Advertisment

Healthy Mahaprasad: ସ୍ୱାସ୍ଥ୍ୟକର ମହାପ୍ରସାଦ ପାଟିକୁ ସୁଆଦ ଯେମିତି, ଦେହକୁ ହିତ ବି ସେମିତି

ଜାଣନ୍ତି କି, ଆମ ମହାପ୍ରଭୁଙ୍କ ଭୋଗ ମହାପ୍ରସାଦର ଅବଢ଼ା ଡାଲି ଯେମିତି ପାଟିକୁ ସୁଆଦ, ସେପରି ଦେହକୁ ହିତ।

author-image
Jyotsna Mohapatra
ଅଦ୍ୟତନ ହୋଇଛି
ମହାପ୍ରସାଦ ମହାପ୍ରସାଦ

ମହାପ୍ରସାଦ ମହାପ୍ରସାଦ

ମହାପ୍ରସାଦ ନାଁ ଶୁଣିଲେ ଆପଣଙ୍କ ମନରେ ଖାଇବାର ଲୋଭ ସହ ଭକ୍ତିଭାବ ଆସିବା ନିଶ୍ଚିତ। ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ଅବଢ଼ା କଣିକାଏ ପାଇଁ କାହିଁ କେତେ ବାଟରୁ ଧାଇଁ ଆସନ୍ତି ଶ୍ରଦ୍ଧାଳୁମାନେ। କୁହାଯାଏ, ଏ ମହାର୍ଦ୍ଦ ଅନ୍ନ ହେଉଛନ୍ତି ବ୍ରହ୍ମ, ଅନ୍ନ ବ୍ରହ୍ମ ସାକ୍ଷାତ୍ ମହାପ୍ରଭୁଙ୍କ ସମସ୍କନ୍ଦ। ଓଡ଼ିଆ ଘରେ ଜନ୍ମରୁ ଜୁଇ ଯାଏଁ ମହାପ୍ରସାଦ ଲୋଡ଼ା ପଡ଼ନ୍ତି। ଆମର ପ୍ରଥମ ଅନ୍ନ କଣିକା ଏହି ମହାପ୍ରସାଦ ହିଁ ହୋଇଥାଏ। ମୃତ୍ୟୁ ବେଳେ ବି ଏହି ମହାର୍ଦ୍ଦ ପାଣି ଟିକେ ପାଇଲେ ଆତ୍ମା ମୁକ୍ତି ପାଏ ବୋଲି ବିଶ୍ୱାସ ରହିଛି। ତେବେ ଏ ସବୁ ଧାର୍ମିକ ଆଖ୍ୟାରୁ ଟିକେ ବାହାରକୁ ଯାଇ ଭାବନ୍ତୁ ତ, ଆପଣ ମହାପ୍ରସାଦର ଅନ୍ନ ଡାଲି ଖାଇବାର ସୁଖ ସର୍ବଦା ଭୋଜିଭାତ କିମ୍ୱା ନାନା ରକମର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାର ସୁଖରୁ ଢେର ଉର୍ଦ୍ଧ୍ୱରେ।

