• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟ୍ୱିଟରରେ ଏଲନ୍ ମସ୍କଙ୍କ ନିରଙ୍କୁଶ ଅଧିକାର । ଟେସଲା, ସ୍ପେସ୍-ଏକ୍ସ, ନ୍ୟୁରା ଲିଙ୍କ ଓ ଦି ବୋରିଂ କଂପାନୀ ପରେ ଟ୍ୱିଟରର ବି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ହୋଇଛନ୍ତି ଏଲନ୍ ମସ୍କ । କଂପାନୀ ସିଇଓ ପରାଗ୍ ଅଗ୍ରଓ୍ୱାଲଙ୍କୁ ହଟାଇବା ପରେ ନିଜେ ଦାୟିତ୍ୱ ନେଇଛନ୍ତି । ଏଥିସହିତ କଂପାନୀର ବୋର୍ଡ ଅଫ୍ ଡାଇରେକ୍ଟର୍ସକୁ ବି ସେ ଭାଙ୍ଗି ଦେଇଛନ୍ତି । ଫଳରେ କଂପାନୀ ଉପରେ ନିଜର ନିରଙ୍କୁଶ ନିୟନ୍ତ୍ରଣ ସାବ୍ୟସ୍ତ କରିଛନ୍ତି ମସ୍କ ।

ଟ୍ୱିଟରର ମାଲିକାନା ନିଜ ହାତକୁ ନେବାପରେ ବର୍ତ୍ତମାନ କ୍ରମାଗତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ଓ ପରିଚାଳନା ଗତ ନିଷ୍ପତ୍ତି ନେଇଛନ୍ତି ଏଲନ୍ ମସ୍କ । ଅନେକ ନିଷ୍ପତ୍ତି ପାଇଁ ତାଙ୍କୁ ସମାଲୋଚନା କରାଯାଉଛି। ତେବେ ୟୁଜରଙ୍କ ତୁଳନାରେ ଟ୍ୱିଟରରେ କାମ କରୁଥିବା କର୍ମଚାରୀମାନେ ଅଧିକ ବିବ୍ରତ ହୋଇପଡ଼ିଛନ୍ତି । ଲାଗୁଛି ଯେପରି ଏଲୋନ୍‌ ମସ୍କ ଟ୍ୱିଟର୍‌ କିଣିବା ପରେ କର୍ମଚାରୀଙ୍କ ଦୁଃଖର ଦିନ ଆସିଯାଇଛି । ଅନେକ ଟ୍ୱିଟର ଇଞ୍ଜିନିୟରଙ୍କୁ ଦିନକୁ ୧୨ ଘଣ୍ଟା ଏବଂ ସପ୍ତାହରେ ୭ ଦିନ କାମ କରିବାକୁ କୁହାଯାଇଛି । ଛୁଟି ଗୋଟିଏ ବି ମିଳୁନି ।

ଅଧିକ ପଢ଼ନ୍ତୁ: ଟ୍ୱିଟରରୁ ୭୫% କର୍ମଚାରୀଙ୍କୁ ଛଟେଇ ପାଇଁ ଏଲନ ମସ୍କଙ୍କ ଯୋଜନା !

