/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734083269.jpg)
ଯୁଦ୍ଧର ନିଆଁରେ ସାରା ବିଶ୍ୱ
ମଣିଷର ସର୍ବଶ୍ରେଷ୍ଠ ଅସ୍ତ୍ର ମାନବିକତା । ଦୟା, କ୍ଷମା, ପରୋପକାରିତା ଓ ବୁଦ୍ଧିବଳରେ ଅଙ୍ଗୁଳି ଟିପରେ ବିଶ୍ୱବ୍ରହ୍ମାଣ୍ଡକୁ ଚଳାଏ । ସମଗ୍ର ଜୀବଜଗତର ମେରୁଦଣ୍ଡ କହିଲେ ଚଳେ । ହେଲେ ସୃଷ୍ଟିର ଏ ସର୍ବଶ୍ରେଷ୍ଠ ଜୀବ ହାତରେ ଅନ୍ୟର ଜୀବନ ଛାରପୋକ ପରି । ରକ୍ତପିପାସୁ ଉଦ୍ଧତ ଗର୍ବିତ ମଣିଷ ଆଜି ଧରାକୁ ସରା ମଣୁଛି । ବିଶ୍ୱକୁ ଧ୍ୱଂସ କରିବାକୁ ବାହାଦୁରୀ ଦେଖାଉଛି ଅସ୍ତ୍ରବାଦ । ଯୁଦ୍ଧର ଆତଙ୍କରେ ଜଳୁଛି ପୂରା ବିଶ୍ୱ । କୁଚକ୍ରୀଙ୍କ ଚକ୍ରବ୍ୟୁହ ତଳେ ଦଳିମକଚି ହେଉଛି କିଛି ନୀରିହଙ୍କ ଅସ୍ତିତ୍ୱ । ଗୁଳିଗୋଳା ବାରୁଦ ସହ ବିକଟାଳ ହସୁଥିବା ସେ ମଣିଷ ମାନବିକତା ଭୁଲିଯାଇଛି । ତା’ର ବିକଟାଳ ହସରେ ସର୍ବଂସହା ବସୁନ୍ଧରାର ବି ଛାତି ଫାଟିଯାଉଛି । ନିଜ ପିଲାର କଟାଅଙ୍ଗ, ଖଣ୍ଡବିଖଣ୍ଡିତ ଶରୀର ଆଉ ରକ୍ତପାତ ଦେଖି ଦେଖି ଆଜି ସେ ନିସ୍ତବ୍ଧ । ସେ ହିଁ ତ ଯୁଦ୍ଧ ଭୂଇଁରେ ଅଙ୍ଗବିହୀନ ଶରୀର ଗୁଡ଼ିକ ବିଳାପ କରୁଥିବା ଦୃଶ୍ୟର ମୁକସାକ୍ଷୀ ।
ଯୁଦ୍ଧ ପରବର୍ତ୍ତୀ ଲୋକହର୍ଷଣକାରୀ ଦୃଶ୍ୟ ଦେଖିବାକୁ ହୁଏତ କେହି ରହିନପାରନ୍ତି । ହେଲେ ଚିରକାଳ ପାଇଁ ଶୋଇ ପଡ଼ିଥିବା ତଥା ତା’ରି ବକ୍ଷରେ ଗୁରୁଣ୍ଡି ଗୁରୁଣ୍ଡି ଆପଣାର ଲୋକକୁ ଖୋଜୁଥିବା ଲୋକଙ୍କୁ ସେ ଦେଖି କିପରି ସହିପାରିବ । କୁଢ଼େଇ ହୋଇ ପଡ଼ିଥିବା ଶବର ପାହାଡ଼ ଆଉ ଝର ଝର ଝରିଯାଉଥିବା ରକ୍ତର ଝରଣା ମା’ର ଛାତିକୁ ବିଦୀର୍ଣ୍ଣ କରି ପକାଇବ । ଆଉ ଏକ ମହାଯୁଦ୍ଧର ବୋଝ ବୋହିବାକୁ ତା’ ବକ୍ଷରେ ଆଉ ଶକ୍ତି ନାହିଁ । ହେଲେ ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଅସ୍ଥିରତା ତୃତୀୟ ବିଶ୍ୱଯୁଦ୍ଧର ସଙ୍କେତ ଦେଉଛି । ଯେ କୌଣସି ମୁହୂର୍ତ୍ତରେ ମଧ୍ୟ ହୋଇପାରେ ଆକ୍ରମଣ , ହୋଇପାରେ ଯୁଦ୍ଧ, ବୋହିପାରେ ରକ୍ତର ନଦୀ ।
