• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରତିଦିନ ଜନସମୁଦ୍ର ପାଲଟୁଥିବା କଟକ ମହାନଦୀ ପଠାରେ ଐତିହାସିକ ବାଲିଯାତ୍ରା ଆସନ୍ତାକାଲି ଶେଷ ହେବାକୁ ଥିବା ବେଳେ ପ୍ରଶାସନ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ଗୋଟିଏ ଦିନ ବଢ଼ିଲା ଐତିହାସିକ କଟକ ବାଲିଯାତ୍ରା । ଗୋଟିଏ ଦିନ ବୃଦ୍ଧି ନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବୁଧବାର ଶେଷ ହେବାର ଥିଲା, ହେଲେ ଗୁରୁବାର ସରିବ ବାଲିଯାତ୍ରା ।

ଜମୁଛି ବିକ୍ରିବଟା ଓ ଖାଦ୍ୟପେୟର ଆସର । ବାଲିଯାତ୍ରା ବୁଲାରେ ନୂଆ ଅନୁଭୂତି ଭରିଛି କଟକ-ଇନ୍-କଟକ କରିଡର । ଲେଜର ସୋ ପାଲଟିଛି ବିଶେଷ ଆକର୍ଷଣ। ପ୍ରତିଦିନ ଏହି ବାଲିଯାତ୍ରା ଦେଖିବାକୁ ଖଚାଖଚ୍ ଭିଡ଼ ହେଉଛି। ଏହି ଯାତ୍ରାର ଅବଧି ଆଉ ଗୋଟିଏ ଦିନ ବଢ଼ିବା ପରେ ବାଲିଯାତ୍ରାପ୍ରେମୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। 

ଅଧିକ ପଢ଼ନ୍ତୁ: ବାଲିଯାତ୍ରାରେ ୧୦୦ ଦୋଳି; ରାମଦୋଳିରୁ ବ୍ରେକ୍‌ଡ୍ୟାନ୍ସ, ଟୋରାଟୋରାରୁ ଅକ୍ଟୋପସ୍ ସବୁଠି ଭିଡ଼

ବାଲିଯାତ୍ରା ଦେଖିବାକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି ଦର୍ଶକ । ବାଲିଯାତ୍ରାର ପ୍ରତିମୁହୂର୍ତ୍ତର ମଜା ଉଠାଇବାକୁ ଲୋକଙ୍କ ଲାଗିଛି ଗହଳି । ବୁଲାବୁଲି ସହ ବିଭିନ୍ନ କିସମର ଖାଦ୍ୟ ଦର୍ଶକଙ୍କ ମନ ଜିଣିଛି । ବାଲିଯାତ୍ରାରେ କିଣାକିଣି ମଧ୍ୟ ବେଶ ଜମୁଛି । ବିଭିନ୍ନ ଘରକରଣା ସାମଗ୍ରୀ କିଣିବାକୁ ମହିଳାଙ୍କ ଭିଡ଼ ଲାଗିଛି । ପ୍ରାୟ ସବୁ ଷ୍ଟଲରେ ଲାଗିଛି ଶହ ଶହ ସଂଖ୍ୟାରେ ଲୋକଙ୍କ ଗହଳି । ବାଲିଯାତ୍ରା ବୁଲିବାକୁ ଆସୁଥିବା ଦର୍ଶକଙ୍କ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ ହେଉଛି । ସେପଟେ ଲୋକଙ୍କ ଉତ୍ସାହକୁ ଦେଖି ବାଲିଯାତ୍ରା ଆଉ ୨ ଦିନ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେବାକୁ ସିଏମସି ବୈଠକରେ ଆଲୋଚନା ହୋଇଥିଲା । କିନ୍ତୁ କଟକ ଜିଲ୍ଲାପାଳ ମାତ୍ର ଗୋଟିଏ ଦିନ ବାଲିଯାତ୍ରା ବଢ଼ିବ ବୋଲି ସୂଚନା ଦେଇଛନ୍ତି ।

କଟକ ଭିତରେ ଆଉ ଏକ କଟକ ଏବେ ବାଲିଯାତ୍ରାରେ ଟ୍ରେଣ୍ତ କରୁଛି । ଅର୍ଥାତ କଟକ ସହରରେ ଥିବା ଐତିହାସିକ ସ୍ଥଳୀ ଓ ଧାର୍ମିକ ପୀଠ ସବୁ ଗୋଟିଏ ସ୍ଥାନରେ ଦେଖିବାକୁ ମିଳିଛି । ଚଳିତ ବାଲିଯାତ୍ରାରେ ଗୋଟିଏ ସ୍ଥାନରେ ଶୋଭା ପାଉଛି ଚଣ୍ଡୀ ମନ୍ଦିର, ଧବଳେଶ୍ୱର ପୀଠ, କଦମ-ଏ-ରସୁଲ, ଗୁରୁଦ୍ୱାରା, ବାରବାଟୀ ଦୁର୍ଗ ଭଳି କେତେକଣ ସ୍ମାରକୀ ସ୍ଥଳ । ପ୍ରଥମ ଥର ପାଇଁ ବାଲିଯାତ୍ରାରେ ଖୋଲିଥିବା କଟକ-ଇନ-କଟକ ପାଭିଲିୟନରେ ଏସବୁ ସ୍ଥାନୀତ ହୋଇଛି । ଯାହା ମଧ୍ୟରେ ବୁଲାବୁଲି ସହ ସେଲଫି ନେବାକୁ ଏବେ ଜମୁଛି ଲୋକଙ୍କ ଭିଡ଼ । ଆଉ କଟକ ଇନ୍ କଟକ ସାଜିଛି ବାଲିଯାତ୍ରା ୨୦୨୨ର ସ୍ୱତନ୍ତ୍ର ଆକର୍ଷଣ ।