• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଫୁଲ, ଚନ୍ଦନ ଓ ବନ୍ଦାପନା ସହ ପରୀକ୍ଷା ହଲରେ ପ୍ରବେଶ କଲେ ଛାତ୍ରଛାତ୍ରୀ । ଶିକ୍ଷା ଜୀବନର ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ତେଣୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବାକୁ ଭଦ୍ରକ ରେ ହୋଇଥିଲା ଏଭଳି ବ୍ୟବସ୍ଥା । ସେପଟେ କୋରାପୁଟ ରେ ବି ଆରମ୍ଭ ହୋଇଛି ପ୍ଲସ୍ ଟୁ ବିଜ୍ଞାନ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ବିଷୟରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ନୟାଗଡ ରେ ବି ଛାତ୍ରଛାତ୍ରୀ ଦେଇଛନ୍ତି ପରୀକ୍ଷା । ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପରୀକ୍ଷା ଦେଉଥିବାରୁ ଛାତ୍ରଛାତ୍ରୀ ବି ଖୁସ୍ । ସେପଟେ ପ୍ରଶ୍ନପତ୍ର ଲିକ୍ ଏବଂ କପି ରୋକିବା ପାଇଁ ପରୀକ୍ଷା କେନ୍ଦ୍ରରେ ହୋଇଛି କଡା ସୁରକ୍ଷା ବ୍ୟବସ୍ଥା ।

ଏପଟେ ରମାଦେବୀରେ ପରୀକ୍ଷା ପରିଚାଳନା ତଦାରଖ ପାଇଁ ପହଁଚିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କ୍ଲାସରୁମ୍‌ରୁ କ୍ଲାସରୁମ୍ ବୁଲି ପରୀକ୍ଷା ବ୍ୟବସ୍ଥା ଦେଖିବା ସହ ପିଲାଙ୍କୁ ଆତ୍ମବିଶ୍ୱାସର ସହ ଏଗଜାମ୍ ଦେବାକୁ ପରାମର୍ଶ ଦେଇଥିଲେ ।

ଏହାରି ଭିତରେ ଆସିଥିଲା ପ୍ରଶ୍ନପତ୍ର ଭାଇରାଲର ସଙ୍ଗୀନ ଅଭିଯୋଗ । ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଘୁରି ବୁଲୁଥିବା ଅଭିଯୋଗ ହୋଇଥିଲା । ଏହା ଉପରେ ପ୍ରତିକ୍ରିୟା ରଖି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ପ୍ରଶ୍ନ ପତ୍ର ଲିକ୍ ନେଇ ସାଇବର ଥାନାରେ ଏତଲା ଦିଆଯାଇଛି। କିଛି ଲୋକ ଦଲାଲି କରିବା ପାଇଁ ନକଲି ପ୍ରଶ୍ନପତ୍ରକୁ ସୋସିଆଲ ମିଡ଼ିଆରେ ଭାଇରାଲ କରୁଛନ୍ତି । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ।

ତେବେ ବୋର୍ଡ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ପ୍ରଥମଥର ପାଇଁ ଆସିନି । ଗତବର୍ଷ ଯୁକ୍ତ ଦୁଇ ପରୀକ୍ଷା ୭୦ ପ୍ରତିଶତ ସିଲାବସ୍ ଆଧାରରେ ହୋଇଥିବା ବେଳେ ସେଥିରେ ବି ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା । ପିଲାମାନେ ପରୀକ୍ଷା ଦେଉଥିବା ବେଳେ ସୋସିଆଲ ମିଡିଆ ରେ ଘୁରି ବୁଲିଥିଲା ଭାଇରାଲ ପ୍ରଶ୍ନପତ୍ର । ତେବେ କାଉନସିଲ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା । ପ୍ରଶ୍ନ ଉଠୁଛି, ପ୍ରଶ୍ନପତ୍ର ଲିକ୍ ରୋକିବାକୁ କଡା ବ୍ୟବସ୍ଥା କରାଯାଇଥିବା ବାରମ୍ବାର କାଉନସିଲ୍ ପକ୍ଷରୁ କୁହାଯାଉଥିବା ବେଳେ ପ୍ରକୃତରେ କେବେ ଏହା ଉପରେ ରୋକ ଲାଗିବ ? କେବେ ବନ୍ଦ ହେବ ପିଲାଙ୍କ ଭବିଷ୍ୟତ ସହ ଖେଳ ?