ମଧ୍ୟପ୍ରାଚ୍ୟ ଦେଶଗୁଡିକର ଅବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି । ଇସ୍ରାଏଲ-ହମାସ ମଧ୍ୟରେ ବର୍ଷକରୁ ଅଧିକ ହେବ ଘମାଘୋଟ ଲଢ଼େଇ ଚାଲିଛି । ଏହି ଲଢ଼େଇ ଭିତରକୁ ଡେଇଁଛନ୍ତି ଲେବାନନ ଓ ଇରାନ । ଏଠାରେ ଅନେକ ଆତଙ୍କୀ ଗୋଷ୍ଠୀ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି । ଏକ ଦଶନ୍ଧିରୁ ଅଧିକ ସମୟ ଧରି ଗୃହଯୁଦ୍ଧରେ ସଂଘର୍ଷ କରୁଥିବା ସିରିଆରେ ବଶର ଅଲ-ଅସଦ ସରକାରଙ୍କ ପତନ ପରେ ଏବେ ଦେଶ ବିଦ୍ରୋହୀ ଗୋଷ୍ଠୀଙ୍କ ହାତରେ । ମୋଟ ଉପରେ କହିବାକୁ ଗଲେ ଯୁଦ୍ଧର ନିଆଁ ଗୋଟିଏ ପରେ ଗୋଟିଏ ବସ୍ତି ଗିଳି ସାରା ବିଶ୍ୱକୁ ଗ୍ରାସ କରିବାକୁ ବସିଛି । ବିଶ୍ୱର ଏହି ଅଂଶ ତୃତୀୟ ବିଶ୍ୱଯୁଦ୍ଧ କାରଣ ହେବ ବୋଲି ଆଶଙ୍କା କରାଯାଉଛି ।
ଯୁଦ୍ଧରେ ଜଳୁଥିବା ଦେଶ
ଗତବର୍ଷ ଅକ୍ଟୋବରେ ହମାସ ଆତଙ୍କୀ ଗୋଷ୍ଠୀ ଇସ୍ରାଏଲ ନାଗରିକଙ୍କ ଉପରେ ଅତର୍କିତ ଆକ୍ରମଣ କରି ହଜାର ହଜାର ଲୋକଙ୍କ ଜୀବନ ନେଇଯାଇଥିଲେ । ଶହ ଶହ ନୀରିହଙ୍କୁ ବନ୍ଧକ ରଖାଯାଇଥିଲା । ଆଉ ସେବେଠାରୁ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ହମାସ ଦୁର୍ବଳ ହେଉଥିବା ଦେଖି ପଡୋଶୀ ଦେଶ ମଧ୍ୟ ଯୁଦ୍ଧକୁ ଡେଇଁଥିଲେ । ସିଧାସଳଖ ନହେଲେ ସୁଦ୍ଧା ଆତଙ୍କୀ ଗୋଷ୍ଠୀଙ୍କ ଜରିଆରେ ନିଆଁରେ ଘିଅ ଢାଳିବା ସ୍ଥିତି ସୃଷ୍ଟି କରିଥିଲେ । ଏଥିରେ ହିଜବୁଲ୍ଲା ଓ ହାୟତ ଭଳି ଆତଙ୍କବାଦୀ ସଂଗଠନ ଶୀର୍ଷରେ ଅଛନ୍ତି। ସିରିଆରେ ଦୀର୍ଘ ୨୪ ବର୍ଷ ହେଲା ଶାସନ କରୁଥିବା ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ ଶେଷରେ ଗାଦିଚ୍ୟୁତ ହେବାକୁ ପଡ଼ିଛି । ବିଦ୍ରୋହୀ ଗୋଷ୍ଠୀ ସପ୍ତାହ ତଳେ ଆରମ୍ଭ କରିଥିବା ଅଭିଯାନ ଶେଷରେ ସଫଳ ହୋଇଛି । ଅସଦଙ୍କ ପତନ ପରେ ସବୁ ଆତଙ୍କୀ ଗୋଷ୍ଠୀ ସକ୍ରିୟ ହୋଇ ଉଠିଛନ୍ତି । ଅସଦଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିବା ପଛରେ ରହିଛନ୍ତି ଅବୁ ମହମ୍ମଦ ଅଲ ଜୁଲାନି। ବର୍ତ୍ତମାନ ସେ ସିରିଆର ସବୁଠାରୁ ଶକ୍ତିଶାଳୀ ସଶସ୍ତ୍ର ବାହିନୀ ହାୟତ ତାହରିର ଅଲ ଶାହମ(ଏଚଟିଏସ)ର ମୁଖ୍ୟ। ସିରଆର କମାଣ ଏବେ ଜୁଲାନୀ ହାତରେ । ସମୟ ଥିଲା ଏହି ସଂଗଠନ ଅଲକାଏଦା ଠାରୁ ପ୍ରଭାବିତ ହୋଇଥିଲା । ବର୍ତ୍ତମାନ ଏ ଗୋଷ୍ଠୀ ଜଗି ରଖି ବୟାନ ରଖୁଛି । ହେଲେ କୌଣସି ଆତଙ୍କବାଦୀ ସଂଗଠନ ହାତକୁ ଶାସନ ଭାର ଗଲେ ଯୁଦ୍ଧ ନିଆଁ ସୀମା ପାର ହେବା ଥୟ ।
