• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ରହସ୍ୟର ଯେମିତି ଅନ୍ତ ନାହିଁ । ମର୍ଡର ପ୍ଲଟ୍‌ଠୁ ନେଇ ହସ୍ପିଟାଲ ଯାଏଁ ସବୁଠି ଯେମିତି ଖାଲି ଷଡ଼ଯନ୍ତ୍ର ଆଉ ଷଡ଼ଯନ୍ତ୍ରର ଗନ୍ଧ । ୟା ଭିତରେ ସାମ୍ନାକୁ ଆସିଥିବା ତଥ୍ୟ ବି ମୁଣ୍ଡ ଘୂରେଇ ଦେଲାଭଳି । ନବଙ୍କ ରକ୍ତଭିଜା ସାର୍ଟକୁ କୁଆଡ଼େ ପୋଡ଼ି ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଖାଲି ନବଙ୍କ ସାର୍ଟ ପୋଡାଯାଇନି, ଜଣେ ପ୍ରମୁଖ ସାକ୍ଷୀଙ୍କ ସାର୍ଟର ରଙ୍ଗ ବି ହଳଦୀରୁ ଧଳା ହୋଇଯାଇଛି । ଆଉ ସବୁଠୁ ବଡ଼ କଥା ହେଉଛି, ତଦନ୍ତରେ ଏସବୁ ଛିଦ୍ର ବାବଦରେ ଖବର ପ୍ରସାରଣ ପରେ ଆଜି ହିଁ ତଦନ୍ତକାରୀ ଅଧିକାରୀଙ୍କୁ ରିପୋର୍ଟ ତଲବ କରୁଛି କ୍ରାଇମବ୍ରାଞ୍ଚ ।

ପୂରା ଯୋଜନାବଦ୍ଧ ଥିଲା କି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ? ପ୍ରମାଣ ନଷ୍ଟ ପାଇଁ ପାଦେ ପାଦେ ହୋଇଥିଲା କି ଷଡ଼ଯନ୍ତ୍ର ? କାରଣ ହତ୍ୟା ଘଟଣାଠୁ ଶବ ବ୍ୟବଚ୍ଛେଦ ପର୍ଯ୍ୟନ୍ତ ସବୁଥିରେ ପ୍ରମାଣ ନଷ୍ଟ ପାଇଁ ଭରା ଉଦ୍ୟମର ମିଳିବାରେ ଲାଗୁଛି ପୁଳା ପୁଳା ତଥ୍ୟ । ମର୍ଡର ପ୍ଲଟ୍‌ଠୁ ହସ୍ପିଟାଲ ଯାଏଁ ସବୁଠି ଯେମିତି ପାଖେ ପାଖେ ରହି, ନିଜ ଇଚ୍ଛା ମୁତାବକ ତଦନ୍ତର ଦିଗକୁ ମୋଡ଼ୁଥିଲା ହତ୍ୟା ଷଡ଼ଯନ୍ତ୍ରକାରୀ । କେମିତି ନଜର ପକାନ୍ତୁ ଏ ତିନିଟି ବିନ୍ଦୁ ଉପରେ। 

  1. ଗୁଳିମାଡ଼ରେ ମୃତ ମନ୍ତ୍ରୀ ନବଙ୍କ ରକ୍ତଜୁଡୁବୁଡୁ ସାର୍ଟକୁ ହସ୍ପିଟାଲରେ ପୋଡ଼ି ଦିଆଯିବା
  2. ଗୁଳିମାଡ଼ର ପ୍ରମୁଖ ସାକ୍ଷୀଙ୍କ ହଳଦିଆ ସାର୍ଟ ବୟାନ ରେକର୍ଡ ବେଳେ ଧଳା ହୋଇଯିବା
  3. ଖବର ପ୍ରସାରଣକୁ ଦେଖି ତଦନ୍ତକାରୀ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ଏବେ ରିପୋର୍ଟ ତଲବ କରିବା 

