• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ପ୍ରତିବର୍ଷ ୭ ଅଗଷ୍ଟରେ ସାରା ଦେଶ ହସ୍ତତନ୍ତ ଦିବସକୁ ପାଳନ କରେ। ଏହି ଦିନର ମୂଳ ଉଦ୍ଦେଶ୍ୟ ହେଉଛି ଦେଶରେ ଥିବା ହସ୍ତତନ୍ତ ସମ୍ପ୍ରଦାୟକୁ ଉତ୍ସାହିତ କରିବା। ଏହା ହେଉଛି ଆମର ସାଂସ୍କୃତିକ ଏବଂ ପାରମ୍ପରିକ ଐତିହ୍ୟକୁ ପ୍ରଚାର ପ୍ରସାର କରିବାର ଦିନ।

ଜାତୀୟ ହସ୍ତତନ୍ତ ଦିବସ ଏହା ମଧ୍ୟ ସୁନିଶ୍ଚିତ କରେ ଯେ ହସ୍ତତନ୍ତ ପ୍ରକ୍ରିୟାରେ ଜଡିତ ସମସ୍ତ କାରିଗର ଆର୍ଥିକ ଦୃଷ୍ଟିରୁ ସ୍ଥିର ଅଟନ୍ତି ଏବଂ ସେମାନଙ୍କର କାମକୁ ସ୍ୱୀକୃତି ଦିଆଯାଉଛି। ଆଜି ଏହି ଐତିହ୍ୟ ଦିବସରେ ଆସନ୍ତୁ ଏହି ଦିନର ଇତିହାସ ଓ କିପରି ତିଆରି ହୁଏ ହସ୍ତତନ୍ତ ବସ୍ତ୍ର ସେ ବିଷୟରେ ଜାଣିନେବା।

ଉଦ୍ଦେଶ୍ୟ:

ଜାତୀୟ ହସ୍ତତନ୍ତ ଦିବସ ଭାରତୀୟ ବସ୍ତ୍ରର ଉତ୍କର୍ଷତାକୁ ସୂଚିତ କରେ ଏବଂ ସୁନ୍ଦର କାରୁକାର୍ଯ୍ୟ ନେଇ ଶିଳ୍ପୀମାନଙ୍କ ପଦକ୍ଷେପକୁ ପ୍ରଶଂସା କରେ। ଏହି କାରୀଗରମାନଙ୍କ ନିୟମିତ ଉଦ୍ଦ୍ୟମ ଯୋଗୁଁ ଦେଶ ମଧ୍ୟ ଅର୍ଥନୀତିରେ ଅଭିବୃଦ୍ଧି କରିଛି ଏବଂ ସେମାନଙ୍କୁ ବିଶ୍ୱ ଫୋରମରେ ପ୍ରଭାବଶାଳୀ ହେବା ନେଇ ସହଯୋଗ ମଧ୍ୟ ମିଳୁଛି। ଏହି ଦିବସ ଏ ସମ୍ବନ୍ଧରେ ସମସ୍ତଙ୍କୁ ସଚେତନ କରିଦିଏ।

 ଅଧିକ ପଢ଼ନ୍ତୁ: ଶାଢି ପ୍ରେମୀଙ୍କୁ ଆକର୍ଷଣ କରୁଥିବା ଓଡ଼ିଶାର ୭ ବସ୍ତ୍ର କଳା

ହସ୍ତତନ୍ତ ଶିଳ୍ପର ଉତ୍ପାଦନ ଏବଂ ଶିଳ୍ପର ବିକାଶ ପାଇଁ ଆନୁଷଙ୍ଗିକ ପରମ୍ପରାକୁ ରକ୍ଷା କରିବା ଏହି ଦିବସର ଲକ୍ଷ୍ୟ। ଏହା ସହିତ ଅନେକ ଲୋକ ଭାରତର ଅନନ୍ୟ ସଂସ୍କୃତିକୁ ମଧ୍ୟ ବୁଝିପାରିବେ। ଜାତୀୟ ହସ୍ତତନ୍ତ ଦିବସ ମଧ୍ୟ ଭାରତରେ ବୟନ କ୍ଷେତ୍ରର ଦୀର୍ଘକାଳୀନ ଅଖଣ୍ଡତା ଉପରେ ଆଲୋକପାତ କରେ।

ଇତିହାସ:

ଜାତୀୟ ହସ୍ତତନ୍ତ ଦିବସ ପ୍ରଥମେ ୨୦୧୫ରେ ପାଳନ କରାଯାଇଥିଲା ଏବଂ ଏହାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଥିଲେ। ଚେନାଇରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଇଥିଲା। ୧୯୦୫ ମସିହାରେ କଲିକତାରେ କାର୍ଯ୍ୟକାରୀ ହୋଇଥିବା ସ୍ୱଦେଶୀ ଆନ୍ଦୋଳନର ପ୍ରଭାବକୁ ମନେ ପକେଇବା ପାଇଁ ୭୪ ଅଗଷ୍ଟରେ ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଏହି ଆନ୍ଦୋଳନକୁ ମୁଖ୍ୟତଃ ବାଲ ଗଙ୍ଗାଧର ତିଲକ, ବିପିନ ଚନ୍ଦ୍ର ପାଲ ଏବଂ ଲାଲା ଲଜପତ ରାୟ ପରିଚାଳନା କରିଥିଲେ। ଭାରତରେ ନିର୍ମିତ ସାମଗ୍ରୀର ବ୍ୟବହାର ବୃଦ୍ଧି ପାଇଁ ସେମାନେ ଏହି ଆନ୍ଦୋଳନ ଆରମ୍ଭ କରିଥିଲେ, ଯେଉଁଥିରେ ହସ୍ତତନ୍ତ୍ର ବସ୍ତ୍ର ସାମିଲ ଥିଲା। ବ୍ରିଟିଶ ଶାସନ ସମୟରେ ଏହା ଭାରତର ସ୍ୱାଧୀନତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