Advertisment

ଆମେ ଖାଦ୍ୟ ଖାଉ ଶରୀରକୁ ଶକ୍ତି ଯୋଗାଇବାକୁ। ହେଲେ ବର୍ତ୍ତମାନ ପାଟିର ସ୍ୱାଦ ବଢ଼ାଇବା ଖାଦ୍ୟ ଗ୍ରହଣର ମୁଖ୍ୟ କାରଣ ହୋଇଛି। ହେଲେ କୌଣସି ମନ୍ଦିରର ପ୍ରସାଦ ଖାଇବା ସମୟରେ ଆପଣ ଏସବୁ ଭାବନ୍ତିନି। ଆନନ୍ଦରେ ଖାଇବସନ୍ତି। ମୋ କହିବା ଅର୍ଥ ହେଲା, ଘରର ଖାଦ୍ୟ ଅପେକ୍ଷା ମନ୍ଦିରର ଖାଦ୍ୟ, ବିଶେଷଭାବେ ମହାପ୍ରସାଦ ଖାଇବାରେ ଏତେ ଶାନ୍ତି କିପରି। କାରଣ ଖାଦ୍ୟ ପ୍ରସ୍ତୁତିର ପରିବେଶ, ପାତ୍ର ତଥା କାରକ। ତେବେ ଏଥିସହିତ ଆଉ ଏକ ମୁଖ୍ୟ କଥା ହେଲା ମହାପ୍ରସାଦ ଅତ୍ୟନ୍ତ ସ୍ୱାସ୍ଥ୍ୟକର ମଧ୍ୟ। ଏହାର ପ୍ରସ୍ତୁତି ପ୍ରଣାଳୀ ଓ ଉପାଦାନ ଆଦି ଏହାକୁ ଅତ୍ୟନ୍ତ ସ୍ୱାସ୍ଥ୍ୟ ଉପଯୋଗୀ କରେ। ଆସନ୍ତୁ ଆଜି କଥାହେବା ଆମ କାଳିଆର ମହାପ୍ରସାଦର ପୋଷଣତତ୍ତ୍ୱ ଉପରେ।

ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହେଉଥିବା ବିଭିନ୍ନ ଭୋଗ ମୁଖ୍ୟତଃ ଛପନ ଭୋଗ ନାମରେ ଜଣା। ମାଦଳା ପାଞ୍ଜିରେ ବର୍ଣ୍ଣିତ ହୋଇଛି ଯେ, ଅନେକ ପ୍ରକାର ଭୋଗ ଲାଗି ହୁଏ। ତେବେ ଶ୍ରୀମନ୍ଦିରରେ କେତେକ ବିଶେଷ ଖାଦ୍ୟ ଉପାଦାନରେ ଭୋଗ ପ୍ରସ୍ତୁତ ହୁଏ। କୁହାଯାଏ କେବଳ ଦେଶୀ ବା ସ୍ଥାନୀୟ ଭାବେ ଉପଲବ୍ଧ ବିଭିନ୍ନ ପରିବା ତଥା ଡାଲି ଓ ଚାଉଳ ବ୍ୟବହାର ହୋଇ ପାକ ପ୍ରସ୍ତୁତ ହୁଏ। ଦେଶୀୟ ହୋଇଥିବାରୁ କୌଣସି ସଂକ୍ରମଣର ଆଶଙ୍କା ନଥାଏ। ଏହା ସହ ଋତୁ ଅନୁଯାୟୀ ଉତ୍ପାଦିତ ପରିବାରେ ହିଁ ବ୍ୟଞ୍ଜନ ପ୍ରସ୍ତୁତ ହୁଏ। ଆମେମାନେ ଖାଇବା ପରି ଶୋଇ ଉଠିବା ପରେ ସକାଳୁ ହେଉଥିବା ଗୋପାଳବଲ୍ଲଭ ଭୋଗରେ ଖୁଆମଣ୍ଡା, ପାପୁଡ଼ି, ନଡ଼ିଆକୋରା, ଦହି, ନଡ଼ିଆପାତି, କଦଳୀ ଆଦି ଥିବା ବେଳେ 10/11ଟାରେ ସକାଳ ଧୂପରେ ଅଦା ପାଚେଡ଼ି, ଖେଚୁଡ଼ି, ପିଠା, ନାଡ଼ି, ଏଣ୍ଡୁରି, ପୁଳି ଆଦି, ମଧ୍ୟାହ୍ନ ଧୂପରେ କାନିକା, ଆରିସା, ବୁନ୍ଦିଆ, ସାତ ପଟିଆ ପିଠା, ଭାତପୁରୀ, ଓରିଆ ଥାଳି, ମୁଗ ପାଇତି, ମରିଚି ପାଣି ଇତ୍ୟାଦି ଭୋଗ ଲାଗେ। ସନ୍ଧ୍ୟାରେ ମାଠପୁଳି, ସୁଆର ପିଠା, ଝଡ଼େଇନେଦା, ଅମାଲୁ, ମଣ୍ଡା, ଖୁରୁମା, ଖୁଦୁପିତା, ଥାଳିଅନ୍ନ, ଇତ୍ୟାଦି ଏବଂ ରାତିରେ ବଡ଼ସିଂହାର ଧୂପରେ ବିରିପିଠା, ଖଜା, ମିଠା ପଖାଳ, ସୁଗନ୍ଧି ପଖାଳ, ପାରିଜାତ, ଦହି ପଖାଳ, ପରଖ ଘୃତ ଆଦି ଭୋଗ ଲାଗେ।

