• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sukanti Rout

୪ ବର୍ଷର ବ୍ୟବଧାନ ପରେ ଡୋନାଲ୍ଡ ଜେ. ଟ୍ରମ୍ପ୍‌ ହ୍ୱାଇଟ୍‌ ହାଉସ୍‌କୁ ଫେରିଛନ୍ତି । ଏଥିପାଇଁ ତାଙ୍କୁ ଅନେକ ଘାତ ପ୍ରତିଘାତର ସାମ୍‌ନା କରିବାକୁ ପଡ଼ିଛି। ଅନେକ ବିବାଦ ଏବଂ ଆଇନଗତ ସମସ୍ୟାରେ ଛନ୍ଦିହେବା ସତ୍ତ୍ୱେ ଟ୍ରମ୍ପଙ୍କୁ ଆମେରିକାବାସୀ ପୁଣି ଥରେ ବିଶ୍ବାସ ଓ ଭରସା କରି ବିଜୟର ସ୍ବାଦ ଚଖାଇଲେ । ଯୁକ୍ତରାଷ୍ଟ୍ର ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଥିବା ଟ୍ରମ୍ପଙ୍କ ନିର୍ବାଚନୀ ସଫଳତା ପରେ ତାଙ୍କ ନିକଟକୁ ସାରା ବିଶ୍ବରୁ ଅଭିନନ୍ଦନର ସୁଅ ଛୁଟିଛି । କ୍ଷମତାକୁ ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ଥର ପ୍ରତ୍ୟାବର୍ତ୍ତନରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶରେ ଅନିଶ୍ଚିତତା ଓ ଧ୍ରୁବୀକରଣର ଏକ ନୂଆ ଯୁଗ ଆରମ୍ଭ ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି । ଟ୍ରମ୍ପଙ୍କ ବିଜୟ ଆମେରିକାର ବାଣିଜ୍ୟ, ଜଳବାୟୁ ପରିବର୍ତ୍ତନ ନୀତି, ୟୁକ୍ରେନ୍‌ ଯୁଦ୍ଧ, ଆମେରିକୀୟଙ୍କ ପାଇଁ ଟିକସ ବ୍ୟବସ୍ଥାରେ ସୁଧାର ଆସିବ ବୋଲି ଆଶା କରାଯାଉଛି ।

ଟ୍ରମ୍ପ୍‌ ଆମେରିକାର ସବୁଠାରୁ ବୟୋଜ୍ୟେଷ୍ଠ ରାଷ୍ଟ୍ରପତି

ଆଜି ପର୍ଯ୍ୟନ୍ତ ଆମେରିକା ରାଷ୍ଟ୍ରପତି ଭାବରେ ଯେତେଜଣ ଗାଦି ସମ୍ଭାଳିଛନ୍ତି, ସମସ୍ତଙ୍କ ଠାରୁ ଟ୍ରମ୍ପ ହଁ ବୟୋଜ୍ୟେଷ୍ଠ ରାଷ୍ଟ୍ରପତି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ଊନବିଂଶ ଶତାବ୍ଦୀରେ ଗ୍ରୋଭର କ୍ଲେଭେଲାଣ୍ଡଙ୍କ ପରେ ଦେଶର କୌଣସି ପୂର୍ବତନ ରାଷ୍ଟ୍ରପତି କ୍ଷମତାକୁ ଫେରି ନ ଥିଲେ। ଦ୍ୱିତୀୟ ଥର ପାଇଁ ବିଶ୍ୱର ସବୁଠୁ ପ୍ରଭାବଶାଳୀ ରାଜନେତା ହେବାର ସୌଭାଗ୍ୟ ଲାଭ ପରେ ଫ୍ଲୋରିଡାସ୍ଥିତ ପାମ୍‌ ବିଚ୍‌ କାଉଣ୍ଟି କନ୍‌ଭେନ୍ସନ ସେଣ୍ଟରରେ ଟ୍ରମ୍ପ୍‌ ନିଜ ସମର୍ଥକମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ଆମେରିକା ଆମକୁ ଏକ ଅଭୂତପୂର୍ବ ଓ ଶକ୍ତିଶାଳୀ ଜନାଦେଶ ଦେଇଛି। ଏହାର ଫଳ ଆପଣଙ୍କୁ ନିଶ୍ଚିତ ମିଳିବ।
 