ଅଧିକ ପଢ଼ନ୍ତୁ: ପେଜର ଆଟାକ୍ରେ ୪୦ ଜଣଙ୍କ ମୃତ୍ୟୁ, ନିଜକୁ ଦାୟୀ କଲା ଇସ୍ରାଏଲ
ସେହିପରି ୟେମେନରେ ସରକାରଙ୍କ ସହ ମେଣ୍ଟ ଓ ହୁତି ଗ୍ରୁପ୍ ମଧ୍ୟରେ ଚାଲିଥିବା ଗୃହଯୁଦ୍ଧ ସାରା ଦେଶକୁ ଦୁର୍ବଳ କରିପକାଇଛି । ୨୦୧୪ରୁ ୟେମେନରେ ଗୃହଯୁଦ୍ଧ ଚାଲିଥିବାବେଳେ ହୁତିମାନେ ଦେଶର ବିଭିନ୍ନ ଅଞ୍ଚଳକୁ ଦଖଲ କରିଛନ୍ତି । ଲକ୍ଷ ଲକ୍ଷ ଲୋକ ଦେଶ ଛାଡ଼ି ଅନ୍ୟ ଦେଶରେ ଶରଣ ନେଉଛନ୍ତି । ଅନ୍ୟ ଦେଶ ତୁଳନାରେ ଏଠାରେ ସ୍ଥିତି ଭୟଙ୍କର ନଥିଲେ ସୁଦ୍ଧା ଏଯାଏଁ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଇରାକର ସ୍ଥିତି କହିଲେ ନସରେ । ଦୁଇ ଦଶନ୍ଧି ପୂର୍ବରୁ ଆମେରିକାର ସେନା ଇରାକ ଉପରେ ଆକ୍ରମଣ କରିଥିଲା। ସେମାନଙ୍କର ଲକ୍ଷ୍ୟ ଥିଲା ସଦ୍ଦାମ ହୁସେନ୍ ଏବଂ ତାଙ୍କର ବିପଜ୍ଜନକ ଉଦ୍ଦେଶ୍ୟ । ଆମେରିକାର ଏୟାର ଷ୍ଟ୍ରାଇକ୍ ଯୋଗୁଁ ଇରାକ ବହୁ କ୍ଷତି ହୋଇଥିଲା । ଏହି ସଂଘର୍ଷରେ ହଜାର ହଜାର ଇରାକୀ ସୈନିକ ନିହତ ହୋଇଥିଲେ ଏବଂ ଅନେକ ବନ୍ଦୀ ହୋଇଥିଲେ ।
ଇରାକର ଅନେକ ତୈଳକୂପରେ ନିଆଁ ଲାଗିଯାଇଥିଲା ଯେଉଁଥିପାଇଁ ଇରାକକୁ ବହୁତ ଆର୍ଥିକ କ୍ଷତି ସହିବାକୁ ପଡିଥିଲା । ସଦ୍ଦାମଙ୍କୁ ମୃତ୍ୟୁଦଣ୍ଡ ମିଳିବା ସହିତ ଦେଶକୁ ଶାନ୍ତି ଫେରିବାର ଥିଲା, କିନ୍ତୁ ଆମେରିକାର ଗୋଟିଏ ଭୁଲ ସବୁ ବରବାଦ କରିଦେଲା । ଏହି କାରଣରୁ ସେଠାକାର ଜନତା ମଧ୍ୟ ଆମେରିକା ଉପରେ କ୍ଷୁବ୍ଧ ହୋଇଯାଇଥିଲେ । ଆଉ ସମସ୍ତେ ଜାଣନ୍ତି ଦେଶରେ ଅଶାନ୍ତି ସମୟରେ ବାହ୍ୟଶକ୍ତି ଓ ଦୃଷ୍ଟଶକ୍ତିର ପ୍ରାଦୁର୍ଭାବ ବଢ଼ିଯାଏ । ଏହାରି ମଧ୍ୟରେ ଇରାକର ଅନେକ ଉଗ୍ରବାଦୀ ସମୂହ ଗଠନ ସୃଷ୍ଟି ହୋଇଥିଲେ ଓ କ୍ଷମତା ଲୋଭରେ ନିଜ ନିଜ ମଧ୍ୟରେ ଲଢ଼େଇ ଆରମ୍ଭ କରିଦେଇଥିଲେ । ଫଳ ସ୍ୱରୂପ ଏତେ ବର୍ଷ ପରେ ମଧ୍ୟ ଦେଶ ସ୍ୱାଭାବିକ ହୋଇପାରିଲା ନାହିଁ।
କେଉଁ କେଉଁ ଦେଶରେ ଆତଙ୍କୀ ସଂଗଠନ ସକ୍ରିୟ ଅଛନ୍ତି ?
