/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734012760.jpg)
Mahaprasad prices
ଶ୍ରୀମନ୍ଦିରରେ ଓମଫେଡ୍ ଘିଅ ପ୍ରବେଶ ପରଠୁ ଅମୂଲ ମୂଲ ଅବଢ଼ା। ମହାପ୍ରସାଦ, ଖଜାଠୁ ନେଇ ପିଠା, ସବୁର ଦାମ ପ୍ରାୟ ଦୁଇଗୁଣା ବଢ଼ିଯାଇଛି। ଯାହାକୁ ନେଇ ଅସନ୍ତୁଷ୍ଟ ଉଭୟ ଭକ୍ତ ଓ ସେବାୟତ। ସବସିଡି ଦରରେ ଶ୍ରୀମନ୍ଦିରକୁ ଓମଫେଡ ଘିଅ ଯୋଗାଣ ନେଇ ଦାବି ଉଠୁଥିଲା ବେଳେ ବିକଳ୍ପ ଭାବେ ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ଗୋଶାଳା କଥା ବି ଉଠିଲାଣି। ତେବେ ଆଇନ ମନ୍ତ୍ରୀ କହିଛନ୍ତି, ଖୁବ୍ଶୀଘ୍ର ମହାପ୍ରସାଦ ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯିବ।
ଆନନ୍ଦ ବଜାରରେ ଅମୂଲ ମୂଲ ହେଲାଣି ଅବଢ଼ା ଦର। ସ୍ଥିତି ଏମିତି ଯେ ଜଗାଦର୍ଶନ ପରେ ଶାନ୍ତିରେ ଟିକେ ପ୍ରସାଦ ସେବନ ପାଇଁ ବି ସାଧାରଣ ଭକ୍ତଟିକୁ ଭାବିବାକୁ ପଡୁଛି। ଦେଢ ଶହରୁ 2 ଶହ ଟଙ୍କାରେ ମିଳୁଥିବା ଅନ୍ନ,ଡାଲି, ତରକାରୀରେ ପେଟ ପୁରୁନି। ସୂଚନା ଅନୁସାରେ ଯେଉଁ ନମ୍ବରି କୁଡୁଆ ଶହେ ଟଙ୍କାରେ ମିଳୁଥିଲା, ତାହା ଏବେ 200 ଟଙ୍କା, 50 ଟଙ୍କାରେ ମିଳୁଥିବା ଡାଲମା କୁଡ଼ୁଆ ଶହେରୁ ଶହେ 20 ଟଙ୍କା ପଡ଼ିଲାଣି। ମାନେ ଡବଲରୁ ବି ଅଧିକ। ବଡ଼ ବଡ଼ିଆଙ୍କ କଥା ଅଲଗା, ସାଧାରଣ ପରିବାରରୁ 8-10 ଜଣିଆ ସଦସ୍ୟ ଯଦି ଭଲରେ ଟିକେ ଅବଢ଼ା ଖାଇବାକୁ ଇଚ୍ଛା କରନ୍ତି, ଏଥିପାଇଁ ପ୍ରାୟ ଅଢ଼େଇ ହଜାରରୁ 3 ହଜାର ପଡିଯାଉଛି। ମହାପ୍ରସାଦ କଥା ଛାଡ଼ନ୍ତୁ 5 ଟଙ୍କା ଖଜା 15 ଟଙ୍କା ହେଲାଣି, 15 ଟଙ୍କାର ପିଠା 30 ଟଙ୍କା ଡେଇଁଗଲାଣି।
ଅଧିକ ପଢନ୍ତୁ: ଝିଅକୁ ନ୍ୟାୟ ଦେବାକୁ ବାପା ସାଜିଲେ ହତ୍ୟାକାରୀ; କୁଏତରୁ ଆସି ଫିଲ୍ମ ଷ୍ଟାଇଲ୍ରେ କଲେ ହତ୍ୟା
