• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେଉଁଠି ଅଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ? କେମିତି ଅଛନ୍ତି ସେ? ତାଙ୍କ ଅନ୍ତର୍ଦ୍ଧାନ ପଛର କାରଣ କଣ? ତାଙ୍କୁ କ୍ଷମତାରୁ ଦୂରେଇ ରଖାଯାଇଛି କି? ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି କି ଜିନପିଙ୍ଗ୍? ତାଙ୍କୁ ନଜରବନ୍ଦୀ ରଖିଛି କି ଚୀନ୍ ସେନା ? ସୋସିଆଲ ମିଡିଆରେ ଜିନପିଙ୍ଗଙ୍କୁ ନେଇ ଏବେ ପ୍ରକାଶ ପାଉଛି ନାନା କଳ୍ପନାଜଳ୍ପନା । ବିଶ୍ୱ ସମୁଦାୟ ମଧ୍ୟ ଏହି ପ୍ରସଙ୍ଗ ଉପରେ ନଜର ରଖିଛନ୍ତି । ସୋସିଆଲ ମିଡିଆରେ ସି ଜିନପିଙ୍ଗଙ୍କୁ ଗାଦିଚ୍ୟୁତ ଓ ଗୃହବନ୍ଦୀ କରି ରଖିବା ଗୁଜବ ବିଜୁଳି ବେଗରେ ଭାଇରାଲ ହେଉଛି । ତେବେ ଏହା କେତେ ସତ, କେତେ ମିଛ? ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ । କାହିଁକିନା ଏହି ପ୍ରସଙ୍ଗରେ ନା ଚୀନ୍ ମିଡିଆ କିଛି କହୁଛି ନା ଚୀନ୍ ବୈଦେଶିକ ମନ୍ତ୍ରାଳୟ କୌଣସି ପ୍ରତିକ୍ରିୟା ରଖୁଛି ।

ଉଜବେକିସ୍ତାନର ସମରକନ୍ଦରେ ନିକଟରେ ଶେଷ ହୋଇଥିବା ସାଂଘାଇ କୋଅପରେସନ ଅର୍ଗାନାଇଜେସନ ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିବାବେଳେ ଚୀନ କମ୍ୟୁନିଷ୍ଟ ପାର୍ଟିର କିଛି ବରିଷ୍ଠ ନେତା ତାଙ୍କୁ ସେନାଧ୍ୟକ୍ଷ ପଦରୁ ହଟାଇ ଦେଇଥିବା ଚର୍ଚ୍ଚା ହେଉଛି । ତେବେ ସରକାରୀ ଭାବେ କୌଣସି ଏଭଳି ଘୋଷଣା କରାଯାଇନାହିଁ । ଅନ୍ୟ ପକ୍ଷରେ ଚୀନ କମ୍ୟୁନିଷ୍ଟ ପାର୍ଟି କିମ୍ବା ସରକାରୀ ଗଣମାଧ୍ୟମ ସଂସ୍ଥା ଦି ଗ୍ଲୋବାଲ ଟାଇମ୍ସ ପକ୍ଷରୁ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରାଯାଇଛି ।

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଙ୍କୁ ଗୃହବନ୍ଦୀ କରାଯିବା ଘଟଣାକୁ ଅଧିକରୁ ଅଧିକ ଲୋକ ସେୟାର କରୁଛନ୍ତି । ଚୀନର ସେନା ପିପୁଲସ ଲିବେରେସନ ଆର୍ମି ବା ପିଏଲ୍ଏ ଅଧ୍ୟକ୍ଷ ପଦରୁ ରାଷ୍ଟ୍ରପତି ସି ଜିନପିଙ୍ଗକୁ ହଟାଯାଇ, ତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା ଚର୍ଚ୍ଚା ହେଉଛି । ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ନିଜ ଟୁଇଟରରେ ଏ ସଂକ୍ରାନ୍ତୀୟ ଏକ ପୋଷ୍ଟ କରିଥିଲେ । ଯେଉଁଠି ସେ ମଧ୍ୟ ଜିନପିଙ୍ଗଙ୍କୁ ହାଉସ ଆରେଷ୍ଟ କରି ରଖାଯାଇଛି କି ନାହିଁ, ସେ ସଂକ୍ରାନ୍ତ ସତ ସାମ୍ନାକୁ ଆସିବା ଦରକାର ବୋଲି ଲେଖିଥିଲେ ।

ସୋସିଆଲ ମିଡିଆ ରେ ସି ଜିନପିଙ୍ଗକୁ ନେଇ ଅନେକ ଆଲୋଚନା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଆସନ୍ତା ମାସରେ ହେବାକୁ ଥିବା କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନାର ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଲାଗି ପାଖାପାଖି ୨୩ଶହ ଡେଲିଗେଟ ନିର୍ବାଚିତ ହୋଇଛନ୍ତି । କୁହାଯାଉଛି ଏହି ଅଧିବେଶନରେ ସି ଜିନପିଙ୍ଗଙ୍କୁ ତୃତୀୟ ଥର ଲାଗି ରାଷ୍ଟ୍ରପତି କରିବା ପାଇଁ ପ୍ରସ୍ତାବ ପାରିତ ହେବ ।

