/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745311082.jpg)
Bangladesh
ବାଂଲାଦେଶରେ ପୁଣି ସଂଖ୍ୟାଲଘୁ ହିନ୍ଦୁଙ୍କୁ ଟାର୍ଗେଟ । ଶେଖ ହସିନା କ୍ଷମତାରୁ ଯିବା ପରେ ଏହି ଧାରା ଲାଗି ରହିଛି । ଜଣକ ପରେ ଜଣେ ହିନ୍ଦୁ ନେତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଉଛି । ଖାଲି ହିନ୍ଦୁମାନଙ୍କୁ ନୁହେଁ, ହିନ୍ଦୁ ଧର୍ମପୀଠ ଉପରେ ବି ଆକ୍ରମଣ କରାଯାଉଛି । ମଧ୍ୟବର୍ତ୍ତୀକାଳୀନ ୟୁନୁସ ସରକାର ହିନ୍ଦୁମାନେ ବଂଲାଦେଶରେ ସୁରକ୍ଷିତ ଥିବା ପ୍ରଚାର କରୁଥିବାବେଳେ ଗତ ଗୁରୁବାର ପୁଣି ଜଣେ ହିନ୍ଦୁ ଜନନେତାଙ୍କୁ ହତ୍ୟା କରାଯାଇଛି ।
ଉତ୍ତର ବଂଲାଦେଶର ଦିନାଜପୁର ଜିଲ୍ଲାରେ ପୁଣି ଜଣେ ହିନ୍ଦୁ ସଂପ୍ରଦାୟର ପ୍ରମୁଖ ନେତାଙ୍କୁ ଘରୁ ଘୋଷାରି ନେଇ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଏହି ନେତାଙ୍କ ନାମ ଭବେଶ ଚନ୍ଦ୍ର ରାୟ । ଭବେଶଙ୍କ ହତ୍ୟା କେବଳ ସଂଖ୍ୟାଲଘୁଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିନି ବରଂ ଭାରତ-ବାଂଲାଦେଶ କୂଟନୈତିକ ସମ୍ପର୍କରେ ତିକ୍ତତା ସୃଷ୍ଟି କରିଛି । ୫୮ ବର୍ଷୀୟ ଭବେଶ ଚନ୍ଦ୍ର ରାୟ ବାଂଲାଦେଶ ପୂଜା ଉଦ୍ୟାପନ ପରିଷଦ ବିରାଳ ୟୁନିଟର ଉପାଧ୍ୟକ୍ଷ ଥିଲେ । ଗୁରୁବାର ସନ୍ଧ୍ୟାରେ ତାଙ୍କୁ ଘରୁ ଅପହରଣ କରାଯାଇଥିଲା ଏବଂ ପରେ ନିର୍ମମ ଭାବେ ପିଟି ପିଟି ହତ୍ୟା କରାଯାଇଥିଲା ।
ଭବେଶଙ୍କ ପତ୍ନୀ ଶାନ୍ତନାଙ୍କ କହିବା ଅନୁଯାୟୀ, ଅପରାହ୍ନ ପ୍ରାୟ ୪.୩୦ରେ ଏକ ଫୋନ କଲ ଆସିଲା । ସେ ଘରେ ଅଛନ୍ତି କି ନାହିଁ ଜାଣିବା ପାଇଁ ବୋଧହୁଏ ଏହି କଲ ଆସିଥିଲା । ଏହାର ପାଖାପାଖି ୩୦ ମିନିଟ ସମୟରେ ମୋଟର ସାଇକେଲରେ ୪ଜଣ ଅଜ୍ଞାତ ବ୍ୟକ୍ତି ଆସିଥିଲେ ଏବଂ ଭବେଶଙ୍କୁ ଘରୁ ଜୋର୍ ଜବରଦସ୍ତ ନେଇ ପଳାଇଥିଲେ । ପରେ ଭବେଶଙ୍କ ମୃତଦେହ ନାରାବାରୀ ଗାଁରୁ ଉଦ୍ଧାର କରାଯାଇଥିଲା ।
ଅଧିକ ପଢ଼ନ୍ତୁ: ଆମେରିକା-ଚୀନ ସମ୍ପର୍କରେ ତିକ୍ତତା...ଫାଇଦାରେ ଭାରତ
ପୋଲିସ ଘଟଣାର ଯାଞ୍ଚ କରିବା ପରେ ଭବେଶଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛି । ଏହା ଏକ ସଂଗଠିତ ଷଡଯନ୍ତ୍ର ବୋଲି ମଧ୍ୟ ପୋଲିସ ସ୍ୱୀକାର କରିଛି ।
ଭୟ ଏବଂ ଅନିଶ୍ଚିତତା ଭିତରେ ହିନ୍ଦୁ ସଂପ୍ରଦାୟ