ଓମଫେଡ୍ ଘିଅରେ ପ୍ରସ୍ତୁତ ହେବା ପରଠୁ ମହାପ୍ରସାଦ, ପିଠା ଓ ଖଜା ଦରରେ ଆଉ ଯେମିତି ହାତ ମାରି ହେଉନି। କାରଣ ମହାସୁଆର ନିଯୋଗର କହିବା କଥା,ପୂର୍ବରୁ ଯେଉଁ ଘିଅରେ ମହାପ୍ରସାଦ ପ୍ରସ୍ତୁତ ହେଉଥିଲା ତାର ଦାମ କିଲୋ ପିଛା ଦେଢଶହ ଟଙ୍କା ଥିଲା। ଏବେ ଓମଫେଡ୍ ଘିଅ କିଲୋ ପିଛା 6 ଶହରୁ ଅଧିକ ଟଙ୍କାରେ କିଣିବାକୁ ପଡୁଛି। ସେଇଥିପାଇଁ ଏ ସ୍ଥିତି। ଶ୍ରୀମନ୍ଦିରକୁ ସ୍ବତନ୍ତ୍ର ଦରରେ ଓମଫେଡ ଘିଅ ଯୋଗାଣ ପାଇଁ ପରିଚାଳନା ନିର୍ଦ୍ଦେଶକଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚିଠି କରିଥିଲେ ବି ଏପର୍ଯ୍ୟନ୍ତ ରିହାତି ଦରରେ ଘିଅ ମିଳିନାହିଁ। ଏହାବାଦ୍ ଦର ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୋଶାଳା କରାଯାଇ ଦୁଗ୍ଧ, ଘିଅ ଓ ଦହି ପ୍ରସ୍ତୁତ କରାଯିବା ଏକ ଭଲ ବିକଳ୍ପ ହୁଅନ୍ତା ବୋଲି ମତ ରଖିଛନ୍ତି ମହାସୁଆର ନିଯୋଗ ସଂପାଦକ। ସେପଟେ ବରିଷ୍ଠ ସେବାୟତମାନେ ବି ବର୍ତ୍ତମାନର ଦରବୃଦ୍ଧିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ବର୍ଷକୁ କେବେ କେମିତି ଜଗାଦର୍ଶନରେ ଆସୁଥିବା ଭକ୍ତଙ୍କ ଅପେକ୍ଷା ମହାପ୍ରସାଦର ଦରବୃଦ୍ଧି ସ୍ଥାନୀୟ ବାସିନ୍ଦାଙ୍କୁ ବେଶି ବାଧୁଛି। ଏମିତିକି ପୁରୀ ବିଧାୟକ ସୁନୀଲ ମହାନ୍ତି ବି ବିଧାନସଭାରେ ମହାପ୍ରସାଦର ଦରବୃଦ୍ଧି ପ୍ରସଙ୍ଗ ଉଠାଇ ଶ୍ରୀମନ୍ଦିରକୁ ରିହାତି ଦରରେ ଓମଫେଡ୍ ଘିଅ ଯୋଗାଇ ଦେବାକୁ ଦାବି କରିଥିଲେ। ଏନେଇ ଆଇନ ମନ୍ତ୍ରୀ କହିଛନ୍ତି ଏବେ ଶୁଦ୍ଧ ଘିଅ ବ୍ୟବହାର ପାଇଁ ସମସ୍ୟା ହୋଇଛି। ତେବେ ଖୁବ୍ ଶୀଘ୍ର ଦର ତାଲିକା ପ୍ରକାଶ ସହ ମହାପ୍ରସାଦ ଦର ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନିଆଯିବ। ଏବେ ଅପେକ୍ଷା, କେବେ ଶୃଙ୍ଖଳିତ ହେଉଛି ଶ୍ରୀମନ୍ଦିର ଆନନ୍ଦ ବଜାର। କେବେ ଭକ୍ତଙ୍କ ଅବଗତି ପାଇଁ ଲଟକୁଛି ଅବଢ଼ା ଦର ତାଲିକା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)