ଅଧିକ ପଢ଼ନ୍ତୁ;ପଦାରେ ପଡ଼ିଲା ରାଜ୍ୟ କଂଗ୍ରେସ କନ୍ଦଳ; ବିଧାନସଭାରେ ୨ ବିଧାୟକ କଥା କଟାକଟି...
 

ଟ୍ରମ୍ପଙ୍କ ମନ୍ତବ୍ୟ ଭାରତ-ଆମେରିକା ବାଣିଜ୍ୟରେ ବାଧକ

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଇ ନିକଟରେ ଭାରତକୁ ‘ସବୁଠାରୁ ବଡ’ ଆମଦାନୀ ଶୁଳ୍କ ଲାଗୁ କରୁଥିବା ଦେଶ ବୋଲି କହି ଦୁଇ ଦେଶ ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପର୍କ ମଧ୍ୟରେ ବିବାଦ ସୃଷ୍ଟି କରିଛନ୍ତି। ଏପରି ବି ଏହି ପ୍ରସଙ୍ଗରେ ଭାରତର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଘରୋଇ ଶିଳ୍ପକୁ କ୍ଷତି ପହଞ୍ଚାଉ ନଥିବା ଉତ୍ପାଦ ଉପରେୁ ସେ ବର୍ଦ୍ଧିତ ଶୁଳ୍କ ପ୍ରତ୍ୟାହାର କରିପାରନ୍ତି। ଆମେ ସେହି ଉତ୍ପାଦଗୁଡିକ ଉପରୁ ବର୍ଦ୍ଧିତ ଶୁଳ୍କ ହଟାଇଦେବୁ, ଯଦି ଏହା ଉଦ୍ଦେଶ୍ୟମୂଳକ ଭାବେ କିମ୍ବା ଅଜାଣତରେ ଆମର ଉତ୍ପାଦନ କ୍ଷମତାକୁ କ୍ଷତି ପହଞ୍ଚାଇବ ନାହିଁ। ଘରୋଇ କମ୍ପାନୀଗୁଡିକର ସ୍ବାର୍ଥ ରକ୍ଷା କରିବା ଆମର ଦାୟିତ୍ବ ଏବଂ କେହି ଯେପରି ଅସୁବିଧାରେ ପଡ଼ିବେ ନାହିଁ, ସେଥିପ୍ରତି ଆମେ ବେଶ୍‌ ସତର୍କ ଏବଂ ସଚେତନ ରହିଛୁ। ଟ୍ରମ୍ପ ପୂର୍ବରୁ ବି ଅନେକ ଥର ଭାରତକୁ ସମାଲୋଚନା କରିଛନ୍ତି । ୨୦୨୦ମସିହାରେ ଭାରତକୁ ‘ଶୁଳ୍କ ରାଜା’ ବୋଲି ଆଖ୍ୟା ଦେଇଥିଲେ ଟ୍ରମ୍ପ।