Advertisment

ଅଧିକ ପଢନ୍ତୁ: ଅଧିକ ଫଳ ଖାଇଲେ ଦେହ ପାଇଁ ଖରାପ !

ଏସବୁ ମଧ୍ୟରୁ ପ୍ରତି ଖାଦ୍ୟର ନାମ ଅନୁଯାୟୀ ପ୍ରସ୍ତୁତି ଭିନ୍ନ କିନ୍ତୁ ମାଟିର ଚୁଲିରେ କାଠ ନିଆଁରେ ଏକାସଙ୍ଗେ ସାତଟି ହାଣ୍ଡି ବସି ପ୍ରସ୍ତୁତ ହୁଏ ଏହି ଭୋଗ ସବୁ। ଶୁଦ୍ଧ ଗାଈ ଘିଅରେ ଏସବୁ ପ୍ରସ୍ତୁତି ବିଧି ଥିବା ବେଳେ ବର୍ତ୍ତମାନ ବଜାର ଉପଲବ୍ଧ ଅନୁସାରେ ବିଭିନ୍ନ ଘିଅ ବ୍ୟବହୃତ ହେଉଛି। ମହାପ୍ରସାଦରେ ହେଉଥିବା ବିଭିନ୍ନ ପ୍ରକାର ଡାଲି କେବଳ ସିଝା ଯାଇ ପ୍ରସ୍ତୁତ ହୁଏ, ଆମ ଘରେ ହେବା ପରି ଫୁଟଣ ହୁଏନା। ବିଭିନ୍ନ ପିଠା ଯାହା ଶିଳରେ ବଟାଯାଇ ପ୍ରସ୍ତୁତ ହୁଏ, କୌଣସି ପ୍ରକାର ପେଟ ରୋଗ କରେ ନାହିଁ। ମହାପ୍ରଭୁ ଖାଦ୍ୟ ଖାଇବା ପରେ ପାନ ବି ଖାଆନ୍ତି। ଏହା ଏକ ପାଚନ ସହଜ କରୁଥିବା ପଦାର୍ଥ। ଏଥିସହ ଆମ ପୋଷଣ ବିଜ୍ଞାନରେ ବର୍ଣ୍ଣିତ ଥିବା ପରି ଦିନକୁ ୬ ଥର ଖାଦ୍ୟ ଗ୍ରହଣ କରନ୍ତି ଆମ ଠାକୁର। ବେସର, ମହୁର, ତଥା ଅନ୍ୟ ତରକାରୀମାନଙ୍କରେ କୌଣସି ମସଲା କଷାଯାଇ ପ୍ରସ୍ତୁତ ହୁଏନାହିଁ, ବରଂ ଏଥିରେ ବ୍ୟବହୃତ ମୁଖ୍ୟ ମସଲା ହେଲା ଜିରା ଗୁଣ୍ଡ, ସୋରିଷ ବଟା, ଅଳେଇଚ, ଡାଳଚିନି, ଗୋଲମରିଚ, ପାନମଧୁରି, ହେଙ୍ଗୁ। ପରିବା ସବୁ ଆବଶ୍ୟକ ଅନୁଯାୟୀ ମସଲାରେ ମିଶାଇ ସିଝାଯାଇ ପ୍ରସ୍ତୁତ ହୁଏ।