ଇସଲାମିକ୍ ଷ୍ଟେଟ୍ ଅଫ୍ ଇରାକ ଏବଂ ସିରିଆ (ଆଇଏସ୍), ଇରାକ ଏବଂ ସିରିଆରେ ପ୍ରଥମେ ଆତଙ୍କର ବୀଜ ବୁଣିଥିଲା । ସବୁଠାରୁ ବିପଜ୍ଜନକ ଆତଙ୍କବାଦୀ ସଂଗଠନ ଖୁବ କମ ସମୟ ମଧ୍ୟରେ ସାରା ବିଶ୍ୱକୁ ଆତଙ୍କିତ କରିପକାଇଥିଲା । ୨୦୧୭ ମସିହାରେ ଆମେରିକା ଏବଂ ଏହାର ମିତ୍ର ଦେଶ ଏହି ଆତଙ୍କୀ ସଂଗଠନକୁ ମୂଳପୋଛ କରିଦେଇଥିବା ଦାବି କରିଥିଲେ । କିନ୍ତୁ ବାସ୍ତବ କଥା ହେଲା ଆକ୍ରମଣରେ କେବଳ ଆଇଏସ୍ ହେଡକ୍ୱାଟର ହିଁ ଧ୍ୱଂସ ହୋଇଥିଲା । ଇସଲାମିକ୍ ଷ୍ଟେଟ୍ ବର୍ତ୍ତମାନ ଆଫ୍ରିକାରୁ କାର୍ଯ୍ୟ କରୁଛି। ସିରିଆ, ୟେମେନ ଏବଂ ଏହାର ଆଖପାଖ ଦେଶରେ ଅଲକାଏଦା ନିଜର ନେଟୱର୍କ ଦ୍ରୁତ ବେଗରେ ବଢ଼ାଇବାରେ ଲାଗିଛି । ଏହି ଆତଙ୍କୀ ସଂଗଠନ ଅଧୀନରେ ଅନେକ ଛୋଟ ଛୋଟ ସଂଗଠନ କାମ କରୁଛନ୍ତି । ଏହାର ମୂଳ ଉଦ୍ଦେଶ୍ୟ ବିଶ୍ୱରେ ଇସଲାମର ରାଜ, ଯାହାଦ୍ୱାରା ମାନବିକ ଅଧିକାର ମଧ୍ୟ ଉଲ୍ଲଂଘନ କରାଯାଉଛି ।
ସେହିପରି ଲେବାନନରେ ଅଛି ହିଜବୁଲ୍ଲା, ଇସ୍ରାଏଲକୁ ହଇରାଣ କରିବା ଏହି ସଂଗଠନର ଏକମାତ୍ର ଲକ୍ଷ୍ୟ । ଇରାନରୁ ଏହି ଗୋଷ୍ଠୀକୁ ସମର୍ଥନ ମିଳୁଛି । ଲେବାନନରେ ନିକଟରେ ହୋଇଥିବା ସିଜଫାୟାର ପରେ ବି ଏହି ଆତଙ୍କୀ ସଂଗଠନ ଗୋଟିଚାଳନା ଜାରି ରଖିଛି ।
ହମାସ ସଂଗଠନ ଇସ୍ରାଏଲରେ କରିଥିଲା ନରସଂହାର । ଇସ୍ରାଏଲର ଆକ୍ରମଣ ଓ ଧମକ ସତ୍ୱେ ଏବେ ସୁଦ୍ଧା ବନ୍ଧକଙ୍କୁ ମୁକ୍ତ କରିନି ହମାସ । ୟେମେନରେ ହୁତି ବିଦ୍ରୋହୀ, ଯାହାକୁ ସାଉଦି ଆରବରୁ ଫଣ୍ଡିଂ ମିଳୁଛି, ସେମାନଙ୍କର କାମ ନିଜ ଦେଶର ସରକାରଙ୍କୁ ହିଁ ଅସ୍ଥିର କରିବା । ଦେଶରେ ଅରାଜକଥା ସୃଷ୍ଟି କରିବା, ଯଦ୍ୱାରା ସାଉଦି ଆରବକୁ ଫାଇଦା ହେବ । ଏହାବ୍ୟତୀତ ଇରାକ ଏବଂ ସିରିଆରେ ସକ୍ରିୟ ଅଛନ୍ତି ଅନେକ ସୁନ୍ନି ଏବଂ ଶିଆ ମିଲିସିଆ ଗୋଷ୍ଠୀ । ଇରାନ ହିଁ ଏମାନଙ୍କୁ ପାଳିପୋଷି ରଖିଛି, ଯଦ୍ୱାରା ସମୟ ଆସିଲେ ଆମେରିକା ବିରୋଧରେ ଅସ୍ତ୍ର ଭାବରେ ପ୍ରୟୋଗ କରିପାରିବ ।