CNBC ସୂତ୍ର ଅନୁସାରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଟ୍ୱିଟରର ମ୍ୟାନେଜର କର୍ମଚାରୀମାନଙ୍କୁ କହିଛନ୍ତି , ଡେଡଲାଇନ୍‌ ପୂରଣ କରିବାକୁ ବର୍ତ୍ତମାନ ଅଧିକ ପରିଶ୍ରମ କରିବାକୁ ପଡିବ । ଏଲୋନ୍‌ ମସ୍କଙ୍କ ସମୟସୀମା ପୂରଣ କରିବା ପାଇଁ କର୍ମଚାରୀମାନଙ୍କୁ ୧୨ ଘଣ୍ଟା ସିଫ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମସ୍ତଙ୍କୁ ସପ୍ତାହରେ ୭ ଦିନ କାମ କରିବାକୁ ନିର୍ଦ୍ଦେଶ ରହିଛି । ବର୍ତ୍ତମାନ କର୍ମଚାରୀମାନେ ଅତିରିକ୍ତ କାର୍ଯ୍ୟ ସମୟ , ବେତନ, ଚାକିରି ସୁରକ୍ଷା କଥା ଉଠାଇ ପାରିବେ ନାହଁ । ଏଥିପାଇଁ ଇଞ୍ଜିନିୟରମାନଙ୍କୁ ନଭେମ୍ବର କାମ ଆରମ୍ଭ କରିବାକୁ ସମୟ ଦିଆଯାଇଛି । ତେବେ ଡେଡଲାଇନ୍‌ ପୂରଣ ନକଲେ ସେମାନେ ଚାକିରି ହରାଇ ପାରନ୍ତି ବୋଲି ମଧ୍ୟ କୁହାଯାଉଛି ।

ସେହିପରି ଢାଞ୍ଚାଗତ ସଂସ୍କାର ଆଳରେ ଟ୍ୱିଟର ଖର୍ଟ୍ଟକାଟ କରିବା ଚକ୍କରରେ ମଧ୍ୟ ରହିଛି ବୋଲି ଚର୍ଚ୍ଚା ହେଉଛି । ଫଳରେ ପ୍ରାୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡିପାରେ । ତେବେ ଏନେଇ ଟ୍ୱିଟର୍ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ । ଏକ ସୂଚନା ମୁତାବକ, ଟ୍ୱିଟରରେ ଏବେ ପ୍ରାୟ ୭ ହଜାର ୫ଶହ କର୍ମଚାରୀ ଅଛନ୍ତି । ମାସାଧିକ କାଳ ଧରି ହଁ-ନାଁ ଓ ଟଣାଓଟରା ଭିତରେ ଶେଷରେ ଗତ ସପ୍ତାହରେ ଟ୍ୱିଟରକୁ କିଣିଛନ୍ତି ଶିଳ୍ପପତି ତଥା ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ।

 ବିଶ୍ୱବ୍ୟାପୀ ରାଜନେତା ଓ ଗଣମାଧ୍ୟମ ପ୍ରତିନିଧି ବ୍ୟବହାର କରୁଥିବା ଏହି ମାଇକ୍ରୋ ବ୍ଲଗିଙ୍ଗ୍ ସାଇଟ୍ ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହି ଆସିଛି । ଖାସ୍ କରି ବାକ୍ ସ୍ୱାଧୀନତା ପ୍ରସଙ୍ଗକୁ ନେଇ ବିବାଦରେ ରହିଛି ଟ୍ୱିଟର । ତେବେ ଟ୍ୱିଟରର ମାଲିକାନା ବଦଳିବା ପରେ ଦୀର୍ଘ ବର୍ଷ ଧରି ଚାଲିଥିବା ପ୍ରକ୍ରିୟାକୁ ବାଦ ଦେଇ ସେ ସ୍ୱାଧୀନ ମତବ୍ୟକ୍ତ କରିବାର ଅଧିକାରକୁ ମସ୍କ ଅଗ୍ରାଧିକାର ଦେଇଛନ୍ତି । ଏପରିକି ସେ ଟ୍ୱିଟ୍ କରି ଲେଖିଛନ୍ତି, ନୀଳ ପକ୍ଷୀକୁ ମୁକ୍ତ କରାଗଲା ।

୨୦୨୧ କ୍ୟାପିଟୋଲ୍ ହିଲ୍ ହଙ୍ଗାମାକୁ ନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟୁଇଟର ବ୍ୟାନ୍ କରିବା ପରେ, ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା । ତେବେ ନିକଟ ଭବିଷ୍ୟତରେ ଟ୍ରମ୍ପଙ୍କ ପରି କିଛି ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ଆକାଉଣ୍ଟଗୁଡିକୁ ଖୋଲିବାକୁ ଅନୁମତି ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।