ଭବେଶ ରାୟଙ୍କ ମୃତ୍ୟୁ ପରେ ବାଂଲାଦେଶରେ ହିନ୍ଦୁ ସଂପ୍ରଦାୟ ଭୟଭୀତ ହୋଇ ପଡିଛନ୍ତି । ବାହାରକୁ ବାହାରିବା ପାଇଁ ବି ସେମାନେ ଭୟ କରୁଛନ୍ତି । ଭବେଶଙ୍କ ପରିଚିତ ଏବଂ ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ଭବେଶ ସବୁବେଳେ ସାମାଜିକ ସୌହାର୍ଦ୍ଦ୍ୟ ଏବଂ ଧାର୍ମିକ ସଦ୍ଭାବନା ସପକ୍ଷରେ ଥିଲେ । ପୂଜା ଆୟୋଜନଠାରୁ ଆରମ୍ଭ କରି ସାମାଜିକ ସେବାରେ ତାଙ୍କର ସକ୍ରିୟ ଭୂମିକା ତାଙ୍କୁ ଏକ ଲୋକପ୍ରିୟ ଜନନେତାର ପରିଚୟ ଦେଇଥିଲା । ସେଥିପାଇଁ ତାଙ୍କୁ ଟାର୍ଗେଟ କରାଯାଇଥିଲା ।
ଏହା ପୂର୍ବରୁ ଏକାଧିକ ହିନ୍ଦୁ ନେତାଙ୍କୁ ହତ୍ୟା
ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସୁରକ୍ଷିତ ନାହାନ୍ତି । ଭବେଶ ରାୟଙ୍କ ପୂର୍ବରୁ ଏକାଧିକ ହିନ୍ଦୁ ନେତାଙ୍କ ହତ୍ୟା ଘଟଣା ଏହା ପ୍ରମାଣିତ କରିଛି ।
ହାରାଧନ ରାୟ: ହାରାଧନ ରାୟ ରଙ୍ଗପୁର ସିଟି କର୍ପୋରେସନ ବୋର୍ଡ ନଂ- ୪ର କାଉନସିଲର୍ ଥିଲେ ଏବଂ ଆୱାମୀ ଲିଗର ସଦସ୍ୟ ବି ଥିଲେ । ଅଗଷ୍ଟ ୨୦୨୪ରେ ଶେଖ ହସିନା ସରକାରଙ୍କ ପତନ ପରେ ହୋଇଥିବା ହିଂସାରେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ଘଟଣା ରଙ୍ଗପୁରରେ ଘଟିଥିଲା । ହିନ୍ଦୁ ସମୁଦାୟ ବିରୋଧରେ ଏହା ଏକ ଟାର୍ଗେଟ ଆଟାକ ଥିଲା ବୋଲି କୁହାଯାଏ ।
କାଜଲ ରାୟ: କାଜଲ ରାୟ ରଙ୍ଗପୁରର ଜଣେ ହିନ୍ଦୁ କାଉନସିଲର୍ ଥିଲେ । ଅଗଷ୍ଟ ୨୦୨୪ରେ ବିରୋଧ ପ୍ରଦର୍ଶନ ସମୟରେ ତାଙ୍କୁ ହତ୍ୟା କରାଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ତାଙ୍କୁ ସର୍ବସମ୍ମୁଖରେ ପିଟି ପିଟି ହତ୍ୟା କରା ଯାଇଥିଲା। ଶେଖ୍ ହସିନାଙ୍କ ଇସ୍ତଫା ପରେ ସଂଖ୍ୟାଲଘୁଙ୍କ ଉପରେ ଲଗାତାର ଆକ୍ରମଣ କରାଯାଉଥିଲା । ସେହି ସମୟରେ କାଜଲ ରାୟ ଏହି ଆକ୍ରମଣର ଶିକାର ପାଲଟିଥିଲେ ।
ପ୍ରଣବ ଘୋଷ: ୨୦୨୪ ହିଂସା ସମୟରେ ପ୍ରଣବ ଘୋଷଙ୍କୁ ହତ୍ୟା କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ, ସେ ମଧ୍ୟ ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସାର ଶିକାର ହୋଇଥିଲେ ।
ରାଜେଶ୍ୱର ଦାସ: ରାଜେଶ୍ୱର ଦାସଙ୍କ ହତ୍ୟା ମଧ୍ୟ ୨୦୨୪ ଦଙ୍ଗାରେ ହୋଇଥିଲା । ବଂଲାଦେଶରେ ଚାଲିଥିବା ହିନ୍ଦୁ ବିରୋଧୀ ହିଂସାର ଶିକାର ହୋଇଥିଲେ ରାଜେଶ୍ୱର ଦାସ ।