ପ୍ରଥମ ଦୁଇ ଯୁଦ୍ଧରେ ମଧ୍ୟପ୍ରାଚ୍ୟର ଭୂମିକା
ରଣନୀତିକ ଅବସ୍ଥାନ ଯୋଗୁଁ ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମଧ୍ୟପ୍ରାଚ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ୧୯୧୪ରେ ଆରମ୍ଭ ହୋଇଥିଲା ପ୍ରଥମ ବିଶ୍ୱଯୁଦ୍ଧ, ଯେଉଁଥିରେ ଅଟୋମନ ଅମ୍ପାୟାର ଜର୍ମାନୀ ଓ ହଙ୍ଗେରୀ ପରି ଶକ୍ତି ସହିତ ମେଣ୍ଟ କରିଥିଲା । ଏହାରି ମଧ୍ୟରେ ବ୍ରିଟେନ ଏବଂ ଫ୍ରାନ୍ସ ମିଡିଲ ଇଷ୍ଟର ଅଞ୍ଚଳଗୁଡ଼ିକୁ ନିଜ ମଧ୍ୟରେ ଭାଗ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ, ଆଉ ଏନେଇ ଇସ୍ରାଏଲ ସହ ଆଲୋଚନା ମଧ୍ୟ କରିଥିଲା ବ୍ରିଟେନ । ଅନ୍ୟପଟେ ଇରାକ ଉପରେ ଆକ୍ରମଣ କରି ବାଗଦାଦକୁ କବଜା କରିନେଇଥିଲା ବ୍ରିଟେନ । ଯୁଦ୍ଧ ପରେ ଅଟୋମନ ଅମ୍ପାୟାର ସମାପ୍ତ ହୋଇଥିଲା ଏବଂ ସରିଆ ଓ ଲେବାନନ୍ ପରି ନୂତନ ଦେଶ ଗଠନ ହେଲା ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବଡ ଶକ୍ତିମାନେ ତେଲ ପାଇଁ ଏହି ଅଞ୍ଚଳ ଉପରେ ଆକ୍ରମଣ କରି ଦଖଲ କରି ଚାଲିଥିଲେ। ଯୁଦ୍ଧ ଶେଷ ହେବା ପରେ ମଧ୍ୟ ଶୀତଳ ଯୁଦ୍ଧ ସମୟରେ ଏହି ଅଞ୍ଚଳର ଗୁରୁତ୍ୱ କମି ନଥିଲା ବରଂ ଏହା ବୃଦ୍ଧି ପାଇଥିଲା। ବଜାର ବୃଦ୍ଧି ପାଇଲା ଏବଂ ଭୌଗୋଳିକ ପ୍ରତିଯୋଗିତା ମଧ୍ୟ ବୃଦ୍ଧି ପାଇଲା । କେତେକ ଦେଶ ଆମେରିକାର ନିକଟତର ହୋଇଥିବାବେଳେ କେତେକ ଋଷର ସମର୍ଥନ କରୁଥିଲେ । ବର୍ତ୍ତମାନ ସୁଦ୍ଧା ସେଠାରେ ଚାଲିଥିବା ଅଶାନ୍ତିରେ ଏହି ଦୁଇ ଦେଶ ମଧ୍ୟ ନିଜ ନିଜ ସ୍ୱାର୍ଥ ଦେଖୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)