ପିଠା ଆଦି ପ୍ରସ୍ତୁତ ପାଇଁ ପାରମ୍ପରିକ ଉପାୟରେ ଶିଳରେ ବଟା ଏବଂ ଢିଙ୍କିରେ କୁଟାଯାଇ ପ୍ରସ୍ତୁତ ଚାଉଳ ଗୁଣ୍ଡ ଓ ବିରି ଉପଯୋଗ ହୁଏ ଯାହା ଦ୍ୱାରା ଏହାର ପ୍ରାକୃତିକ ପୋଷକ ତତ୍ତ୍ୱ ସଂରକ୍ଷିତ ରୁହେ। ମନୁଷ୍ୟ ଶରୀର ପାଇଁ ଉପଯୋଗୀ ହେବା ପରି ସକାଳେ, ମଧ୍ୟାହ୍ନରେ, ସନ୍ଧ୍ୟା ତଥା ରାତିରେ ଅନ୍ନ, ଡାଲି ସହ ବିଭିନ୍ନ ଜଳଖିଆ ମଧ୍ୟ ଭୋଗ ବିଧି ରହିଛି ମହାପ୍ରଭୁଙ୍କର। ରାତିରେ ଆମ ପରି ପଖାଳ ଖାଆନ୍ତି ମହାପ୍ରଭୁ। ଏଠାରେ ବର୍ଣ୍ଣିତ ସମସ୍ତ ଖାଦ୍ୟ ମୁଖ୍ୟତଃ ସିଝାଇ ଘିଅରେ ପାଗ ହୋଇ ପ୍ରସ୍ତୁତ। ମିଠା ଦ୍ରବ୍ୟ ପ୍ରସ୍ତୁତିରେ ମଧ୍ୟ ମନ୍ଦିରରେ ଚିନିର ବ୍ୟବହାର ହୁଏ ନାହିଁ। ଏହା ବଦଳରେ ଗୁଡ଼ ଓ ଛାଚି ବ୍ୟବହୃତ ହୁଏ। ଏହା ପ୍ରାକୃତିକ ଶର୍କରା ଉତ୍ପାଦ। ଋତୁ ଅନୁଯାୟୀ ଖରାଦିନେ କାଞ୍ଜି, ଶୀତଦିନେ ଖଇକୋରା ଆଦି ଭୋଗର ପରମ୍ପରା ମଧ୍ୟ ସ୍ୱାସ୍ଥ୍ୟକର ଖାଦ୍ୟ ଶୈଳୀକୁ ସୂଚାଏ। 

ଶ୍ରୀମନ୍ଦିରରେ ପ୍ରସ୍ତୁତ ମହାପ୍ରସାଦର ପ୍ରତିଟି ଖାଦ୍ୟର ବିବରଣୀ ପ୍ରଦାନ କଲେ ଏକ ପୁସ୍ତକ ହେବ। ତେବେ ସଂକ୍ଷିପ୍ତରେ ଏହାର ସ୍ୱାସ୍ଥ୍ୟକର ଗୁଣ ବିଷୟରେ ଆପଣ ଜାଣି ବୁଝିପାରିବେ ଯେ ଅବଢ଼ା ଖାଇବା ପରେ ଆପଣ ଶାନ୍ତି ଅନୁଭବ କରନ୍ତି ଏବଂ ପାଚନ ସମ୍ବନ୍ଧୀୟ କୌଣସି ସମସ୍ୟା ଅନୁଭବ କରନ୍ତି ନାହିଁ। ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ସମସ୍ତ ସାର୍ବଜନୀନ ସ୍ଥାନମାନଙ୍କରେ ଖାଦ୍ୟ ପ୍ରସ୍ତୁତିକୁ ନେଇ ହେଉଥିବା ବିଭିନ୍ନ ଅନିୟମିତତାରୁ ଦୂରରେ ରଖି ମହାପ୍ରଭୁଙ୍କ ଭୋଗ ପ୍ରସ୍ତୁତିରେ ଆବଶ୍ୟକ ସତର୍କତା ପରଖିବା ଦରକାର ରହିଛି।

ଇମେଲ୍ - [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

ଅଧିକ ପଢନ୍ତୁ: ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏହି ଶାଗ; ରହିଛି ଆହୁରି ଅନେକ ଗୁଣ 

Puri Jagannath Temple Lord Jagannath Puri Mahaprasad Mahaprasad
Advertisment
Advertisment