/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691332353.jpg)
7 Textile design of Odisha
ଓଡ଼ିଶାର ବୟନ ଶିଳ୍ପ ହେଉଛି ଏହାର ସାଂସ୍କୃତିକ ଐତିହ୍ୟର ପ୍ରତିଫଳନ। ଏହାର ଜଟିଳ କାରୁକାର୍ଯ୍ୟ ଏହାକୁ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି। ସୂତ୍ର କାମ ଠାରୁ ଆରମ୍ଭ କରି ଆକର୍ଷଣୀୟ ରଙ୍ଗ ଓ ଡିଜାଇନ୍ ଏହାକୁ ସମୃଦ୍ଧ କରିଛି। ଓଡ଼ିଶାରେ ବିଭିନ୍ନ ପ୍ରକାରର ହସ୍ତତନ୍ତ୍ର ଶାଢିର ଚାହିଦା ରହିଛି।
ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ, ଆମେ ଆପଣଙ୍କୁ ଓଡିଶାର ସାତୋଟି ଆଇକନିକ ବୟନ ଶୈଳୀ ବିଷୟରେ କହିବୁ ଯାହା ଆମର ସମୃଦ୍ଧ ସାଂସ୍କୃତିକ ବସ୍ତ୍ର ଐତିହ୍ୟର ପରିଚୟ।
ସମ୍ବଲପୁରୀ ଶାଢି:
ସମ୍ବଲପୁରର ବାନ୍ଧ କଳା ବିଶ୍ୱରେ ଏକ ସ୍ୱତନ୍ତ୍ର ଚାହିଦା ରହିଛି। ଏହାର ଜ୍ୟାମିତିକ ଢାଞ୍ଚା ଠାରୁ ଆରମ୍ଭ କରି ଲ୍ୟାଣ୍ଡ୍ସ୍କେପ, ପୋଟ୍ରେଟ୍ ଏବଂ ଅନ୍ୟାନ୍ୟ ମୋଟିଫ୍ ଯେପରିକି ଶଂଖ, ଚକ୍ର ଏବଂ ବିଭିନ୍ନ ଫୁଲ ଅତ୍ୟନ୍ତ ଆକର୍ଷଣୀୟ।
ଅଧିକ ପଢ଼ନ୍ତୁ: ତନ୍ତରେ କିପରି ପ୍ରସ୍ତୁତ ହୁଏ ବସ୍ତ୍ର, ଆସନ୍ତୁ ୧୦ଟି ପର୍ଯ୍ୟାୟରେ ଜାଣିନେବା
ବମ୍କେଇ ଶାଢି:
ସୋନପୁର ଜିଲ୍ଲାର ଦକ୍ଷ କାରିଗରମାନଙ୍କ ଦ୍ୱାରା ବୁଣା ବମ୍କେଇର ଖୁବ ଚାହିଦା ରହିଛି, ଯାହାର GI ଟ୍ୟାଗ୍ ମଧ୍ୟ ଅଛି। ଏହାକୁ 'ସୋନପୁରୀ' ମଧ୍ୟ କୁହାଯାଏ। ଫ୍ୟାଶନ୍ ବଜାରରେ ମଧ୍ୟ ବମ୍କେଇ ଶାଢି ବହୁତ ଲୋକପ୍ରିୟତା ରହିଛି।
ବ୍ରହ୍ମପୁର ପାଟ:
ବ୍ରହ୍ମପୁର ପାଟ ମଧ୍ୟ GI ଟ୍ୟାଗ୍ ପାଇଛି। ଏହାର ବର୍ଡର ଡିଜାଇନିଂ ଓ ପଲୁ ସହିତ ମନ୍ଦିର ଆକୃତିର ଡିଜାଇନ୍ ସମସ୍ତଙ୍କୁ ଆକର୍ଷଣ କରେ। ଏହି ପାଟର ଆଉ ଏକ ସ୍ୱତନ୍ତ୍ରତା ହେଲା ଏହାକୁ ପୁରୀ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ଫିନ୍ଧାଯାଏ।
ଖଣ୍ଡୁଆ ପାଟ:
ମହାକବି ଜୟଦେବଙ୍କ ଗୀତ ଗୋବିନ୍ଦରେ ଖଣ୍ଡୁଆ ପାଟର ଉଲ୍ଲେଖ ରହିଛି। ପାରମ୍ପରିକ ଭାବରେ ଏଥିରେ ବ୍ୟବହୃତ ଲାଲ ବା କମଳା ରଙ୍ଗ ଶାଳ ଗଛରୁ ପ୍ରାକୃତିକ ଭାବରେ ସଂଗ୍ରହ କରାଯାଏ। ଏହାକୁ ମଧ୍ୟ GI ଟ୍ୟାଗ୍ ମିଳିଛି। ଏହା ମୁଖ୍ୟତଃ କଟକ ଏବଂ ମାଣିଆବନ୍ଧରେ ତିଆରି କରାଯାଏ।
କୋଟପାଡ ବସ୍ତ୍ର:
କୋରାପୁଟର କୋଟପାଡ ଗାଁର ଆଦିବାସୀମାନଙ୍କ ଦ୍ୱାରା ବୁଣା ହେଉଥିବା ଏହି ବସ୍ତ୍ରକୁ ମଧ୍ୟ GI ଟ୍ୟାଗ୍ ମିଳିଛି। ଏହି ବସ୍ତ୍ର ଜୈବିକ ରଙ୍ଗ ପାଇଁ ପ୍ରସିଦ୍ଧ। ପନିପରିବାଗୁଡିକରୁ କଳା ଏବଂ ମେରୁନ୍ ରଙ୍ଗ ସଂଗ୍ରହ କରାଯାଇ ଏଥିରେ ବ୍ୟବହାର କରାଯାଏ।
ହାବସପୁରୀ:
କାଲାହାଣ୍ଡି ଜିଲ୍ଲାର ଛିଚେଗୁଡାର କୋଣ୍ଡା ବୁଣାକାରମାନଙ୍କ ଦ୍ୱାରା ବୟନ କରାଯାଉଥିବା ଏହି ବିଶେଷ ବସ୍ତ୍ରକୁ ହାବସପୁରୀ ବୋଲି କୁହାଯାଏ। ଏଥିରେ ତିଆରି ହେଉଥିବା ମାଛ, ଫୁଲ ଏବଂ ମନ୍ଦିରରେ ଡିଜାଇନିଂ ସମସ୍ତଙ୍କୁ ଆକର୍ଷଣ କରେ। ଏହାକୁ ମଧ୍ୟ GI ଟ୍ୟାଗ୍ ମିଳିଛି।
ପଶାପାଲି:
ବରଗଡ ଜିଲ୍ଲାର ଦକ୍ଷ କାରିଗରଙ୍କ ଦ୍ୱାରା ଏକ ବିଶେଷ ଶୈଳୀରେ ବୁଣାଯାଉଥିବା ଶାଢିକୁ ପଶାପାଲି କୁହାଯାଏ। ଏହାର ଡବଲ୍ ଚେକବୋର୍ଡ ପ୍ୟାଟର୍ନ ସମସ୍ତଙ୍କୁ ଆକର୍ଷଣ କରେ। ଏହି ଶୈଳୀ ଦେଖିବାକୁ ପଶା ପାଲି ଭଳି ହୋଇଥିବାରୁ ଏହାକୁ ଏଭଳି ନାମକରଣ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)