/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728828819.jpg)
Free Mahaprasad
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ଭକ୍ତଙ୍କୁ ମାଗଣାରେ ମିଳିବ ମହାପ୍ରସାଦ। ଖୁବ୍ ଶୀଘ୍ର ଏଭଳି ଏକ ଯୋଜନା ଆରମ୍ଭ କରୁଛନ୍ତି ରାଜ୍ୟ ସରକାର। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ବର୍ଷକୁ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହେବା ଆକଳନ କରାଯାଉଛି । ଏହି ଯୋଜନା ଲାଗି ବଦାନ୍ୟ ଭକ୍ତମାନଙ୍କୁ ଦାନ ପାଇଁ ଅପିଲ୍ କରିଛନ୍ତି ଆଇନ ମନ୍ତ୍ରୀ । କିନ୍ତୁ ଭକ୍ତଙ୍କ ଦାନରେ ଯୋଜନା କାର୍ଯ୍ୟକାରୀ କରାଗଲେ ତାହା ସଫଳ ହେବ ନାହିଁ ବୋଲି ଆଶଙ୍କା ପ୍ରକାଶ କରିଛି ସୁଆର ମହାସୁଆର ନିଯୋଗ।
ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡୁଆ। ଏଥିପାଇଁ ଆରମ୍ଭ ହୋଇଛି ପ୍ରିକ୍ରିୟା, ଚାଲିଛି ବିଚାରବିମର୍ଶ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କୁ ମହାପ୍ରସାଦ କୁଡୁଆ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି ଶ୍ରୀମନ୍ଦିରକୁ ଆସୁଥିବା
ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ଏଥିପାଇଁ ବର୍ଷକୁ ୧୪ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ତେଣୁ ଏଥିଲାଗି ଦାନ କରିବାକୁ ସେ ସମର୍ଥ ଭକ୍ତଙ୍କୁ ଅପିଲ କରିଛନ୍ତି । ଏନେଇ କିଛି ଭକ୍ତଙ୍କ ସହ କଥାବାର୍ତ୍ତା ମଧ୍ୟ ଆରମ୍ଭ ହୋଇଛି। ଭକ୍ତମାନେ ଦର୍ଶନ ସାରି ଘରକୁ ଫେରିବା ସମୟରେ, ପରିବାର ପଡୋଶୀ ମହାପ୍ରସାଦ ଲାଗି ଅପେକ୍ଷା କରିରହିଥାନ୍ତି। ଏହାକୁ ଆଖି ଆଗରେ ରଖି ଏହି ଯୋଜନା ଆରମ୍ଭ କରିବାକୁ ବିଭାଗ ପ୍ରସ୍ତୁତି ଆରମ୍ଭ କରିଥିବା ଆଇନ ମନ୍ତ୍ରୀ କହିଛନ୍ତି।
ପ୍ରତିଦିନ ଶ୍ରୀମନ୍ଦିରକୁ ପ୍ରାୟ ୫୦ ହଜାର ଭକ୍ତ ଆସୁଛନ୍ତି। ପର୍ବ ପର୍ବାଣୀ, ନୂଆ ବର୍ଷ ଓ ଛୁଟିଦିନଗୁଡ଼ିକରେ ଦେଢ଼ ଲକ୍ଷରୁ ୨ ଲକ୍ଷ ଭକ୍ତଙ୍କ ସମାଗମ ହେଉଛି। ସେସବୁକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରାଯାଉଛି। ସେପଟେ ସୁଆର ମହାସୁଆର ନିଯୋଗ କହିଛି, ଦାନ ଅର୍ଥରେ ଏଭଳି ଯୋଜନା ଚଳାଇବା ଅସମ୍ଭବ। ସରକାର ସ୍ବତନ୍ତ୍ର ଯୋଜନା କଲେ ହିଁ ମହାପ୍ରସାଦ ମାଗଣା ବଣ୍ଟନ ବ୍ୟବସ୍ଥା ସ୍ଥାୟୀ ହୋଇପାରିବ।
ଅନ୍ୟପକ୍ଷରେ ଆଉ କିଛି ବରିଷ୍ଠ ସେବାୟତଙ୍କ ମତ ହେଲା ଅନ୍ୟ ଧାର୍ମିକ ସ୍ଥଳ ଭଳି ଜଗନ୍ନାଥ ମନ୍ଦିରରେ ବି ଭକ୍ତଙ୍କୁ ବସେଇ ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଉ । ଭକ୍ତମାନେ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ପୂର୍ବରୁ ବି ବିଜେଡି ସରକାର ସମୟରେ ସୁରେଶ ମହାପାତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବାବେଳେ ଏହି ନିଷ୍ପତ୍ତି ନେଇଥିଲେ, କିନ୍ତୁ ତାହା କାର୍ଯ୍ୟକାରୀ ହୋଇ ପାରିନଥିଲା। ଏବେ ଦେଖିବାର କଥା, ମହାପ୍ରସାଦ ବଣ୍ଟନ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)