ଭବେଶଙ୍କ ହତ୍ୟା ଘଟଣାକୁ ନେଇ ଭାରତର ପ୍ରତିକ୍ରିୟା
ଭବେଶଙ୍କ ହତ୍ୟାକୁ ଭାରତ ନିନ୍ଦା କରିଛି । ଏହି ଘଟଣା ଉପରେ ଭାରତ କଡା ପ୍ରତିକ୍ରିୟା ପ୍ରକାଶ କରିବା ସହ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ କଡା ସମାଲୋଚନା କରିଛି । ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ରଣଧୀର ଜୟସ୍ୱାଲ କହିଛନ୍ତି, ‘ଏହି ହତ୍ୟା ବାଂଲାଦେଶର ହିନ୍ଦୁ ସଂଖ୍ୟାଲଘୁଙ୍କ ପ୍ରତି ଯୋଜନାବଦ୍ଧ ଉତ୍ପୀଡନ ମାନସିକତାକୁ ସାମ୍ନାକୁ ଆଣିଛି । ଏହା ପୂର୍ବରୁ ଏପରି ଅନେକ ଘଟଣା ଘଟିଥିଲେ ହେଁ ଏହାର ଅପରାଧୀଙ୍କୁ କୌଣସି ଦଣ୍ଡ ମିଳିନାହିଁ । ‘
ଏପରି ସ୍ଥିତିରେ କୌଣସି ଭେଦଭାବ ନ ରଖି ନିଜର ସମସ୍ତ ନାଗରିକଙ୍କ ସୁରକ୍ଷା ଦାୟିତ୍ୱ ତୁଲାଉ ବୋଲି ଭାରତ ବାଂଲାଦେଶ ସରକାରଙ୍କୁ ଚେତାବନୀ ଦେଇଛି । ଜୟସ୍ୱାଲଙ୍କ କହିବା ଅନୁଯାୟୀ, ଆମେ ଏହି ଘଟଣାର ନିନ୍ଦା କରିବା ସହ ଢାକାର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ଅନୁରୋଧ କରୁଛି ଏହି ଘଟଣାର ନିରପେକ୍ଷ ଏବଂ ତୁରନ୍ତ ତଦନ୍ତ କରାଯାଉ ।’
ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ହତ୍ୟା ଘଟଣାକୁ ନେଇ କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ କହିଛନ୍ତି, ଗତ ୨ମାସ ମଧ୍ୟରେ ବାଂଲାଦେଶରେ ହିନ୍ଦୁ ସଂପ୍ରଦାୟ ଉପରେ ୭୬ ଥର ଆକ୍ରମଣ ହେଲାଣି । ଏଥିରେ ୨୩ ଜଣଙ୍କ ମୃତ୍ୟୁ ଘଟିଲାଣି । ଏହି ତଥ୍ୟ ନିଜେ ସରକାର ସଂସଦରେ ଦେଇଛନ୍ତି ।
କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି, ‘ଏପରି ଘଟଣା ପଡୋଶୀ ବାଂଲାଦେଶରେ ପ୍ରଥମଥର ପାଇଁ ଘଟୁନି । ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଲଗାତାର ଆକ୍ରମଣ ବହୁତ ଚିନ୍ତାଜନକ ଅଟେ । ମନ୍ଦିରକୁ ଅପବିତ୍ର କରିବା ଏବଂ ଘର ଉପରେ ଆକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଭାରତ ସରକାର ସକ୍ରିୟ କୂଟନୈତିକ ହସ୍ତକ୍ଷେପ କରିବା ଦରକାର । ଯାହାଫଳରେ ବାଂଲାଦେଶ ସରକାରଙ୍କ ଉପରେ ଚାପ ପଡିବ ଏବଂ ସେ ଏପରି କାର୍ଯ୍ୟ ବିରୋଧରେ କଡା ପଦକ୍ଷେପ ନେବେ ।’
ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭବେଶ ରାୟଙ୍କୁ ହତ୍ୟା ଏବଂ ଏହା ପରେ ଦେଖା ଦେଇଥିବା ବିବାଦ ଭାରତ-ବାଂଲାଦେଶ ସମ୍ପର୍କକୁ ଏକ ନୂଆ ବିବାଦପୂର୍ଣ୍ଣ ମୋଡରେ ପହଞ୍ଚାଇ ଦେଇଛି । ଶେଖ ହସିନାଙ୍କୁ କ୍ଷମତାରୁ ହଟାଇବା ଏବଂ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳନୀ ସରକାର ଗଠନ ହେବା ଘଟଣାକୁ ଭାରତ ଆରମ୍ଭରୁ ସତର୍କତାର ସହ ଦେଖୁଛି ।
ମହମ୍ମଦ ୟୁନୁସଙ୍କୁ କ୍ଷମତାରୁ ହଟାଅ: ତସଲିମା ନସରିନ
ଏହି ଘଟଣାକୁ ନେଇ ପ୍ରସିଦ୍ଧ ଲେଖିକା ତଥା ମାନବାଧିକାର କର୍ମକର୍ତ୍ତା ତସଲିମା ନସରିନ ଘଟଣାର କଡା ନିନ୍ଦା କରିଛନ୍ତି । ସେ ଏକ ବୟାନ ଦେଇ ମହମ୍ମଦ ୟୁନୁସୁଙ୍କୁ କଡା ନିନ୍ଦା କରିଛନ୍ତ । ଏପରିକି ୟୁନୁସ ଯେତେଦିନ ଯାଏ କ୍ଷମତାରେ ରହିବେ ସେତେଦିନ ଯାଏ ବାଂଲାଦେଶରେ ହିନ୍ଦୁ ସୁରକ୍ଷିତ ରହିବେ ନାହିଁ ବୋଲି ସେ କହିଛନ୍ତି । ଭବେଶ ରାୟଙ୍କ ହତ୍ୟା ଘଟଣାକୁ ନେଇ ତସଲିମା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ‘ହିନ୍ଦୁ ନେତା ଭବେଶ ଚନ୍ଦ୍ର ରାୟଙ୍କୁ ତାଙ୍କର ଘରୁ ଜବରଦସ୍ତ ଆଣି ପିଟି ପିଟି ହତ୍ୟା କରାଗଲା । ଆମେ ଜାଣୁ ହତ୍ୟାକାରୀ କିଏ । ୟୁନୁସ ହିନ୍ଦୁ ହତ୍ୟାକାରୀଙ୍କ ବିରୋଧରେ କୌଣସି ପଦକ୍ଷେପ ନେଉ ନାହାନ୍ତି । ସେ ପ୍ରଚାର କରୁଛନ୍ତି, ବାଂଲାଦେଶରେ ହିନ୍ଦୁମାନେ ଠିକ ଅଛନ୍ତି ଏବଂ ହିନ୍ଦୁଙ୍କ ଉପରେ ଅତ୍ୟାଚାର କରାଯାଉଥିବା ଖବର ଭାରତ ପକ୍ଷରୁ ପ୍ରଚାର କରାଯାଉଛି ଯାହା ସମ୍ପୂର୍ଣ୍ଣ ମିଛ । ୟୁନୁସ ଯଦି ଅଧିକ ସମୟ କ୍ଷମତାରେ ରୁହନ୍ତି ତେବେ ବଂଲାଦେଶରେ ହିନ୍ଦୁ ସମ୍ପୂର୍ଣ୍ଣ ଶେଷ ହୋଇଯିବେ । ହିନ୍ଦୁମାନଙ୍କୁ ବଞ୍ଚାଇବାକୁ ହେଲେ ୟୁନୁସଙ୍କୁ କ୍ଷମତାରୁ ହଟାଇବାକୁ ପଡିବ । ’
ତସଲିମାଙ୍କର ଏହି ବୟାନ ସାମ୍ନାକୁ ଆସିବା ପରେ ବାଂଲାଦେଶ ସମେତ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଏକ ନୂଆ ବିତର୍କ ଆରମ୍ଭ ହୋଇଯାଇଛି । ଏହା ପୂର୍ବରୁ ମଧ୍ୟ ତସଲିମା ମୌଳାବାଦୀ ଏବଂ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉଠାଇ ଆସିଥିଲେ ।
(ବି.ଦ୍ର. - ଏହି ଆଲେଖ୍ୟରେ ଥିବା ସମସ୍ତ ଆଲୋଚନା ଲେଖିକାଙ୍କ ନିଜସ୍ୱ ମତ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)