ଅଧିକ ପଢ଼ନ୍ତୁ: ପ୍ରେମିକକୁ ବିଷ ଦେଇ ହତ୍ୟା, ପ୍ରେମିକାକୁ ଫଶୀ ଦଣ୍ଡ ଶୁଣାଇଲେ କୋର୍ଟ

ବ୍ରଜରାଜନଗର ଗାନ୍ଧିଛକରେ ନବଙ୍କୁ ଗୁଳିମାଡ଼ ସମୟରେ ରକ୍ତରେ ବୁଡ଼ିଯାଇଛି ନବ ପିନ୍ଧିଥିବା ଧଳା ସାର୍ଟ । କିନ୍ତୁ ମୃତ୍ୟୁ ପରେ ନା କ୍ରାଇମବ୍ରାଞ୍ଚ ପାଖରେ ରକ୍ତଭିଜା ସାର୍ଟ ରହିଛି, ନା ପରୀକ୍ଷା ପାଇଁ ଫୋରେନ୍ସିକ୍ ଲାବ୍‌କୁ ପଠାଯାଇଛି । ଆଉ ଏ ଭିତରେ କ୍ରାଇମବ୍ରାଞ୍ଚ୍ ସୂତ୍ରରୁ ମିଳିଥିବା ଚାଞ୍ଚଲ୍ୟକର ତଥ୍ୟଟି ହେଉଛି ଝାରସୁଗୁଡ଼ାରୁ ଭୁବନେଶ୍ବର ଆସିବା ପରେ ଯେଉଁ ଆପୋଲୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା, କୋଭିଡ୍ ଆଳରେ କୁଆଡ଼େ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ତାକୁ ପୋଡ଼ି ଦେଇଛନ୍ତି । ଆହୁରି ସାଂଘାତିକ କଥାଟି ହେଉଛି କି ନବଙ୍କ ହତ୍ୟାର ୩ ମାସ ପୂର୍ବରୁ କୋଭିଡ୍ କଟକଣାକୁ ହଟାଇ ସାରିଥିଲେ ରାଜ୍ୟ ସରକାର ।

ତେଣୁ ପ୍ରଶ୍ନ ପୂରା ସରକାର ହସ୍ପିଟାଲରେ ଉପସ୍ଥିତ ଥିଲା ବେଳେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଗୁଳିମାଡ଼ ଭଳି ସାଂଘାତିକ ଘଟଣାର ଗୁରୁତ୍ବପୂର୍ଣ୍ଣ ପ୍ରମାଣକୁ କେମିତି ଜାଳି ଦିଆଯାଇ ପାରିଲା ? ହସ୍ପିଟାଲ୍ କର୍ତ୍ତୃପକ୍ଷ ଜାଣିଶୁଣି ଏମିତି କରିଛନ୍ତି ନା କାହା ନିର୍ଦ୍ଦେଶରେ ପ୍ରମାଣ ଲିଭେଇ ଦେଇଛନ୍ତି ? ହେଲେ ଏନେଇ କ୍ୟାମେରା ସାମ୍ନାରେ ମୁହଁ ଖୋଲି ନାହାନ୍ତି ଆପୋଲୋ ହସ୍ପିଟାଲ୍ କର୍ତ୍ତୃପକ୍ଷ ।

