ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ଏବେ ବି ଏନେଇ ସସପେନ୍ସ ଜାରି ରହିଥିବା ବେଳେ ଆସନ୍ତା ଡିସେମ୍ବର ୫ରେ ମୁମ୍ବାଇ ଆଜାଦ ମୈଦାନରେ ନୂଆ ସରକାର ଶପଥ ଗ୍ରହଣ କରିବ ବୋଲି ସୂଚନା ମିଳିଛି । ଏଥିପାଇଁ ଆସନ୍ତା ଡିସେମ୍ବର ୨ରେ ବିଜେପି ବିଧାୟକ ଦଳ ବୈଠକ ବସିବ । ନିର୍ବାଚନ ଫଳ ଘୋଷଣାକୁ ସପ୍ତାହେ ବିତି ଥିଲେ ବି ମହାୟୁତିର କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ଏଯାଏଁ ସ୍ପଷ୍ଟ ହୋଇନି ।
Also Read
ଏସବୁ ଭିତରେ ଏକନାଥ ସିନ୍ଦେ ନିଜ ଗାଁକୁ ପଳାଇଥିବାରୁ ଦିଲ୍ଲୀରେ ମହାୟୁତି ମେଣ୍ଟ ବୈଠକ ହୋଇପାରିନାହିଁ । ସେପଟେ ସିନ୍ଦେଙ୍କ ଶିବସେନା ଗୃହ ମନ୍ତ୍ରଣାଳୟ, ଅର୍ଥ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ନିଜ ପାଖରେ ରଖିବାକୁ ଦାବି କରିଥିବା ସୂଚନା ମିଳିଛି । ତେବେ ଏଯାଏଁ ମହାରାଷ୍ଟ୍ର ନୂଆ ସରକାରର କିଏ ହେବ ମୁଖ୍ୟମନ୍ତ୍ରୀ ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ଅଧିକ ପଢ଼ନ୍ତୁ: ଗରିବର ଖାଦ୍ୟ 'ଆଳୁ' ପାଲଟିଛି ରାଜନୈତିକ ଅସ୍ତ୍ର, ଜାଣନ୍ତୁ ଓଡ଼ିଶାକୁ ଆଳୁ ବନ୍ଦ ପଛର ଅସଲ ରାଜନୀତି
ମହାରାଷ୍ଟ୍ରରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚାଲିଥିବା ସସ୍ପେନ୍ସ ମଧ୍ୟରେ ଗତ ନଭେମ୍ବର ୨୬ରେ ମୁଖ୍ୟମନ୍ତ୍ରୀ ପଦରୁ ଏକନାଥ ସିନ୍ଦେ ଇସ୍ତଫା ଦେଇଥିଲେ । ଏକନାଥ ସିନ୍ଦେ ରାଜ ଭବନ ଯାଇ ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କ ନିକଟରେ ଇସ୍ତଫା ଦାଖଲ କରିଥିଲେ । ମହାୟୁତିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ ଏକନାଥ । ଇସ୍ତଫା ଦେବା ସମୟରେ ସିନ୍ଦେଙ୍କ ସହ ଡେପୁଟି ସିଏମ୍ ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉପସ୍ଥିତ ଥିଲେ । ଏକନାଥ ସିନ୍ଦେଙ୍କ ସହ ତାଙ୍କ ପୂରା ମନ୍ତ୍ରିମଣ୍ଡଳ ମଧ୍ୟ ଇସ୍ତଫା ଦେଇଥିଲେ ।
ସୂଚନା ଅନୁସାରେ ମହାରାଷ୍ଟ୍ରରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟର ମହାବିଜୟ ହୋଇଥିଲା । ମୋଟ ୨୮୮ ଆସନରୁ ମହାୟୁତି ମେଣ୍ଟକୁ ୨୩୦ ସିଟ୍ ମିଳିଥିବା ବେଳେ ବିଜେପି ଏକାକୀ ଜିତିଛି ୧୩୨ ସିଟ୍ । ମହାରାଷ୍ଟ୍ରରେ ଲଗାତାର ତୃତୀୟ ଥର ପାଇଁ ସର୍ବବୃହତ ଦଳ ଭାବେ ଉଭା ହୋଇଛି ବିଜେପି । ସେପଟେ ମାତ୍ର ୫୧ ଆସନ ସହ ମହାବିପର୍ଯ୍ୟୟର ସାମ୍ନା କରିଛି ମହାବିକାଶ ଅଘାଡ଼ି । ଭୋଟ୍ ସେୟାରରେ ଷଷ୍ଠ ସ୍ଥାନକୁ ଖସିଯାଇଛି ଉଦ୍ଧବ ସେନା । ଗୋଆ, ଗୁଜରାଟ, ହରିୟାଣା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ପରେ ଷଷ୍ଠ ରାଜ୍ୟଭାବେ ତୃତୀୟ ଥର କ୍ଷମତାକୁ ଆସିଛି ବିଜେପି । ମହାରାଷ୍ଟ୍ରରେ ନିଜର ୨୦୧୪ ଓ ୨୦୧୯ ରେକର୍ଡକୁ ଭାଙ୍ଗିଛି ପଦ୍ମ । ମହାୟୁତି ୨ଶହରୁ ଅଧିକ ସିଟ୍ ଜିତିଥିବାରୁ, ୧୯୭୨ ମସିହା ପରେ ମହାରାଷ୍ଟ୍ରରେ ପ୍ରାକ୍-ନିର୍ବାଚନୀ ମେଣ୍ଟ ପାଇଁ ଏହା ସର୍ବବୃହତ୍ ବିଜୟ ।
ଅଧିକ ପଢ଼ନ୍ତୁ: କର୍ମୀଙ୍କୁ ଝିଅ-ବୋହୂର ପାଠ ପଢ଼ାଇଲେ ମୋଦି, କହିଲେ ...
ମହାୟୁତିର ମହା ବିଜୟ ପରେ ଏବେ ସବୁଠି ଗୋଟିଏ କଳ୍ପନା ଜଳ୍ପନା ଲାଗି ରହିଛି । କିଏ ହେବ 'ମହା' ମୁଖ୍ୟମନ୍ତ୍ରୀ ? ସିଏମ୍ ଓ ଡେପୁଟିଙ୍କ ମଧ୍ୟରେ ହେବ କି ଗାଦି ଅଦଳବଦଳ ? ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ଅଛନ୍ତି ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ରରେ ବିଜେପିର ସେନାପତି ଦେବେନ୍ଦ୍ର ଫଡ଼ନାଭିସ୍ । କର୍ପୋରେଟରରୁ ନାଗପୁରର ସର୍ବକନିଷ୍ଠ ମେୟର ଏବଂ ୨୦୧୪ରେ ମହାରାଷ୍ଟ୍ରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ। କୁହାଯାଏ, ୨୦୨୨ ସତ୍ତାପଲଟ୍ ପଛରେ ବି ଥିଲା ଦେବେନ୍ଦ୍ର ଫଡ଼ନାଭିସଙ୍କ ପ୍ରମୁଖ ଭୂମିକା । ଏସବୁ ସତ୍ତ୍ବେ ସେତେବେଳେ ଡେପୁଟି ସିଏମ୍ ପଦ ପାଇଁ ରାଜି ହୋଇ, ଦଳକୁ କ୍ଷମତାକୁ ଆଣିବାକୁ ସେ ବଡ଼ ବଳିଦାନ ଦେଇଥିବା ଚର୍ଚ୍ଚା ହୁଏ ।