ଆସନ୍ତା ମାସରେ ହେବ କମ୍ୟୁନିଷ୍ଟ ପାର୍ଟି ଅଫ ଚୀନ୍ ବା ସିପିସି କଂଗ୍ରେସ । ଏହି ଅଧିବେଶନ ଲାଗି ନିର୍ବାଚିତ ହୋଇଛନ୍ତି ପ୍ରାୟ ୨ ହଜାର ୨୯୬ ପ୍ରତିନିଧି । ଫଳରେ ରେକର୍ଡ ତୃତୀୟ ଥର ଲାଗି ଜିନପିଙ୍ଗ ରାଷ୍ଟ୍ରପତି ହେବାକୁ ଯାଉଥିବା ସ୍ପଷ୍ଟ ହୋଇଛି । ଚୀନ୍ କମ୍ୟୁନିଷ୍ଟ ପାର୍ଟିର ନିୟମ ଅନୁସାରେ ପ୍ରତି ପାଞ୍ଚ ବର୍ଷରେ ରାଷ୍ଟ୍ରପତି ନିର୍ବାଚନ ହୋଇଥାଏ । ଆସନ୍ତା ଅକ୍ଟୋବର ୧୬ରେ ସିପିସିର ଅଧିବେଶନ ବସିବାକୁ ଯାଉଛି, ଯେଉଁମାନେ ପ୍ରତିନିଧି ଭାବେ ନିର୍ବାଚିତ ହୋଇଛନ୍ତି, ସେମାନେ ସମସ୍ତେ ଜିନପିଙ୍ଗଙ୍କ ସମର୍ଥକ ଥିବା କୁହାଯାଉଛି । ୬୯ ବର୍ଷୀୟ ଜିନପିଙ୍ଗ ଚଳିତ ବର୍ଷ ଏପ୍ରିଲରେ ହୋଇଥିବା କଂଗ୍ରେସକୁ ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିଲେ । ଦଳ ପକ୍ଷରୁ କୁହାଯାଇଛି, ଦଳରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି ଏବଂ ଦଳର ଆଭିମୁଖ୍ୟ ଓ ନୀତି ଯେପରି ବଳବତ୍ତର ରହିବ ସେଥିଲାଗି ପଦକ୍ଷେପ ନିଆଯାଇଛି ।

୪ ଦିନ ତଳେ ୩ ଜଣ ଦୁର୍ନୀତିଗ୍ରସ୍ତ ନିରାପତ୍ତା ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିବା ଜଣାପଡ଼ିଛି । ସିପିସି ଅଧିବେଶନ ପୂର୍ବରୁ ଏହି ଆକସ୍ମିକ ଦଣ୍ଡାଦେଶ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ପୂର୍ବତନ ଉପମନ୍ତ୍ରୀ ସୁନ୍ ଲିଜୁନ । ଜିନପିଙ୍ଗଙ୍କ ବିରୋଧରେ ସେ ରାଜନୈତିକ ଅଭିଯାନ ଚଳାଇଥିବା ସୂଚନା ମିଳିବା ପରେ ଦୁର୍ନୀତିକୁ ଆଧାର କରି ଏହି ଦଣ୍ଡାଦେଶ ଦିଆଯାଇଥିବା ଚର୍ଚ୍ଚା ହୋଇଛି । ସେହିପରି ପୂର୍ବତନ ଆଇନ ମନ୍ତ୍ରୀ ଫୁ ଝେଙ୍ଗହୁଆଙ୍କୁ ମଧ୍ୟ ସମାନ କାରଣକୁ ନେଇ ଦଣ୍ଡାଦେଶ ଦିଆଯାଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୧୨ରେ ଜିନପିଙ୍ଗ କ୍ଷମତାକୁ ଆସିବା ପରଠୁ ଦୁର୍ନୀତିରେ ଜଡ଼ିତ ପ୍ରାୟ ୧୦ ଲକ୍ଷ ମନ୍ତ୍ରୀ, ଅଫିସର, କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଣ୍ଡ ଦେଇଛନ୍ତି । ଶାସନ ଭାର ଗ୍ରହଣ କରିବା ଦିନଠାରୁ ହିଁ ସେ ରାଷ୍ଟ୍ରପତି ହେବା ସହ ସାମରିକ କ୍ଷମତାର ଏକଛତ୍ର ଅଧିକାରୀ ହୋଇଛନ୍ତି । ଇତିହାସ କହୁଛି, ୧୯୭୬ରେ ମାଓ ସେତୁଙ୍ଗଙ୍କ ମୃତ୍ୟୁ ପରଠାରୁ ପ୍ରତି ରାଷ୍ଟ୍ରପତି ସାଧାରଣତଃ ୧୦ ବର୍ଷ ଲେଖାଏଁ କ୍ଷମତାରେ ରହିଆସିଛନ୍ତି । ଏସବୁ ମଧ୍ୟରେ କିନ୍ତୁ ଜିନପିଙ୍ଗ ଗୃହବନ୍ଦୀ ହୋଇଥିବା ଖବର ପ୍ରସାରିତ ହେବା ପରେ ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହା ପୂର୍ବରୁ ଗତ ମେ ମାସରେ ମଧ୍ୟ ଚର୍ଚ୍ଚା ହେଉଥିଲା ଯେ, ଜିନପିଙ୍ଗ୍ ପଦ ଛାଡ଼ିପାରନ୍ତି କିମ୍ବା ତାଙ୍କୁ ପଦରୁ ହଟାଇ ଦିଆଯାଇପାରେ । ଏଭଳି ପରିସ୍ଥିତିରେ ଚୀନ ଉପରେ ଏବେ ସାରା ବିଶ୍ୱର ନଜର।