Advertisment

ଝୁମ୍ପୁଡିରୁ ଷ୍ଟାର ହୋଟେଲ; ସବୁଠି ମହ ମହ ବାସିଲା ପଖାଳ କଂସା

ଭୁବନେଶ୍ୱରର ଷ୍ଟାର ହୋଟେଲରେ ବି ଜମିଛି ପଖାଳ ଖିଆ। ଏଠି ନନଭେଜ୍ ପଖାଳ କଂସା ପିଛା ହଜାରେ ଟଙ୍କା। ସାତ ଶହରେ ସାଦା ପଖାଳ ମିଲ। ମାଟି ହାଣ୍ଡି ଓ ପାତ୍ରରେ ଦହି ଓ ଛୁଙ୍କ ପଖାଳ ସାଙ୍ଗକୁ ରକମ ରକମର ବ୍ୟଞ୍ଜନ।

author-image
Manoranjan Behera
undefined

Pakhala Dibasa

ଦହି ପଖାଳ, ତଡକା ପଖାଳ, ଛୁଙ୍କ ପଖାଳ, ମିଠା ପଖାଳ, ଘିଅ ପଖାଳ। ନାଁ ଓ ସ୍ୱାଦ ଭିନ୍ନ ଭିନ୍ନ, ହେଲେ ପରିଚୟ- ଓଡ଼ିଆ ଖାଦ୍ୟ, ଓଡ଼ିଶାର ଖାଦ୍ୟ। ପଖାଳ ଦିବସରେ ଆଜି ଘରେ ଘରେ ମହକିଛି ପଖାଳର ବାସ୍ନା।

Advertisment

ଭାତକୁ ଥଣ୍ଡା କରି ସେଥିରେ ଦହି, କଳା ଲୁଣ, ଆମ୍ବ ଅଦା, ପୋଦିନା ଓ ଧନିଆ ପତ୍ର ପକାଇବା ପରେ ଭୃଷଙ୍ଗ ପତ୍ର ଓ ସୋରିଷ ଫୁଟଣର ଛୁଙ୍କ। କଂସାଏ ଛୁଙ୍କମରା ପଖାଳକୁ ୧୨ ଭଜାର ମଜା। ଆମିଷରେ ମାଛ ଭଜା, ଚୁନା ମାଛ, ଚିକେନ ଓ ମଟନ କଷା ଆଉ ଭେଜ୍‌ରେ ଭଳିକି ଭଳି ଭଜା ସାଙ୍ଗକୁ ବଢିଚୁରା, ଆଳୁ ଓ ବାଇଗଣ ଭର୍ତ୍ତା, ଶାଗ, ପାମ୍ପଡ ଓ ଚିପ୍ସ। ଗରିବ ହେଉ କି ଧନୀ, ଛୁଆଠୁ ବୁଢା, ସମସ୍ତଙ୍କ ଅତି ପ୍ରିୟ ପଖାଳ। କଂସାଏ ପଖାଳ ଖାଇଦେଲେ ଦେହମନ ଥଣ୍ଡା। ପଖାଳ ଆମ ଓଡ଼ିଆଙ୍କ କେବଳ ଏକ ଖାଦ୍ୟ ନୁହେଁ, ବରଂ ଜୀବନଶୈଳୀର ଏକ ଅଂଶ। ସେଥିପାଇଁ ତ ଆଜି ଘରେ ଘରେ ମହକିଛି ପଖାଳ କଂସାର ମହକ।

ଭୁବନେଶ୍ୱରର ଷ୍ଟାର ହୋଟେଲରେ ବି ଜମିଛି ପଖାଳ ଖିଆ। ଏଠି ନନଭେଜ୍ ପଖାଳ କଂସା ପିଛା ହଜାରେ ଟଙ୍କା। ସାତ ଶହରେ ସାଦା ପଖାଳ ମିଲ। ମାଟି ହାଣ୍ଡି ଓ ପାତ୍ରରେ ଦହି ଓ ଛୁଙ୍କ ପଖାଳ ସାଙ୍ଗକୁ ରକମ ରକମର ବ୍ୟଞ୍ଜନ। କେଉଁଠି କଂସା ବାସନ ତ କେଉଁଠି ଷ୍ଟିଲ ଓ ମାଟି ପାତ୍ରରେ ପଖାଳ ସାଙ୍ଗକୁ କଦଳୀ ପତ୍ରରେ ଛ ତିଅଣ ନ ଭଜା, ପଖାଳର ମହକରେ ପୁରି ଉଠିିଛି ତାରକା ହୋଟେଲ। ଗ୍ରାହକ ବି ଜମେଇକି ଖାଇଛନ୍ତି ଆଉ ପାଳିଛନ୍ତି ବିଶ୍ୱ ପଖାଳ ଦିବସ।

