• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଛାତି ଧଡ଼ଧଡ଼ ହେଉଥିବ । ମୁଣ୍ଡ ବୁଲାଇଲା ଭଳି ଲାଗୁଥିବ । ତଣ୍ଟି ଶୁଖି ଶୁଖି ଯାଉଥିବ । ଏସବୁ କୌଣସି ରୋଗର ଲକ୍ଷଣ ନୁହେଁ, ଇଏ ଦୋଳିପ୍ରେମୀଙ୍କ ଆକର୍ଷଣ । ଏଇ ଡର ମିଶା ମଉଜର ନିଆରା ଅନୁଭବ ପାଇବାକୁ ଦୂର ଦୂରାନ୍ତରୁ ବାଲିଯାତ୍ରାକୁ ଛୁଟି ଆସିଛନ୍ତି ହଜାର ହଜାର ଦୋଳି ପ୍ରେମୀ । ଦୋଳି ଯେତେ ଜୋରରେ ବୁଲୁଛି, ସେତେ ଜୋରରେ ଶୁଭୁଛି ସେମାନଙ୍କ ଚିତ୍କାର । ଭୟରେ ବି, ଖୁସିରେ ବି । ଏ ମଜା ଥରେ ଯିଏ ପାଇଛି, ସେ ଦୋଳି ପ୍ରେମରେ ପଡ଼ିଛି ।

କୁନି କୁନି ପିଲାଙ୍କଠୁ ଯୋଶିଲା ଯୁବକ ଯୁବତୀଙ୍କ ଯାଏଁ । ଦୋଳିପ୍ରେମୀଙ୍କ ପାଇଁ ସତେକି ବିରାଟ ବୁଫେ ଖୋଲିଦେଇଛି ଏବର୍ଷର ବାଲିଯାତ୍ରା । ଦେଖିବାକୁ ମିଳିଛି ରଙ୍ଗୀନ ଆଲୋକରେ ଝଲସୁଥିବା ଭଳି କି ଭଳି ବିଶାଳ ତଥା ସୁଉଚ୍ଚ ଦୋଳିର ସମ୍ଭାର । ଆକାଶକୁ ଛୁଉଁଥିବା ରାମଦୋଳି, ଘିରି ଘିରି ବୁଲୁଥିବା ଚକ୍ରିଦୋଳି, ଆଉ ଏପଟ ସେପଟ ଦୋହଲୁଥିବା ଡଙ୍ଗାଦୋଳି । ଏସବୁ ଏଭରଗ୍ରୀନ୍ ଦୋଳିକୁ ଛାଡ଼ିଦେଲେ, ବାକିତକର ନାଁ ବି ଅଜବ ଗଜବ । ଟୋରାଟୋରା, ବ୍ରେକ୍‌ଡ୍ୟାନ୍ସ, ହାମର୍, ଟ୍ରେନ୍, ଡ୍ରାଗନ୍, ଅକ୍ଟୋପସ ଆହୁରି କେତେ କଣ । ହେଲେ ସବୁଥିରେ ସିଟ୍ ଫୁଲ୍ । ଛୋଟ ପିଲାଙ୍କ ପାଇଁ ଛୋଟିଆ ରାମଦୋଳି ଓ ବୋଟିଂର ସୁଯୋଗ ବି ଆଣିଦେଇଛି ବାଲିଯାତ୍ରା ।

ଉପର ଓ ତଳ ପଡ଼ିଆକୁ ମିଶାଇ ଆସିଛି ପ୍ରାୟ ଶହେ ହେବ ଛୋଟବଡ଼ ଦୋଳି । ଓଡ଼ିଶା ସହ ରାଜସ୍ଥାନ, ବିହାର, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରୁ ବି ଭଲ ବ୍ୟବସାୟ ଆଶାରେ କଟକ ଛୁଟିଆସିଛନ୍ତି ଦୋଳି ବ୍ୟବସାୟୀ । ସୁରକ୍ଷା ଦୃଷ୍ଟିରୁ ସବୁ ଦୋଳି ଚାରିପଟେ କର୍ଡନ୍ କରାଯାଇଥିବା ବେଳେ, ପ୍ରବେଶ ଓ ପ୍ରସ୍ଥାନ ପାଇଁ ଭିନ୍ନ ଭିନ୍ନ ଗେଟ୍ ରହିଛି । ବାଲିଯାତ୍ରାରେ ଭିଡ଼ ବଢ଼ିବା ସହ ବିଭିନ୍ନ ଦୋଳିର ଟିକେଟ୍ କାଉଣ୍ଟର ଓ ଏଣ୍ଟ୍ରିଗେଟ୍‌ରେ ବି ସେତେ ଗହଳି ଓ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ୨ ବର୍ଷ ତଳେ ଦୋଳି ଟିକେଟ୍ ୫୦-୬୦ ଟଙ୍କା ଥିବା ବେଳେ, ଏବେ ତାହା ୮୦କୁ ବଢ଼ିଛି । ଦୋଳିପ୍ରେମୀଙ୍କ ମତରେ, ଏଭଳି ସୁଯୋଗ ବର୍ଷକୁ ଥରୁଟିଏ । ତେଣୁ କେଇ ମିନିଟ୍‌ର ଡର ମିଶା ମଜା ପାଇଁ, ଘଣ୍ଟାକର ଅପେକ୍ଷା କିଛି ବଡ଼ କଥା ନୁହେଁ ।