ବିଶ୍ବରେ ଶାନ୍ତି ଫେରାଇବେ ନୂଆ ରାଷ୍ଟ୍ରପତି

ଡୋନାଲ୍ଡ ଟ୍ରମ୍ପ ପୁଣି ହ୍ବାଇଟ ହାଉସରେ ପ୍ରବେଶ କରିବାକୁ ଯାଉଛନ୍ତି। ତାଙ୍କ ବିଜୟ ଅଭିଭାଷଣରେ ସେ ସୂଚାଇ ଦେଇଛନ୍ତି ଯେ ଏକ ପ୍ରମୁଖ ନୀତିଗତ ନିଷ୍ପତ୍ତିରେ ସେ ବିଶ୍ୱରେ ଯୁଦ୍ଧ ସମାପ୍ତ କରିବାକୁ କାର୍ଯ୍ୟ କରିବେ ବୋଲି ଅର୍ଥନୀତିଜ୍ଞ ବିଶେଷଜ୍ଞ ଆଶା ପ୍ରକଟ କରିଛନ୍ତି । ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ଟ୍ରମ୍ପ ପ୍ରାଣପଣେ ଲାଗିବେ। ଟ୍ରମ୍ପ ତାଙ୍କ ବିଜୟ ଅଭିଭାଷଣରେ କହଛନ୍ତି ‘ମୁଁ ଯୁଦ୍ଧ ଆରମ୍ଭ କରିବି ନାହିଁ, ମୁଁ ଯୁଦ୍ଧ ବନ୍ଦ କରିବାକୁ ଯାଉଛି । ମୋର ପୂର୍ବ ସରକାର ସମୟରେ କୌଣସି ଯୁଦ୍ଧ ନଥିଲା, ଏହା ବ୍ୟତୀତ ଆମେ ଆଇଏସଆଇଏସକୁ ପରାସ୍ତ କରିଛୁ । ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ଟ୍ରମ୍ପ ତାଙ୍କର କାର୍ଯ୍ୟକାଳ ସମୟରେ ସିଙ୍ଗାପୁରରେ ଐତିହାସିକ ଶିଖର ସମ୍ମିଳନୀରେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋଙ୍ଗ ଉନଙ୍କ ସହ ହାତ ମିଳାଇଥିଲେ ।

ଜାନୁଆରୀ ୨୦ ପୂର୍ବରୁ ବିଦେଶୀ ଛାତ୍ର ଏବଂ କର୍ମଚାରୀଙ୍କୁ ଫେରିବାକୁ ଟ୍ରମ୍ପଙ୍କ ପରାମର୍ଶ

ଆମେରିକାର ଉଚ୍ଚଶିକ୍ଷା ପ୍ରତିଷ୍ଠାନର ବିଦେଶୀ ଛାତ୍ର ଏବଂ କର୍ମଚାରୀଙ୍କୁ ଜାନୁଆରୀ ୨୦ ପୂର୍ବରୁ ଶୀତକାଳିନ ଅବକାଶରୁ ଫେରିବାକୁ ପରାମର୍ଶ ଦେଇଛନ୍ତି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏମ୍‌ଆଇଟି) ସମେତ ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଏହି ପରାମର୍ଶ ଟ୍ରମ୍ପ ପ୍ରଶାସନ ବେଆଇନ ପ୍ରବାସୀ ଭାରତୀୟଙ୍କ ଦେଶାନ୍ତର ଉପରେ ଆଲୋଚନା କରୁଥିବାବେଳେ ଆସିଛି। ଅନୁମାନ କରାଯାଉଛି ଯେ ଦେଶରେ ଏକ କୋଟିରୁ ଅଧିକ ବେଆଇନ ପ୍ରବାସୀ ଅଛନ୍ତି। ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଆମେରିକାରେ ୧.୧ ମିଲିୟନ ଆନ୍ତର୍ଜାତୀୟ ଛାତ୍ର ଅଛନ୍ତି। ଏଥିମଧ୍ୟରୁ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ। ଭାରତୀୟଙ୍କ ସଂଖ୍ୟା ୩ ଲକ୍ଷ ତିରିଶ ହଜାର ବୋଲି ଜଣାପଡ଼ିଛି। ଏମଆଇଟି ପକ୍ଷରୁ କୁହାଯାଇଛି ଯେ, ଯେଉଁମାନଙ୍କର ବୈଧ ଭିସା ଅଛି, ସେମାନେ ଟ୍ରମ୍ପ ପ୍ରଶାସନ ଦ୍ୱାରା କୌଣସି ଭିସା ପ୍ରତିବନ୍ଧକ ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ନାହିଁ । ତେଣୁ କିଛି ଦ୍ବନ୍ଦ୍ବ ବା ଭୟଭୀତ ହେବାର ନାହିଁ। ୨୦୧୭ରେ ଟ୍ରମ୍ପ ପ୍ରଶାସନର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରାଯାଉଥିବା ବିଶେଷଜ୍ଞ ମତ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଟ୍ରମ୍ପ ପ୍ରଶାସନ ୨୭ ଜାନୁୟାରୀ ୨୦୧୭ରେ ଏକ କାର୍ଯ୍ୟନିର୍ବାହୀ ଆଦେଶ ଜାରି କରି ୭ଟି ମୁସଲମାନ ଦେଶରୁ ପ୍ରବାସୀ ତଥା ଅଣ-ପ୍ରବାସୀ ଯାତ୍ରୀଙ୍କୁ ୯୦ ଦିନ ପାଇଁ ଆମେରିକାରେ ପ୍ରବେଶ କରିବାକୁ ବାରଣ କରିଥିଲା।