Advertisment

ନେତା ବି ପାଳିଛନ୍ତି ପଖାଳ ଦିବସ। ଦହି ପଖାଳ ସାଙ୍ଗକୁ ଚିଙ୍ଗୁଡି ଚିଲି, ମାଛ ଛଣା, ଚୂନା ମାଛ ଭଜା, ଶାଗ ଓ ବଢିଚୁରା ଭଳି ଅଠର ପ୍ରକାର ଆଇଟମ୍ କରି ଧୁମଧାମରେ ପଖାଳ ଦିବସ ମନାଇଛନ୍ତି ବିଧାୟକ ସୁର ରାଉତରାୟ। ସେହିପରି ସହିଦ ନଗର ଦୁର୍ଗାପୂଜା ସମିତି ବି ମାଗଣାରେ ହଜାରେରୁ ଅଧିକ ଲୋକଙ୍କ ପାଇଁ ପଖାଳର ବ୍ୟବସ୍ଥା କରିଥିଲା। ବ୍ରହ୍ମପୁରରେ ରୋଗୀ ସଂପର୍କୀୟଙ୍କ ସହ ପଖାଳ ଦିବସ ପାଳିଛି ସ୍ୱେଚ୍ଛାସେବୀ ସଂଗଠନ ଏସକେଏସ୍।

ପଖାଳ, ପ୍ରତ୍ୟେକ ଓଡିଆଙ୍କ ପ୍ରାଣ, ଅସ୍ମିତା ଓ ଖାଦ୍ୟପେୟର ପ୍ରତୀକ। ପଖାଳ ଶ୍ରୀଜଗନ୍ନାଥଙ୍କ ଅତିପ୍ରିୟ। ରତ୍ନ ସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦିନର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପଖାଳ ବ୍ୟଞ୍ଜନ ଲାଗି ହୁଏ। ସୁବାସ ପଖାଳ, ମଲ୍ଲୀ ପଖାଳ, ଟଭା ପଖାଳ, ପାଣି ପଖାଳ, ମିଠା ପଖାଳ ପରି ସୁବାସିତ ପଖାଳ ଭୋଗ ଲାଗିଥାଏ।

ପଖାଳ କେବଳ ଏକ ଖାଦ୍ୟ ନୁହେଁ, ଏହା ଶରୀର ପାଇଁ ବେଶ୍ ଉପଯୋଗୀ। ବିଶେଷ କରି ଖରାଦିନେ ତ ପଖାଳର ବିକଳ୍ପ ନାହିଁ। ଡାକ୍ତର କହିଛନ୍ତି, ଶରୀରକୁ ସତେଜ ରଖିବା ସହ ଅନ୍ତନଳୀକୁ ସକ୍ରିୟ ରଖିଥାଏ ପଖାଳ। ପଖାଳ ଦିବସ ଅବସରରେ ରାଜ୍ୟପାଳ ରଘୁବର ଦାସ ଓଡିଶାବାସୀଙ୍କୁ ଶୁଭେଛା ଜଣାଇଛନ୍ତି। ଖରାଦିନେ ପଖାଳ ଭୋକ ଶୋଷ ମେଣ୍ଟାଇବା ସହ ଜରୁରୀ ପୋଷଣ ମଧ୍ୟ ଯୋଗାଇଥାଏ ବୋଲି ପୋଷ୍ଟ କରିଛନ୍ତି।

ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ‘ଏକ୍ସ’ ରେ ଶୁଭେଚ୍ଛା ଜଣାଇ, ଓଡିଆ ଖାଦ୍ୟ ସମ୍ଭାର ଭିତରେ ପଖାଳର ସ୍ଥାନ ସର୍ବଦା ସ୍ୱତନ୍ତ୍ର ବୋଲି ଉଲ୍ଲେଖ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ପଖାଳ ଦିବସର ଅଭିନନ୍ଦନ ଜଣାଇଛନ୍ତି। ଓଡିଶାର ଏହି ପାରମ୍ପରିକ ଭୋଜନକୁ ଅତ୍ୟନ୍ତ ସ୍ୱାଦିଷ୍ଟ ବୋଲି ବର୍ଣ୍ଣନା କରି ଏହା ଓଡିଆଙ୍କ ଭାବାବେଗ ସହ ଓତପ୍ରୋତ ଭାବ ଜଡିତ ବୋଲି ପୋଷ୍ଟ କରିଛନ୍ତି।

ବନ୍ଧୁମାନଙ୍କ ସହ ପଖାଳ ଖାଇବାର ଖୁସି ନିଆରା ବୋଲି ଦର୍ଶାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟସଭା ଉପାଧ୍ୟକ୍ଷ, ପୂର୍ବତନ ରାଷ୍ଟ୍ରଦୂତ ଓ ଏଏସଆଇ ଡିଜିଙ୍କ ସହ ମଧ୍ୟାହ୍ନ ଭୋଜନରେ ପଖାଳ ଖାଇଛନ୍ତି କେନ୍ଦ୍ରମନ୍ତ୍ରୀ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଆଜିର ପଖାଳ ଖାଦ୍ୟ ଓ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଏହି ଦିବସକୁ ଉତ୍ସର୍ଗୀକୃତ କରି ପୋଷ୍ଟ କରିଛନ୍ତି।

Pakhala Dibasa
Advertisment
Advertisment