ପୁଣି ସେଇ ଦୃଶ୍ୟ ପାଖକୁ ଫେରନ୍ତୁ । ନବଙ୍କୁ ଗୁଳିମାଡ଼ ବେଳେ ତାଙ୍କୁ ଧରିଥିବା ବ୍ୟକ୍ତି ହେଉଛନ୍ତି ଶୁଭେନ୍ଦୁ ପଟ୍ଟନାୟକ । ସ୍ପଷ୍ଟ ଦିଶୁଥିଲା ଶୁଭେନ୍ଦୁ ପିନ୍ଧିଛନ୍ତି ହଳଦିଆ ରଙ୍ଗର ସାର୍ଟ । ପ୍ରପର୍ଟି ସିଜର ଲିଷ୍ଟରେ ବି ସେଇ ସମାନ କଥା ଉଲ୍ଲେଖ ଅଛି । ହେଲେ ସାକ୍ଷୀଙ୍କ ବୟାନ ରେକର୍ଡ ବେଳେ ହଳଦୀ ରଙ୍ଗ ସାର୍ଟ ବଦଳି ଧଳା ହେଇଯାଉଛି । ଧାରା ୧୬୧ ଅନୁସାରେ ତଦନ୍ତକାରୀ ଅଧିକାରୀଙ୍କ ଦ୍ବାରା ରେକର୍ଡ କରାଯାଇଥିବା ସାକ୍ଷୀଙ୍କ ଏ ବୟାନ୍ । ଏଠି ପ୍ରଶ୍ନ ପ୍ରପର୍ଟି ସିଜରରେ ହଳଦିଆ ଥିବା ସାର୍ଟ ବୟାନ ରେକର୍ଡ ସମୟରେ ଧଳା କେମିତି ହେଲା? ଏତେ ବଡ଼ ତ୍ରୁଟି କେମିତି କଲା କ୍ରାଇମବ୍ରାଞ୍ଚ ? ଏମିତି କରିବାକୁ ଚାପ ନଥିଲା ତ କ୍ରାଇମବ୍ରାଞ୍ଚ ଉପରେ ? ସବୁଠୁ ବଡ଼ କଥା ହେଉଛି ଓଟିଭିକୁ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁ ଦେଇ ସାକ୍ଷୀ ଶୁଭେନ୍ଦୁ ବି କହିଛନ୍ତି ମୁଁ ହଳଦିଆ ସାର୍ଟ ହିଁ ପିନ୍ଧିଥିଲି ।

ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନବ ଦାସଙ୍କୁ ହତ୍ୟା ଘଟଣାକୁ ୨ ବର୍ଷ ପୂରିବାକୁ ବସିଥିବା ବେଳେ ଗଣମାଧ୍ୟମରେ ତଦନ୍ତରେ ଏତେସବୁ ତ୍ରୁଟି ଉଜାଗରକୁ ଦେଖି ଏବେ ତଦନ୍ତକାରୀ ଅଧିକାରୀଙ୍କୁ ଆଜି ରିପୋର୍ଟ ତଲବ କରିଛି କ୍ରାଇମବ୍ରାଞ୍ଚ । କାହିଁକି ଏସବୁ ଚର୍ଚ୍ଚା ଚାଲିଛି, ସତ୍ୟାସତ୍ୟ କ’ଣ ଜାଣିବାକୁ ଚାହିଁଛି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ । କେବଳ ଏତିକି ନୁହେଁ, କାହା ଗୁଳିରେ ଯାଇଛି ନବ ଦାସଙ୍କ ଜୀବନ, ତାହା ବି ଏବେ ବଡ଼ପ୍ରଶ୍ନ ହୋଇ ଠିଆ ହୋଇଛି । କାରଣ ଫରେନସିକ୍ ରିପୋର୍ଟ କହୁଛି ନବଙ୍କ ପିଏସ୍ଓ ଗାଡ଼ିରେ ବି ରହିଛି ପାଞ୍ଚ ପାଞ୍ଚଟି ଗନ୍ ସଟ୍ ହୋଲ୍ । ଏପରିକି ନବଙ୍କ ଛାତିରେ ବାଜିଥିବା ଗୁଳି ବି ନ ମିଳିବା ସନ୍ଦେହକୁ ଆହୁରି ବଢ଼ାଇ ଚାଲିଛି । ତେଣୁ ଏଭଳି ସ୍ଥିତିରେ ପରିବାରର ଦାବି ପରେ ମାମଲାର ସିବିଆଇ ତଦନ୍ତ ହେଉଛି କି ନାହିଁ, ଷଡ଼ଯନ୍ତ୍ରର ଗୁମର ପଦାକୁ ବାହାରୁଛି କି ନାହିଁ, ଏବେ ତା ଉପରେ ନଜର ।

ଅଧିକ ପଢ଼ନ୍ତୁ: ନ୍ୟାୟ ଦାବିରେ କଲେଜରେ ହଙ୍ଗାମା କଲେ ପୀଡ଼ିତା

OTV is now on Whatsapp

Join and get latest news update delivered to you via whatsapp

Join Now