Mind Game Between USA And China: ନିମନ୍ତ୍ରଣକୁ ନେଇ ଦୋଛକିରେ ଦୁଇ ବିଶ୍ୱ ନେତା ଟ୍ରମ୍ପ-ଜିନପିଙ୍ଗ: କ‘ଣ ରହିଛି ଭିତିରି ଖେଳ ?

ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ ନାଁରେ ଦୁଇ ଦେଶ ଏକପ୍ରକାର ମାଇଣ୍ଡ ଗେମ ଖେଳୁଛନ୍ତି । ଚୀନ ଭଲ ଭାବେ ଜାଣିଛି, ଆମେରିକା ପକ୍ଷରୁ ଯଦି କିଛି ନୂଆ ତାରିଫ ଲଗାଯାଏ ତେବେ ତାର ଆର୍ଥିକ ବ୍ୟବସ୍ଥା ବିପୁଳ କ୍ଷତିର ସାମ୍ନା କରିବ ।

ନିମନ୍ତ୍ରଣ ପଛର ଖେଳ ?

ଜାନୁଆରୀ ୨୦ ତାରିଖରେ ଶପଥ ଗ୍ରହଣ କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାପାଇଁ ଆମେରିକା ପକ୍ଷରୁ ବିଶ୍ୱର ଅନେକ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ତାଲିକାରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଅଛନ୍ତି । ଏପରିକି ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବି ଅଛନ୍ତି ବୋଲି କୁହାଯାଉଛି । ତେବେ ଚୀନ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣକୁ ନେଇ ଏବେ ରାଜନୀତି ସରଗରମ । ସମସ୍ତଙ୍କ ନଜର ଜିନପିଙ୍ଗଙ୍କ ଉପରେ । ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହକୁ ଆସିବେ ତ ଜିନପିଙ୍ଗ ?

ଗୋଟିଏ ପଟେ ଟ୍ରମ୍ପ କ୍ଷମତାକୁ ଆସିଲେ ଚୀନ ବିରୋଧରେ କଡା ପ୍ରତିବନ୍ଧକ ଲଗାଇବେ ବୋଲି ଧମକ ଦେଇ ସାରିଛନ୍ତି । ଅନ୍ୟପକ୍ଷେ ବନ୍ଧୁତାର ହାତ ବଢାଇ ଜିନପିଙ୍ଗଙ୍କୁ ଶପଥ ଗ୍ରହଣ ଉତ୍ସବ ପାଇଁ ନିମନ୍ତ୍ରଣ କରିଛନ୍ତି । ଏହାକୁ ନେଇ ଦୋଛକିରେ ପଡିଛନ୍ତି ଚୀନ ରାଷ୍ଟ୍ରପତି । ଉତ୍ସବରେ ଯୋଗ ଦେବାପାଇଁ ଚୀନ ସରକାର ହଁ କରିପାରୁ ନାହାନ୍ତି କିମ୍ବା ନିମନ୍ତ୍ରଣକୁ ଅସ୍ୱୀକାର ବି କରିପାରୁ ନାହାନ୍ତି । ଚୀନ ବିଦେଶ ମନ୍ତ୍ରାଳୟ ଏ ନେଇ ଏକପ୍ରକାର ନୀରବତା ଅବଲମ୍ବନ କରିଛି । ତେବେ ଜିନପିଙ୍ଗ ଏ ନିମନ୍ତ୍ରଣକୁ ଅସ୍ୱୀକାର କରିବେ ଏବଂ ଟ୍ରମ୍ପଙ୍କ ସମାରୋହକୁ ଆସିବେ ନାହିଁ ଏକଥା ସମସ୍ତେ ଜାଣନ୍ତି । ଏପରିକି ଆମେରିକା ବି ଜାଣେ ।

କହିବାକୁ ଗଲେ, ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ ନାଁରେ ଦୁଇ ଦେଶ ଏକପ୍ରକାର ମାଇଣ୍ଡ ଗେମ ଖେଳୁଛନ୍ତି । ଚୀନ ଭଲ ଭାବେ ଜାଣିଛି, ଆମେରିକା ପକ୍ଷରୁ ଯଦି କିଛି ନୂଆ ତାରିଫ ଲଗାଯାଏ ତେବେ ତାର ଆର୍ଥିକ ବ୍ୟବସ୍ଥା ବିପୁଳ କ୍ଷତିର ସାମ୍ନା କରିବ । ଅନ୍ୟପକ୍ଷେ ଟ୍ରମ୍ପ ଜାଣିଛନ୍ତି ଯେ, ଯଦି ଆମେରିକାର ପଦକ୍ଷେପ ପରେ ଚୀନ କୌଣସି ପାଲଟା ଆକ୍ସନ ନିଏ ତେବେ ପୂର୍ବ ପରି ଦୁଇ ଦେଶ ମଧ୍ୟରେ ପୁଣି ଟ୍ରେଡ ୱାର ଆରମ୍ଭ ହୋଇଯିବ । ତେଣୁ ଛକାପଞ୍ଝା ସ୍ଥିତିରେ ଏବେ ଦୁଇ ନେତା ଟ୍ରମ୍ପ-ଜିନପିଙ୍ଗ ।

