଗୁଛି । କମ୍ପାନୀରୁ ବାହାର କରାଯାଇଥିବା କିଛି କର୍ମଚାରୀଙ୍କୁ ପୁଣି ଫେରିବା ପାଇଁ ଗୁହାରୀ କରିଛନ୍ତି ଏଲୋନ୍‌ ।

ଅଧିକ ପଢ଼ନ୍ତୁ: କର୍ମଚାରୀଙ୍କୁ ଧମକ ! ଟାଇମ୍‌ ଭିତରେ କାମ ସାର, ଭୟରେ ଅଫିସ୍‌ରେ ଶୋଉଛନ୍ତି ମ୍ୟାନେଜର

ଟ୍ୱିଟର କିଣିବା ପରେ ପରେ ପ୍ରଥମେ କମ୍ପାନୀର ସିଇଓ ପରାଗ୍ ଅଗ୍ରଓ୍ୱାଲଙ୍କୁ ହଟାଇ ଦେଇଥିଲେ ଏଲୋନ୍‌ । ଏଥିସହିତ କଂପାନୀର ବୋର୍ଡ ଅଫ୍ ଡାଇରେକ୍ଟର୍ସକୁ ବି ସେ ଭାଙ୍ଗି ଦେଇଥିଲେ । କମ୍ପାନୀର ପୁରା ବୋର୍ଡକୁ ବରଖାସ୍ତ କରିବା ପରେ ଶୁକ୍ରବାର ଦିନ ପ୍ରାୟ ୩୭୦୦ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଥିଲା । ଏତେ ବଡ଼ ଧରଣର ଅଘଟଣ ପରେ ବର୍ତ୍ତମାନ ସେ ନିଜ ଭୁଲ ହୃଦୟଙ୍ଗମ କରିଥିବା ପରି ଲାଗୁଛି ।

ବର୍ତ୍ତମାନ ଟ୍ୱିଟରରୁ ବରଖାସ୍ତ ହୋଇଥିବା କିଛି କର୍ମଚାରୀଙ୍କୁ କାମକୁ ଫେରିବା ପାଇଁ ଏଲୋନ୍ ମସ୍କ ନିବେଦନ କରିଥିବା ସୂଚନା ମିଳିଛି । 'ଦୟାକରି ଅଫିସ୍‌ ଫେରି ଆସ' ବୋଲି କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ଅନୁରୋଧ କରାଯାଇଛି । ତେବେ ଏଲୋନ୍ କେତେଜଣ କର୍ମଚାରୀଙ୍କୁ କମ୍ପାନୀକୁ ଡାକିଛନ୍ତି ତାହା ରିପୋର୍ଟରେ ପ୍ରକାଶ କରାଯାଇ ନାହିଁ । ସୂଚନାଯୋଗ୍ୟ କମ୍ପାନୀର ପୂର୍ବତନ ବସ୍ ଜ୍ୟାକ୍ ଡୋର୍ସି ମଧ୍ୟ ଟ୍ୱିଟରରେ ଏଭଳି ଅଚାନକ୍‌ ପରିବର୍ତ୍ତନକୁ ନେଇ ଉଦବେଗ ପ୍ରକାଶ କରିଥିଲେ ।

ଟ୍ୱିଟର ଅଧିଗ୍ରହଣ ପରେ ବଡ଼ ନିଷ୍ପତ୍ତି ନେଇଥିଲେ ଏଲୋନ୍‌

ଟ୍ୱିଟରର ମାଲିକାନା ନିଜ ହାତକୁ ନେବାପରେ ବର୍ତ୍ତମାନ କ୍ରମାଗତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ଓ ପରିଚାଳନା ଗତ ନିଷ୍ପତ୍ତି ନେଇଥିଲେ ଏଲନ୍ ମସ୍କ । ଅନେକ ନିଷ୍ପତ୍ତି ପାଇଁ ତାଙ୍କୁ ସମାଲୋଚନା କରାଯାଉଛି । ତେବେ ୟୁଜରଙ୍କ ତୁଳନାରେ ଟ୍ୱିଟରରେ କାମ କରୁଥିବା କର୍ମଚାରୀମାନେ ଅଧିକ ବିବ୍ରତ ହୋଇପଡ଼ିଥିଲେ । ଅନେକ ଟ୍ୱିଟର ଇଞ୍ଜିନିୟରଙ୍କୁ ଦିନକୁ ୧୨ ଘଣ୍ଟା ଏବଂ ସପ୍ତାହରେ ୭ ଦିନ କାମ କରିବାକୁ କୁହାଯାଇଥିଲା । ଡେଡଲାଇନ୍‌ ପୂରଣ କରିବା ପାଇଁ କର୍ମଚାରୀମାନଙ୍କୁ ୧୨ ଘଣ୍ଟା ସିଫ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବ୍ଲୁ ଟିକ୍‌ ପାଇଁ ଫି’

ଏଲୋନ୍‌ଙ୍କ ଆଉ ଏକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଟ୍ୱିଟରରେ ବ୍ଲୁ ଟିକ୍‌ ପାଇଁ ଦେବାକୁ ପଡ଼ିବ ଫି’। ଏଲୋନ୍‌ ମସ୍କ ବ୍ଲୁ ଟିକ୍‌ ପାଇଁ ୮ ଡଲାରର ପ୍ଲାନ୍‌ ଆରମ୍ଭ କରିଛନ୍ତି । ତେବେ ଏହି ପ୍ଲାନ୍‌ କେବଳ IOS ୟୁଜର୍ସଙ୍କ ପାଇଁ ଆରମ୍ଭ ହୋଇଛି । ଏହି ପ୍ଲାନ୍‌ ୫ଟି ଦେଶ ଯଥା- ଆମେରିକା, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍‌ ଓ ବ୍ରିଟେନବାସୀଙ୍କ ପାଇଁ ଆରମ୍ଭ ହୋଇଛି । ଯେଉଁ ଆକାଉଣ୍ଟଧାରୀଙ୍କୁ ଟ୍ୱିଟରରେ ବ୍ଲୁ ଟିକ୍‌(Blue Tick) ମିଳିଛି, ଏଣିକି ସେମାନଙ୍କୁ ପ୍ରତି ମାସରେ ୮ ଡଲାର( ଭାରତୀୟ ମୁଦ୍ରାରେ ଏହା ପାଖାପାଖି ୬୬୧ ଟଙ୍କା) ଦେବାକୁ ପଡ଼ିବ । ବିଭିନ୍ନ ଦେଶରେ ଏହି ୮ ଡଲାରର ମୂଲ୍ୟ ଭିନ୍ନ ଭିନ୍ନ ହୋଇପାରେ ।