ବନ୍ଧକଙ୍କୁ ମୁକ୍ତ ନକଲେ ପରିଣାମ ଭୟଙ୍କର ହେବ

ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୧,୨୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବାବେଳେ ୨୫୦ରୁ ଅଧିକ ଲୋକଙ୍କୁ ବନ୍ଧକ ରଖାଯାଇଥିଲା। ମିଳିଥିବା ରିପୋର୍ଟ ଅନୁସାରେ, ପ୍ରାୟ ୧୦୦ ଜଣ ହମାସରେ ବନ୍ଦୀ ଜୀବନ କାଟୁଛନ୍ତି। ହମାସ ଆକ୍ରମଣର ଜବାବରେ ଇସ୍ରାଏଲ ଗାଜାରେ ହମାସ ବେସକୁ ଟାର୍ଗେଟ କରି ପ୍ରତିଶୋଧ ପରାୟଣ କରିଥିଲା। ଇସ୍ରାଏଲର ପ୍ରତିଶୋଧ ଯୋଗୁ ଗାଜାରେ ୪୫,୦୦୦ରୁ ଅଧିକ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ହୋଇଛି। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଯଦି ଜାନୁୟାରୀ ୨୦, ୨୦୨୫ ପୂର୍ବରୁ ବନ୍ଧକଙ୍କୁ ମୁକ୍ତ କରାଯିବନାହିଁ, ତା’ହେଲେ ସେମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡିବ। ଏହାର ପରିଣତି ଭୟଙ୍କର ହୋଇପାରେ ବୋଲି ଚେତାବନୀ ଦେଇଛନ୍ତି।

ଦୁଇ ଦଶନ୍ଧି ମଧ୍ୟରେ ଆମେରିକା ସାଧାରଣ ନିର୍ବାଚନରେ ପପୁଲାର ଭୋଟ ପାଇ କ୍ଷମତାକୁ ଫେରିବାରେ ଟ୍ରମ୍ପ୍‌ ହେଉଛନ୍ତି ପ୍ରଥମ ରିପବ୍ଲିକାନ୍‌ ରାଷ୍ଟ୍ରପତି। ଆମେରିକା ସବୁକ୍ଷେତ୍ରରେ ପରିବର୍ତ୍ତନ ହେବ ବୋଲି ଏହାର ବାସିନ୍ଦା ଆଶାବାନ୍ଧି ବସିଛନ୍ତି। ସମୟ ହିଁ କହିବ, ଆମେରିକାବାସୀଙ୍କ ଆଶା କେତେ ଫଳବତୀ ହେବ ।

E-mail id: serveforthenation@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

 

OTV is now on Whatsapp

Join and get latest news update delivered to you via whatsapp

Join Now