ଅଧିକ ପଢନ୍ତୁ:ମଧ୍ୟପ୍ରାଚ୍ୟର ଯୁଦ୍ଧ ନିଆଁରେ ସାରା ବିଶ୍ୱ, ଦୁନିଆ ଦେଖିବ ତୃତୀୟ ବିଶ୍ୱଯୁଦ୍ଧ ? 

ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ କୌଣସି ବିଦେଶୀ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଉଛି । ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ସି ଜିନପିଙ୍ଗ ମଙ୍ଗଳବାର ତାରିଫ, ବ୍ୟାବସାୟିକ ଏବଂ ଟେକନିକ ୱାର ପାଇଁ ଚେତବାନୀ ଦେଇଥିଲେ । ସେ କହିଥିଲେ ଯଦି ଟ୍ରେଡ ୱାର ହୁଏ ତେବେ ଏଥିରେ କାହାରି ଲାଭ ହେବନି । ଏପଟେ ଡୋନାଲ୍ଡ ଟ୍ରମ୍ପ କାର୍ଯ୍ୟଭାର ସମ୍ଭାଳିବା ପରେ ନୂଆ ତାରିଫ ଲାଗୁ କରିବା ଜିଦରେ ଅଟଳ ଅଛନ୍ତି ।

ଗୋଟିଏ ପଟେ ବାକଯୁଦ୍ଧ ଅନ୍ୟପଟେ ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ- ଏହା ଭିତରେ ଚୀନ ରାଷ୍ଟ୍ରପତି ଭାବିଚିନ୍ତି ନିଷ୍ପତ୍ତି ନେଇଛନ୍ତି । ଅନ୍ତର୍ଜାତୀୟ ମିଡିଆ ସୂତ୍ରରୁ ମିଳିଥିବା ଶେଷ ଖବରରୁ ଜଣାଯାଇଛି, ସି ଜିନପିଙ୍ଗ ଏହି ନିମନ୍ତ୍ରଣକୁ ବିନମ୍ରତାର ସହ ଅସ୍ୱୀକାର କରି ଦେଇଛନ୍ତି ।

ଅନ୍ୟପକ୍ଷେ ଜିନପିଙ୍ଗକୁ ନେଇ ଟ୍ରମ୍ପଙ୍କ ମନୋଭାବ କେତେବେଳେ ଗରମ ତ କେତେବେଳ ନରମ ଥିବା ଦେଖିବାକୁ ମିଳିଛି । କୌଣସି ଏକ ଅବସରରେ ତାଙ୍କୁ ଜଣେ ଭଦ୍ର ବ୍ୟକ୍ତି ବୋଲି କହିଛନ୍ତି, ଅନ୍ୟ କେତେବେଳେ ଶତ୍ରୁ ପରି ଆଚରଣ ଦେଖାଉଛନ୍ତି ।

ସେହିପରି ଭ୍ଲାଦିମିର ପୁଟିନଙ୍କୁ ନିମନ୍ତ୍ରଣ ଦିଆ ଯାଇଥିବା ନେଇ ଆମେରିକା ମିଡିଆ ପକ୍ଷରୁ ଦାବି କରାଯାଉଛି । ହେଲେ ଏହାକୁ ନେଇ ସଂଶୟ ଦେଖା ଦେଇଛି । କାରଣ ଋଷ୍ ମିଡିଆ ପକ୍ଷରୁ ଦାବି କରାଯାଇଛି ଯେ ଏ ପର୍ଯ୍ୟନ୍ତ ପୁଟିନଙ୍କ ପାଖକୁ କୌଣସି ନିମନ୍ତ୍ରଣ ଆସିନାହିଁ ।

ଅଧିକ ପଢନ୍ତୁ: ସିରିଆର କୁଖ୍ୟାତ ଜେଲ୍‌ରୁ ବାହାରୁଛି ଗଦାଗଦା ଶବ; ଚିହ୍ନିବା ବି ହୋଇପଡ଼ିଛି ମୁସ୍କିଲ୍