କିପରି ପ୍ରସ୍ତୁତ ହୁଏ ବସ୍ତ୍ର-

କଞ୍ଚାମାଲ୍:

ହସ୍ତତନ୍ତ ଶିଳ୍ପ ପାଇଁ ସୂତା, ରେଶମ, ପଶମ ଏବଂ ଲାଇଲନ୍ ହେଉଛି ସବୁଠାରୁ ଲୋକପ୍ରିୟ କଞ୍ଚାମାଲ। ପ୍ରଥମେ ଏସବୁ ସଂଗ୍ରହ କରାଯାଏ।

ସୂତା ତିଆରି:

କଞ୍ଚାମାଲକୁ ପାପୁଲିରେ ଧୀରେ ଧୀରେ ଘୂର୍ଣ୍ଣନ କରାଯାଇ ଏକ ପ୍ରକାର ଲମ୍ବାଳିଆ ଗୁଚ୍ଛ ତିଆରି କରାଯାଏ। ଏଥିରୁ ଚରଖା ମାଧ୍ୟମରେ ସୂତା ବାହାର କରାଯାଏ।

ସୂତାର ରଙ୍ଗ:

ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ପର୍ଯ୍ୟାୟ। ପ୍ରାକୃତିକ କିମ୍ବା ରାସାୟନିକ ରଙ୍ଗ ବ୍ୟବହାର କରି ସୂତାକୁ ରଙ୍ଗ କରାଯାଏ। ମୁଖ୍ୟତଃ ତିନି ପ୍ରକାରରେ ରଙ୍ଗ କରାଯାଏ। ପ୍ରାକୃତିକ ରଙ୍ଗ, ଇଣ୍ଡିଗୋ ରଙ୍ଗ, ସିନ୍ତେଟିକ୍ ରଙ୍ଗ।

ବବିନ୍ ପ୍ରସ୍ତୁତି:

ରଙ୍ଗ ହୋଇଥିବା ସୂତାକୁ ଚରଖା ମଧ୍ୟରେ ଏକ ବବିନ୍ ପ୍ରସ୍ତୁତ ହୁଏ। ଏହି ପ୍ରକ୍ରିୟା ସୂତାକୁ ଲମ୍ବା କରାଯାଏ।

ସୂତା ମଜଭୁତ:

ବବିନ ପ୍ରସ୍ତୁତି ପରେ ଏକ ପ୍ରକ୍ରିୟା ମାଧ୍ୟମରେ ମଣ୍ଡ ଦିଆଯାଏ ଓ ସୂତାକୁ ମଜଭୁତ କରି ସାଇଜ୍ କରାଯାଏ।

ତାନି ଓ ବିମ୍ ପ୍ରସ୍ତୁତି:

ସୂତାକୁ ସାଇଜ୍ କରିବା ପରେ ଏହାକୁ ତାନି ମଧ୍ୟମରେ ସଂରକ୍ଷିତ କରାଯାଏ ଓ ଏହା ପରେ ଏକ କାଠ ବିମ୍‌ରେ ଗୁଡାଯାଏ। ଏହା ପରେ ତନ୍ତକୁ ନିଆଯାଏ।

ତନ୍ତରେ ବିମ୍ ପ୍ରସ୍ତୁତି:

ପ୍ରସ୍ତୁତ ବିମ୍‌କୁ ଆଣି ତନ୍ତର ପଛ ପାଖରେ ରଖାଯାଏ। ଏହାର ସମ୍ମୁଖ ପାଖରେ ଅନ୍ୟ ଏକ ବିମ୍ ରଖାଯାଇ ପଛ ବିମ୍ ସହ ଯୋଡାଯାଏ।

ରିଲ୍ ପ୍ରସ୍ତୁତ:

ପାରମ୍ପରିକ ଚରଖା ମାଧ୍ୟରେ ସୂତାର ରିଲ୍ ପ୍ରସ୍ତୁତ ହୁଏ। ବୁଣିବା ନେଇ ଏହି ରିଲ୍‌କୁ ଏକ ମାଙ୍କୁରେ ସେଟିଂ କରାଯାଏ।

ବସ୍ତ ବୁଣିବା:

ଏହାପରେ ରିଲ୍‌କୁ ଏପାଖ ସେପାଖ କରି ତନ୍ତକୁ ବୁଣିବାକୁ ପଡେ। ପାଦରେ ପ୍ୟାଡେଲ୍ ମାରି ତନ୍ତ ବୁଣାଯାଏ। ଏଥିପାଇଁ ଅନେକ ସମୟ ମଧ୍ୟ ଲାଗେ।

ଅନ୍ତିମ ପର୍ଯ୍ୟାୟ:

ଦୀର୍ଘ ସମୟ ତନ୍ତ ବୁଣିବା ପରେ ନିର୍ଦ୍ଦିଷ୍ଟ ଲମ୍ବର ବସ୍ତ୍ର ପ୍ରସ୍ତୁତ ହୋଇଯାଏ। ଏହାପରେ ବସ୍ତ୍ରକୁ ତନ୍ତରୁ କାଟି ବାହାର କରାଯାଏ। ଏହାକୁ ସାଇଜରେ ଭାଙ୍ଗି ବିକ୍ରି ପାଇଁ ରଖାଯାଏ।

OTV is now on Whatsapp

Join and get latest news update delivered to you via whatsapp

Join Now